ପ୍ରୟାଗରାଜ : ଗୋଟିଏ ରାତିରେ ସେଲିବ୍ରିଟି ପାଲଟିଲେ ମୋନାଲିସା । ଯେଉଁଠି ସେ ପହଁଚୁଛନ୍ତି ସେଠି ଲୋକମାନଙ୍କ ଭିଡ ଜମୁଛି ।
ତାଙ୍କର ନୀଳ ରଙ୍ଗର ଆଖିକୁ ଦେଖି ସମସ୍ତେ ଅଟକି ଯାଉଥିଲେ । ମହାକୁମ୍ଭର ଭାଇରାଲ ଗର୍ଲ ମୋନାଲିସାଙ୍କୁ ଫିଲ୍ମ ଅଫର ମିଳିଛି । ବଡ ପରଦାରେ ନଜର ଆସିବେ ମୋନାଲିସା । ଆଗାମୀ ଫିଲ୍ମ ‘ଦ ଡାଏରୀ ଅଫ୍ ମଣିପୁର’ରେ ମୋନାଲିସାଙ୍କୁ ଡେବ୍ୟୁ କରାଇବାକୁ ଯାଉଛନ୍ତି ନିର୍ଦ୍ଦେଶକ ସଜୋନ ମିଶ୍ରା । ଫିଲ୍ମ ପାଇଁ ନିର୍ଦ୍ଦେଶକ ସଜୋନ ମିଶ୍ରା ଇନ୍ଦୋର ସ୍ଥିତ ମାହେଶ୍ବରୀ ଗାଁରେ ପହଞ୍ଚି ମୋନାଲିସାଙ୍କ ବାପା, ମାଆଙ୍କ ସହ କଥା ହୋଇଛନ୍ତି । ଆଉ ସିନେମା ପାଇଁ ସାଇନ୍ ମଧ୍ୟ କରିଛନ୍ତି । ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁସାରେ ଏହି ସିନେମା ପାଇଁ ମୋନାଲିସାଙ୍କୁ ୨୧ ଲକ୍ଷ ଟଙ୍କା ଫିସ୍ ମିଳିବ । କେବଳ ସେତିକି ନୁହେଁ ମୋନାଲିସାଙ୍କୁ ୧ ଲକ୍ଷ ଟଙ୍କାର ସାଇନିଂ ଆମାଉଣ୍ଟ ମଧ୍ୟ ଦେଇଛନ୍ତି ନିର୍ଦ୍ଦେଶକ ସଜୋନ । ମୋନାଲିସାଙ୍କ ପ୍ରକୃତ ନାମ ହେଉଛି ମୋନାଲିସା ଭୋସଲେ । ସେ ଇନ୍ଦୋର ଜିଲ୍ଲାର ମହେଶ୍ୱର ଅଞ୍ଚଳର ଜଣେ ବାସିନ୍ଦା । ସେ ମହାକୁମ୍ଭକୁ ମାଳା ବିକ୍ରି କରିବା ପାଇଁ ତାଙ୍କ ୫୦ ଜଣିଆ ଦଳ ସହିତ ପ୍ରୟାଗରାଜକୁ ଆସିଥିଲେ । ନର୍ମଦା ନଦୀ ତଟରେ ବସି ମାଳା ବିକି ନିଜ ପରିବାରର ପେଟ ପୋଷୁଥିଲେ । ମହାକୁମ୍ଭରେ ମୋନାଲିସାଙ୍କ ଉପସ୍ଥିତି ତାଙ୍କୁ ଏକ ବଡ ପରିଚୟ ଦେଇଛି । ଅଫରକୁ ଗ୍ରହଣ କରି ସେ ଗାଁକୁ ଫେରିଯାଇଛନ୍ତି ।