20.1 C
Bhubaneswar
Thursday, February 12, 2026
Homeଦେଶ ବିଦେଶବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ବୁଲ୍‌ଡୋଜର କାର୍ଯ୍ୟାନୁଷ୍ଠାନ ଉପରେ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ନୂଆଦିଲ୍ଲୀ: ବୁଲଡୋଜର କାର୍ଯ୍ୟାନୁଷ୍ଠାନ ସମ୍ବନ୍ଧୀୟ ଆବେଦନର ଶୁଣାଣି କରି ମଙ୍ଗଳବାର ଏକ ବଡ ରାୟ ଦେଇଛନ୍ତି ସୁପ୍ରିମକୋର୍ଟ । ଦେଶର ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ, ଭାରତ ଏକ ଧର୍ମନିରପେକ୍ଷ ଦେଶ । ଧର୍ମ କିମ୍ବା ସମ୍ପ୍ରଦାୟ ନିର୍ବିଶେଷରେ ଆମେ ନିର୍ଦ୍ଦେଶନାମା ଜାରି କରୁଛୁ । ଏଠାରେ ଲୋକଙ୍କ ସୁରକ୍ଷା ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ । ସର୍ବସାଧାରଣ ସ୍ଥାନ, ରାସ୍ତା, ରେଳ ଟ୍ରାକ୍ ଭଳି ସ୍ଥାନରେ ମନ୍ଦିର, ମସଜିଦ, ଦରଘା, ଚର୍ଚ୍ଚ, ଗୁରୁଦ୍ୱାରା କିମ୍ବା ଅନ୍ୟ କୌଣସି ଧାର୍ମିକ ପୀଠ ଥିଲେ ଏସବୁ ଉଚ୍ଛେଦ ହେବା ଆବଶ୍ୟକ । ସର୍ବସାଧାରଣ ସ୍ଥାନକୁ କବ୍‌ଜା କରି ଏଠାରେ ଗଢ଼ାଯାଇଥିବା ଏସବୁ ଧାର୍ମିକ ପୀଠଗୁଡ଼ିକର ଉଚ୍ଛେଦ ପ୍ରସଙ୍ଗରେ ନିର୍ଦ୍ଦେଶ ଦେବା ପରିପ୍ରେକ୍ଷୀରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ନିଜ ରାୟରେ ଧାର୍ମିକ ପୀଠ ଜନସାଧାରଣଙ୍କ କାର୍ଯ୍ୟରେ ବାଧା ଦେଇପାରିବ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ।  ଏଥିସହ ଆଜି ଶୁଣାଣି ପରେ ସୁପ୍ରିମକୋର୍ଟ ନିର୍ଦ୍ଦେଶନାମା ଜାରି କରି ଏହାର ଚୂଡାନ୍ତ ରାୟକୁ ସଂରକ୍ଷିତ ରଖିଛନ୍ତି । ଅନ୍ୟପକ୍ଷେ ଗତ ସେପ୍ଟେମ୍ବର ୧୭ରେ ସୁପ୍ରିମକୋର୍ଟ ଦେଇଥିବା ଆଦେଶ, ଚୂଡ଼ାନ୍ତ ନିଷ୍ପତ୍ତି ଆସିବା ପର୍ଯ୍ୟନ୍ତ ଜାରି ରହିବ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି । ୧୭ ତାରିଖର ଶୁଣାଣି ସମୟରେ ସୁପ୍ରିମକୋର୍ଟ ଆଦେଶ ଦେଇ କହିଥିଲେ ଯେ, ସାରା ଦେଶରେ ବୁଲଡୋଜର କାର୍ଯ୍ୟ ଉପରେ ପ୍ରତିବନ୍ଧକ ଲାଗୁ ରହିବ ।
ବିଭିନ୍ନ କାରଣରୁ ଉତ୍ତରପ୍ରଦେଶ ତଥା ଅନ୍ୟାନ୍ୟ ରାଜ୍ୟରେ ବୁଲ୍‌ଡୋଜର ଆକ୍ସନ ନିଆଯାଇଛି । ଏହା ବିରୋଧରେ ଜମିୟତ୍ ଉଲେମା-ଇ-ହିନ୍ଦ୍ ନାମକ ଜଣେ ବ୍ୟକ୍ତି ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲେ । ସେପ୍ଟେମ୍ବର ୧୭ରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଅକ୍ଟୋବର ୧ରେ ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ବୁଲଡୋଜର ଆକ୍ସନ ଉପରେ ରୋକ୍ ଲଗାଇଥିଲେ ସୁପ୍ରିମକୋର୍ଟ । ତେବେ ମଙ୍ଗଳବାର ଜଷ୍ଟିସ୍ ବି.ଆର ଗବାଇ ଏବଂ ଜଷ୍ଟିସ କେ.ଭି ବିଶ୍ୱନାଥଙ୍କ ଦ୍ୱାରା ଗଠିତ ଖଣ୍ଡପୀଠ ଏହି ମାମଲାର ଶୁଣାଣି କରିବା ସହ ଉପରୋକ୍ତ ରାୟ ଶୁଣାଇଛନ୍ତି । ଖଣ୍ଡପୀଠ ଉଭୟ ପକ୍ଷ ଅର୍ଥାତ୍ ଆବେଦନକାରୀ ଏବଂ ଆବେଦନକୁ କାଉଣ୍ଟର କରୁଥିବା ସରକାରଙ୍କୁ ପରାମର୍ଶ ଦେଇ କହିଛନ୍ତି ଯେ, ସର୍ବପ୍ରଥମେ ଆମକୁ ବୁଝିବାକୁ ହେବ ଯେ ଅପରାଧରେ ଦୋଷୀ ସାବ୍ୟସ୍ତ ହେବା କଦାପି ତା’ର ପୈତୃକ ଘର ଭାଙ୍ଗିବା ପାଇଁ ଆଧାର ହୋଇପାରିବ ନାହିଁ । ଏହାକୁ ‘ବୁଲଡୋଜର ଜଷ୍ଟିସ’ କୁହାଯାଉଛି, କିନ୍ତୁ ଏହା କଦାପି ନ୍ୟାୟସଂଗତ ନୁହେଁ । ବ୍ୟକ୍ତିଗତ ସ୍ଥାନରେ କଦାପି ବୁଲଡୋଜର ଆକ୍ସନ ହୋଇପାରିବ ନାହିଁ । ସିଧାଅର୍ଥରେ କହିଲେ ଯଦି କୌଣସି ବ୍ୟକ୍ତି, ସେ ଅଭିଯୁକ୍ତ ହୁଅନ୍ତୁ ଅବା ଦୋଷୀ ତାଙ୍କ ଘର କିମ୍ବା ବ୍ୟକ୍ତିଗତ ସଂସ୍ଥା ଉପରେ ବୁଲଡୋଜର ଆକ୍ସନ ନିଆଯାଇ ପାରିବନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ ଏକ ଗାଇଡଲାଇନ ଜାରି କରାଯିବ ବୋଲି ଖଣ୍ଡପୀଠ କହିଛନ୍ତି ।
ଖଣ୍ଡପୀଠଙ୍କ ଅନୁସାରେ ଅନଧିକୃତ ନିର୍ମାଣ ପାଇଁ ଏକ ନିୟମ ରହିବା ଉଚିତ, ଏହା ଧର୍ମ କିମ୍ବା ବିଶ୍ୱାସ ଉପରେ ନିର୍ଭର କରେ ନାହିଁ । ଏକ ଅନଲାଇନ୍ ପୋର୍ଟାଲ୍ ରହିବା ଉଚିତ୍ । ସୂଚନା ଡିଜିଟାଲ୍ ହେବା ପରେ ଏକ ରେକର୍ଡ ମଧ୍ୟ ରଖାଯିବ । ସୂଚନାଯୋଗ୍ୟ, ଏହି ବିବାଦ ୨୦୨୨ମସିହାରୁ ଚାଲିଆସୁଛି, କିନ୍ତୁ ଅଗଷ୍ଟ ୨୦୨୪ ରେ ନିଆଯାଇଥିବା କାର୍ଯ୍ୟାନୁଷ୍ଠାନକୁ ନେଇ ବିବାଦ ସୁପ୍ରିମକୋର୍ଟରେ ପହଞ୍ଚିଛି । ଏହି କାରଣରୁ ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନର ଅନେକ ସଂଗଠନ ସେମାନଙ୍କ ବିରୋଧରେ ନିଆଯାଇଥିବା କାର୍ଯ୍ୟକୁ ଦର୍ଶାଇ ନ୍ୟାୟ ପାଇଁ ଆବେଦନ କରିଥିଲେ । ସୁପ୍ରିମକୋର୍ଟ ଏହି ଆବେଦନଗୁଡ଼ିକର ଶୁଣାଣି କରୁଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking