ଭୁବନେଶ୍ବର: ଗତକାଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଶ୍ରୀ ସୁରେଶ କୁମାର ବଶିଷ୍ଠ (ଭା.ପ୍ର.ସେ) କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହି ଅବସରରେ ବିଭାଗର ବରିଷ୍ଠ ଅଧିକାରୀ ଓ କର୍ମଚାରୀମାନେ ତାଙ୍କୁ ସ୍ୱାଗତ ଜଣାଇଥିଲେ । କାର୍ଯ୍ୟଭାର ଗ୍ରହଣ କଲା ପରେ ଶ୍ରୀ ବଶିଷ୍ଠ ବିଭାଗ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ଓ ଅଭିଯାନର ସୁଦୃଢ଼ୀକରଣ ଏବଂ ସମନ୍ୱିତ ପ୍ରୟାସ ଉପରେ ଗୁରୁତ୍ୱାରୋପ କରିଥିଲେ । ଆର୍ଥିକ ଦୁର୍ବଳ ଓ ଅସହାୟ ଲୋକମାନଙ୍କ ପାଖକୁ ସରକାରଙ୍କ ମହତ୍ୱାକାଂକ୍ଷୀ ଯୋଜନାଗୁଡ଼ିକର ସୁଫଳ ପହଂଚାଇବା ଉପରେ ମଧ୍ୟ ସେ ଗୁରୁତ୍ୱାରୋପ କରିଥିଲେ । ଏହି ଅବସରରେ ବିଭାଗର ନିର୍ଦ୍ଦେଶିକା ସୁଶ୍ରୀ ପାରୁଲ ପଟାୱରୀ, ସ୍ୱତନ୍ତ୍ର ଶାସନ ସଚିବ ସୁଶ୍ରୀ ରଜନୀ ଜାନୀ, ଅର୍ଥ ପରାମର୍ଶଦାତା ତଥା ସ୍ୱତନ୍ତ୍ର ଶାସନ ସଚିବ ଜୟଶ୍ରୀ ତ୍ରିପାଠୀ, ଅତିରିକ୍ତ ଶାସନ ସଚିବ ଶ୍ରୀ ଦୀପକ ରାଉତରାୟ ଓ ଶ୍ରୀମତୀ ସୋନିଆ ବେହେରାଙ୍କ ସହିତ ବିଭାଗର ସମସ୍ତ ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଉପସ୍ଥିତ ଥିଲେ ।










