18.1 C
Bhubaneswar
Saturday, December 6, 2025
Homeଓଡିଶାବିକାଶ ମେଳାରେ ଓଡ଼ିଶାର ବିସ୍ମୃତ ଖାଦ୍ୟର ସ୍ୱାଦକୁ ପୁନର୍ଜୀବିତ କରିଛି “ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ...

ବିକାଶ ମେଳାରେ ଓଡ଼ିଶାର ବିସ୍ମୃତ ଖାଦ୍ୟର ସ୍ୱାଦକୁ ପୁନର୍ଜୀବିତ କରିଛି “ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସବ”

ଭୁବନେଶ୍ୱର: ଏବର୍ଷର ରଜ ପର୍ବ କେବଳ ପାରମ୍ପରିକ ରୀତି-ନୀତିର ପାଳନ ନୁହେଁ, ବରଂ ଏକ ଗଭୀର ସାଂସ୍କୃତିକ ପୁନର୍ଜାଗରଣର ପ୍ରତୀକ। ସମ୍ପ୍ରତି ଭୁବନେଶ୍ୱରର ଇଡ୍‌କୋ ପ୍ରଦର୍ଶନୀ ପଡ଼ିଆରେ ଅନୁଷ୍ଠିତ ହେଉଥିବା ବିକାଶ ମେଳାରେ, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସବରେ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାଙ୍କ ଦ୍ୱାରା ପରିବେଷିତ ଖାଦ୍ୟ, ଓଡ଼ିଶାର ସମୃଦ୍ଧ ପାକକଳାର ପରମ୍ପରାକୁ ପୁନର୍ଜୀବିତ କରିଛି। ୧୧ ଠାରୁ ୧୮ ଜୁନ ୨୦୨୫ ପର୍ଯ୍ୟନ୍ତ ଚାଲୁଥିବା ଏହି ଉତ୍ସବରେ ୨୬ଟି ଷ୍ଟଲ ମାଧ୍ୟମରେ ଗ୍ରାମ୍ୟ ଓ ପାରମ୍ପରିକ ଓଡ଼ିଆ ଖାଦ୍ୟର ସ୍ୱାଦ ପ୍ରଦାନ କରାଯାଇଛି, ଯାହା ପରିଦର୍ଶକଙ୍କୁ ଏକ ଅନନ୍ୟ ଅନୁଭୂତି ପ୍ରଦାନ କରିଅଛି । ଜୁନ ୧୫ ତାରିଖ ସୁଦ୍ଧା ୧୫ ଲକ୍ଷ ଟଙ୍କାରୁ ଅଧିକର ବ୍ୟବସାୟ ଏହି ପ୍ରାଚୀନ ଖାଦ୍ୟ ପରମ୍ପରା ପ୍ରତି ଲୋକଙ୍କ ଗଭୀର ଆଗ୍ରହକୁ ପ୍ରତିଫଳିତ କରୁଛି। ମହୋତ୍ସବର ଶେଷ ଦିନଗୁଡ଼ିକରେ ଏହି ସଂଖ୍ୟା ଆହୁରି ବୃଦ୍ଧି ପାଇବାର ସମ୍ଭାବନା ରହିଛି, ଯାହା ପାରମ୍ପରିକ ଓଡ଼ିଆ ଖାଦ୍ୟ ପ୍ରତି ଲୋକଙ୍କ ଅଭିଳାଷ ଏବଂ ଏହାର ସ୍ଥାୟିତ୍ୱର ପ୍ରମାଣ । ଏହି ଉତ୍ସବ କେବଳ ଖାଦ୍ୟର ମହୋତ୍ସବ ନୁହେଁ, ବରଂ ଓଡ଼ିଶାର ଐତିହ୍ୟ, ସଂସ୍କୃତି, ପରମ୍ପରା ଓ ମହିଳା ସଶକ୍ତିକରଣର ଏକ ଜୀବନ୍ତ ପ୍ରଦର୍ଶନୀ । ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀଙ୍କ କରକମଳରେ ତଥା ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡାଙ୍କ ଉପସ୍ଥିତିରେ ଶୁଭାରମ୍ଭ ହୋଇଥିବା ଏହି ଖାଦ୍ୟ ମହୋତ୍ସବ, ଏବର୍ଷର ରଜ ପର୍ବ ଅବସରରେ ଏକ ପ୍ରମୁଖ ଆକର୍ଷଣ ପାଲଟିଛି । ରାଜଧାନୀବାସୀଙ୍କ ସହିତ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ଆସିଥିବା ପର୍ଯ୍ୟଟକ, ଦର୍ଶକ ଏବଂ ପରିବାରଗୁଡ଼ିକ ଏଠାରେ ପ୍ରଦର୍ଶିତ ସ୍ୱାଦିଷ୍ଟ ଓ ପାରମ୍ପରିକ ଖାଦ୍ୟର ସ୍ୱାଦର ମଜା ଉଠାଉଛନ୍ତି ।

ଖଟା, ମିଠା, ଚଟପଟା ଦହିବରା ଆଳୁଦମ୍‌ଠାରୁ ଆରମ୍ଭ କରି ଛେନାପୋଡ଼, ଖଜା, ରସାବଳି ଓ ମାଲପୁଆ ପର୍ଯ୍ୟନ୍ତ ଏହି ମହୋତ୍ସବରେ ଓଡ଼ିଆ ଖାଦ୍ୟ ସଂସ୍କୃତିର ଏକ ଝଲକ ଦେଖିବାକୁ ମିଳିଛି । ଲାଇଭ୍ ପିଠା କାଉଣ୍ଟରରେ ଗରମ ଚକୁଳି, ଖିରି ଓ ସ୍ୱାଦିଷ୍ଟ ଦୋସା ସାଙ୍ଗକୁ ପାରମ୍ପରିକ ପଦ୍ଧତିରେ ପ୍ରସ୍ତୁତ ଚଟଣି ମଧ୍ୟ ପରିବେଷିତ ହେଉଅଛି । ପଖାଳ, ବିରି ଚକୁଳି, ସିଝା ପିଠା ଭଳି ବିସ୍ମୃତ ପ୍ରାୟ ଖାଦ୍ୟ ସହ ମୁଢ଼ି ମାଂସ, ଚାଉଳ ବରା, ପତ୍ରପୋଡା ଓ ମାଛ ଆମ୍ବିଳ ବେଶ ଲୋକପ୍ରିୟତା ହାସଲ କରିଅଛି । ଏଠାରେ ପ୍ରଦର୍ଶିତ ଖାଦ୍ୟ ପୂର୍ବେ ଓଡ଼ିଆ ରୋଷଶାଳାର ନିତିଦିନିଆ ଅଂଶ ଥିଲା । କାଠ ଚୁଲିରେ ପ୍ରସ୍ତୁତ ଖାଦ୍ୟ ପର୍ବପର୍ବାଣିକୁ ସ୍ୱତନ୍ତ୍ର ମହତ୍ୱ ଦେଉଥିଲା । ବଦଳୁଥିବା ସମୟ ସହ ଫାଷ୍ଟ ଫୁଡ୍ ପ୍ରଭାବରେ ଏହି ପାରମ୍ପରିକ ଖାଦ୍ୟର ସ୍ୱାଦ ଧୀରେ ଧୀରେ ଲୋପ ପାଇବାକୁ ଲାଗୁଥିବା ବେଳେ, ବିକାଶ ମେଳାର ଏହି ଉତ୍ସବମୁଖର ପରିବେଶରେ, ଏହି ବିସ୍ମୃତ ଖାଦ୍ୟକୁ ନେଇ ପରିଦର୍ଶକଙ୍କ ଆଗ୍ରହ ଓଡ଼ିଆ ସଂସ୍କୃତିର ଜୀବନ୍ତ ଇତିହାସକୁ ବଜାୟ ରଖିଛି ।

ଓଡ଼ିଆ ସଂସ୍କୃତି ଏବଂ ଖାଦ୍ୟ, ଚିରନ୍ତନ ଜଡିତ, କାରଣ ଖାଦ୍ୟ କେବଳ ପୋଷଣ ପାଇଁ ନୁହେଁ, ବରଂ ଆମର ପରିଚୟ; ଉତ୍ସବ ଓ ଆତିଥ୍ୟର ଅଭିବ୍ୟକ୍ତି। ରଜ ପର୍ବ ଭଳି ପାରମ୍ପରିକ ଉତ୍ସବ ପିଠା ଓ ମିଠା ପରିବେଷଣ ବିନା ଅସମ୍ପୂର୍ଣ୍ଣ । ଏହି ଉତ୍ସବ ଓଡ଼ିଶାର ଖାଦ୍ୟ ସଂସ୍କୃତିକୁ ସଂରକ୍ଷଣ କରିବା ସହିତ ନୂତନ ପିଢ଼ିକୁ ଏହାର ସମୃଦ୍ଧି ସହିତ ପରିଚିତ କରାଉଛି, ଯାହା ଆମର ସାଂସ୍କୃତିକ ପରମ୍ପରାକୁ ଜୀବନ୍ତ ରଖିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ରାଜ୍ୟ ସରକାରଙ୍କ ମହିଳା ସଶକ୍ତିକରଣ ଦିଗରେ ପ୍ରତିବଦ୍ଧତା ଅନୁଯାୟୀ, ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ଉତ୍ସବ ଏକ ଶକ୍ତିଶାଳୀ ଅର୍ଥନୈତିକ ମଞ୍ଚ ଭାବେ ମଧ୍ୟ ଉଭା ହୋଇଛି। ଏଠାରେ ଷ୍ଟଲ ପରିଚାଳନା କରୁଥିବା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟାମାନେ କେବଳ ପାକକଳାରେ ଧୁରନ୍ଧର ନୁହଁନ୍ତି, ବରଂ ସେମାନେ ହେଉଛନ୍ତି ଉଦ୍ୟୋଗୀ, ଓଡ଼ିଆ ସାଂସ୍କୃତିର ରକ୍ଷକ ଏବଂ ପ୍ରେରଣାଦାୟୀ ନେତ୍ରୀ । ଖାଦ୍ୟ ପରିବେଷଣ ମାଧ୍ୟମରେ ସେମାନେ ନିଜର ରନ୍ଧନ ପ୍ରତିଭାର ପ୍ରଦର୍ଶନ କରିବା ସହ ଅର୍ଥନୈତିକ ଭାବେ ମଧ୍ୟ ସଶକ୍ତ ହୋଇପାରିଛନ୍ତି ।

ଏହି ଉତ୍ସବରେ ବିଭିନ୍ନ ବିସ୍ମୃତ ଉପାଦାନ ଉପଯୋଗରେ ବିଭିନ୍ନ ସ୍ନାକ୍ସ ଓ ବେକାରୀ ଖାଦ୍ୟ ପ୍ରସ୍ତୁତ କରାଯାଇଛି । ମିଲେଟ୍-ଆଧାରିତ କୁକିଜ୍, ଫ୍ୟୁଜନ୍ ବେକଡ୍ ଖାଦ୍ୟ ଓ ସ୍ୱାସ୍ଥ୍ୟକର ପାନୀୟ ଆଦି ସ୍ୱାସ୍ଥ୍ୟ ସଚେତନ ପରିଦର୍ଶକ ଓ ଯୁବାଙ୍କୁ ସମାନ ଭାବେ ଆକର୍ଷିତ କରୁଛି। ଏହି ସହିତ ପାରମ୍ପରିକ ସ୍ନାକ୍ସ ଯେପରିକି ମଗଜି ଲଡୁ, ପିଆଜି, ସରସତିଆ ଓ ପକୋଡ଼ି ସାଙ୍ଗକୁ ଆଧୁନିକ ବେକାରୀ ଫ୍ୟୁଜନ୍, ଆଇସ୍କ୍ରିମ୍ ଓ ଶୀତଳ ପାନୀୟର ପରିବେଷଣ ପ୍ରତ୍ୟେକ ରୁଚି ପାଇଁ ବିଭିନ୍ନ ବିକଳ୍ପ ପ୍ରଦାନ କରୁଛି। ଆଉ ତିନି ଦିନର ବ୍ୟବସାୟିକ ସୁଯୋଗ ସହ, ଏସଏଚଜି ସଦସ୍ୟାଙ୍କ ପରିବେଷିତ ଖାଦ୍ୟ ନିୟମିତ ଦର୍ଶକଙ୍କ ଆଗମନରେ ଆହୁରି ବୃଦ୍ଧି ହେବାକୁ ଯାଉଛି । ଏଭଳି ସୁଯୋଗ ସେମାନଙ୍କୁ ଲକ୍ଷପତି ଦିଦି ହେବାର ପଥରେ ଆଗକୁ ନେବ । ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟଉତ୍ସବ କେବଳ ଖାଦ୍ୟର ମହୋତ୍ସବ ନୁହେଁ। ଏହା ହେଉଛି ସଂସ୍କୃତି, ବ୍ୟବସାୟ ଓ ସଶକ୍ତିକରଣର ଏକ ଶକ୍ତିଶାଳୀ ସଂଯୋଗ, ଯେଉଁଠାରେ ବିସ୍ମୃତ ଖାଦ୍ୟ ନୂତନ ଆର୍ଥିକ ସୁଯୋଗର ରାସ୍ତା ଦେଖାଉଥିବା ବେଳେ ପୁରାତନ ପରମ୍ପରା ଭବିଷ୍ୟତର ନୂତନ ପଥ ପ୍ରସ୍ତର କରୁଅଛି । ମା ମାନେ କେବଳ ଖାଦ୍ୟ ପ୍ରସ୍ତୁତ କରୁନାହାନ୍ତି, ପ୍ରସ୍ତୁତ କରୁଛନ୍ତି ନିଜ ପାଇଁ ଏକ ସ୍ୱାବଲମ୍ବୀ ଓ ବିକଶିତ ଭବିଷ୍ୟତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking