17.1 C
Bhubaneswar
Wednesday, February 11, 2026
Homeଓଡିଶାସୁଭଦ୍ରା ଶକ୍ତି ମେଳା ୨୦୨୫ରେ 'ଏକ ଜିଲ୍ଲା ଏକ ଉତ୍ପାଦ'ର ଉଲ୍ଲେଖନୀୟ ପ୍ରଦର୍ଶନ; ଚାରିଦିନରେ ସମୁଦାୟ...

ସୁଭଦ୍ରା ଶକ୍ତି ମେଳା ୨୦୨୫ରେ ‘ଏକ ଜିଲ୍ଲା ଏକ ଉତ୍ପାଦ’ର ଉଲ୍ଲେଖନୀୟ ପ୍ରଦର୍ଶନ; ଚାରିଦିନରେ ସମୁଦାୟ ବ୍ୟବସାୟ ୧ କୋଟିରୁ ଅଧିକା

ଭୁବନେଶ୍ୱର: ଭୁବନେଶ୍ୱର ଜନତା ମଇଦାନ ଠାରେ ଆୟୋଜିତ ହେଉଥିବା ସୁଭଦ୍ରା ଶକ୍ତି ମେଳା ୨୦୨୫, ଚତୁର୍ଥ ଦିନରେ ମଧ୍ୟ ଦର୍ଶକମାନଙ୍କୁ ମୁଗ୍ଧ କରିଛି। ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୩୦୦ରୁ ଅଧିକ ଷ୍ଟଲ୍ ମାଧ୍ୟମରେ ସ୍ୱୟଂ ସହାୟକ ଗୋଷ୍ଠୀ (SHGs) ଏବଂ ଉତ୍ପାଦକ ଗୋଷ୍ଠୀ (PGs) ଦ୍ୱାରା ଅନନ୍ୟ ଉତ୍ପାଦଗୁଡ଼ିକ ପ୍ରଦର୍ଶିତ ହୋଇଛି। ପାରମ୍ପରିକ ହସ୍ତଶିଳ୍ପ ଏବଂ କଳାକୃତିଠାରୁ ଆରମ୍ଭ କରି ଜୈବିକ ଉତ୍ପାଦ, ସ୍ୱାସ୍ଥ୍ୟ ଏବଂ ସୌନ୍ଦର୍ଯ୍ୟ ସାମଗ୍ରୀ, ମା ମାନଙ୍କ ହାତ ରନ୍ଧା ଖାଦ୍ୟ, ଆସବାବପତ୍ର ଏବଂ ସାଜସଜ୍ଜା ସାମଗ୍ରୀ ପର୍ଯ୍ୟନ୍ତ, ସୁଭଦ୍ରା ଶକ୍ତି ମେଳା ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ ଏବଂ ମହିଳା-ନେତୃତ୍ୱାଧୀନ ଉଦ୍ୟୋଗିତା ପାଇଁ ଏକ ଗନ୍ତବ୍ୟସ୍ଥଳ ଭାବେ ଉଭା ହୋଇଛି।

ଚତୁର୍ଥ ଦିନର ସବୁଠାରୁ ବଡ଼ ଆକର୍ଷଣ ଥିଲା ୱାନ୍ ଡିଷ୍ଟ୍ରିକ୍ଟ ୱାନ୍ ପ୍ରୋଡକ୍ଟ (ODOP) ବା ଏକ ଜିଲ୍ଲା ଏକ ଉତ୍ପାଦ ପ୍ରଦର୍ଶନୀ, ଯେଉଁଠାରେ ଦର୍ଶକମାନେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ସଂଗୃହୀତ ଏବଂ ନିର୍ମିତ ଉତ୍ପାଦର ଏକ ଅନନ୍ୟ ଆକର୍ଷଣ ଦେଖିବାକୁ ପାଇଛନ୍ତି। ଆଜିର ମୁଖ୍ୟ ଆକର୍ଷଣ ମଧ୍ୟରେ ଥିଲା ଅନୁଗୁଳର ଟେରାକୋଟା, କଟକର ତାରକସି, ପୁରୀର ପଟ୍ଟଚିତ୍ର, ସୁବର୍ଣ୍ଣପୁରର ପାଟ ଶାଢ଼ୀ, ଭଦ୍ରକର ଶୁଖୁଆ ମାଛ, ବରଗଡ଼ର ସମ୍ବଲପୁରୀ ହସ୍ତତନ୍ତ, କେନ୍ଦ୍ରାପଡ଼ାର ଗୋଲଡେନ୍ ଗ୍ରାସ୍ ଇତ୍ୟାଦି । ଏହି ଉତ୍ପାଦଗୁଡ଼ିକ ଓଡ଼ିଶାର ପାରମ୍ପରିକ କାରିଗରୀ କୌଶଳକୁ ପ୍ରତିଫଳିତ କରିବା ସହିତ ହଜାର ହଜାର ଏସଏଚଜି ଉଦ୍ୟୋଗୀମାନଙ୍କୁ ନିଜ ଉତ୍ପାଦ ପ୍ରଦର୍ଶନ କରିବାର ଏକ ବିଶାଳ ମଞ୍ଚ ପ୍ରଦାନ କରୁଛି।

ଏହି ଅବସରରେ ବିଶିଷ୍ଟ ଓଲିଉଡ୍ ତାରକା ଶ୍ରୀ ଶ୍ରୀତମ ଦାସଙ୍କ ପରିଦର୍ଶନ ମଧ୍ୟ ଦେଖିବାକୁ ମିଳିଥିଲା । ସେ କାରିଗରମାନଙ୍କ ସହିତ ଦେଖା ସାକ୍ଷାତ କରିବା ସହ ମେଳାରେ ଉପଲବ୍ଧ ହସ୍ତନିର୍ମିତ ଉତ୍ପାଦଗୁଡ଼ିକର ବିବିଧତା ପାଇଁ ପ୍ରଶଂସା ବ୍ୟକ୍ତ କରିଥିଲେ ଯାହା ମହିଳା ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରିଥିଲା । ଚତୁର୍ଥ ଦିବସର ସାଂସ୍କୃତିକ କାର୍ଯ୍ୟକ୍ରମରେ ‘ଯୋଡ଼ି ଶଙ୍ଖ’ ନୃତ୍ୟ ପ୍ରଦର୍ଶନ ଦର୍ଶକମାନଙ୍କୁ ମନ୍ତ୍ରମୁଗ୍ଧ କରିଥିଲା, ଏହାପରେ ପ୍ରଖ୍ୟାତ କଳାକାର ପ୍ରଜ୍ଞାନ ଏବଂ ଶଙ୍କରଙ୍କ ଦ୍ୱାରା ଏକ ହାସ୍ୟକଳା ପ୍ରଦର୍ଶନ ଅନୁଷ୍ଠିତ ହୋଇଥିଲା। ସାଂସ୍କୃତିକ ସନ୍ଧ୍ୟା ଛଉ ନୃତ୍ୟ ପ୍ରଦର୍ଶନ ସହିତ ସମାପ୍ତ ହୋଇଥିଲା । ଚତୁର୍ଥ ଦିବସ ସୁଦ୍ଧା ସମୁଦାୟ ପରିଦର୍ଶକ ସଂଖ୍ୟା ୪୦,୦୦୦ରୁ ଅଧିକରେ ପହଞ୍ଚିଥିବା ବେଳେ ଆଜି ସୁଦ୍ଧା ₹୧ କୋଟି ଟଙ୍କାରୁ ଅଧିକ ମୋଟ ବିକ୍ରୟ ରେକର୍ଡ କରାଯାଇଛି । ବିବିଧ ଆକର୍ଷଣ, ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ମା’ ମାନଙ୍କ ହାତ ତିଆରି ଉତ୍ପାଦର ସମ୍ଭାର ପାଇଁ ଉତ୍ସାହ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଥିବା ବେଳେ ମହିଳା ସଶକ୍ତିକରଣ ଏବଂ ଉଦ୍ୟୋଗିତାର ଏହି ୯ ଦିନିଆ ମହୋତ୍ସବ ୨ ମାର୍ଚ୍ଚ ୨୦୨୫ ପର୍ଯ୍ୟନ୍ତ ଦର୍ଶକମାନଙ୍କୁ ସର୍ବଶ୍ରେଷ୍ଠ ଏସ୍‌ଏଚ୍‌ଜି ଉତ୍ପାଦ, ସ୍ୱାଦିଷ୍ଟ ବ୍ୟଞ୍ଜନ, ସାଂସ୍କୃତିକ ପ୍ରଦର୍ଶନ ଉପଭୋଗ କରିବା ସହ ଏକ ଅତୁଳନୀୟ ଶପିଂ ଅଭିଜ୍ଞତା ପ୍ରଦାନ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking