26.1 C
Bhubaneswar
Sunday, March 1, 2026
Homeଖେଳଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁୂପର୍‌-୮ ମ୍ୟାଚ୍‌: ଭାରତ ପାଇଁ ‘କର ବା ମର’ ମୁକାବିଲା

ଆଜି ୱେଷ୍ଟଇଣ୍ଡିଜ୍ ବିପକ୍ଷ ସୁୂପର୍‌-୮ ମ୍ୟାଚ୍‌: ଭାରତ ପାଇଁ ‘କର ବା ମର’ ମୁକାବିଲା

କୋଲ୍‌କାତା: ଆଇସିସି ପୁରୁଷ ଟି-୨୦ ବିଶ୍ୱକପ୍ ୨୦୨୬ର ସୁପର୍‌-୮ ରାଉଣ୍ଡ୍‌ରେ ଟିମ୍ ଇଣ୍ଡିଆ ନିଜର ସବୁଠୁ ଗୁରୁତ୍ୱପୂର୍ଣ୍ଣ ମ୍ୟାଚ୍‌ରେ ଆଜି ୱେଷ୍ଟଇଣ୍ଡିଜ୍‌କୁ ଭେଟିବ। କୋଲ୍‌କାତାର ଐତିହାସିକ ଇଡେନ୍ ଗାର୍ଡେନ୍ସରେ ଖେଳାଯିବାକୁ ଥିବା ଏହି ମ୍ୟାଚ୍ ଭାରତ ପାଇଁ ‘କର ବା ମର’ ମୁକାବିଲା ସଦୃଶ୍ୟ। କାରଣ ଯେଉଁ ଟିମ୍ ଏହି ମ୍ୟାଚ୍ ଜିତିବ ସେମିଫାଇନାଲ୍ ନିଜ ସ୍ଥାନ ପକ୍କା କରିବ। ଅନ୍ୟପକ୍ଷରେ ପରାଜିତ ଟିମ୍‌ର ଯାତ୍ରା ଏହିଠାରେ ହିଁ ସମାପ୍ତ ହୋଇଯିବ। ପ୍ରଥମ ସୁପର୍‌-୮ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାଠାରୁ ଶୋଚନୀୟ ଭାବେ ପରାଜିତ ହେବା ପରେ ଜିମ୍ବାୱେ ବିପକ୍ଷ ବୃହତ୍ ବିଜୟ ପରେ ଟିମ୍ ଇଣ୍ଡିଆ ଆତ୍ମବିଶ୍ୱାସର ସହ ରହିଛି ଏବଂ ଟିମ୍ ମ୍ୟାନେଜମେଣ୍ଟ୍ ପ୍ଲେଇଙ୍ଗ୍ ଇଲେଭେନ୍‌ରେ ବଡ଼ ପରିବର୍ତ୍ତନ କରିବା ମୁଡ୍‌ରେ ନାହିଁ। ଫଳରେ ସଞ୍ଜୁ ସାମ୍‌ସନ୍ ଏବଂ ଅକ୍ଷର ପଟେଲ୍‌ଙ୍କୁ ପୁଣିଥରେ ସୁଯୋଗ ମିଳିପାରେ।

ବିଜୟ ସତ୍ତ୍ୱେ ଭାରତର ବୋଲିଂ ଏବେ ବି ଚିନ୍ତାର ବିଷୟ ରହିଛି। ଜିମ୍ବାୱେ ବିପକ୍ଷରେ ଟିମ୍ ୧୮୪ ରନ୍ ଖର୍ଚ୍ଚ କରିଥିଲା। ଏଥିରୁ ସ୍ପଷ୍ଟ ହୋଇଛି ଯେ ଡେଥ୍ ଓଭର୍‌ରେ ସୁଧାରର ଆବଶ୍ୟକତା ରହିଛି। ବ୍ୟାଟିଂରେ ଟିମ୍‌ର ଫର୍ମ ଉନ୍ନତ ରହିଛି। କିନ୍ତୁ ଟିମ୍‌କୁ ଚାପଶୂନ୍ୟ କରିବାକୁ ହେଲେ ବୋଲର୍‌ଙ୍କୁ ଉନ୍ନତ ପ୍ରଦର୍ଶନ କରିବାକୁ ହେବ। ଅନ୍ୟପକ୍ଷରେ ୱେଷ୍ଟଇଣ୍ଡିଜ୍ ନିଜର ପୂର୍ବ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକାଠାରୁ ୯ ୱିକେଟ୍‌ରେ ପରାଜିତ ହୋଇଥିଲା। ଏପରି ସ୍ଥିତିରେ କ୍ୟାରିବିୟାନ୍ ଟିମ୍ ମଧ୍ୟ ପ୍ରତ୍ୟାବର୍ତ୍ତନ ଉଦ୍ଦେଶ୍ୟରେ ଆସନ୍ତାକାଲି ପଡ଼ିଆକୁ ଓହ୍ଲାଇବ। ଦୁଇ ଟିମ୍ ପାଇଁ ଏହି ମ୍ୟାଚ୍ ବହୁ ଗୁରୁତ୍ୱପୂର୍ଣ୍ଣ। କାରଣ ସେମିଫାଇନାଲ୍‌ରେ ପହଞ୍ଚିବାର ରାସ୍ତା ଏହି ମ୍ୟାଚ୍ ଦେଇ ଯାଉଛି। ଟି-୨୦ ବିଶ୍ୱକପ୍ ଇତିହାସରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ୪ ମ୍ୟାଚ୍ ଖେଳାଯାଇଛି। ଏହା ମଧ୍ୟରୁ ୱେଷ୍ଟ୍‌ଇଣ୍ଡିଜ୍ ୩ ଥର ବାଜି ମାରି ନେଇଛି। ତେବେ ଭାରତକୁ ସବୁଠୁ କଷ୍ଟଦାୟକ ପରାଜୟ ୨୦୧୬ରେ ମିଳିଥିଲା। ୨୦୧୬ ଟି-୨୦ ବିଶ୍ୱକପ୍‌ର ସେମିଫାଇନାଲ୍‌ରେ ଭାରତକୁ ହରାଇ ୱେଷ୍ଟଇଣ୍ଡିଜ୍ ତା’ ବିଶ୍ୱ ଚାମ୍ପିଅନ୍ ହେବାର ସ୍ୱପ୍ନ ଭାଙ୍ଗି ଦେଇଥିଲେ। ସେହି ମ୍ୟାଚ୍ ବିଶ୍ୱକପ୍‌ରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଶେଷ ମ୍ୟାଚ୍ ଥିଲା। ଏବେ ୧୦ ବର୍ଷ ପରେ ଟିମ୍ ଇଣ୍ଡିଆ ନିକଟରେ ପ୍ରତିଶୋଧ ପୂରା କରିବାର ସୁଯୋଗ ରହିବ।

ସମ୍ଭାବ୍ୟ ଭାରତୀୟ ଏକାଦଶ: ସଞ୍ଜୁ ସାମ୍‌ସନ୍ (ୱିକେଟ୍‌କିପର୍‌), ଅଭିଷେକ ଶର୍ମା, ଈଶାନ୍ କିଶନ୍‌, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ (କ୍ୟାପ୍‌ଟେନ୍‌), ହାର୍ଦ୍ଦିକ ପାଣ୍ଡ୍ୟା, ଶିଭମ୍ ଦୁବେ, ଅକ୍ଷର ପଟେଲ୍‌, ବରୁଣ ଚକ୍ରବର୍ତ୍ତୀ, ଜସ୍‌ପ୍ରୀତ୍ ବୁମ୍‌ରା, ଅର୍ଶଦୀପ୍ ସିଂହ।

ସମ୍ଭାବ୍ୟ ଇଣ୍ଡିଜ୍ ଏକାଦଶ: ବ୍ରେଣ୍ଡନ୍ କିଙ୍ଗ୍‌, ଶାଇ ହୋପ୍ (କ୍ୟାପ୍‌ଟେନ୍‌), ଶିମରନ୍ ହେଟ୍‌ମାୟର୍‌, ରୋଭ୍‌ମାନ୍ ପାୱେଲ୍‌, ଶେରଫେନ୍ ରଦରଫୋର୍ଡ, ରୋଷ୍ଟନ୍ ଚେଜ୍‌, ରୋମାରିଓ ଶେଫର୍ଡ, ଜେସନ୍ ହୋଲ୍ଡର, ମାଥ୍ୟୁ ଫୋଡେ/ଅକିଲ୍ ହୁସେନ୍‌, ଗୁଡ଼ାକେଶ ମୋତୀ, ଶମାର୍ ଜୋସେଫ୍‌।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking