ନୂଆଦିଲ୍ଲୀ: ଜନ ସୂରଜ ପାର୍ଟି(ଜେଏସ୍ପି)ର ପ୍ରତିଷ୍ଠାତା ପ୍ରଶାନ୍ତ କିଶୋର (ପିକେ)ଙ୍କୁ ସୁପ୍ରିମକୋର୍ଟରୁ ଆଜି ତୀବ୍ର କଡା ଭର୍ତ୍ସନା ଶୁଣିବାକୁ ମିଳିଛି। ରିପୋର୍ଟ ଅନୁସାରେ ପିକେ କରିଥିବା ଏକ ଆବେଦନ ଉପରେ ଶୁଣାଣି କରିବାକୁ ସୁପ୍ରିମକୋର୍ଟ ସିଧାସଳଖ ମନା କରିଦେଇଛନ୍ତି। ଏଥିସହ ସୁପ୍ରିମକୋର୍ଟ ପ୍ରଶାନ୍ତ କିଶୋରଙ୍କୁ କହିଛନ୍ତି ଯେ, ରାଜ୍ୟବାସୀ ଆପଣଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି, ଏଥିପାଇଁ ବୋଧହୁଏ ଆପଣ କେବଳ ଲୋକପ୍ରିୟତା ହାସଲ କରିବା ପାଇଁ କୋର୍ଟକୁ ବ୍ୟବହାର କରିବାକୁ ଚେଷ୍ଟା କରୁଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି ସିଜେଆଇ ପିକେଙ୍କୁ କଟାକ୍ଷ କରି ପ୍ରଶ୍ନ କରିଥିଲେ ଯେ, ଗତ ବିହାର ବିଧାନସଭା ନିର୍ବାଚନରେ ତାଙ୍କ ଦଳ ଅର୍ଥାତ୍ ଜେଏସ୍ପିକୁ କେତେ ଭୋଟ୍ ମିଳିଛି?
ପ୍ରଶାନ୍ତ କିଶୋରଙ୍କ ଦଳ ବିହାର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ପିକେ ବିହାରର ପ୍ରାୟ ସମସ୍ତ ଆସନରେ ପ୍ରାର୍ଥୀ ମଧ୍ୟ ଦେଇଥିଲେ। କିନ୍ତୁ ଫଳାଫଳ ଆସିବା ପରେ ତାଙ୍କ ଦଳ ଗୋଟିଏ ବି ହେଲେ ଆସନରେ ବିଜୟୀ ହୋଇନଥିବା ଦେଖିବାକୁ ମିଳିଥିଲା। ତେବେ ଏହାକୁ ନେଇ ପ୍ରଶାନ୍ତ କିଶୋର ସୁପ୍ରିମକୋର୍ଟରେ ଏକ ପିଟିସନ୍ ଫାଇଲ୍ କରିଥିଲେ ଏବଂ ବିହାରରେ ପୁନଃ ନିର୍ବାଚନ କରିବାକୁ ଦାବି କରିଥିଲେ। ଶୁକ୍ରବାର ଏହା ଉପରେ ଶୁଣାଣି କରିବା ସହ ସୁପ୍ରିମକୋର୍ଟ ଅତ୍ୟନ୍ତ କଡା ଶବ୍ଦରେ ପ୍ରଶାନ୍ତ କିଶୋରଙ୍କ ଏପ୍ରକାର ମାନସିକତାକୁ ସମାଲୋଚନା କରିଛନ୍ତି। ସୁପ୍ରିମକୋର୍ଟ ଏବେ କିଶୋରଙ୍କ ସ୍ଥିତି ଉପରେ ପ୍ରଶ୍ନ ଉଠାଇ ତାଙ୍କ ଆବେଦନକୁ ଖାରଜ କରିଦେଇଛନ୍ତି। ପ୍ରକାଶ, ନିଜ ପିଟିସନ୍ରେ ପ୍ରଶାନ୍ତ କିଶୋର ଅଭିଯୋଗ କରିଛନ୍ତି ଯେ ବିହାରରେ ନିର୍ବାଚନ ଅବୈଧ ଉପାୟରେ କରାଯାଇଥିଲା। ସୁତରାଂ ଏହି ନିର୍ବାଚନ ଫଳାଫଳକୁ ବାତିଲ କରି ପୁଣି ଥରେ ନିର୍ବାଚନ କରିବାକୁ ସେ ସୁପ୍ରିମ୍କୋର୍ଟଙ୍କ ଦ୍ୱାରସ୍ଥ ହେବା ସହ ଦାବି କରିଥିଲେ। ରାଜ୍ୟରେ ଆଦର୍ଶ ଆଚରଣ ସଂହିତା ଲାଗୁ ହୋଇଥିବା ସମୟରେ, ମହିଳା ଭୋଟରଙ୍କ ନିକଟକୁ ୧୦,୦୦୦ ସିଧାସଳଖ ସ୍ଥାନାନ୍ତର କରାଯାଇଥିବା ନେଇ ପ୍ରଶାନ୍ତ କିଶୋର ଅଭିଯୋଗ କରିଥିଲେ। ତେବେ ସୁପ୍ରିମକୋର୍ଟଙ୍କ ଠାରୁ କଡା ଭର୍ତ୍ସନାର ଶିକାର ହେବା ପରେ ପରେ ଜନସୁରାଜ ପାର୍ଟି ସୁପ୍ରିମକୋର୍ଟରୁ ଏହାର ଆବେଦନ ପ୍ରତ୍ୟାହାର କରିନେଇଥିବା ସୂଚନା ମିଳିଛି।










