17.1 C
Bhubaneswar
Monday, November 25, 2024
Homeଦେଶ ବିଦେଶବାୟୁମାନ ପରିଚାଳନା କମିଶନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ବାୟୁମାନ ପରିଚାଳନା କମିଶନ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀର ବାୟୁ ଗୁଣବତ୍ତା ଦିନକୁ ଦିନ ଖରାପ ହେଉଛି । ଉତ୍ତର ରାଜ୍ୟଗୁଡିକରେ ନଡ଼ା ଜାଳିବା ଉପରେ ଅଧିକାରୀଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉନାହିଁ । ଏହାର ସିଧାସଳଖ ଅର୍ଥ ଦିଲ୍ଲୀ ବାୟୁ ପ୍ରଦୂଷଣ ରୋକିବାରେ ବାୟୁ ଗୁଣବତ୍ତା ପରିଚାଳନା ଆୟୋଗ ବିଫଳ ହୋଇଛି ।
ଦିଲ୍ଲୀରେ ବାୟୁ ଗୁଣାବତ୍ତା ହ୍ରାସ ପାଇବାକୁ ନେଇ ଚିନ୍ତା ପ୍ରକଟ କରିବା ପୂର୍ବକ ଏପ୍ରକାର ବିଷୋଦ୍‌ଗାର କରିଛନ୍ତି ସୁପ୍ରିମକୋର୍ଟ । ବାୟୁ ମାନ ଉପରେ ନଜର ରଖିବା ଏବଂ ଜାତୀୟ ରାଜଧାନୀ ଅଞ୍ଚଳରେ ପ୍ରଦୂଷଣ ରୋକିବା ଦିଗରେ ପର୍ଯ୍ୟାପ୍ତ ପଦକ୍ଷେପ ନିଆଯାଉ ନ ଥିବାରୁ ସୁପ୍ରିମକୋର୍ଟ ଶୁକ୍ରବାର ବାୟୁମାନ ପରିଚାଳନା କମିଶନ (ସିଏକ୍ୟୁଏମ୍‌)କୁ ଭର୍ତ୍ସନା କରିଛନ୍ତି ।

ପଡୋଶୀ ରାଜ୍ୟ ପଞ୍ଜାବ ଓ ହରିଆଣାରେ ନଡ଼ା ପୋଡ଼ି ଯୋଗୁ ଦିଲ୍ଲୀ ବାୟୁ ଅଧିକ ପ୍ରଦୂଷିତ ହେଉଥିବା ବେଳେ ଏହାକୁ ରୋକିବା ଦିଗରେ ସିଏକ୍ୟୁଏମ୍ ବିଫଳ ହୋଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ଏଦିଗରେ ଆୟୋଗ ଅଧିକ ସକ୍ରିୟତାର ସହ ପଦକ୍ଷେପ ନେବା ଆବଶ୍ୟକ ବୋଲି ଜଷ୍ଟିସ୍ ଅଭୟ ଏସ୍ ଓକା ଏବଂ ଜଷ୍ଟିସ୍ ଅଗଷ୍ଟିନ୍ ଜର୍ଜ ମସିହଙ୍କ ଖଣ୍ଡପୀଠ କହିଛନ୍ତି । ଖଣ୍ଡପୀଠ କହିଛନ୍ତି, “ତୃଣମୂଳ ସ୍ତରରେ ନଡ଼ା ଜାଳିବାକୁ ବନ୍ଦ କରିବା ପାଇଁ ବିକଳ୍ପ ରାସ୍ତା ବାହାର କରିବା ଆବଶ୍ୟକ । ଯେଉଁମାନେ ନଡ଼ା ଜାଳୁଛନ୍ତି ସେମାନଙ୍କ ବିରୁଦ୍ଧରେ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯାଉ ନାହିଁ । ଏଥିପାଇଁ ସିଏକ୍ୟୁଏମ୍ ପାଖରେ ବିପୁଳ କ୍ଷମତା ରହିଛି, କିନ୍ତୁ ସଂସ୍ଥା ଏହା ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଉନାହିଁ ।

ପ୍ରଦୂଷଣ ରୋକିବା ଦିଗରେ କମିଶନଙ୍କ ପଦକ୍ଷେପ ଉପରେ ଖଣ୍ଡପୀଠ ଅସନ୍ତୋଷ ବ୍ୟକ୍ତ କରିବା ସହ ଜାତୀୟ ରାଜଧାନୀ ଓ ଆଖପାଖ ଅଞ୍ଚଳର ବାୟୁ ପ୍ରଦୂଷଣ ମାନ ପରିଚାଳନା ଆଇନ ଅନୁଯାୟୀ ସିଏକ୍ୟୁଏମ୍ ନିଜ କ୍ଷମତାର ଅଧିକ ପ୍ରୟୋଗ କରିବା ଆବଶ୍ୟକ ବୋଲି କହିଛନ୍ତି । ଖଣ୍ଡପୀଠଙ୍କ କହିବାନୁସାରେ ତୃଣମୂଳସ୍ତରରେ ନଡ଼ାପୋଡ଼ିର ବିକଳ୍ପ ଉପକରଣ ବ୍ୟବହାରକୁ ସୁନିଶ୍ଚିତ କରିବା ଦିଗରେ ପଦକ୍ଷେପ ନିଆଯିବା ଜରୁରୀ । କେନ୍ଦ୍ର ସରକାର ନଡ଼ାପୋଡ଼ି ସମସ୍ୟା ଦୂର ପାଇଁ ଯୋଗାଇ ଦେଉଥିବା ଉପକରଣ ବାସ୍ତବରେ ଚାଷୀମାନେ ବ୍ୟବହାର କରୁଛନ୍ତି କି ନାହିଁ, ସେ ନେଇ କମିଶନ ସୁନିଶ୍ଚିତ ହେବା ଉଚିତ୍ ।

ସେହିପରି ଗତ ତିନି ମାସ ମଧ୍ୟରେ ଆୟୋଗ ପକ୍ଷରୁ କେଉଁ ସବୁ ବୈଠକ ବସିଛି ଏବଂ ବୈଠକରେ କେଉଁ କେଉଁ ନିଷ୍ପତ୍ତି ନିଆଯାଇଛି ସେସବୁର ରିପୋର୍ଟ ପ୍ରସ୍ତୁତ ପୂର୍ବକ ଦାଖଲ କରିବାକୁ ଖଣ୍ଡପୀଠ ଆୟୋଗଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରଦୂଷଣ ହ୍ରାସ କରିବା ପାଇଁ ଆୟୋଗ ଯଥେଷ୍ଟ ଉଦ୍ୟମ କରିବା ଆବଶ୍ୟକ ଏବଂ ନିର୍ଦ୍ଦେଶନାମାକୁ ଅନୁପାଳନ କରିବା ଜରୁରୀ ବୋଲି ସୁପ୍ରିମକୋର୍ଟଙ୍କ ଏହି ୨ଜଣିଆ ଖଣ୍ଡପୀଠ କହିଛନ୍ତି । ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ଏପରି ଟିପ୍ପଣୀ ପରେ ବାୟୁ ଗୁଣବତ୍ତା ପ୍ୟାନେଲର ଅଧ୍ୟକ୍ଷ କହିଛନ୍ତି ଯେ, ତିନୋଟି ସବ୍‌-କମିଟି ପ୍ରତି ତିନି ମାସରେ ଗୋଟିଏ ବୈଠକ କରୁଛନ୍ତି । ଏହାର ଜବାବରେ ସର୍ବୋଚ୍ଚ ଅଦାଲତ କହିଛନ୍ତି, କମିଟି କିପରି ତିନି ମାସରେ ଗୋଟିଏ ବୈଠକ କରି ଦାୟିତ୍ୱର ପରିଚାଳନା କରୁଛି ତାହା ଅତ୍ୟନ୍ତ ଆଶ୍ଚର୍ଯ୍ୟଜନକ । ଅକ୍ଟୋବର ୩ରେ ମାମଲାର ପରବର୍ତ୍ତୀ ଶୁଣାଣି କରାଯିବ । ସୁତରାଂ ଏହି ସମୟ ମଧ୍ୟରେ ଆୟୋଗ ଉତ୍ତମ ଅନୁପାଳନ ରିପୋର୍ଟ ଦାଖଲ କରିବା ପାଇଁ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking