20.1 C
Bhubaneswar
Thursday, December 5, 2024
Homeଓଡିଶାସୁଭଦ୍ରା ଟଙ୍କା: ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ

ସୁଭଦ୍ରା ଟଙ୍କା: ଡିସେମ୍ବର ୨୫ରେ ମିଳିବ ପ୍ରଥମ କିସ୍ତିର ୪ର୍ଥ ପର୍ଯ୍ୟାୟ

ଭୁବନେଶ୍ୱର: ‘ସୁଭଦ୍ରା’ ଯୋଜନା ଅଧୀନରେ ତୃତୀୟ ପର୍ଯ୍ୟାୟ ସୁଦ୍ଧା ରାଜ୍ୟର ମୋଟ ୮୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କୁ ୫ ହଜାର ଟଙ୍କା ଲେଖାଏଁ ପ୍ରଥମ କିସ୍ତି ଅର୍ଥ ପ୍ରଦାନ କରାଯାଇସାରିଥିବା ବେଳେ ଡିସେମ୍ବର ୨୫ ତାରିଖରେ ୪ ର୍ଥ ପର୍ଯ୍ୟାୟ ହିତାଧିକାରୀଙ୍କୁ ଅର୍ଥ ପ୍ରେରଣ କରାଯିବାକୁ ପ୍ରସ୍ତୁତି ଜାରି ରହିଛି । ଏଥିପାଇଁ ନୂଆ ଆବେଦନକାରୀଙ୍କ ସମେତ ଅଦ୍ୟାବଧି ସହାୟତା ପାଇ ପାରିନଥିବା ଦରଖାସ୍ତକାରୀଙ୍କ ଆବେଦନ ଯାଞ୍ଚ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ଡିସେମ୍ବର ୧ ତାରିଖ ସୁଦ୍ଧା ସୁଭଦ୍ରାରେ ମୋଟ ୧ କୋଟି ୫ ଲକ୍ଷ ୩୬ ହଜାର ୬୧୨ ଆବେଦନ ଗ୍ରହଣ ହୋଇଛି।

ସମସ୍ତ ପ୍ରକ୍ରିୟାର ସୁବ୍ୟବସ୍ଥା ଓ ଯାଞ୍ଚ ପ୍ରକ୍ରିୟାର ଅଗ୍ରଗତି ସମ୍ପର୍କରେ ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ, ମହିଳା ଓ ଶିଶୁ ବିକାଶ ବିଭାଗ ପ୍ରମୁଖ ଶାସନ ସଚିବ ଶୁଭା ଶର୍ମାଙ୍କ ଉପସ୍ଥିତିରେ ସଦ୍ୟତମ ସ୍ଥିତି ଅନୁଧ୍ୟାନ କରିଥିଲେ। ସମସ୍ତ ଜିଲ୍ଲାର ଜିଲ୍ଲାପାଳ ଓ ମହାନଗର ନିଗମର ଉଚ୍ଚ ପଦାଧିକାରୀମାନେ ଏହି ବୈଠକରେ ଆଭାସୀ ମାଧ୍ୟମରେ ଯୋଗଦାନ କରିଥିଲେ। ବୈଠକରେ ସୁଭଦ୍ରା ଆବେଦନ ଯାଞ୍ଚ ପାଇଁ ଗଠିତ କ୍ଷେତ୍ରସ୍ତରୀୟ ଟିମ୍ ମାନଙ୍କର କାର୍ଯ୍ୟ ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା।

ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମର ଆୟୁକ୍ତମାନଙ୍କୁ ଏହି ଟିମ୍ର କାର୍ଯ୍ୟ ଅଗ୍ରଗତି ସଂପର୍କରେ ନିଜେ ଅନୁଧ୍ୟାନ କରିବା ସହିତ ଦୈନିକ ଏହାର ଅଗ୍ରଗତି ତଦାରଖ କରିବାକୁ ବୈଠକରେ ପରାମର୍ଶ ଦିଆଯାଇଥିଲା। ଡିସେମ୍ବର ୬ ତାରିଖ ସୁଦ୍ଧା ଯୋଗ୍ୟ ହିତାଧିକାରୀ ଓ ଅଯୋଗ୍ୟ ତାଲିକା ବ୍ଲକ,ସହରାଞ୍ଚଳ ବା ମହାନଗର ନିଗମ ସ୍ତରରେ ପ୍ରକାଶ କରାଯିବ ଏବଂ ଏହା ପରେ ଆଉ ୭ ଦିନ ପର୍ଯ୍ୟନ୍ତ ଆପତ୍ତି ଗ୍ରହଣ କରାଯିବ। ପୂର୍ବରୁ ଆବେଦନ କରିଥିବା ଯୋଗ୍ୟ ହିତାଧିକାରୀଙ୍କୁ କେଉଁ କାରଣ ଯୋଗୁଁ ସେମାନଙ୍କର ଅର୍ଥ ଅନ୍ଲାଇନ୍ ଯୋଗେ ପ୍ରେରଣ ହୋଇପାରିନାହିଁ, ସେ ସଂପର୍କରେ ଅନୁଧ୍ୟାନ କରାଯାଉଛି ।

ହିତାଧିକାରୀଙ୍କୁ ସିଧାସଳଖ ଅର୍ଥ ପ୍ରେରଣରେ ରହୁଥିବା ସମସ୍ୟା ସଂପର୍କରେ ଅନୁଧ୍ୟାନ କରିବା ପାଇଁ ଅଙ୍ଗନାବାଡ଼ି କର୍ମଚାରୀ ଓ ବ୍ୟାଙ୍କ ମିତ୍ର ଆଦି କ୍ଷେତ୍ରସ୍ତରୀୟ ଯାଂଚ ଟିମର କର୍ମକର୍ତ୍ତାମାନଙ୍କୁ ସେମାନଙ୍କ ପାଖରେ ପହଞ୍ଚି ସଚେତନତାଭିତ୍ତିକ କାର୍ଯ୍ୟକ୍ରମ ବଢ଼ାଇବାକୁ ନିର୍ଦ୍ଦେଶ ଦିଆଯାଇଛି। ଇ-କେୱାଇସି ମୋଡ୍ୟୁଲ ପାଇଁ ହିତାଧିକାରୀଙ୍କୁ ଯେପରି କୌଣସି ଅର୍ଥ ଦେବାକୁ ପଡିବ ନାହିଁ,ତାହାକୁ ନିଶ୍ଚିତ କରିବାକୁ ପରାମର୍ଶ ଦିଆଯାଇଛି। ସେହିପରି ଯେଉଁମାନେ ଏହି ଯୋଜନାରେ ସୁବିଧା ନେବାକୁ ଚାହୁଁ ନାହାଁନ୍ତି, ସେଥିପାଇଁ ‘‘ଅପ୍ଟ୍‌-ଆଉଟ୍‌’’ କରିବା ବ୍ୟବସ୍ଥା ସୁଭଦ୍ରା ପୋର୍ଟାଲରେ ରହିଛି। ୧୮,୭୩୫ ହିତାଧିକାରୀ ୩ ଡିସେମ୍ବର ସୁଦ୍ଧା ଅପ୍ଟ୍ ଆଉଟ୍ କରିସାରିଛନ୍ତି। ଏହା ଦ୍ୱାରା ପ୍ରକାରାନ୍ତରେ ଅନ୍ୟ ଜଣେ ହିତାଧିକାରୀ ଉପକୃତ ହେଉଥିଲେ ସୁଦ୍ଧା, ଏହା ଯଦି ସଂପୃକ୍ତ ହିତାଧିକାରୀଙ୍କ ଇଚ୍ଛାନୁସାରେ ହେଉନଥାଏ, ସେ ବିଷୟରେ ସେମାନଙ୍କୁ ସଚେତନ କରାଯିବାକୁ ବୈଠକରେ ଗୁରୁତ୍ୱ ଦିଆଯାଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking