19.1 C
Bhubaneswar
Tuesday, January 28, 2025
Homeଦେଶ ବିଦେଶବୁଲଡୋଜର ଉପରେ ସୁପ୍ରିମରୋକ୍‌; ଅକ୍ଟୋବର ୧ ଯାଏ ବନ୍ଦ ରହିବ କାର୍ଯ୍ୟାନୁଷ୍ଠାନ

ବୁଲଡୋଜର ଉପରେ ସୁପ୍ରିମରୋକ୍‌; ଅକ୍ଟୋବର ୧ ଯାଏ ବନ୍ଦ ରହିବ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଆରମ୍ଭ ହୋଇଥିବା ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଏବେ ଦେଶବ୍ୟାପୀ ଦେଖିବାକୁ ମିଳୁଛି । ବିଶେଷକରି ବିଜେପି ଶାସିତ ରାଜ୍ୟଗୁଡ଼ିକ ଅପରାଧୀଙ୍କ କ୍ଷେତ୍ରରେ ଏପ୍ରକାର କାର୍ଯ୍ୟାନୁଷ୍ଠାନ କରିବାରେ ଲାଗିଛନ୍ତି । ତେବେ ଏହାକୁ ନେଇ ଆଗତ ପିଟିସନ୍ ଉପରେ ଶୁଣାଣି କରିବାକୁ ଯାଇ ସୁପ୍ରିମକୋର୍ଟ ଆଜି ନିଜ ରାୟରେ ଏକ ବଡ଼ ଆଦେଶ ଦେଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ସମଗ୍ର ଦେଶରେ ବୁଲଡୋଜର କାରବାର ଉପରେ ସାମୟିକ ରୋକ୍ ଲଗାଇଛନ୍ତି । ଏହି ଆଦେଶ ଅକ୍ଟୋବର ୧ ଯାଏ ବଳବତ୍ତର ରହିବ । ଅର୍ଥାତ ଏହି ସମୟ ସୁଦ୍ଧା ସର୍ବୋଚ୍ଚ ନ୍ୟାୟାଳୟଙ୍କ ବିନା ଅନୁମତିରେ କୌଣସି ଉଚ୍ଛେଦ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି । ଅକ୍ଟୋବର ୧ରେ ଏହି ମାମଲା ଉପରେ ପରବର୍ତ୍ତୀ ଶୁଣାଣି ହେବ ଏବଂ କୋର୍ଟ ପୁନଃ ଏହା ଉପରେ ନିଜ ରାୟ ଶୁଣାଇବେ । ବୁଲଡୋଜର ସମ୍ବନ୍ଧରେ ନିର୍ଦ୍ଦେଶାବଳୀ ପ୍ରସ୍ତୁତ କରାଯିବ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଆଜିର ଶୁଣାଣି ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି ଯେ, ଯଦି କୌଣସି ମନ୍ଦିର, ମସଜିଦ୍‌, ଗୁରୁଦ୍ୱାର କିମ୍ବା କୌଣସି ଧାର୍ମିକ ସ୍ଥାନ କିମ୍ବା ସରକାରୀ ସମ୍ପତ୍ତିରେ ନିର୍ମାଣ ହୋଇଛି, ତେବେ ଏଥିରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ପକ୍ଷରୁ କୌଣସି ଆପତ୍ତି ନାହିଁ । ଅର୍ଥାତ ରାସ୍ତାଘାଟ, ଜଳସମ୍ପଦ, ଫୁଟପାଥ, ରେଳ ଲାଇନ ଇତ୍ୟାଦିରେ ବେଆଇନ ଭାବେ ନିର୍ମାଣ ହୋଇଥିଲେ ସେସବୁ ଉଚ୍ଛେଦ ହୋଇପାରିବ । କିନ୍ତୁ ଉଚ୍ଛେଦ ପ୍ରକ୍ରିୟା ଆଇନସମ୍ମତ ହେବା ଉଚିତ୍ । ବେଆଇନ ନିର୍ମାଣକୁ ଭାଙ୍ଗିବାକୁ ସୁପ୍ରିମକୋର୍ଟ ବିରୋଧ କରୁନାହାନ୍ତି । କିନ୍ତୁ ସରକାର, ନିଜ ଆଡୁ ନ୍ୟାୟପାଳିକା ଭୂମିକା ନିର୍ବାହ କରିପାରିବେ ନାହିଁ । ଯଦି ଗୋଟିଏ ବି ବେଆଇନ ଭଙ୍ଗାରୁଜା ମାମଲା ରହିଛି, ତାହା ଆମ ସମ୍ବିଧାନର ମୌଳିକ ଭାବନା ବିରୁଦ୍ଧରେ ବୋଲି ବିବେଚନା କରାଯିବ ।
ବିଭିନ୍ନ କାରଣକୁ ନେଇ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ନିଆଯାଉଥିଲା । ଏହା ବିରୋଧରେ ଜମିୟତ୍ ଉଲେମା-ଇ-ହିନ୍ଦ୍ ନାମକ ଏକ ସଂଗଠନ ପକ୍ଷରୁ ସୁପ୍ରିମକୋର୍ଟରେ ଆବେଦନ କରାଯାଇଥିଲା । ତେବେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରି ପରବର୍ତ୍ତୀ ନିର୍ଦ୍ଦେଶନାମା ଜାରି ନ ହେବା ପର୍ଯ୍ୟନ୍ତ ଦେଶର କୌଣସି ସ୍ଥାନର ବୁଲଡୋଜର ଆକ୍ସନ ନିଆଯାଇ ପାରିବ ନାହିଁ ବୋଲି କହିଛନ୍ତି । ଜଷ୍ଟିସ ବିଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥନଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶନାମା ଜାରି କହିଛନ୍ତି । ଏହା ପୂର୍ବ ଶୁଣାଣିରେ ମଧ୍ୟ ସୁପ୍ରିମକୋର୍ଟ ସମାନ ଯୁକ୍ତି ଆଧାରରେ ବୁଲଡୋଜର କାର୍ଯ୍ୟାନୁଷ୍ଠାନ ଠିକ୍ ନୁହେଁ ବୋଲି ଦର୍ଶାଇଥିଲେ । ଯଦି ଜଣେ ଅପରାଧୀ ଅପରାଧ କରୁଛନ୍ତି ତେବେ ଏହାର ଦଣ୍ଡ ତାଙ୍କ ପୈତୃକଜନଙ୍କୁ (ପୈତୃକ ସମ୍ପତ୍ତିକୁ ଭଙ୍ଗାରୁଜା କରାଯିବା) ଦିଆଯିବାର କୌଣସି ଆବଶ୍ୟକତା ନାହିଁ ବୋଲି ସୁପ୍ରିମକୋର୍ଟ ସେତେବେଳେ କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking