ନୂଆଦିଲ୍ଲୀ: ନିକଟରେ ଆହ୍ଲାବାଦ ହାଇକୋର୍ଟଙ୍କ ଏକ ବିବାଦୀୟ ରାୟ ଉପରେ ଦେଶର ସର୍ବୋଚ୍ଚ ନ୍ୟାୟାଳୟ ବୁଧବାର ସ୍ଥଗିତାଦେଶ ଜାରି କରିଛନ୍ତି। ହାଇକୋର୍ଟଙ୍କ ଉକ୍ତ ରାୟକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରାଯିବା ପରେ ସୁପ୍ରିମକୋର୍ଟ ଏହା ଉପରେ ଶୁଣାଣି କରିଛନ୍ତି। ଏହି ଅବସରରେ ସୁପ୍ରିମକୋର୍ଟ ଆହ୍ଲାବାଦ୍ ହାଇକୋର୍ଟଙ୍କ ରାୟକୁ ସମ୍ପୂର୍ଣ୍ଣ ଅସମ୍ବେଦନଶୀଳ ତଥା ଅମାନବୀୟ ଦର୍ଶାଇବା ସହ ନ୍ୟାୟପାଳିକାର ଏପ୍ରକାର ବିବୃତି ପାଇଁ ଦୁଃଖ ପ୍ରକାଶ ମଧ୍ୟ କରିଛନ୍ତି। ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ବିଆର ଗଭାଇ ଏବଂ ଜଷ୍ଟିସ୍ ଅଗଷ୍ଟିନ ଜର୍ଜ ମସିହଙ୍କ ଖଣ୍ଡପୀଠ ଏହି ମାମଲା ପରିଚାଳନାରେ “ସମ୍ପୂର୍ଣ୍ଣ ଅସମ୍ବେଦନଶୀଳତା” ପ୍ରଦର୍ଶନ କରିବା ପାଇଁ ହାଇକୋର୍ଟ ବିଚାରପତିଙ୍କୁ ତୀବ୍ର ସମାଲୋଚନା ମଧ୍ୟ କରିଥିଲେ। ସୁପ୍ରିମକୋର୍ଟ ହାଇକୋର୍ଟର ନିଷ୍ପତ୍ତି ଉପରେ ସ୍ୱତଃ ନୋଟିସ ନେଇଥିଲେ।
ଏହା ସହିତ, ସୁପ୍ରିମକୋର୍ଟ ଏହି ମାମଲାରେ କେନ୍ଦ୍ର ସରକାର ଏବଂ ଉତ୍ତର ପ୍ରଦେଶ ସରକାରଙ୍କଠାରୁ ଜବାବ ମାଗିଛନ୍ତି। ଏଥିପାଇଁ କୋର୍ଟ ସମସ୍ତ ପକ୍ଷଙ୍କୁ ନୋଟିସ୍ ମଧ୍ୟ ଜାରି କରିଛନ୍ତି। ଆହ୍ଲାବାଦ ହାଇକୋର୍ଟଙ୍କ ଏପ୍ରକାର ରାୟ ଉପରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ଶୁଣାଣି କରିବା ପୂର୍ବକ କହିଛନ୍ତି ଯେ, ସାଧାରଣ ପରିସ୍ଥିତିରେ, ଏହି ପର୍ଯ୍ୟାୟରେ ସ୍ଥଗିତାଦେଶ ପ୍ରଦାନ କରିବାରେ ବିଳମ୍ବ କରାଯାଏ। କିନ୍ତୁ ଯେହେତୁ ଅନୁଚ୍ଛେଦ ୨୧, ୨୪ ଏବଂ ୨୬ ରେ ଦିଆଯାଇଥିବା ପର୍ଯ୍ୟବେକ୍ଷଣ ଆଇନର ନୀତି ବିଷୟରେ ସମ୍ପୂର୍ଣ୍ଣ ଅଜ୍ଞ ଏବଂ ଏକ ସମ୍ପୂର୍ଣ୍ଣ ଅସମ୍ବେଦନଶୀଳ ଏବଂ ଅମାନବୀୟ ଆଭିମୁଖ୍ୟକୁ ପ୍ରତିଫଳିତ କରୁଛି, ତେଣୁ ସୁପ୍ରିମକୋର୍ଟ ହାଇକୋର୍ଟଙ୍କ ରାୟ ଉପରେ ସ୍ଥଗିତାଦେଶ ଦେବାକୁ ବାଧ୍ୟ ହେଉଛନ୍ତି। ଏଭଳି ଏକ ସମ୍ବେଦନଶୀଳ ପ୍ରସଙ୍ଗରେ ହାଇକୋର୍ଟ ବିଚାରପତି ଏପରି କଠୋର ଶବ୍ଦ ବ୍ୟବହାର କରିବା ଉଚିତ୍ ନୁହେଁ। ହାଇକୋର୍ଟର ମୁଖ୍ୟ ବିଚାରପତି ମଧ୍ୟ ନିଶ୍ଚିତ କରିବା ଉଚିତ ଯେ ଏହି ବିଚାରପତିଙ୍କୁ ସମ୍ବେଦନଶୀଳ ମାମଲାଗୁଡ଼ିକର ଶୁଣାଣି କରିବାକୁ ଆଗକୁ ଯେପରି ଅନୁମତି ଦିଆଯିବ ନାହିଁ।
ଅନ୍ୟପକ୍ଷେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରେଜିଷ୍ଟ୍ରାର ଜେନେରାଲ୍ ମଧ୍ୟ ତୁରନ୍ତ ନିର୍ଦ୍ଦେଶ ଜାରି କରି ଆହ୍ଲାବାଦ ହାଇକୋର୍ଟର ମାନ୍ୟବର ମୁଖ୍ୟ ବିଚାରପତିଙ୍କ ସମ୍ମୁଖରେ ଏହି ପ୍ରସଙ୍ଗକୁ ଉପସ୍ଥାପନ କରିଛନ୍ତି। ଜଣେ ୧୧ ବର୍ଷର ନାବାଳିକା ସହ ଜଡିତ ଏକ ଯୌନ ଉତ୍ପୀଡନ ମାମଲାର ଶୁଣାଣି କରିବା ଅବସରରେ ଆହ୍ଲାବାଦ ହାଇକୋର୍ଟ ନିଜ ରାୟରେ କହିଥିଲେ ଯେ, ଯୁବତୀ କିମ୍ବା ମହିଳାଙ୍କ ଛାତିକୁ ଧରିପକାଇବା କିମ୍ବା ପାଇଜାମାର ଡୋର ଖୋଲିଦେବା’ ଭଳି ଘଟଣାରେ ଜଣେ ଅଭିଯୁକ୍ତଙ୍କ ବିରୋଧରେ ଦୁଷ୍କର୍ମ କିମ୍ବା ଦୁଷ୍କର୍ମ ଉଦ୍ୟମ ଅଭିଯୋଗ ଆଣିବା ପାଇଁ ପର୍ଯ୍ୟାପ୍ତ କାରଣ ନୁହେଁ। ହାଇକୋର୍ଟଙ୍କ ଏହି ରାୟକୁ ନେଇ ଦେଶବ୍ୟାପୀ ତୀବ୍ର ଆଲୋଡନ ସୃଷ୍ଟି ହୋଇଥିଲା ଏବଂ ହାଇକୋର୍ଟଙ୍କ ରାୟକୁ ଭର୍ତ୍ସନା କରାଯାଇଥିଲା।