ନୂଆଦିଲ୍ଲୀ: ଦେଶର ଗୃହିଣୀମାନଙ୍କୁ ନେଇ ସୁପ୍ରିମକୋର୍ଟଙ୍କ ବଡ ରାୟ । ପୁରୁଷମାନଙ୍କୁ ଗୃହିଣୀ ମାନଙ୍କର ଭୂମିକା ଏବଂ ପରିବାର ପ୍ରତି ସେମାନଙ୍କର ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି ବୋଲି ସର୍ବୋଚ୍ଚ ଅଦାଲତ ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ କହିଛନ୍ତି । ସ୍ତ୍ରୀକୁ ସ୍ୱାମୀ ଆର୍ôଥକ କ୍ଷେତ୍ରରେ ସହାୟତା କରିବା ଆବଶ୍ୟକ ବୋଲି କୋର୍ଟ ମତ ଦେଇଛନ୍ତି । ତେଲେଙ୍ଗାନାର ଏକ ମାମଲାର ବିଚାର ସମୟରେ ଏପରି କହିଛନ୍ତି ସୁପ୍ରିମକୋର୍ଟ । ଛାଡ଼ପତ୍ର ପରେ ସ୍ତ୍ରୀକୁ ଭରଣ ପୋଷଣ ଦେବାକୁ ନେଇ ହୋଇଥିବା ଏକ ଆବେଦନ ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ, ପରିବାରରେ ଗୃହିଣୀ ମାନଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ଭାରତୀୟ ପୁରୁଷମାନଙ୍କୁ ସେମାନଙ୍କ ତ୍ୟାଗକୁ ସମ୍ମାନ ଜଣାଇବାର ସମୟ ଆସିଯାଇଛି । ସ୍ୱାମୀମାନେ ସ୍ତ୍ରୀଙ୍କ ନାଁରେ ଜଏଣ୍ଟ ଆକାଉଣ୍ଟ ଖୋଲିବା ସହ ଏଟିଏମ୍ ସୁବିଧା ଯୋଗାଇ ଦେବା ଆବଶ୍ୟକ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଛନ୍ତି । ଗତକାଲି ମୁସଲିମ ମହିଳାଙ୍କ ଅଧିକାରକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ ଶୁଣାଇଥିଲେ ।
ଏକ ଛାଡ଼ପତ୍ର ମାମଲାର ଶୁଣାଣି କରି ସୁପ୍ରିମ ରାୟ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଯେକୌଣସି କାରଣରୁ ଛାଡପତ୍ର ହେବା ପରେ ମହିଳାଙ୍କୁ ଭରଣପୋଷଣ ଦେବାକୁ ସ୍ୱାମୀ ବାଧ୍ୟ । ସ୍ୱାମୀଙ୍କୁ ଏହି ଅର୍ଥ ରାଶି ଦେବାକୁ ପଡିବ । ଏହା କୌଣସି ଦାନ ରାଶି ନୁହେଁ ବରଂ ତାହା ମହିଳାଙ୍କର ଅଧିକାର । କୌଣସି ଧର୍ମ ଏଥିରେ ବାଧକ ନୁହେଁ ବୋଲି କହିଛନ୍ତି ସୁପ୍ରିମକୋର୍ଟ । ତେଲାଙ୍ଗାନାର ଜଣେ ମୁସଲିମ ମହିଳା ଓ ତାଙ୍କ ସ୍ୱାମୀ ମହମ୍ମଦ ଅବଦୁଲ ମସାଦଙ୍କ ମଧ୍ୟରେ ୨୦୧୭ରେ ଛାଡ଼ପତ୍ର ହୋଇଥିଲା । ଏହି ମହିଳା ବିବାହ ବିଚ୍ଛେଦ ପରେ ଭରଣପୋଷଣ ଦାବି କରି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । ସ୍ୱାମୀଙ୍କ ଠାରୁ ମାସିକ ୨୦ ହଜାର ଟଙ୍କା ଭରଣପୋଷଣ ଦାବି କରି କୋର୍ଟରେ ଦ୍ୱାରସ୍ଥ ହୋଇଥିଲେ । ଫ୍ୟାମିଲି କୋର୍ଟରେ ମହିଳାଙ୍କ ଆବେଦନ ପରେ ଏହାକୁ ରଦ୍ଦ କରିବା ପାଇଁ ହାଇକୋର୍ଟର ଦ୍ୱାରସ୍ଥ ହୋଇଥିଲେ ସ୍ୱାମୀ । ହାଇକୋର୍ଟ ମାମଲାର ଶୁଣାଣି କରି ମହିଳାଙ୍କ ସପକ୍ଷରେ ରାୟ ଦେଇଥିଲେ । ଆବେଦନକାରୀଙ୍କୁ ମାସିକ ୧୦ହଜାର ଟଙ୍କାର ଭରଣପୋଷଣ ରାଶି ପ୍ରଦାନ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ ।









