33.1 C
Bhubaneswar
Wednesday, March 25, 2026
Homeଦେଶ ବିଦେଶନୀତୀଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା; ସଂରକ୍ଷଣ ନିର୍ଦ୍ଦେଶ ଉପରେ ଲାଗିବନି ରୋକ୍‌

ନୀତୀଶ ସରକାରଙ୍କୁ ସୁପ୍ରିମ୍‌କୋର୍ଟଙ୍କ ଝଟ୍‌କା; ସଂରକ୍ଷଣ ନିର୍ଦ୍ଦେଶ ଉପରେ ଲାଗିବନି ରୋକ୍‌

ପାଟନା: ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ନେତୃତ୍ୱାଧୀନ ବିହାର ସରକାରଙ୍କୁ ଆଜି ସୁପ୍ରିମ୍ ଝଟ୍‌କା ଲାଗିଛି । ବିହାରରେ ପଛୁଆ ବର୍ଗଙ୍କ ପାଇଁ ୬୫% ସଂରକ୍ଷଣ କୋଟା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବିରୋଧରେ ହାଇକୋର୍ଟରେ ଆବେଦନ କରାଯାଇଥିବା ବେଳେ ହାଇକୋର୍ଟ ସରକାରଙ୍କ ଏହି ନିଷ୍ପତ୍ତି ଉପରେ ରହିତା ଦେଶ ଲାଗୁ କରିଛନ୍ତି । ତେବେ ରାଜ୍ୟ ସରକାର ହାଇକୋର୍ଟଙ୍କ ରହିତାଦେଶକୁ ବିରୋଧ କରିବା ପୂର୍ବକ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ମଧ୍ୟ ସୁପ୍ରିମକୋର୍ଟ ଏଥିରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି । ଏଥିସହ ବର୍ତ୍ତମାନ ସମୟରେ ହାଇକୋର୍ଟଙ୍କ ରାୟ ବଳବତ୍ତର ରହିବ ବୋଲି ମଧ୍ୟ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ସିଧାସଳଖ କହିଲେ ଏହି ପ୍ରସଙ୍ଗରେ ପାଟନା ହାଇକୋର୍ଟଙ୍କ ନିର୍ଦ୍ଦେଶ ଉପରେ ରୋକ୍ ଲଗାଇବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି ।
ବିହାର ସରକାରଙ୍କ ଆଦିବାସୀ ତଥା ପଛୁଆ ବର୍ଗର ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିବା ଆଇନ୍‌କୁ ହାଇକୋର୍ଟ ବାତିଲ କରିଦେଇଥିଲେ । ଏହାକୁ ନେଇ ରାଜ୍ୟ ସରକାର ସୁପ୍ରିମକୋର୍ଟକୁୂ ଯାଇଥିଲେ । ସୁପ୍ରିମକୋର୍ଟ ଏହା ଉପରେ ଏବେ ରୋକ୍ ଲଗାଇବାକୁ ମନା କରିଦେଇଥିଲେ ମଧ୍ୟ ବିହାର ସରକାରଙ୍କ ଆବେଦନ ଉପରେ ଶୁଣାଣି କରିବାକୁ ରାଜି ଅଛନ୍ତି । ଆସନ୍ତା ସେପ୍େଟମ୍ବର ମାସରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ସୁପ୍ରିମକୋର୍ଟ ତାରିଖ ଧାର୍ଯ୍ୟ କରିଛନ୍ତି । ପ୍ରକାଶ, ବିହାରରେେ ଜାତିଗତ ଜନଗଣନା ପରେ ରାଜ୍ୟରେ ସଂରକ୍ଷଣ ସୀମା ବୃଦ୍ଧି କରାଯାଇଥିଲା । ବିହାର ସରକାର ପଛୁଆ ବର୍ଗ, ଅତ୍ୟଧିକ ପଛୁଆ ବର୍ଗ, ଅନୁସୂଚିତ ଜାତି ଏବଂ ଅନୁସୂଚିତ ଜନଜାତିଙ୍କ ପାଇଁ ସଂରକ୍ଷଣକୁ ୫୦%ରୁ ୬୫%କୁ ବୃଦ୍ଧି କରିଥିଲେ । ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ରାଜ୍ୟବ୍ୟାପୀ ବିରୋଧ କରାଯିବାରେ ଏହାକୁ ହାଇକୋର୍ଟ ବାତିଲ କରିଦେଇଥିଲେ ।
ଅନ୍ୟ ଏକ ରିପୋର୍ଟ ଅନୁସାରେ ସୁପ୍ରିମକୋର୍ଟ, ଗତ କିଛି ମାସ ମଧ୍ୟରେ ନିୟମିତ ବ୍ୟବଧାନରେ ବିହାରରେ ପ୍ରାୟ ୧୦ ପୋଲ ଭୁଶୁଡ଼ି ପଡ଼ିବା ମାମଲାରେ ଆଗତ ଏକ ଜନସ୍ୱାର୍ଥ ମାମଲା (ପିଆଇଏଲ) ଉପରେ ରାଜ୍ୟ ସରକାରଙ୍କୁ ନୋଟିସ୍ ଜାରି କରି ଉତ୍ତର ତଲବ କରିଛନ୍ତି । ଏଥିସହ ରାଜ୍ୟର ସମସ୍ତ ପୋଲଗୁଡ଼ିକର ଭିତ୍ତିଭୂମି ଅଡିଟ୍ କରିବାକୁ ସୁପ୍ରିମକୋର୍ଟ ବିହାର ସରକାରଙ୍କୁ କହିଛନ୍ତି । ଭୁଶୁଡିପଡିଥିବା ପୋଲଗୁଡ଼ିକର ତଦନ୍ତ ପାଇଁ ବ୍ରଜେଶ ସିଂହ ନାମକ ସୁପ୍ରିମକୋର୍ଟର ଜଣେ ଆଇନଜୀବୀ ଏକ ଜନସ୍ୱାର୍ଥ ମାମଲା ଦାଖଲ କରିଥିଲେ । ଏହି ବିଜ୍ଞପ୍ତି ଅନୁଯାୟୀ ଭିତ୍ତିଭୂମି ଅଡିଟ୍ କରିବା ଏବଂ ପୋଲ ଚିହ୍ନଟ କରିବା ପାଇଁ ବିହାର ସରକାରଙ୍କୁ ଏକ ବିଶେଷଜ୍ଞ କମିଟି ଗଠନ କରିବାକୁ ଜନସ୍ୱାର୍ଥ ମାମଲାରେ ଦାବି କରାଯାଇଛି । ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ମଧ୍ୟ ରାଜ୍ୟ ସଡ଼କ ନିର୍ମାଣ ଏବଂ ଗ୍ରାମୀଣ କାର୍ଯ୍ୟ ବିଭାଗକୁ ରାଜ୍ୟର ପୁରୁଣା ପୋଲଗୁଡିକର ମୂଲ୍ୟାଙ୍କନ କରିବା ଏବଂ ତୁରନ୍ତ ମରାମତି ଆବଶ୍ୟକ କରୁଥିବା ପୋଲକୁ ଚିହ୍ନଟ କରିବାକୁ ନିର୍ଦ୍ଦେଶ ଦେଇଥିବା ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking