ନୂଆଦିଲ୍ଲୀ: କୋଲକାତା ହରର ପରେ ବଡ଼ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ । ସାରା ଦେଶରେ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆଜି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ଅଦାଲତ । ଆନ୍ଦୋଳନରୁ ଫେରି ଡ୍ୟୁଟି କରିବାକୁ ଚାହୁଁଥିବା ମେଡିକାଲ କର୍ମଚାରୀ ଓ ଡାକ୍ତରଙ୍କୁ ସବୁ ପ୍ରକାରର ସୁରକ୍ଷା ଯୋଗାଇ ଦେବାର ବ୍ୟବସ୍ଥା କରିବାକୁ ସୁପ୍ରିମକୋର୍ଟ କେନ୍ଦ୍ର ଗୃହ ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ସୁପ୍ରିମକୋର୍ଟ କୋଲକାତା ହରର ଶୁଣାଣି ବେଳେ କହିଛନ୍ତି ଯେ ଡାକ୍ତରଙ୍କ ସୁରକ୍ଷା ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ।
ଏନେଇ କେନ୍ଦ୍ର ଗୃହ ସଚିବ ଓ ସ୍ୱାସ୍ଥ୍ୟ ସଚିବ ଆବଶ୍ୟକ ପଦକ୍ଷେପ ଗ୍ରହଣ କରନ୍ତୁ । ଗୃହ ସଚିବ ସବୁ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ମୁଖ୍ୟ ସଚିବ ଏବଂ ଡିଜିପିଙ୍କ ସହ ଡାକ୍ତରଙ୍କ ବୈଠକ ଡାକନ୍ତୁ । ଗୋଟିଏ ସପ୍ତାହ ମଧ୍ୟରେ ବୈଠକ ଡାକି ସରକାରୀ ହସ୍ପିଟାଲରେ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା କରନ୍ତୁ । ବୈଠକର ଦୁଇ ସପ୍ତାହ ମଧ୍ୟରେ ରାଜ୍ୟଗୁଡ଼ିକ ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷା ପାଇଁ ଆବଶ୍ୟକ ବନ୍ଦୋବସ୍ତ କରିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି ।
ଏବେ ମାମଲାର ଶୁଣାଣି ସେପ୍େଟମ୍ବର ୫ରେ ହେବ ବୋଲି ଦିନ ଧାର୍ଯ୍ୟ ହୋଇଛି । କୋଲକାତା ଆରଜି କର ମେଡିକାଲ କଲେଜ ଓ ହସ୍ପିଟାଲରେ ଟ୍ରେନି ମହିଳା ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ଘଟଣା ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହୋଇଥିଲା । ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ ଡାକ୍ତରମାନଙ୍କୁ କାର୍ଯ୍ୟକୁ ଫେରିଯିବାକୁ ଆହ୍ୱାନ କରିଥିଲେ । ଆଇନ ତା ବାଟରେ କାର୍ଯ୍ୟ କରୁଛି । ଡାକ୍ତରମାନେ ସେମାନଙ୍କ କାର୍ଯ୍ୟ ଜାରି ରଖିବା ଉଚିତ୍ ବୋଲି ସର୍ବୋଚ୍ଚ ଅଦାଲତ କହିଛନ୍ତି । ଏଥିସହ ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଆନ୍ଦୋଳନରେ ଥିବା ଡାକ୍ତରଙ୍କ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯିବ ନାହିଁ ବୋଲି ଆଶ୍ୱାସନା ଦେଇଛନ୍ତି ସୁପ୍ରିମକୋର୍ଟ ।










