ନୂଆଦିଲ୍ଲୀ: ଅଭିଯୁକ୍ତ ପୂର୍ବତନ ଆଇଏଏସ୍ ପ୍ରୋବେସନର ପୂଜା ଖେଡକରଙ୍କୁ ମେ ୨ରେ ଦିଲ୍ଲୀ ପୁଲିସ ସମ୍ମୁଖରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ବିଚାରପତି ବିଭି. ନାଗରତ୍ନା ଏବଂ ସତୀଶ ଚନ୍ଦ୍ର ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏହି ନିର୍ଦ୍ଦେଶ ଜାରି କରିଛନ୍ତି । ଖଣ୍ଡପୀଠ କହିଛନ୍ତି ଯେ, ପରବର୍ତ୍ତୀ ଶୁଣାଣି ମେ ୨୧ରେ ହେବ । ସେପର୍ଯ୍ୟନ୍ତ ପୂଜା ଖେଡକରଙ୍କ ବିରୁଦ୍ଧରେ ବଳପୂର୍ବକ କୌଣସି ପଦକ୍ଷେପ ନିଆଯିବ ନାହିଁ । ଏହି ମାମଲାରେ କୌଣସି ଠୋସ୍ ତଦନ୍ତ ହୋଇନଥିବା ଅନୁଭବ ହେଉଥିବାରୁ ତଦନ୍ତ ଶୀଘ୍ର ସମାପ୍ତ କରିବାକୁ ଦିଲ୍ଲୀ ପୁଲିସକୁ ସୁପ୍ରିମ୍ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରକାଶ, ପୂଜା ଖେଡ୍କରଙ୍କ ବିରୋଧରେ ସିଭିଲ ସେବା (ୟୁପିଏସ୍ସି) ପରୀକ୍ଷାରେ ଠକେଇ ଏବଂ ଭୁଲ୍ ଭାବରେ ଓବିସି ଏବଂ ଅକ୍ଷମତା କୋଟାର ଅପବ୍ୟବହାର କରିବା ଭଳି (ଜାଲିଆତି) ସଂଗୀନ ଅଭିଯୋଗ ରହିଛି । କିନ୍ତୁ ପୂଜା ଖେଡକର ତାଙ୍କ ବିରୁଦ୍ଧରେ ଥିବା ସମସ୍ତ ଅଭିଯୋଗକୁ ଅସ୍ୱୀକାର କରିଆସୁଛନ୍ତି । ସେହିପରି ଦିଲ୍ଲୀ ପୁଲିସ୍ ପକ୍ଷରୁ ମାମଲା ପରିଚାଳନା କରୁଥିବା ଅତିରିକ୍ତ ସଲିସିଟର ଜେନେରାଲ ଏସଭି ରାଜୁଙ୍କ ଯୁକ୍ତିକୁ ଖାରଜ କରିବା ସହ ଖଣ୍ଡପୀଠ ଖେଡକରଙ୍କୁ ବର୍ତ୍ତମାନ ପାଇଁ ମଧ୍ୟବର୍ତ୍ତୀକାଳୀନ ଆଶ୍ୱସ୍ତି ଦେଇଛନ୍ତି । ୟୁପିଏସ୍ସି ଏବଂ ଦିଲ୍ଲୀ ପୋଲିସ ଉଭୟ ଖେଡକରଙ୍କ ବିରୋଧରେ ମାମଲା ରୁଜୁ ପୂର୍ବକ ତଦନ୍ତ ଆରମ୍ଭ କରିଛନ୍ତି ।