20.1 C
Bhubaneswar
Wednesday, January 15, 2025
Homeଓଡିଶାସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା...

ସୁଭଦ୍ରା ଯୋଜନା ଓଡିଶାର ମା ଓ ଭଉଣୀ ମାନଙ୍କୁ ସଶକ୍ତ କରୁ ଏହାହିଁ ମୋର ମା ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା- ପ୍ରଧାନମନ୍ତ୍ରୀ

ଭୁବନେଶ୍ବର : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ବହୁ ଆକାଂକ୍ଷିତ ସୁଭଦ୍ରା ଯୋଜନାର ଶୁଭାରମ୍ଭ କରିଛନ୍ତି। ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ଭୁବନେଶ୍ୱରରେ ପହଞ୍ଚି ଜନତା ମୈଦାନରେ ଏହି ଯୋଜନାର ଶୁଭାରମ୍ଭ କରି କହିଛନ୍ତି ଯେ ଆଗାମୀ ଦିନରେ ଓଡିଶାର ମହିଳାମାନଙ୍କ ଶକ୍ତି ଓ ସାମର୍ଥ୍ୟ ରାଜ୍ୟର ବିକାଶର ମୂଳମନ୍ତ୍ର ହେବ।
ସୁଭଦ୍ରା ଯୋଜନାର ଶୁଭାରମ୍ଭ  ଅବସରରେ ସବୁଠି ଖୁସି ଓ ଆନନ୍ଦର ପରିବେଶ ଦେଖିବାକୁ ମିଳିଥିଲା। ଭୁବନେଶ୍ୱରରେ ଲକ୍ଷାଧିକ ମହିଳା ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।  ମା’ମାନଙ୍କ ମୁହଁରେ ଖୁସିର ଲହରୀ ଦେଖିବାକୁ ମିଳିଥିଲା। ସୂଚନାଯୋଗ୍ୟ ଯେ, ଏହି ଯୋଜନା ରାଜ୍ୟର ସବୁଠାରୁ ବଡ, ବ୍ୟକ୍ତିଗତ ମହିଳାକୈନ୍ଦ୍ରିକ ଯୋଜନା। ଏଥିରେ ୫ ହଜାର ଟଙ୍କା ଲେଖାଏଁ ଦୁଇଟି କିସ୍ତିରେ ପ୍ରତି ବର୍ଷ ୧୦ ହଜାର ଟଙ୍କା ଦିଆଯିବ। ୫ ବର୍ଷରେ ମିଳିବ ୫୦ ହଜାର ଟଙ୍କା । ଗୋଟିଏ କିସ୍ତି ଆନ୍ତର୍ଜାତିକ ମହିଳା ଦିବସ ମାର୍ଚ୍ଚ ୮ ତାରିଖ ଏବଂ  ଦ୍ୱିତୀୟ କିସ୍ତି ରାକ୍ଷୀ ପୂର୍ଣ୍ଣିମା ଦିନ ଦିଆଯିବ।
 ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଇଚ ଟିପି ରାଜ୍ୟର ୨୫ଲକ୍ଷ ୧୧ ଜଣ ମହିଳାଙ୍କ ଖାତାକୁ ପ୍ରଥମ କିସ୍ତି ସୁଭଦ୍ରା ସହାୟତା ରାଶି ପ୍ରଦାନ କରିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ନିଜର ଅଭିଭାଷଣ ଆରମ୍ଭ କରି ପ୍ରଧାନମନ୍ତ୍ରୀ ମା’ ସୁଭଦ୍ରାଙ୍କ ନିକଟରେ ପ୍ରାର୍ଥନା କରି କହିଥିଲେ ଯେ ଏହି ଯୋଜନା ମା’ ଓ ଭଉଣୀମାନଙ୍କୁ ସଶକ୍ତ କରୁ। ସେ କହିଥିଲେ ଯେ ଓଡିଶାର ବିକାଶରେ ନାରୀ ଶକ୍ତିର ସମାନ ଭାଗିଦାରୀ ରହିବ। ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଡବଲ ଇଞ୍ଜିନ ସରକାର ଓଡିଶାକୁ ବିକାଶର ନୂଆ ଶିଖରରେ ପହଞ୍ଚାଇବ।
 ନିର୍ବାଚନ ସମୟରେ ଆମେ କହିଥିଲୁ ଓଡିଶାରେ ଆମ ସରକାର ଗଠନ ହେଲେ ଶ୍ରୀ ମନ୍ଦିର ଚାରିଦ୍ବାର ଖୋଲିବୁ , ରତ୍ନ ଭଣ୍ଡାର ମଧ୍ୟ ଖୋଲିବୁ। ଆମେ ଆମ ପ୍ରତିଶ୍ରୁତି ପାଳନ କଲୁ। ଓଡିଶାର ନୂଆ ସରକାର ସାଧାରଣ ଲୋକମାନଙ୍କୁ ଭେଟି ସେମାନଙ୍କ ସମସ୍ୟାର ସମାଧାନ ପାଇଁ ପ୍ରଚେଷ୍ଟା କରୁଥିବାରୁ ସେ ମୁଖ୍ୟମନ୍ତ୍ରୀ ଓ ଦୁଇ ଉପ-ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ମଣ୍ଡଳର ସଦସ୍ୟ ଏବଂ ପୂରା ଓଡିଶା ସରକାରଙ୍କୁ ଉଚ୍ଚ ପ୍ରଶଂସା କରିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ୧୦୦ ଦିନ ମଧ୍ୟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ନିଆଯାଇଥିବା ବିଭିନ୍ନ ପଦକ୍ଷେପ ସଂପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ପ୍ରାଇଭେଟ କମ୍ପାନୀରେ ନୂଆ ଚାକିରୀ କରୁଥିବା ଯୁବକ ଯୁବତୀ ମାନଙ୍କୁ ପ୍ରଥମ ଦରମା ସରକାର ଦେବେ। ଖରିଫ ଫସଲ ପାଇଁ MSP ବୃଦ୍ଧି କରାଯାଇଛି ଏବଂ ୧୦୦ ଦିନ ଭିତରେ ଓଡିଶା  ସମେତ ଦେଶରେ ୧୧ଲକ୍ଷ ନୂଆ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛନ୍ତି।
https://youtu.be/2pj_lt9dwd4?si=EOdyyQsb8xROwwD
ପ୍ରଧାନମନ୍ତ୍ରୀ ଅନେକ ଜନକଲ୍ୟାଣ ଯୋଜନାର ଶୁଭାରମ୍ଭ ମଧ୍ୟ କରିଥିଲେ। ଓଡିଶାରେ ୨,୮୦୦ କୋଟି ଟଙ୍କାର ରେଳ ପ୍ରକଳ୍ପର ଶୁଭାରମ୍ଭ କରିଥିଲେ । ୪ଟି ପ୍ରକଳ୍ପ ପାଇଁ ଭିତ୍ତି ରଖିଥିବା ବେଳେ ଆଉ ୪ଟି ପ୍ରକଳ୍ପର ଉଦ୍‌ଘାଟନ ମଧ୍ୟ କରିଥିଲେ। ଉଦ୍‌ଘାଟିତ ହୋଇଥିବା ପ୍ରକଳ୍ପ ମଧ୍ୟରେ ଲାଞ୍ଜିଗଡ ରୋଡ୍‌- ଅମ୍ବାଦୋଳା- ଦହିକାଲୁ ତୃତୀୟ ଲାଇନ୍, ଲକ୍ଷ୍ମୀପୁର ରୋଡ୍‌- ସିଙ୍ଗାରାମ- ଟିକିରି ଦୋହରୀକରଣ, ବାଙ୍ଗୁରକେଲା-ନୂଆଗାଁ ଦୋହରୀକରଣ ଏବଂ ଢେଙ୍କାନାଳ- ସଦାଶିବପୁର- ହିନ୍ଦୋଳ ରୋଡର ତୃତୀୟ ଓ ଚତୁର୍ଥ ଲାଇନ୍‌। ସେହିପରି ପାରାଦୀପ- ବଡବନ୍ଧ ତୃତୀୟ ଓ ଚତୁର୍ଥ ଲାଇନ୍, MCRL ଭିତର କରିଡର ପ୍ରଥମ ପର୍ଯ୍ୟାୟର ଦୋହରୀକରଣ, ଜୟପୁର- ନବରଙ୍ଗପୁର ନୂତନ ଲାଇନ୍ ଓ ସିଜୁ ଏବଂ ପାରଦୀପ କୋଚିଙ୍ଗ ୟାର୍ଡ ମଧ୍ୟରେ ଫ୍ଲାଇ ଓଭର ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କରିଥିଲେ। ଏହି ସବୁ ପ୍ରକଳ୍ପ ଗୁଡିକ ଦ୍ୱାରା ଆଞ୍ଚଳିକ ଅର୍ଥନୀତିରେ ଉନ୍ନତି ଆସିବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ। ଏହି ଅବସରରେ ପ୍ରଧାନମନ୍ତ୍ରୀ ୧,୦୦୦ କୋଟି ଟଙ୍କାର ଜାତୀୟ ରାଜପଥ ପ୍ରକଳ୍ପର ଶୁଭାରମ୍ଭ ମଧ୍ୟ କରିଥିଲେ।
ପ୍ରଧାନମନ୍ତ୍ରୀ କହିଥିଲେ ଯେ, ଆଜି ଦେଶର ୩୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ଦିଆଗଲା। ଏଥିରୁ ୨୬ ଲକ୍ଷ ଘର ଗାଁରେ ରହୁଥିବା ଲୋକଙ୍କୁ ମିଳିଥିବା ବେଳେ ୪ ଲକ୍ଷ ଘର ସହରରେ ରହୁଥିବା ଲୋକଙ୍କୁ ମିଳିଛି। ଏହା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ଗ୍ରାମୀଣ)ରେ ୧୦ ଲକ୍ଷ ହିତାଧିକାରୀଙ୍କୁ ପକ୍କା ଘର ପାଇଁ ପ୍ରଥମ କିସ୍ତି ପ୍ରଦାନ କରାଯାଇଥିଲା। ୧୫ ଲକ୍ଷ ଆବାସ ପାଇଁ ସ୍ୱୀକୃତି ପତ୍ର ମଧ୍ୟ ପ୍ରଦାନ କରାଯାଇଥିଲା। ଆବାସ ପ୍ଲସ ୨୦୨୪ ମୋବାଇଲ ଆପ୍‌ ର ମଧ୍ୟ ପ୍ରଧାନମନ୍ତ୍ରୀ ଶୁଭାରମ୍ଭ କରିଥିଲେ।
ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବା ପରେ ପ୍ରଥମେ ଗାଡକଣ ଯାଇ ଆବାସ ଯୋଜନାର ହିତାଧିକାରୀମାନଙ୍କୁ ଭେଟି ସେମାନଙ୍କ ସହିତ କିଛି ସମୟ ବିତାଇଥିଲେ। ଗାଡକଣସ୍ଥିତ ଶବର ସାହିରେ ସେ ଆବାସ ଯୋଜନା(ସହରୀ)ର ହିତାଧିକାରୀମାନଙ୍କୁ ବାସଗୃହର ଚାବି ହସ୍ତାନ୍ତର କରିଥିଲେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଏବଂ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଶ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ଉପସ୍ଥିତ ଥିଲେ।
ଗାଡକଣରେ ହିତାଧିକାରୀ ଅନ୍ତର୍ଯ୍ୟାମୀ ନାୟକଙ୍କ ନୂତନ ବାସଗୃହରେ ପ୍ରଧାନମନ୍ତ୍ରୀ କିଛି ସମୟ ବିତାଇ ଥିଲେ।  ଜନ୍ମଦିନ ଅବସରରେ ପ୍ରଧାନମନ୍ତ୍ରୀଙ୍କୁ ସେଠାରେ ଉପସ୍ଥିତ ମହିଳାମାନେ ଫୁଲ ଓ ଉତ୍ତରୀୟ ପ୍ରଦାନ କରି ଶୁଭେଚ୍ଛା ପ୍ରଦାନ କରିଥିଲେ। ସେଠାରେ ପ୍ରଧାନମନ୍ତ୍ରୀ ପୂଜାର୍ଚ୍ଚନା ମଧ୍ୟ କରିଥିଲେ ଏବଂ ଜଣେ ହିତାଧିକାରୀଙ୍କ ଠାରୁ ସେ ଖିରି ଖାଇଥିଲେ।
ତାଙ୍କ ଅଭିଭାଷଣରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ତାଙ୍କ ମା’ ବଞ୍ଚି ଥିବା ବେଳେ ସେ ଅନେକ ସମୟରେ ମା’ଙ୍କ ଠାରୁ ଖିରି ଖାଉଥିଲେ। ଆଜି ମା’ ନାହାନ୍ତି, କିନ୍ତୁ ଜଣେ ଆଦିବାସୀ ଭଉଣୀ ଶ୍ରଦ୍ଧାର ସହ ଖିରି ଖୁଆଇ ମୋତେ ଜନ୍ମ ଦିନର ଆଶୀର୍ବାଦ ଦେଇଥିଲେ। ପାଇଥିବା ଏହି ସ୍ନେହ ଶ୍ରଦ୍ଧା ପାଇଁ ଆଜି ତାଙ୍କ ମା’ ପୁଣି ମନେ ପଡୁଛନ୍ତି ଏବଂ ଏହା ମୋର ସାରା ଜୀବନ ପାଇଁ ମନେ ରହିବ ବୋଲି ସେ କହିଥିଲେ।
ଏହି ଅବସରରେ ପ୍ରଧାନମନ୍ତ୍ରୀ ସୁଭଦ୍ରା ହିତାଧିକାରୀ କେନ୍ଦୁଝରର ଅଞ୍ଜଳି ବାରିକ, ରାୟଗଡାର ହୁଣ୍ଡାଡି ୱାଡକା, ବଲାଙ୍ଗିରର ଅହଲ୍ୟା ବନଛୋର, ମୟୁରଭଞ୍ଜର ଭାରତୀ ମୁଣ୍ଡାକୁ ସୁଭଦ୍ରା ଯୋଜନାର ସହାୟତା ରାଶି ପ୍ରଦାନ କରିଥିଲେ ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ ପାଇଁ ଭୁବନେଶ୍ୱରର ଦୁର୍ଗାବତୀ ଭୋଇ ଓ ଶୁଭଶ୍ରୀ ମହାରଣା ଏବଂ ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ଗ୍ରାମୀଣ ପାଇଁ କୋରାପୁଟର ବିଶ୍ୱନାଥ ପ୍ରଧାନୀ ଓ ସମ୍ବଲପୁରର ସୁରୁବାଲି କିଷାନଙ୍କୁ ଘରର ଚାବି ହସ୍ତାନ୍ତର କରିଥିଲେ।
https://youtu.be/K8YvCeBSfkY?si=25cICRZq9nVSr3ox

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking