34.1 C
Bhubaneswar
Sunday, June 8, 2025
Homeଦେଶ ବିଦେଶନିଜର ଏକ ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି

ନିଜର ଏକ ଭୁଲ ରାୟ ପାଇଁ କ୍ଷମା ମାଗିଲେ ସୁପ୍ରିମକୋର୍ଟ ବିଚାରପତି

ନୂଆଦିଲ୍ଲୀ: ସୁପ୍ରିମକୋର୍ଟର ଅନ୍ୟତମ ବରିଷ୍ଠ ବିଚାରପତି ଜଷ୍ଟିସ ଅଭୟ ଏସ୍ ଓକା ନିଜ ବିଚାରପତିତ୍ୱ କ୍ୟାରିୟର ମଧ୍ୟରେ ଏକ ଭୁଲ୍ ରାୟ ଦେଇଥିବା ନେଇ ବେଶ୍ ଅନୁତପ୍ତ । ଏଥିପାଇଁ ସେ କ୍ଷମା ପ୍ରାର୍ଥନା ମଧ୍ୟ କରିଛନ୍ତି । ୨୦୧୬ରେ ଏକ ଘରୋଇ ହିଂସା ମାମଲାରେ ଶୁଣାଣି କରୁଥିବା ସମୟରେ ଜଷ୍ଟିସ୍ ଓକା ଦେଇଥିବା ଏକ ଭୁଲ୍ ରାୟ ପାଇଁ ସେ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିବାକୁ ଆଗେଇ ଆସିଛନ୍ତି । ରିପୋର୍ଟ ଅନୁସାରେ ୨୦୧୬ରେ ବମ୍ବେ ହାଇକୋର୍ଟରେ ବିଚାରପତି ଥିବାବେଳେ ଜଷ୍ଟିସ୍ ଓକା ଏକ ଘରୋଇ ହିଂସା ଆଇନର ବ୍ୟାଖ୍ୟା କରିବାକୁ ଯାଇ ଭୁଲ ରାୟ ଦେଇଥିଲେ । ତେବେ ସେ ପରବର୍ତ୍ତୀ ସମୟରେ ନିଜ ଭୁଲ୍‌କୁ ବୁଝିପାରିଥିଲେ । କିନ୍ତୁ ସେତେବେଳେ ତାଙ୍କ ପାଖରେ କ୍ଷମା ପ୍ରାର୍ଥନା କରିବାର କୌଣସି ଅବକାଶ ନଥିଲା । କିନ୍ତୁ ସେ ଏହି ବୋଝକୁ ଧରି ଚାଲିଆସୁଥିଲେ । ଏବେ ଯେତେବେଳେ ଏହି ବୋଝ ଅତିରିକ୍ତ ହେବାରେ ଲାଗିଛି ସେତେବେଳେ ସେ କ୍ଷମା ପ୍ରାର୍ଥନା କରିବାକୁ ଉଚିତ୍ ମଣିଛନ୍ତି । ସେଦିନର ସେହି ଘରୋଇ ହିଂସା ମାମଲାରେ ସେ ଭୁଲ୍ ରାୟ ଦେଇଥିଲେ ବୋଲି ସ୍ୱୀକାର କରିଛନ୍ତି ।

ଜଷ୍ଟିସ୍ ଓକା ନିଜ କ୍ଷମା ପ୍ରାର୍ଥନାରେ କହିଛନ୍ତି, ବିଚାରପତିମାନେ ମଧ୍ୟ ମଣିଷ ଏବଂ ନିଷ୍ପତ୍ତି ଦେବା ସମୟରେ ସେମାନେ ଭୁଲ କରିପାରନ୍ତି । ବିଚାରପତିମାନଙ୍କ ପାଇଁ ଶିଖିବା ପ୍ରକ୍ରିୟା କେବେ ଶେଷ ହୁଏ ନାହିଁ ଏବଂ ସେମାନେ ସେମାନଙ୍କର ଭୁଲ ସଂଶୋଧନ କରିବାର ଦାୟିତ୍ୱ ନେବା ଉଚିତ୍ । ଜଷ୍ଟିସ ଓକା କହିଛନ୍ତି, ୨୦୧୬ ମସିହାରେ ବମ୍ବେ ହାଇକୋର୍ଟରେ ଏକ ରାୟରେ ସେ କହିଥିଲେ ଯେ, ଘରୋଇ ହିଂସା ଆଇନ ଅନୁଯାୟୀ ଆବେଦନକୁ ଖାରଜ କରିବା ପାଇଁ ସିଆର୍‌ପିସି ଧାରା ୪୮୨ ବ୍ୟବହାର କରାଯାଇପାରିବ ନାହିଁ । କିନ୍ତୁ ପରେ ବମ୍ବେ ହାଇକୋର୍ଟଙ୍କ ଏକ ପୂର୍ଣ୍ଣ ଖଣ୍ଡପୀଠ ଏହି ମତକୁ ଭୁଲ ଘୋଷଣା କରିଥିଲେ । ଓକା କହିଛନ୍ତି, ଆମର ଭୁଲକୁ ସ୍ୱୀକାର କରିବା ଏବଂ ସେଗୁଡ଼ିକୁ ସଂଶୋଧନ କରିବା ଆମର କର୍ତ୍ତବ୍ୟ । ବିଚାରପତିମାନଙ୍କ ପାଇଁ ମଧ୍ୟ ଶିକ୍ଷା ଏକ ନିରନ୍ତର ପ୍ରକ୍ରିୟା । ତେବେ ଜଷ୍ଟିସ୍ ଓକା ନିଜ ଭୁଲ୍‌କୁ ସ୍ୱୀକାର କରିବା ଏବଂ ଏଥିପାଇଁ କ୍ଷମା ପ୍ରାର୍ଥନା କରି ଏକ ଉଦାହରଣ ସୃଷ୍ଟି କରିଥିବା ଏବେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପ୍ରକାଶ, ଘରୋଇ ହିଂସା ଆଇନ ଅନୁଯାୟୀ, ଯେକୌଣସି ପୀଡିତା ମହିଳା କ୍ଷତିପୂରଣ କିମ୍ବା ଅନ୍ୟାନ୍ୟ ସହାୟତା ପାଇଁ ମାଜିଷ୍ଟ୍ରେଟଙ୍କ ନିକଟରେ ଆବେଦନ କରିପାରିବେ । ସୁପ୍ରିମକୋର୍ଟ ତାଙ୍କ ନିଷ୍ପତ୍ତିରେ କହିଛନ୍ତି ଯେ, ଫୌଜଦାରୀ କାର୍ଯ୍ୟବିଧି ସଂହିତା (ସିଆରପିସି)ର ଧାରା ୪୮୨ ଅନୁଯାୟୀ, ଏପରି ଆବେଦନଗୁଡ଼ିକୁ ଖାରଜ କରିବାର ଅଧିକାର ହାଇକୋର୍ଟର ଅଛି । କିନ୍ତୁ ସୁପ୍ରିମକୋର୍ଟ ଏହା ମଧ୍ୟ ସ୍ପଷ୍ଟ କରିଛନ୍ତି ଯେ, ହାଇକୋର୍ଟ ଏହି କ୍ଷମତାକୁ ବହୁତ ଭାବିଚିନ୍ତି ଏବଂ ସତର୍କତାର ସହିତ ବ୍ୟବହାର କରିବା ଉଚିତ୍ । ଯେତେବେଳେ ମାମଲାଟି ସମ୍ପୂର୍ଣ୍ଣ ବେଆଇନ ହୋଇଥାଏ କିମ୍ବା ଆଇନ ପ୍ରକ୍ରିୟାର ଅପବ୍ୟବହାର କରାଯାଏ,ସେତେବେଳେ ହିଁ ହସ୍ତକ୍ଷେପ କରାଯିବା ଉଚିତ୍ । ଯଦି ହାଇକୋର୍ଟ ଚିନ୍ତା ନକରି ଏପରି ଆବେଦନଗୁଡ଼ିକୁ ପ୍ରତ୍ୟାଖ୍ୟାନ କରିଚାଲିବେ, ତେବେ ଏହି ଆଇନର ଉଦ୍ଦେଶ୍ୟ ହିଁ ନଷ୍ଟ ହୋଇଯିବ । ମହିଳାଙ୍କ ଅଧିକାରକୁ ସୁରକ୍ଷିତ ରଖିବା ପାଇଁ କୋର୍ଟ ହାଇକୋର୍ଟଙ୍କୁ ଏପରି ମାମଲାରେ ସଂଯମତା ଅବଲମ୍ବନ କରିବାକୁ ଏବଂ ହସ୍ତକ୍ଷେପ ଏଡାଇବାକୁ ନିବେଦନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking