26.1 C
Bhubaneswar
Tuesday, October 8, 2024
Homeଦେଶ ବିଦେଶସୁପ୍ରିମକୋର୍ଟଙ୍କ ବୟାନ: ନିର୍ବାଚିତ ସରପଞ୍ଚଙ୍କୁ ହଟାଇବା ଗମ୍ଭୀର ମାମଲା

ସୁପ୍ରିମକୋର୍ଟଙ୍କ ବୟାନ: ନିର୍ବାଚିତ ସରପଞ୍ଚଙ୍କୁ ହଟାଇବା ଗମ୍ଭୀର ମାମଲା

ନୂଆଦିଲ୍ଲୀ : ଜଣେ ନିର୍ବାଚିତ ସରପଞ୍ଚଙ୍କୁ ହଟାଇବା ଗମ୍ଭୀର ମାମଲା ବୋଲି ସୁପ୍ରିମକୋର୍ଟ କହିଛନ୍ତି । ବିଚାରପତି ସୂର୍ଯ୍ୟକାନ୍ତ ଓ ଉଜ୍ୱଳ ଭୂୟାଁଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ନିର୍ବାଚିତ ଜନପ୍ରତିନିଧିଙ୍କୁ ହଟାଯିବା ଘଟଣାକୁ ହାଲ୍‌କାରେ ନିଆଯିବା ଉଚିତ ନୁହେଁ । ବିଶେଷକରି ସେହିଭଳି କ୍ଷେତ୍ରରେ ଯେଉଁଠାରେ ଗ୍ରାମାଞ୍ଚଳରୁ ମହିଳା ନିର୍ବାଚିତ ହୋଇଆସିଥାନ୍ତି । ବମ୍ବେ ହାଇକୋର୍ଟଙ୍କ ରାୟକୁ ଖାରଜ କରି ସର୍ବୋଚ୍ଚ ଅଦାଲତ ଜଣେ ନିର୍ବାଚିତ ମହିଳା ସରପଞ୍ଚଙ୍କୁ କାର୍ଯ୍ୟକାଳ ଶେଷ ହେବା ପର୍ଯ୍ୟନ୍ତ ପଦବିରେ ଅବସ୍ଥାପିତ କରିଛନ୍ତି । ଗତ ସେପ୍େଟମ୍ବର ୨୭ ତାରିଖରେ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଥିଲା ବେଳେ ଆଜି ତାହା ସାମ୍‌ନାକୁ ଆସିଛି । ପ୍ରକୃତ ଘଟଣା ହେଉଛି ମହାରାଷ୍ଟ୍ର ଜଲଗାଓଁ ଜିଲ୍ଲାର । ଏହି ଜିଲ୍ଲା ଅନ୍ତର୍ଗତ ବିଚଖେଡା ଗ୍ରାମ ପଞ୍ଚାୟତର ସରପଞ୍ଚ ମନୀଷ ରବିନ୍ଦ୍ର ପାନପାଟିଲ ନିଜ ବିରୋଧରେ ହୋଇଥିବା କାର୍ଯ୍ୟାନୁଷ୍ଠାନକୁ ସୁପ୍ରିମକୋର୍ଟରେ ଚାଲେଞ୍ଜ କରିଥିଲେ । ଗାଁ ଲୋକଙ୍କ ଅଭିଯୋଗ ଆଧାରରେ ସ୍ଥାନୀୟ ଜିଲ୍ଲାପାଳ ତାଙ୍କୁ ପଦରୁ ହଟାଇ ଦେଇଥିଲେ ।

ତାଙ୍କ ବିରୋଧରେ ଅଭିଯୋଗ ଥିଲା କି ସରକାରୀ ଜମିରେ ସେ ଘର କରି ଶାଶୁଙ୍କ ସହ ରହୁଛନ୍ତି । କିନ୍ତୁ ପାନପାଟିଲ ଏହାକୁ ଖଣ୍ଡନ କରିଥିଲେ । ସେ ଦର୍ଶାଇଥିଲେ ଯେ ସ୍ୱାମୀ ଓ ପିଲାଙ୍କ ସହ ସେ ଘରଭଡା ନେଇ ରହୁଛନ୍ତି । କିନ୍ତୁ ତାଙ୍କ ଯୁକ୍ତିକୁ ଜିଲ୍ଲାପାଳ ଗ୍ରହଣ କରି ନଥିଲେ । ଗାଁ ଲୋକଙ୍କ ନିରାଧାର ଅଭିଯୋଗ ଆଧାରରେ ତାଙ୍କୁ ଅଯୋଗ୍ୟ ଘୋଷଣା କରିଥିଲେ । ଏଥିସହ ତାଙ୍କୁ ପଦରୁ ହଟାଇବାକୁ ନିର୍ଦ୍ଦେଶ ଜାରି କରିଥିଲେ । କମିଶନର ମଧ୍ୟ ଏହି ନିଷ୍ପତ୍ତିକୁ କାଏମ ରଖିଥିଲେ । ଏହା ବିରୋଧରେ ସରପଞ୍ଚ ହାଇକୋର୍ଟ ଯାଇଥିଲେ । ୨୦୨୩ ଅଗଷ୍ଟରେ ବମ୍ବେ ହାଇକୋର୍ଟ ତାଙ୍କ ଆବେଦନକୁ ଖାରଜ କରିବା ସହ ସରପଞ୍ଚ ପଦରୁ ହଟାଇବା ଉପରେ ମୋହର ଲଗାଇଥିଲେ । ସୁପ୍ରିମକୋର୍ଟ କହିଛନ୍ତି ଏହି ମାମଲାରେ ସରପଞ୍ଚଙ୍କୁ ପଦରୁ ହଟାଇବା ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ଭୁଲ । ଏହି ମାମଲା ସମ୍ବନ୍ଧିତ ସରକାରୀ ଅଧିକାରୀମାନେ ନିଜକୁ ସମ୍ବେଦନଶୀଳ କରିବା ସହ ଅନୁକୂଳ ପରିବେଶ ସୃଷ୍ଟି କରିବା ଦିଗରେ କାର୍ଯ୍ୟ କରିବା ଆବଶ୍ୟକ । ଯାହାଫଳରେ ଆବେଦନକାରିଣୀଙ୍କ ଭଳି ମହିଳାମାନେ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ସେବା ପ୍ରଦାନ କରି ନିଜ ଯୋଗ୍ୟତାକୁ ପ୍ରମାଣିତ କରିପାରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking