25.1 C
Bhubaneswar
Thursday, March 26, 2026
Homeଦେଶ ବିଦେଶଧାର୍ମିକ ପୂଜାସ୍ଥଳୀରେ ସର୍ଭେ ଉପରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍‌

ଧାର୍ମିକ ପୂଜାସ୍ଥଳୀରେ ସର୍ଭେ ଉପରେ ସୁପ୍ରିମ୍‌କୋର୍ଟଙ୍କ ରୋକ୍‌

ନୂଆଦିଲ୍ଳୀ: ମସଜିଦ ସମେତ ବିଭିନ୍ନ ପୂଜାସ୍ଥଳୀଗୁଡିକରେ ଚାଲିଥିବା ସର୍ଭେକୁ ସାମୟିକ ସ୍ଥଗିତ ରଖିବାକୁ ସୁପ୍ରିମକୋର୍ଟ ଗୁରୁବାର ନିର୍ଦ୍ଦେଶ ଦେଇଛନ୍ତି। ଏପରିକି ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତାକୁ ଚ୍ୟାଲେଞ୍ଜ କରୁଥିବା ସମସ୍ତ ପିଟିସନ୍ ଉପରେ ଶୁଣାଣିକୁ ମଧ୍ୟ ବର୍ତ୍ତମାନ ପାଇଁ ସ୍ଥଗିତ ରଖିଛନ୍ତି ସୁପ୍ରିମକୋର୍ଟ। ୪ ସପ୍ତାହ ପରେ ଅର୍ଥାତ୍ ୧ ମାସ ପରେ ଏସବୁ ପିଟିସନ୍ ଉପରେ ଶୁଣାଣି ହେବ ବୋଲି ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନା ତାରିଖ ଧାର୍ଯ୍ୟ କରିବା ପୂର୍ବକ ନିର୍ଦ୍ଦେଶ ଦେଇଛନ୍ତି। ଏହି ୪ ସପ୍ତାହ ମଧ୍ୟରେ ପୂଜାସ୍ଥଳୀ ଆଇନ ୧୯୯୧ ପ୍ରସଙ୍ଗରେ ମତାମତ ରଖିବାକୁ କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟଙ୍କ ଏପ୍ରକାର ରାୟ ଆସିବା ପରେ ମନ୍ଦିର-ମସଜିଦ ସହ ଜଡିତ କୌଣସି ମାମଲା ଉପରେ ଦେଶର କୌଣସି ଅଦାଲତ ଏବେ ପାଇଁ ଶୁଣାଣି କରିପାରିବେ ନାହିଁ ବୋଲି ସ୍ପଷ୍ଟ ହୋଇଯାଇଛି।

ପ୍ରଧାନ ବିଚାରପତିଙ୍କ ନେତୃତ୍ୱରେ ଗଠିତ ତିନି ଜଣିଆ ସାମ୍ବିଧାନିକ ଖଣ୍ଡପୀଠ କହିଛନ୍ତି ଯେ, ପୂଜାସ୍ଥଳୀ ଆଇନ ୧୯୯୧ର ସାମ୍ବିଧାନିକ ବୈଧତା ଉପରେ ଚୂଡ଼ାନ୍ତ ରାୟ ଦେବା ପୂର୍ବରୁ କୋର୍ଟ କେନ୍ଦ୍ର ସରକାରଙ୍କ ପକ୍ଷ ଜାଣିବାକୁ ଚାହୁଁଛନ୍ତି। ତେଣୁ କେନ୍ଦ୍ର ସରକାର ଚାରି ସପ୍ତାହ ମଧ୍ୟରେ ଏ ସମ୍ପର୍କରେ ନିଜର ମତାମତ ଦେବା ଉଚିତ୍‌। କେନ୍ଦ୍ର ସରକାରଙ୍କ ମତାମତ ବିନା କୋର୍ଟ ଏହା ଉପରେ କୌଣସି ରାୟ ଦେବେ ନାହିଁ। ଏହା ସହିତ ମାମଲାର ଶୁଣାଣି ଚାଲିଥିବା ପର୍ଯ୍ୟନ୍ତ ଯଦି ମନ୍ଦିର-ମସଜିଦ ସହ ଜଡିତ କୌଣସି ସ୍ଥାନରେ କିଛି ବିବାଦ ଉପୁଜେ, ଏହାକୁ ନେଇ ମାମଲା ରୁଜୁ ହେବ। ହେଲେ ନିମ୍ନ ଅଦାଲତ ଏହା ଉପରେ କିଛି ଶୁଣାଣି କରିବେ ନାହିଁ ବୋଲି ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ତେବେ ସୁପ୍ରିମକୋର୍ଟ ନିଜ ରାୟରେ ସ୍ପଷ୍ଟ କରିଛନ୍ତି ଯେ, ଏହି ସମୟ ମଧ୍ୟରେ ଭୋଜଶାଲା, ଜ୍ଞାନବାପୀ, ସମ୍ଭଲ ଭଳି ମାମଲାରେ ଶୁଣାଣି ଜାରି ରହିବ, କିନ୍ତୁ କୋର୍ଟ ଏହା ଉପରେ କୌଣସି ଚୂଡ଼ାନ୍ତ ରାୟ ଦେବେ ନାହିଁ। ଅର୍ଥାତ ଚାରି ସପ୍ତାହ ପାଇଁ ଏହିସବୁ ମାମଲାର ଚୂଡ଼ାନ୍ତ ରାୟ ଉପରେ ଏକ ରହିତାଦେଶ ଜାରି କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ।

କାଶୀ ରାଜପରିବାରର କନ୍ୟା ମହାରାଜା କୁମାରୀ କ୍ରିଷ୍ଣା ପ୍ରିୟା, ବିଜେପି ନେତା ସୁବ୍ରମଣ୍ୟମ ସ୍ୱାମୀ, ପୂର୍ବତନ ସାଂସଦ ଚିନ୍ତାମଣି ମାଲବ୍ୟ, ଅବସରପ୍ରାପ୍ତ ସେନା ଅଧିକାରୀ ଅନୀଲ କାବୋତ୍ରା, ଆଇନଜୀବୀ ଚନ୍ଦ୍ର ଶେଖର, ବାରାଣସୀର ବାସିନ୍ଦା ରୁଦ୍ର ବିକ୍ରମ ସିଂହ, ସ୍ୱାମୀ ଜିତେନ୍ଦ୍ରାନନ୍ଦ ସରସ୍ୱତୀ ଓ ମଥୁରାର ବାସିନ୍ଦା ତଥା ଧାର୍ମିକ ଗୁରୁ ତଥା ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟଙ୍କ ସମେତ ଅନ୍ୟମାନେ ୧୯୯୧ ଆଇନ ବିରୋଧରେ ସର୍ବୋଚ୍ଚ ନ୍ୟାୟାଳୟରେ ଆବେଦନ କରିଛନ୍ତି। ଆବେଦନରେ ହିନ୍ଦୁ, ଜୈନ, ବୌଦ୍ଧ ଓ ଶିଖମାନଙ୍କୁ ଆକ୍ରମଣକାରୀଙ୍କ ଦ୍ୱାରା ନଷ୍ଟ କରାଯାଇଥିବା ସେମାନଙ୍କ ‘ଉପାସନା ସ୍ଥଳ ଓ ତୀର୍ଥସ୍ଥଳ’ର ପୁନରୁଦ୍ଧାର କରିବାର ଅଧିକାର ଛଡ଼ାଇ ନିଆଯାଇଛି ବୋଲି ଦର୍ଶାଯାଇଛି। ଉଲ୍ଲେଖଯୋଗ୍ୟ, ନିକଟରେ ଉତ୍ତରପ୍ରଦେଶର ସମ୍ଭଲରେ ଏକ ଭୟଙ୍କର ହିଂସା ଘଟିଥିଲା। ସ୍ଥାନୀୟ ଅଦାଲତ ଏଠାରେ ଥିବା ଜାମା ମସଜିଦରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ସର୍ଭେ କରିବାକୁ ଯେତେବେଳେ ପ୍ରଶାସନର ଅଧିକାରୀମାନେ ପହଞ୍ଚିଥିଲେ, ସେତେବେଳେ କୌଣସି ଗୁଜବକୁ ନେଇ ହିଂସାକାଣ୍ଡ ଘଟିଥିଲା। ଏହି ଭୟଙ୍କର ହିଂସାରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହକ ହୋଇଥିଲେ। ଏହାପରେ ପୂଜାସ୍ଥଳୀ ଆଇନକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking