18.1 C
Bhubaneswar
Friday, February 13, 2026
Homeଦେଶ ବିଦେଶଜାମା ମସଜିଦ୍ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ଜାମା ମସଜିଦ୍ ସର୍ଭେ ସ୍ଥଗିତ ରଖିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ସମ୍ଭଲ ସ୍ଥିତ ଜାମା ମସଜିଦ୍‌ର ସର୍ଭେ କାର୍ଯ୍ୟ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ସୁପ୍ରିମକୋର୍ଟ। ଶାହି ଇଦ୍‌ଗାହ ମସଜିଦରେ ସର୍ଭେକୁ ବିରୋଧ କରି ହୋଇଥିବା ଆନ୍ଦୋଳନରେ ୫ ଜଣଙ୍କ ମୃତ୍ୟୁ ହେବା ଘଟଣାକୁ ଦୃଷ୍ଟିରେ ରଖି ଏହି ନିର୍ଦ୍ଦେଶ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ। ମସଜିଦର ଶାହି ଇଦଗାହ କମିଟି ଆହ୍ଲାବାଦ୍ ହାଇକୋର୍ଟଙ୍କ ଦ୍ୱାରସ୍ଥ ନ ହେବା ପର୍ଯ୍ୟନ୍ତ ସର୍ଭେ କାର୍ଯ୍ୟ ବନ୍ଦ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ଭଲ ଠାରେ ୧୫୨୬ ମସିହାରେ ଅର୍ଥାତ୍ ମୋଗଲ ଶାସକ ବାବରଙ୍କ ସମୟରେ ଏଠାରେ ଏକ ହିନ୍ଦୁ ମନ୍ଦିରକୁ ଉଚ୍ଛେଦ କରାଯାଇ ଜାମା ମସଜିଦ୍ ନିର୍ମାଣ କରାଯାଇଥିବା ହିନ୍ଦୁ ପକ୍ଷ ଅଭିଯୋଗ କରିଆସୁଛନ୍ତି। ଏହାକୁ ନେଇ ହିନ୍ଦୁ ପକ୍ଷ ଟ୍ରାଏଲ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ଏହି ମସ୍‌ଜିଦ୍‌କୁ ଉଚ୍ଛେଦ କରିବାକୁ ଦାବି କରିଥିଲେ। ତେବେ ଟ୍ରାଏଲ କୋର୍ଟ ଏହି ଆବେଦନର ଶୁଣାଣି କରିବା ପୂର୍ବକ ପ୍ରତ୍ନତାତ୍ତ୍ୱିକ ସର୍ଭେ କମିଟିକୁ ଏଠାରେ ସର୍ଭେ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଟ୍ରାଏଲ୍ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ଏଏସ୍‌ଆଇ ଟିମ୍ ନଭେମ୍ବର ୨୪ରେ ଏଠାରେ ସର୍ଭେ କାର୍ଯ୍ୟ ଆରମ୍ଭ କରିଥିଲା। ତେବେ ଏହି ସମୟରେ ଜାମା ମସଜିଦ୍ ନିକଟରେ ଶହ ଶହ ମୁସଲିମ୍ ଲୋକେ ଉପସ୍ଥିତ ହୋଇ ସର୍ଭେକୁ ବିରୋଧ କରିଥିଲେ। ଏପରିକି ସର୍ଭେ ଟିମ୍ ଉପରକୁ ପଥର ମାଡ଼ କରିବା ପରେ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏପରିକି ସୁରକ୍ଷା କର୍ମୀଙ୍କ ପାଲଟା ଜବାବରେ ବିରୋଧକାରୀଙ୍କ ମଧ୍ୟରୁ ୫ଜଣଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଅଭିଯୋଗ କରାଯାଉଛି। ଏବେବି ସେଠାରେ ସ୍ଥିତି ଅଶାନ୍ତ ରହିଛି। ଏହାକୁ ନେଇ ମସଜିଦ କମିଟି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଅନ୍ୟପକ୍ଷେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି (ସିଜେଆଇ) ଜଷ୍ଟିସ ସଞ୍ଜୀବ ଖାନ୍ନା ଏବଂ ଜଷ୍ଟିସ ପି.ଭି ସଞ୍ଜୟ କୁମାରଙ୍କୁ ନେଇ ଗଠିତ ୨ ଜଣିଆ ଖଣ୍ଡପୀଠ ଆଜି ଏହି ମାମଲାର ଶୁଣାଣି କରି ଆବେଦନକାରୀଙ୍କୁ ଆହ୍ଲାବାଦ୍ ହାଇକୋର୍ଟଙ୍କ ନିକଟକୁ ଯିବାକୁ ନିର୍ଦ୍ଦେଶ ଦେଇଛନ୍ତି। ହାଇକୋର୍ଟଙ୍କ ରାୟ ନ ଆସିବା ପର୍ଯ୍ୟନ୍ତ ସର୍ଭେ ସ୍ଥଗିତ ରଖିବାକୁ ଟ୍ରାଏଲ କୋର୍ଟଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ଏଥିସହ ସର୍ଭେ କମିଟିକୁ ରିପୋର୍ଟ ସିଲ୍ କଭରରେ ରଖିବାକୁ କହିଛନ୍ତି। ସର୍ଭେ ରିପୋର୍ଟ ସିଲ୍ ଯେପରି ନ ଖୋଲେ ସେଥିପ୍ରତି ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ। ପରବର୍ତ୍ତୀ ଶୁଣାଣି ଆସନ୍ତା ବର୍ଷ ଜାନୁଆରୀ ୬ରେ ହେବା ନେଇ ତାରିଖ ଧାର୍ଯ୍ୟ କରିଛନ୍ତି ସୁପ୍ରିମକୋର୍ଟ। ଏଥିସହ ଖଣ୍ଡପୀଠ ରାଜ୍ୟ ପୁଲିସ୍ ଏବଂ ଜିଲ୍ଲା ପ୍ରଶାସନକୁ ଶାନ୍ତି ଏବଂ ଏକତା ବଜାୟ ରଖିବା ଦିଗରେ ବିଶେଷ ଧ୍ୟାନ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଶୁକ୍ରବାର ଏଠାରେ ଶାନ୍ତିଶୃଙ୍ଖଳାର ସହ ନମାଜ ପାଠ କରାଯାଇଥିବା ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking