ନୂଆଦିଲ୍ଲୀ: ଆସନ୍ତାକାଲି ଅର୍ଥାତ ଶନିବାର ପୌଷ ପୂର୍ଣ୍ଣମୀରେ ଦେଖାଯିବ ସୁପରମୁନ୍। ବର୍ଷ ୨୦୨୬ର ପ୍ରାରମ୍ଭରେ ଏପ୍ରକାର ଏକ ବିରଳ ଜାଗତିକ ଦୃଶ୍ୟକୁ ଦେଖିବା ପାଇଁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଛନ୍ତି। ଜ୍ୟୋତିର୍ବିଜ୍ଞାନୀଙ୍କ ଅନୁସାରେ ଆସନ୍ତା କାଲି ପୂର୍ଣ୍ଣଚନ୍ଦ୍ରର ଆକାର ଅନ୍ୟ ପୂର୍ଣ୍ଣିମା ତୁଳନାରେ ୧୪% ବଡ଼ ତଥା ପ୍ରାୟ ୩୦% ଉଜ୍ଜ୍ୱଳ ରହିବ। ଏହାକୁ ଉଲ୍ଫ୍ ସୁପର୍ମୁନ୍ ବୋଲି ମଧ୍ୟ କୁହାଯାଏ। ଯେତେବେଳେ ଚନ୍ଦ୍ରର ମାସିକ କକ୍ଷପଥ ଏହାକୁ ପୃଥିବୀର ନିକଟତମ ବିନ୍ଦୁରେ ଆଣେ, ସେତେବେଳେ ଏପ୍ରକାର ଏକ ସୁପରମୁନ୍ ଦେଖିବାକୁ ମିଳିଥାଏ। କାରଣ ଚନ୍ଦ୍ରର କକ୍ଷପଥ ଏକ ସମ୍ପୂର୍ଣ୍ଣ ବୃତ୍ତ ନୁହେଁ ବରଂ ଏକ ଅଣ୍ଡାକାର ଆକୃତିର ହୋଇଥାଏ। ସେହିପରି ଆମ ଗ୍ରହ ଏବଂ ଏହାର ଉପଗ୍ରହ ମଧ୍ୟରେ ଦୂରତା ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ। ଜ୍ୟୋତିର୍ବିଜ୍ଞାନୀ କହିଛନ୍ତି ଯେ, ୨୦୨୬ରେ ମୋଟ୍ ୩ଥର ସୁପରମୁନ୍ ଦେଖିବାକୁ ମିଳିବ। ପ୍ରଥମ ସୁପରମୁନ୍ ଆସନ୍ତା କାଲି ଅର୍ଥାତ୍ ଜାନୁଆରୀ ୩ ତାରିଖରେ ଦେଖାଯିବ। ସେହିପରି ଦ୍ୱିତୀୟ ସୁପରମୁନ୍ ନଭେମ୍ବର ୨୪ ଓ ଶେଷ ତଥା ଅନ୍ତିମ ସୁପରମୁନ୍ ଡିସେମ୍ବର ୨୩ରେ ଦେଖାଯିବ। ତେବେ ଆକାଶ ଯଦି ମେଘମୁକ୍ତ ରୁହେ ତେବେ ଏପ୍ରକାର ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ମହାକାଶବିଜ୍ଞାନୀମାନେ ମଧ୍ୟ ମତ ରଖିଛନ୍ତି ଯେ, ଜାନୁଆରୀ ୩ରେ ଚନ୍ଦ୍ର ପୃଥିବୀ ଠାରୁ ପ୍ରାୟ ୩,୫୬,୫୦୦ କିଲୋମିଟର ଦୂରରେ ରହିବ, ଯେତେବେଳେ କି ଏହା ୩,୮୪,୪୦୦ କିଲୋମିଟର ଦୂରତାରେ ଅବସ୍ଥିତ। ଏହାର ଅର୍ଥ ଚନ୍ଦ୍ର ଏହି ପୂର୍ଣ୍ଣମୀରେ ପୃଥିବୀର ନିକଟତର ହେବ। ସୂଚନାଯୋଗ୍ୟ, ସୁପରମୁନକୁ ସୂର୍ଯ୍ୟାସ୍ତ ପରଠାରୁ ସାରା ରାତି ଓଡ଼ିଶା ତଥା ଭାରତର ସବୁ ଅଞ୍ଚଳରୁ ଖାଲି ଆଖିରେ ଦେଖିହେବ। ସୁପରମୁନ୍ ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ ତଥା ଆମ ଉପରେ ପଡିନଥାଏ।










