ଭୁବନେଶ୍ୱର: ପ୍ରକାଶ ପାଇଲା ଗୃହ ବିଭାଗର ଶ୍ୱେତପତ୍ର। ସାଇବର ଅପରାଧ ଓ ଠକେଇ ମାମଲା ରୋକିବା ତଥା ପ୍ରଭାବିତଙ୍କୁ ନ୍ୟାୟ ଦେବାରେ ଓଡ଼ିଶା ପୁଲିସ ଫେଲ୍ ମାରିଛି । ସାଇବର ଲୁଟେରାମାନେ ରାଜ୍ୟବାସୀଙ୍କ କଷ୍ଟ ଅର୍ଜିତ ଧନକୁ ଲୁଟିବାରେ ଲାଗିଥିଲେ ମଧ୍ୟ ଓଡ଼ିଶା ପୁଲିସ ବିଗତ ୩ବର୍ଷ ମଧ୍ୟରେ ସେଥିରୁ ମାତ୍ର ୨% ଅର୍ଥକୁ ଫେରସ୍ତ ଆଣିପାରିଛି। ୨୦୨୨ ମସିହାରେ ରାଜ୍ୟରେ ସାଇବର ଅପରାଧ ମାମଲା ୧୯୮୩ଟି ପଞିକୃତ ହୋଇଥିବାବେଳେ ୨୦୨୩ରେ ଏହା ୨୩୪୮କୁ ବୃଦ୍ଧି ପାଇଛି । ସେହିପରି ରାଜ୍ୟରେ ୨୦୨୩ ମସିହାରେ ମୋଟ ୧ଲକ୍ଷ ୯୯ହଜାର ୯୫୪ଟି ଧର୍ତ୍ତବ୍ୟ ଅପରାଧ ମାମଲା ରୁଜୁ ହୋଇଥିବାବେଳେ ସେଥିରେ ୧୩୬୨ଟି ହତ୍ୟା, ୨୮୨୭ଟି ଦୁଷ୍କର୍ମ, ୩୭୦ଟି ଡକାୟତି, ୨୯୬୧ଟି ଲୁଣ୍ଠନ, ୧୬୮୫୧ଟି ଚୋରି, ୧୬୫୫ଟି ଦଙ୍ଗା ଓ ୬୧୯୬ଟି ପ୍ରତାରଣା ମାମଲା ରୁଜୁ ହୋଇଛି । ତେବେ ୨୦୨୨ ତୁଳନାରେ ୨୦୨୩ ମସିହାରେ ମୋଟ ୨୧୭୬୪ଟି ଅଧିକ ଧର୍ତ୍ତବ୍ୟ ଅପରାଧ ମାମଲା ପଞ୍ଜିକୃତ ହୋଇଛି ବୋଲି ଆଜି ବିଧାନସଭାରେ ଉପସ୍ଥାପିତ ଗୃହ ବିଭାଗର ଶ୍ୱେତପତ୍ର-୨୦୨୩ରୁ ଜଣାପଡ଼ିଛି ।
ଶ୍ୱେତପତ୍ର ଅନୁସାରେ, ୨୦୨୩ ମସିହାରେ ମୋଟ ୨୩୪୮ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଛି । ସେଥିରୁ ୨୯୧ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଥିବାବେଳେ ୧୮୭୭ଟି ମାମଲା ଏବେ ତଦନ୍ତାଧୀନ ରହିଛି । ୮୧୦ଜଣ ଅପରାଧୀଙ୍କ ମଧ୍ୟରୁ ୫୨୨ଜଣଙ୍କୁ ରାଜ୍ୟ ଭିତରୁ ଓ ବାହାରୁ ଗିରଫ କରାଯାଇଛି । ମୋଟ ୨୩୪୮ଟି ସାଇବର ଅପରାଧ ମଧ୍ୟରୁ ୧୩୬୨ଟି ଆର୍ଥିକ ଠକେଇ ମାମଲା ପଞ୍ଜିକୃତ ହୋଇଛି । ୪୭.୭୫କୋଟି ଟଙ୍କା ସାଇବର ଠକେଇ ରାଶି ମଧ୍ୟରୁ ମାତ୍ର ୧.୫୨କୋଟି ଟଙ୍କା ଫେରସ୍ତ ଅଣାଯାଇପାରିଛି ଓ ୨.୨୭କୋଟି ଟଙ୍କା ରାଶିକୁ ସ୍ଥଗିତ ରଖିବାରେ ପୁଲିସ ସଫଳ ହୋଇଛି ।
ତେବେ ୨୦୨୧ରୁ ୨୦୨୩ ମସିହା ମଧ୍ୟରେ ରାଜ୍ୟରେ ମୋଟ ୬୩୬୮ଟି ସାଇବର ଠକେଇ ମାମଲା ପଞ୍ଜିକୃତ ହୋଇଥିବାବେଳେ ସେଥିରୁ ୩୭୧୪ଟି ଆର୍ଥିକ ଠକେଇ ମାମଲାରେ ୧୨୨.୭୬କୋଟି ଟଙ୍କା ସାଇବର ଠକ ଲୁଟି ନେଇଛନ୍ତି । ଆଉ ଏଥିରୁ ମାତ୍ର ୨.୫୬କୋଟି ଟଙ୍କା ଫେରସ୍ତ ଆଣିବା ଓ ୩.୨୫କୋଟି ଟଙ୍କା ସ୍ଥଗିତ ରଖିବାରେ ଓଡ଼ିଶା ପୁଲିସ ସକ୍ଷମ ହୋଇପାରିଛି । ୩ବର୍ଷ ମଧ୍ୟରେ ୧୨୨.୭୬କୋଟି ଟଙ୍କା ସାଇବର ଠକେଇରେ ପୁଲିସ ମାତ୍ର ପ୍ରାୟ ୫.୮୧କୋଟି ଟଙ୍କାକୁ ସୁରକ୍ଷା ଦେଇପାରିଥିବା ଶ୍ୱେତପତ୍ରରୁ ଜଣାପଡ଼ିଛି । ୨୦୨୨ରେ ରାଜ୍ୟରେ ମୋଟ ୧୯୮୩ଟି ସାଇବର ଅପରାଧ ମାମଲା ପଞ୍ଜିକୃତ ହୋଇଥିଲା । ଯଦିଓ ରାଜ୍ୟରେ ସାଇବର ଓ ଅର୍ଥନୀତିକ ଅପରାଧ ମକଦ୍ଦମାଗୁଡ଼ିକର ସଫଳ ତଦନ୍ତ ପାଇଁ ୧୪ଟି ସାଇବର ଓ ଅର୍ଥନୀତିକ ଅପରାଧ ଥାନା କାର୍ଯ୍ୟ କରୁଛି । ସାଇବର ଅପରାଧ ସହାୟତା କେନ୍ଦ୍ର ତଥା କଲ ସେଂଟର ୨୦୨୧ ମେ’ରୁ କାର୍ଯ୍ୟ କରୁଛି । ଟୋଲଫ୍ରି ନମ୍ବର ‘୧୯୩୦’କୁ କଲ୍ କରି ସହାୟତା ଯୋଗାଇ ଦିଆଯାଉଛି ।
ମାତ୍ର ୨୦୨୩ ମସିହା ମଧ୍ୟରେ ଏହି କଲ ସେଂଟକୁ ମୋଟ ୭୧୫୦୮ଟି କଲ୍ ଆସିଥିବାବେଳେ ସେଥିରୁ ମାତ୍ର ୩୧.୩ ପ୍ରତିଶତ କଲ୍ ସମ୍ପର୍କରେ ପୁଲିସ ପକ୍ଷରୁ ଉତ୍ତର ଦିଆଯାଇଥିବା ଜଣାପଡ଼ିଛି । କେବଳ ସେତିକି ନୁହେଁ ଏହି କଲ୍ ସେଂଟର ଖୋଲିବା ଦିନଠୁ ବିଗତ ୩ବଷ ମଧ୍ୟରେ ମୋଟ ୩.୨୨ଲକ୍ଷ କଲ୍ ଆସିଥିବାବେଳେ ସେଥିରୁ ୫୩.୫୦% କଲ୍ ଉତ୍ତର ଦିଆଯାଇଛି । ୧.୪୯ଲକ୍ଷ କଲ୍ ଉତ୍ତର ଦିଆଯାଇପାରିନାର୍ହି । ୨୦୨୩ ମସିହାରେ ରାଜ୍ୟରେ ଆଇନଶୃଙ୍ଖଳା ପରିସ୍ଥିତି ମୋଟାମୋଟି ଶାନ୍ତିପୂର୍ଣ୍ଣ ରହିଥିଲା । ଏହିବର୍ଷ ରାଜ୍ୟରେ କୌଣସି ଛାତ୍ର ଅଶାନ୍ତି ଦେଖାଯାଇନାହିଁ କିମ୍ବା ଶ୍ରମ ଓ ସେବା ସଂଗଠନଗୁଡ଼ିକ ଆଇନଶୃଙ୍ଖଳା ପରିସ୍ଥିତି ବ୍ୟାହତ ହେବାଭଳି କୌଣସି ବିଶେଷ ଆନ୍ଦୋଳନ କରିନାହାନ୍ତି । ତେବେ ବିଭିନ୍ନ କାରଣ ପାଇଁ ୨୦୨୩ ମସିହାରେ ପୁଲିସକୁ ମାତ୍ର ୫ଥର ଗୁଳିଚାଳନା କରିବାକୁ ପଡ଼ିଛି । ୨୦୨୩ ମସିହାରେ ରାଜ୍ୟରେ ମୋଟ ୨୩୬ଥର ରାସ୍ତାରୋକ, ୩୦ଥର ରେଳରୋକ, ୧୮୦୫ଥର ଧାରଣା, ୧୧୭୯ଥର ରାଲି, ୨୦୨୩ଥର ବିକ୍ଷୋଭ, ୧୧୭ଥର ଅନଶନ, ୮୦ଥର ବନ୍ଦ ଓ ୧୭୮ଥର ଘେରାଓ ହୋଇଥିଲା । ପୁଲିସର ଦୃଢ଼ କାର୍ଯ୍ୟାନୁଷ୍ଠାନ ଯୋଗୁ କୌଣସିଠାରେ ବିଶେଷ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇନାହିଁ । ୨୦୨୩ ମସିହାରେ ରାଜ୍ୟରେ କୌଣସି ସନ୍ତ୍ରାସବାଦୀ କାର୍ଯ୍ୟକଳାପ ହୋଇନାହିଁ । ମାଓବାଦୀ ଗତିବିଧି ନିୟନ୍ତ୍ରଣାଧୀନ ରହିଥିଲା । ୩ଜଣ ସିପିଆଇ(ମାଓବାଦୀ)ଙ୍କ ମୃତ୍ୟୁ ହୋଇଥିବାବେଳେ ୧୩ଜଣ ମାଓବାଦୀଙ୍କୁ ଗିରଫ କରାଯାଇଛି । ୫ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି ।
୨୦୨୩ ମସିହାରେ ରୁଜୁ ହୋଇଥିବା ମୋଟ ୧.୯୯,୯୫୪ଟି ଧର୍ତ୍ତବ୍ୟ ଅପରାଧ ମଧ୍ୟରୁ ୧ଲକ୍ଷ ୯୨ହଜାର ୨୩୮ଟି ମାମଲା ସତ । ସେଥିରୁ ୨୦୨୩ ମସିହା ଶେଷସୁଦ୍ଧା ମୋଟ ୧ଲକ୍ଷ ୩୫ହଜାର ୫୯୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ୨୦୨୩ ମସିହାରେ ୨୮୨୬ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିବାବେଳେ ସେଥିରୁ ୨୭୬୨ଟି ମାମଲା ସତ ଏବଂ ବର୍ଷ ଶେଷସୁଦ୍ଧା ସେଥିରୁ ୧୮୪୭ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୨୦୨୩ ମସିହାରେ ମୋଟ ୧୬୮୫୧ଟି ଚୋରି ମାମଲା ମଧ୍ୟରୁ ବର୍ଷ ଶେଷସୁଦ୍ଧା ମାତ୍ର ୬୧୩୬ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୯୦୨୫ଜଣ ଅପରାଧୀଙ୍କୁ ଗିରଫ କରାଯାଇ ମାତ୍ର ୪୭କୋଟି ଟଙ୍କାର ଚୋରି ସମ୍ପତ୍ତି ଅର୍ଥାତ୍ ମାତ୍ର ୧୫% ଚୋରି ସମ୍ପତ୍ତିକୁ ପୁଲିସ ଉଦ୍ଧାର କରିଛି । ଯଦିଓ ଏହି ଅବଧି ମଧ୍ୟରେ ୩୦୭.୩୨କୋଟି ଟଙ୍କାର ସମ୍ପତ୍ତି ଚୋରି ହୋଇଛି ।
ସେହିପରି ୨୦୨୩ ମସିହାରେ ୧୩୬୨ଟି ହତ୍ୟା ମାମଲା ରୁଜୁ ହୋଇଛି ଓ ସେଥିରୁ ୫୬୯ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ କରାଯାଇଛି । ସେହିପରି ରାଜ୍ୟରେ ୨୩୧ଟି ଯୌତୁକଜନିତ ମକଦ୍ଦମା ରୁଜୁ ହୋଇଛି ଓ ୯୫ଟି ମାମଲାରେ ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକଜନିତ ଆତ୍ମହତ୍ୟାର ୧୦୭ଟି ମକଦ୍ଦାମା ରୁଜୁ ହୋଇ ୮୨ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ଯୌତୁକ ନିର୍ଯାତନାର ୪୮୯୬ଟି ମାମଲା ରୁଜୁ ହୋଇ ୩୪୭୯ଟି ଦୋଷାରୋପ ଫର୍ଦ୍ଦ ଦାଖଲ ହୋଇଛି । ୨୦୨୩ ମସିହାେରେ ରାଜ୍ୟରେ ମହିଳା ଚୋରା ଚାଲାଣର ୧୬୫ଟି ମାମଲା ରୁଜୁ ହୋଇଛି । ୨୦୨୩ ମସିହାରେ ରାଜ୍ୟରେ ମୋଟ ୧୮୬୮ଟି ମାଦକ ଦ୍ରବ୍ୟ ନିରୋଧ ଆଇନରେ ମାମଲା ରୁଜୁ ହୋଇ ୨୪୧୦ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା ।