ଇସଲାମାବାଦ: ବଲୁଚିସ୍ତାନ ଟ୍ରେନ୍ ଅପହରଣ ଘଟଣା ମନରୁ ନଲିଭୁଣୁ ପୁଣି ଏକ ଭୟଙ୍କର ବିସ୍ଫୋରଣ ବଲୁଚିସ୍ତାନରେ ଭୟ ଭରିଛି । ଦକ୍ଷିଣ-ପଶ୍ଚିମ ପାକିସ୍ତାନର ନୌସଖୀ ଅଞ୍ଚଳରେ ଏହି ଆତ୍ମଘାତୀ କାର୍ ବିସ୍ଫୋରଣ ଘଟିଛି । ସୁରକ୍ଷାକର୍ମୀଙ୍କୁ ନେଇ ଯାଉଥିବାକୁ ବସକୁ ଟାର୍ଗେଟ୍ କରି ବିସ୍ଫୋରଣ କରାଯାଇଥିବା ବେଳେ ଏଥିରେ ୭ ଜଣଙ୍କ ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ୫ ଜଣ ସୁରକ୍ଷା କର୍ମୀ ଥିବା ବେଳେ ୨ ଜଣ ସାଧାରଣ ଲୋକ ଥିଲେ । ତେବେ ରାସ୍ତା କଡରେ ବସ ନିକଟରେ ଏହି ଆତ୍ମଘାତୀ ବିସ୍ଫୋରଣର ମାତ୍ରା ଏତେ ଭୟଙ୍କର ଥିଲା ଯେ ପ୍ରାୟ ୩୫ ଜଣ ଗୁରୁତର ଆହତ ହୋଇଛନ୍ତି । ତେବେ ଏହି ବିସ୍ଫୋରଣ ପଛରେ ବିଏଲଏ ନିଜକୁ ଦାୟୀ କରିଛି । ଗତ ମଙ୍ଗଳବାର ଦିନ ପାକିସ୍ତାନରେ ଆତଙ୍କବାଦୀମାନେ ପୂରା ଟ୍ରେନକୁ ଅପହରଣ କରି ନେଇଥିଲେ । ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲେ ବେଲୁଚ ଲିବରେସନ ଆର୍ମି ।