ନୂଆଦିଲ୍ଲୀ: ମାନବିକତା ଦୃଷ୍ଟିକୋଣରୁ ସୁନାଲି ନାମକ ବାଂଲାଦେଶର ଜଣେ ଗର୍ଭବତୀ ମହିଳା ଏବଂ ତାଙ୍କ ୮ ବର୍ଷର ଝିଅକୁ ଭାରତରେ ପ୍ରବେଶ କରିବାକୁ ଅନୁମତି ଦେଇଛନ୍ତି ସୁପ୍ରିମକୋର୍ଟ। ବୁଧବାର, ମୁଖ୍ୟ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ ବାଗ୍ଚିଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠ ପଶ୍ଚିମବଙ୍ଗ ସରକାରଙ୍କୁ ଶିଶୁଟିର ଯତ୍ନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିସହ ବୀରଭୂମି ଜିଲାର ମୁଖ୍ୟ ଚିକିତ୍ସା ଅଧିକାରୀ (ସିଏମ୍ଓ)ଙ୍କୁ ଗର୍ଭବତୀ ମହିଳା ସୁନାଲି ଖାତୁନ୍ଙ୍କୁ ସମସ୍ତ ପ୍ରକାରର ଚିକିତ୍ସା ସହାୟତା ଯୋଗାଇବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି।
ମାମଲା ଉପରେ ଶୁଣାଣି କରି ସୁପ୍ରିମକୋର୍ଟ କହିଛନ୍ତି ଯେ ସୁନାଲି ଏବଂ ତାଙ୍କ ଝିଅକୁ ଦିଲ୍ଲୀ ଫେରାଇ ଅଣାଯିବ। କାରଣ ଏହି ମହିଳାଜଣକ ବାସ୍ତବରେ ଭାରତରେ ଅବସ୍ଥାନ କରୁଥିବା ବେଳେ କିଛି ମାସ ପୂର୍ବରୁ ଅର୍ଥାତ୍ ଜୁନ୍ ୨୭ରେ ମହିଳାଙ୍କୁ ଜୋରଜବରଦସ୍ତି ସୀମା ପାର କରି ବାଂଲାଦେଶକୁ ପଠାଇ ଦିଆଯାଇଥିଲା। ଆବେଦନକାରୀଙ୍କ ପକ୍ଷରୁ ଉପସ୍ଥିତ ବରିଷ୍ଠ ଓକିଲ କପିଲ ସିବଲ୍ ଏବଂ ସଞ୍ଜୟ ହେଗ୍ଡେ ଆଜି ଖଣ୍ଡପୀଠଙ୍କ ସମ୍ମୁଖରେ ଯୁକ୍ତି ବାଢ଼ିଥିଲେ ଯେ, ପୀଡ଼ିତା ମହିଳାଙ୍କ ସହ ତାଙ୍କ ଝିଅ, ସ୍ୱାମୀ ଏବଂ ପରିବାରର ଅନ୍ୟ ଲୋକମାନେ ମଧ୍ୟ ବାଂଲାଦେଶରେ ଫସି ରହିଛନ୍ତି ଏବଂ ସେମାନଙ୍କୁ ଭାରତ ଫେରାଇ ଅଣାଯିବା ଆବଶ୍ୟକ। ବାଂଲାଦେଶରେ ଫସି ରହିଥିବା ସୁନାଲି ଖାତୁନ୍ ଏବଂ ତାଙ୍କ ପରିବାରର ସମସ୍ତ ଲୋକ ଭାରତୀୟ ନାଗରିକ।
ପ୍ରକାଶ, ସୁନାଲିଙ୍କ ବାପା ଅଭିଯୋଗ କରିଛନ୍ତି ଯେ ଦିଲ୍ଲୀର ରୋହିଣୀ ଅଞ୍ଚଳର ସେକ୍ଟର ୨୬ରେ ଦୈନିକ ମଜୁରିଆ ଭାବରେ କାମ କରୁଥିବା ଏହି ପରିବାର ଦୁଇ ଦଶନ୍ଧି ଧରି ଏଠାରେ ରହୁଛି। ଜୁନ୍ ୧୮ରେ ପୁଲିସ୍ ସେମାନଙ୍କୁ ବାଂଲାଦେଶୀ ସନ୍ଦେହରେ ଉଠାଇ ନେଇଥିଲା ଏବଂ ଜୁନ ୨୭ରେ ସୀମା ପାର କରି ପଠାଇଦେଇଥିଲା। ଖଣ୍ଡପୀଠ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହି ଅବସରରେ କେନ୍ଦ୍ର ସରକାରଙ୍କ ପକ୍ଷ ରଖି କହିଛନ୍ତି ଯେ, କର୍ତ୍ତୃପକ୍ଷ ମାନବିକତା ଦୃଷ୍ଟିରୁ ସୁନାଲି ଏବଂ ତାଙ୍କ ପିଲାକୁ ଦେଶରେ ପ୍ରବେଶ କରିବାକୁ ଅନୁମତି ଦେବାକୁ ରାଜି ହୋଇଛନ୍ତି ଏବଂ ସେମାନଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯିବ।










