27.1 C
Bhubaneswar
Saturday, November 23, 2024
Homeଓଡିଶାମା’ ମାନଙ୍କ ସ୍ଵପ୍ନ ପୂରଣ କରିବାରେ ସାହାଯ୍ୟ କରିବ ସୁଭଦ୍ରା ଯୋଜନା- ମୁଖ୍ୟମନ୍ତ୍ରୀ

ମା’ ମାନଙ୍କ ସ୍ଵପ୍ନ ପୂରଣ କରିବାରେ ସାହାଯ୍ୟ କରିବ ସୁଭଦ୍ରା ଯୋଜନା- ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟର ବିକାଶର ମୂଳମନ୍ତ୍ର ହେବ।
ଏହି ଅବସରରେ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ରାଜ୍ୟର ସମସ୍ତ ମା’ ଓ ଭଉଣୀ ଏବଂ ରାଜ୍ୟର ସାଢେ ଚାରି କୋଟି ଜନ ସାଧାରଣଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କୁ ଜନ୍ମ  ଦିନର ଶୁଭେଚ୍ଛା ଜଣାଇ ଥିଲେ। ମୁଖ୍ୟମନ୍ତ୍ରୀ କହିଥିଲେ ଯେ ପ୍ରଧାନମନ୍ତ୍ରୀ କେବଳ ଦେଶର ନୁହନ୍ତି, ସାରା ବିଶ୍ୱରେ ସବୁଠାରୁ ଅଧିକ ଲୋକପ୍ରିୟ ନେତା। ଆଜିର ଏହି ସ୍ୱତନ୍ତ୍ର ଦିନରେ ଯେତେବେଳେ ସାରା ବିଶ୍ୱରୁ ପ୍ରଧାନମନ୍ତ୍ରୀଙ୍କ ପାଇଁ ଜନ୍ମଦିନର ଶୁଭେଚ୍ଛା ଆସୁଛି, ସେତେବେଳେ ସେ ଆଜି ଆମ ଗହଣରେ ଉପସ୍ଥିତ ହୋଇ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରୁଛନ୍ତି। ଏଥିପାଇଁ ପ୍ରଧାନମନ୍ତ୍ରୀଙ୍କ ନିକଟରେ କୃତଜ୍ଞତା ପ୍ରକାଶ କରିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ ନିର୍ବାଚନ ପୂର୍ବରୁ ଆମେ ଯେଉଁ ପ୍ରତିଶ୍ରୁତି ଦେଇଥିଲୁ, ତାକୁ ଆଜି ୧୦୦ ଦିନ ମଧ୍ୟରେ ପୂରଣ କରିଛୁ। ସୁଭଦ୍ରା ଯୋଜନା ଆମ ରାଜ୍ୟ ପାଇଁ ସବୁଠାରୁ ବଡ ଜନ ହିତକାରୀ ଯୋଜନା ବୋଲି ସେ କହିଥିଲେ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ   ଆମ ସରକାର କ୍ଷମତାକୁ ଆସିବା ପୂର୍ବରୁ ମା’ ମାନଙ୍କ ପାଇଁ ‘ସୁଭଦ୍ରା’ ଯୋଜନାର ପ୍ରତିଶ୍ରୁତି  ଦେଇଥିଲେ। ଜଗନ୍ନାଥ ସଂସ୍କୃତିରେ ମା’ ସୁଭଦ୍ରା ହେଉଛନ୍ତି ଶକ୍ତି ସ୍ୱରୂପିଣୀ ଓ ସମାନତାର ପ୍ରତୀକ।  କଥା ଅଛି ଯେ, “ମା’ ହେଲେ ପାଠୋଇ, ଦେଶ ଯିବ ଆଗେଇ”। ଠିକ୍ ସେହିପରି ଜଣେ ମହିଳା  ଅର୍ଥନୈତିକ ଦୃଷ୍ଟିରୁ ସଶକ୍ତ ଓ ସ୍ବାବଲମ୍ବୀ ହେଲେ, ପରିବାରର ସାମାଜିକ ଓ ଅର୍ଥନୈତିକ ନିରାପତ୍ତା ସୁଦୃଢ଼ ହୋଇଥାଏ। ସେମାନଙ୍କୁ ଆର୍ଥିକ କ୍ଷେତ୍ରରେ ସ୍ୱାବଲମ୍ବୀ କରିବା ପାଇଁ ଏବଂ ଅର୍ଥନୈତିକ ପ୍ରଗତି ପାଇଁ ସୁଯୋଗ ପ୍ରଦାନ କରିବାକୁ ଓଡ଼ିଶା ସରକାର ଏହି ପ୍ରଗତିଶୀଳ ତଥା ବୈପ୍ଳବିକ  ସୁଭଦ୍ରା ଯୋଜନା ଆରମ୍ଭ କରିଛନ୍ତି।
ସେ ପୁଣି କହିଥିଲେ ଯେ, ଆମ ସମସ୍ତଙ୍କ ପାଇଁ ଅତ୍ୟନ୍ତ ଆନନ୍ଦ ଓ ଖୁସିର କଥା ଯେ ‘ସୁଭଦ୍ରା’ ର ଶୁଭାରମ୍ଭ ପାଇଁ ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଜୀ ଆଜି ଆମ ସହିତ ଅଛନ୍ତି। ପ୍ରଧାନମନ୍ତ୍ରୀ ଙ୍କର ତାଙ୍କ ମା’ ଙ୍କ ପ୍ରତି ଭକ୍ତି ଓ ସମ୍ମାନକୁ ଆମେ ସମସ୍ତେ ଅନୁଭବ କରିଛେ। ତାଙ୍କ ମା’ ହିଁ ଥିଲେ ଅଭିନବ ‘ଉଜ୍ଜ୍ଵଳା’ ଯୋଜନାର ପ୍ରେରଣା।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ମା’ ଙ୍କ ଦୁଃଖ, କଷ୍ଟକୁ ଅନୁଭବ କରିଥିବା ଯଶସ୍ଵୀ ପ୍ରଧାନମନ୍ତ୍ରୀ, ଦାୟିତ୍ଵ ଗ୍ରହଣ କଲା ପରେ ଆରମ୍ଭ କରିଥିଲେ ଦେଶର ସମସ୍ତ ଗରିବ ମା’ ମାନଙ୍କୁ ଗ୍ୟାସ ଯୋଗାଇ ଦେବାର ମହତ୍ୱାକାଂକ୍ଷୀ ଉଜ୍ଜ୍ଵଳା ଯୋଜନା। ଆଜି ଏହି ଯୋଜନା, ବିଶ୍ଵର ଅନ୍ୟତମ ବୃହତ୍ ଲୋକ-କଲ୍ୟାଣକାରୀ ଯୋଜନା । ଓଡିଶାରେ ପ୍ରାୟ ୫୩ ଲକ୍ଷ ୨୦ ହଜାର ମହିଳା ହିତାଧିକାରୀ ଏବଂ ଦେଶରେ ୧୦ କୋଟି ୩୫ ଲକ୍ଷ ଗରିବ ମହିଳା ଏହି ଯୋଜନା ଦ୍ୱାରା ଉପକୃତ ହେଉଛନ୍ତି।
ଏହି ଯୋଜନାକୁ  ଓଡ଼ିଶାର ମହିଳା ମାନଙ୍କର ଅବଦାନ ପ୍ରତି ଆମର ନମ୍ର ତଥା କୃତଜ୍ଞତାପୂର୍ଣ୍ଣ ସ୍ଵୀକୃତି ଭାବେ ବର୍ଣ୍ଣନା କରି ସେ କହିଥିଲେ ଯେ ଏଥିପାଇଁ ସୁଭଦ୍ରା ଯୋଜନାକୁ ଆମେ ଯୁଗାନ୍ତକାରୀ ଓ ବୈପ୍ଳବିକ ଯୋଜନା ବୋଲି କହୁଛୁ। ଏହି ଯୋଜନାରେ Direct Benefit Transfer ମାଧ୍ୟମରେ ଓଡ଼ିଶାର ମା’ ମାନଙ୍କ ବ୍ୟାଙ୍କ୍ ଖାତାକୁ ସିଧାସଳଖ ଅର୍ଥ ପ୍ରଦାନ କରାଯିବ, ଯାହାକୁ ସେମାନେ ନିଜ ଆବଶ୍ୟକତା ଅନୁଯାୟୀ ବ୍ୟବହାର କରିପାରିବେ। ଏହି ଅର୍ଥକୁ ସେମାନେ କ୍ଷୁଦ୍ର ବ୍ୟବସାୟ, ଘରୋଇ ଉଦ୍ୟୋଗ ତଥା ପିଲାଙ୍କ ଶିକ୍ଷା ପାଇଁ ବିନିଯୋଗ କରିପାରିବେ।

ସେ କହିଥିଲେ ଯେ,    ଏହି ଯୋଜନା ପ୍ରତି ମା’ମାନଙ୍କ ମଧ୍ୟରେ ଅଭୂତପୂର୍ବ ଉତ୍ସାହ ଦେଖିବାକୁ ମିଳୁଛି। ଏହା ଆମ ପାଇଁ ଖୁବ୍‌ ଆନନ୍ଦର କଥା। ସୁଭଦ୍ରା ଯୋଜନା ସେହି ସବୁ ମା’ ମାନଙ୍କୁ ସାହାଯ୍ୟ କରିବ, ଯେଉଁମାନଙ୍କ ପାଖରେ ଉଦ୍ୟମ ପାଇଁ ଆଗ୍ରହ ଅଛି, କିନ୍ତୁ ସେମାନଙ୍କ ହାତରେ ପୁଞ୍ଜି ନାହିଁ। ମା’ ମାନେ କିଛି ରୋଜଗାର କରିବା ପାଇଁ ଇଚ୍ଛା ତ ରଖନ୍ତି, କିନ୍ତୁ କିଭଳି ଆରମ୍ଭ କରିବେ ଜାଣିପାରୁ ନ ଥିଲେ। ସୁଭଦ୍ରା ଯୋଜନା ଏଭଳି ମା’ ମାନଙ୍କୁ ସେମାନଙ୍କ ସ୍ଵପ୍ନ ପୂରଣ କରିବା ପାଇଁ ସାହାଯ୍ୟ କରିବ।
ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆଜି ଆପଣମାନଙ୍କୁ ମୁଁ ଆଉ ଗୋଟିଏ ଗୁରୁତ୍ୱପୂର୍ଣ୍ଣ ବିଷୟରେ ସୂଚନା ଦେବାକୁ ଚାହୁଁଛି। ଆମର ପ୍ରିୟ ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟିସମ୍ପନ୍ନ ଉଦ୍ୟମରେ ଆରମ୍ଭ ହୋଇଥିବା ‘ସ୍ୱଚ୍ଛ ଭାରତ ମିଶନ’ ଚଳିତ ବର୍ଷ ଏକ ଦଶନ୍ଧି ପୂରଣ କରୁଛି।  ଏହି ଅବସରରେ ସାରା ଦେଶରେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ଏହା ୧୫ ଦିନ ପାଇଁ ଚାଲିବ।  ମୁଁ ସାରା ରାଜ୍ୟବାସୀଙ୍କୁ ଅନୁରୋଧ କରୁଛି ଯେ,  ସମସ୍ତେ ‘ସ୍ୱଚ୍ଛତା ହିଁ ସେବା’ ଅଭିଯାନରେ ନିଜକୁ ସାମିଲ କରି ଓଡିଶାକୁ ସାରା ଦେଶରେ ଏକ ନମ୍ବର କରିବା ପାଇଁ ଉଦ୍ୟମ କରନ୍ତୁ।
ମାନନୀୟ ପ୍ରଧାନମନ୍ତ୍ରୀ ଆଜି ଏଠାରେ ଉପସ୍ଥିତ ରହି ସୁଭଦ୍ରା ଯୋଜନାକୁ ଓଡ଼ିଶାର ମହିଳାମାନଙ୍କ ପାଇଁ ଲୋକାର୍ପିତ କରିବା ଆମ ସମସ୍ତଙ୍କୁ ବିଶେଷ ଭାବରେ ଆନନ୍ଦିତ କରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ତାଙ୍କ ମାର୍ଗ ଦର୍ଶନରେ ଓଡ଼ିଶା ଏକ ବିକଶିତ ରାଜ୍ୟ ହେବା ପାଇଁ ଯାତ୍ରା ଆରମ୍ଭ କରିଛି । ୨୦୩୬ ସୁଦ୍ଧା ଓଡ଼ିଶାକୁ ଭାରତର ଏକ ଅଗ୍ରଣୀ ରାଜ୍ୟରେ ପରିଣତ କରିବାର ଲକ୍ଷ୍ୟ ପୂରଣ ଦିଗରେ ଏହି ଯୋଜନା ମହତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ।
ସେ କହିଥିଲେ ଯେ ରାଜ୍ୟରେ ହେଉଥିବା ବିକାଶ କାମ  ପ୍ରମାଣିତ କରୁଛି ଯେ  ଡବଲ ଇଞ୍ଜିନ ସରକାରରେ ଓଡିଶାର ବିକାଶର ଗତି କ୍ଷିପ୍ର ହେଉଛି। ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ନେତୃତ୍ବରେ ଓଡିଶାର ବିକାଶ ପ୍ରକ୍ରିୟା ତ୍ବରାନ୍ବିତ ହେଉଛି। ୨୦୩୬ରେ ଯେତେବେଳେ ସ୍ୱତନ୍ତ୍ର ଓଡିଶା ଗଠନର ୧୦୦ ବର୍ଷ ପୂର୍ତ୍ତି ପାଳନ ହେବ, ସେତେବେଳେ ଆମର GSDP ୫୦୦ ବିଲିୟନ ଡଲାରରେ ପହଞ୍ଚିବ ଏବଂ ୨୦୪୭ ମସିହାରେ ଏହା ୧.୫ ଟ୍ରିଲିଅନ ଡଲାରରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।
ପ୍ରଧାନମନ୍ତ୍ରୀ ମୋଦୀଜୀ ଓଡିଶାର ବିକାଶ ପ୍ରତି ସବୁବେଳେ ସ୍ୱତନ୍ତ୍ର ଧ୍ୟାନ ଦେଇ ଆସିଛନ୍ତି ବୋଲି ପ୍ରକାଶ କରି ସେ କହିଥିଲେ ଯେ,  ପ୍ରଧାନମନ୍ତ୍ରୀ ବାରମ୍ବାର କହିଛନ୍ତି ଯେ, ‘ପୂର୍ବୋଦୟ’ରେ ଓଡିଶା ସବୁଠାରୁ ଅଗ୍ରଣୀ ରାଜ୍ୟ ହେବ। ଦେଶର ବିକାଶର ଇଞ୍ଜିନରେ ଓଡିଶା ପ୍ରଥମ ବଗି ହେବ। ବର୍ତ୍ତମାନ ଓଡିଶାରେ ଯେଉଁ କ୍ଷୀପ୍ର ଗତିରେ ବିକାଶର ଧାରା ଆଗେଇ ଚାଲିଛି, ଓଡିଶା ନିଶ୍ଚୟ ତା’ର ଇପ୍ସିତ ଲକ୍ଷ୍ୟ ହାସଲ କରିବ।
ଉପ ମୁଖ୍ୟମନ୍ତ୍ରୀ ତଥା ମହିଳା ଶିଶୁ ବିକାଶ, ମିଶନ ଶକ୍ତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା କହିଥିଲେ ଯେ ରାଜ୍ୟରେ ଆଜି ସୁଦ୍ଧା  ସୁଭଦ୍ରା ଯୋଜନାରେ ୭୨ଲକ୍ଷ ମହିଳା ପଞ୍ଜୀକୃତ ହେଲେଣି। ଓଡିଶାର ମହିଳା ମାନଙ୍କ ବିକାଶ ପାଇଁ ସୁଭଦ୍ରା ହେଉଛି ଯଶସ୍ବୀ ପ୍ରଧାନମନ୍ତ୍ରୀ ମୋଦୀଜୀଙ୍କ ଗ୍ୟାରେଣ୍ଟି। ବିକଶିତ ଓଡିଶାର ମୂଳପିଣ୍ଡ ହେବ ସୁଭଦ୍ରା ବୋଲି ସେ କହିଥିଲେ।
ଏହି କାର୍ଯ୍ୟକ୍ରମରେ ରାଜ୍ୟପାଳ ଶ୍ରୀଯୁକ୍ତ ରଘୁବର ଦାସ, କେନ୍ଦ୍ର ଜନଜାତି ବ୍ୟାପାର ମନ୍ତ୍ରୀ ଶ୍ରୀ ଜୁଏଲ ଓରାମ, କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ର ମହିଳା ଓ ଶିଶୁବିକାଶ  ମନ୍ତ୍ରୀ ଶ୍ରୀମତୀ ଅନ୍ନପୂର୍ଣ୍ଣା ଦେବୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ, ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଏବଂ ଅନେକ ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking