ଲକ୍ଷ୍ନୌ: ଏଠାରେ ଚାଲିଥିବା ସୟଦ୍ ମୋଦୀ ଇଣ୍ଟରନାସ୍ନାଲ୍ ବ୍ୟାଡ୍ମିଣ୍ଟନ୍ ଚାମ୍ପିଅନ୍ଶିପ୍ରେ ପିଭି ସିନ୍ଧୁ ଏବଂ ଲକ୍ଷ୍ୟ ସେନ୍ କ୍ୱାର୍ଟର୍ ଫାଇନାଲ୍ରେ ସ୍ଥାନ ହାସଲ କରିଛନ୍ତି। ଦୁଇ ଖେଳାଳି ଗୁରୁବାର ଖେଳାଯାଇଥିବା ନିଜ ନିଜର ମ୍ୟାଚ୍ରେ ବିଜୟୀ ହୋଇଛନ୍ତି। ମହିଳା ସିଙ୍ଗଲ୍ସରେ ସିନ୍ଧୁଙ୍କୁ ଭାରତର ଈରା ଶର୍ମା କଡ଼ା ଟକ୍କର୍ ଦେଇଥିଲେ। ସିନ୍ଧୁ ପ୍ରଥମ ଗେମ୍ ଜିତିବା ପରେ ଈରା ଦ୍ୱିତୀୟ ଗେମ୍ରେ ପ୍ରତ୍ୟାବର୍ତ୍ତନ କରିଥିଲେ। ଟପ୍ ସିଡ୍ ସିନ୍ଧୁ ତିନି ଗେମ୍ ବିଶିଷ୍ଟ ରୋମାଞ୍ଚକର ମ୍ୟାଚ୍କୁ ୨୧-୧୦, ୧୨-୨୧, ୨୧-୧୫ରେ ଜିତି କ୍ୱାର୍ଟର୍ରେ ପ୍ରବେଶ କରିଛନ୍ତି। ମହିଳା ସିଙ୍ଗଲ୍ସରେ ଭାରତର ଅଣସିଡେଡ୍ ଉନ୍ନତି ହୁଡ୍ଡା ବିପର୍ଯ୍ୟୟ ସୃଷ୍ଟି କରି ଥାଇଲାଣ୍ଡର ପୋର୍ନପିଚା ତୋଇକେୱାଙ୍ଗ୍ଙ୍କୁ ୨୧-୧୮, ୨୨-୨୦ରେ ହରାଇ ପରବର୍ତ୍ତୀ ରାଉଣ୍ଡ୍ରେ ପ୍ରବେଶ କରିଛନ୍ତି। ଆମେରିକାର ଅଣସିଡେଡ୍ ଇଶିକା ଜୟସ୍ୱାଲ୍ ଅଷ୍ଟମ ସିଡ୍ ମ୍ୟାଁମାରର ଥେଟ୍ ହଟର୍ ଥଜାରଙ୍କୁ ତିନି ଗେମ୍ ପର୍ଯ୍ୟନ୍ତ ଚାଲିଥିବା ମ୍ୟାଚ୍ରେ ୧୧-୨୧, ୨୧-୧୯, ୨୧-୧୭ରେ ମାତ୍ ଦେଇଛନ୍ତି। ଭାରତର ଯୁବ ତାରକା ଖେଳାଳି ଦ୍ୱିତୀୟ ସିଡ୍ ମାଳବିକା ବନସୋଡ୍ ବିପର୍ଯ୍ୟୟର ଶିକାର ହୋଇଛନ୍ତି। ବନସୋଡ୍ ସ୍ୱଦେଶର ଅଣସିଡେଡ୍ ଶ୍ରେୟାଂଶୀ ବାଲି ଶେଟ୍ଟୀଙ୍କଠାରୁ ୧୨-୨୧, ୧୫-୨୧ରେ ପରାଜିତ ହୋଇଛନ୍ତି।
ସେହିପରି ପୁରୁଷ ସିଙ୍ଗଲ୍ସରେ ଲକ୍ଷ୍ୟ ସେନ୍ ପୂରା ମ୍ୟାଚ୍ରେ ଆଧିପତ୍ୟ ଜାହିର କରି ଇସ୍ରାଏଲୀ ଖେଳାଳି ଡାନିଲ୍ ଡୁବୋଭେନକୋଙ୍କୁ ୨୧-୧୪, ୨୧-୧୩ ଗେମ୍ରେ ସହଜରେ ହରାଇ ଦେଇଛନ୍ତି। ଏହା ବ୍ୟତୀତ ପ୍ରିୟାଂଶୁ ରଜୱତ୍ ଭିଏତ୍ନାମ୍ର ଲି ଡୁ ଫଟ୍ଙ୍କୁ ୨୧-୧୫, ୨୧-୮ରେ ହରାଇ କ୍ୱାର୍ଟର୍ ଫାଇନାଲ୍ରେ ପ୍ରବେଶ କରିଛନ୍ତି।ଅନ୍ୟ ସିଙ୍ଗଲ୍ସ ମ୍ୟାଚ୍ରେ ଅଷ୍ଟମ ସିଡ୍ ଭାରତର ଆୟୁଷ ଶେଟ୍ଟୀ ମାଲେସିଆର ଜଷ୍ଟିନ୍ ହୋହଙ୍କୁ ୨୧-୧୨, ୨୧-୧୯ରେ ହରାଇଥିବା ବେଳେ ପୁରୁଷ ଡବଲ୍ସରେ ଭାରତର ଈଶାନ୍ ଭଟନାଗର ଓ ଶଙ୍କର ପ୍ରସାଦ ଉଦୟକୁମାରଙ୍କୁ ୱାକ୍ଓଭର୍ ମିଳିଛି। ମହିଳା ଡବଲ୍ସରେ ଅଶ୍ୱିନୀ ପୋନପ୍ପା ଓ ତନିଷା କ୍ରାଷ୍ଟୋଙ୍କ ଭାରତୀୟ ଯୋଡ଼ି ତାଇୱାନ୍ ସୁ ୟୁ ଚେନ୍ ଓ ଇଏନ୍ଙ୍କ ଯୋଡ଼ି ବିପକ୍ଷରେ ୨୧-୧୯, ୮-୨୧, ୨୧-୧୨ରେ ବିଜୟୀ ହୋଇଛି।










