26.1 C
Bhubaneswar
Thursday, May 1, 2025
Homeଓଡିଶାଛାତ୍ରଛାତ୍ରୀମାନେ ସେବା, କର୍ତ୍ତବ୍ୟ, ଜ୍ଞାନ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶର ସେବା କରିବା...

ଛାତ୍ରଛାତ୍ରୀମାନେ ସେବା, କର୍ତ୍ତବ୍ୟ, ଜ୍ଞାନ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶର ସେବା କରିବା ନିମନ୍ତେ ସଂକଳ୍ପ ନିଅନ୍ତୁ : ରାଜ୍ୟପାଳ

ଭୁବନେଶ୍ୱର: ଛାତ୍ରଛାତ୍ରୀମାନେ ସେବା, କର୍ତ୍ତବ୍ୟ, ଜ୍ଞାନ ଏବଂ ସାହସ ଦ୍ୱାରା ପରିଚାଳିତ ହୋଇ ଦେଶର ସେବା କରିବା ନିମନ୍ତେ ସଂକଳ୍ପ ନେବାକୁ ରାଜ୍ୟପାଳ ଡ. ହରି ବାବୁ କମ୍ଭମ୍‌ପାଟି ଆହ୍ୱାନ ଜଣାଇଛନ୍ତି। ଚଳିତ ଅପ୍ରେଲ ୨୧ ତାରିଖ ଅପରାହ୍ନରେ ସୈନିକ ସ୍କୁଲ ଭୁବନେଶ୍ୱରର ବାର୍ଷିକ ପୁରସ୍କାର ବିତରଣ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ରାଜ୍ୟପାଳ ଏହି ଆହ୍ୱାନ ଜଣାଇଛନ୍ତି। ଏହି ସମାରୋହରେ ଉଦ୍‌ବୋଧନ ଦେଇ ରାଜ୍ୟପାଳ କହିଥିଲେ ଯେ ବାର୍ଷିକ ପୁରସ୍କାର ବିତରଣ ସମାରୋହ ଉତ୍କର୍ଷ ହାସଲ କରିଥିବା ଛାତ୍ରଛାତ୍ରୀ, ସେମାନଙ୍କୁ ଲାଳନ ପାଳନ କରିଥିବା ପିତାମାତା ଏବଂ ଆମ ଦେଶର ଭବିଷ୍ୟତ ଗଢ଼ୁଥିବା ସ୍କୁଲ ପାଇଁ ଏକ ଉତ୍ସବ, ସ୍ୱୀକୃତି ଓ ଗର୍ବର ଦିନ। ଶିକ୍ଷା, କ୍ରୀଡ଼ା, ସହ ପାଠ୍ୟକ୍ରମ କାର୍ଯ୍ୟକଳାପ ଏବଂ ଅନୁକରଣୀୟ ଶୃଙ୍ଖଳାରେ ସଫଳତା ପାଇଁ ସମ୍ମାନିତ / ପୁରସ୍କୃତ ହେଉଥିବା ଛାତ୍ରଛାତ୍ରୀଙ୍କୁ ରାଜ୍ୟପାଳ ଅଭିନନ୍ଦନ ଜଣାଇବା ସହ ଏହା ସେମାନଙ୍କର ଭବିଷ୍ୟତ ଯାତ୍ରାରେ ମାଇଲ୍‌ଖୁଂଟ ହେଉ ଏବଂ ଆହୁରି ଅନେକ ସଫଳତା ପାଇଁ ପ୍ରେରଣା ଦେଉ ବୋଲି କାମନା କରିଥିଲେ। ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ କରିବାରେ ନିଷ୍ଠାପରତା ପାଇଁ ଅଧ୍ୟକ୍ଷ, ଅଧ୍ୟାପକ ଏବଂ ର୍କମଚାରୀଙ୍କର ପ୍ରୟାସକୁ ରାଜ୍ୟପାଳ ପ୍ରଶଂସା କରିଥିଲେ। ଏହି ଗୁରୁତ୍ୱପୂର୍ଣ୍ଣ ଅବସରରେ ଆନନ୍ଦରେ ଅଂଶୀଦାର ହେବା ପାଇଁ ଏକତ୍ରିତ ହୋଇଥିବା ପିତାମାତା, ସଂପର୍କୀୟ ଏବଂ ପୂର୍ବତନ ଛାତ୍ରଙ୍କ ଉପସ୍ଥିତି ବେଶ୍ ଉତ୍ସାହପ୍ରଦ ଏବଂ ସେମାନଙ୍କର ନିରନ୍ତର ପ୍ରୋତ୍ସାହନ, ସମର୍ଥନ ପ୍ରତ୍ୟେକ ଛାତ୍ରଙ୍କ ବିକାଶରେ ସବୁଠାରୁ ଦୃଢ଼ସ୍ତମ୍ଭ ଭାବେ କାର୍ଯ୍ୟକରିବ ବୋଲି ରାଜ୍ୟପାଳ କହିଥିଲେ।

ସୈନିକ ସ୍କୁଲଗୁଡ଼ିକ ସଶସ୍ତ୍ର ବାହିନୀରେ କ୍ୟାରିୟର ପାଇଁ ଯୁବ ମନକୁ ପ୍ରସ୍ତୁତ କରିବା ଏବଂ ସେମାନଙ୍କ ମଧ୍ୟରେ ଦେଶପ୍ରେମ, ଆତ୍ମ-ଅନୁଶାସନ ଏବଂ ନେତୃତ୍ୱର ମୂଲ୍ୟବୋଧ ସୃଷ୍ଟି କରିବା ପାଇଁ ସ୍ଥାପନ କରାଯାଇଥିଲା। ଦଶନ୍ଧି ଦଶନ୍ଧି ଧରି ଏହି ଅନୁଷ୍ଠାନ ଏହାର ଗୌରବମୟ ଇତିହାସ, ପରଂପରା, ଗର୍ବ ଏବଂ ଉତ୍କର୍ଷତା ସହିତ ସେହି ଦୃଷ୍ଟିକୋଣକୁ ବଜାୟ ରଖିଛି। ଏହି ଅନୁଷ୍ଠାନ ଅନେକ ପ୍ରତିଷ୍ଠିତ ଅଧିକାରୀ, ସରକାରୀ କର୍ମଚାରୀ, ବିଭିନ୍ନ ବୃତ୍ତିଧାରୀ ଏବଂ ଦାୟିତ୍ୱବାନ ନାଗରିକଙ୍କୁ ସୃଷ୍ଟି କରିଛି, ଯେଉଁମାନେ ସ୍କୁଲ ଏବଂ ଦେଶ ପାଇଁ ଗୌରବ ଆଣିଛନ୍ତି। ଆଜିର ବିଶ୍ୱ ଦ୍ରୁତଗତିରେ ପରିବର୍ତ୍ତନ ହେବା ସହ ଜଟିଳ ହେଉଛି। ଏପରି ସମୟରେ ସୈନିକ ସ୍କୁଲ ପରି ଅନୁଷ୍ଠାନଗୁଡ଼ିକ ଛାତ୍ରଛାତ୍ରୀମାନଙ୍କୁ କେବଳ ଜ୍ଞାନରେ ନୁହେଁ ବରଂ ସାହସ, ସ୍ପଷ୍ଟତା ଏବଂ ଦୃଢ଼ ନୈତିକ ଦିଗ୍‌ଦର୍ଶନ ସହିତ ସଜ୍ଜିତ କରିଚାଲିବେ। ଶିକ୍ଷାଗତ ଶିକ୍ଷା ସହିତ ଶାରୀରିକ ସୁସ୍ଥତା ଏବଂ ନାଗରିକ ଚେତନା ଉପରେ ରାଜ୍ୟପାଳ ଗୁରୁତ୍ୱାରୋପ କରିଥିଲେ। ଜଳବାୟୁ ପରିବର୍ତନ, ଡିଜିଟାଲ ଦାୟିତ୍ୱବୋଧ, ଜାତୀୟ ସୁରକ୍ଷା, ଲିଙ୍ଗଗତ ସମାନତା ଏବଂ ସାମାଜିକ ନ୍ୟାୟ ଭଳି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗଗୁଡ଼ିକ ବିଷୟରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରିବା ଅତ୍ୟନ୍ତ ଜରୁରୀ ବୋଲି ରାଜ୍ୟପାଳ କହିବା ସହିତ ଯୁବ ସମୁଦାୟ କେବଳ ସଫଳତା ହାସଲକାରୀ ଭାବରେ ନୁହେଁ ବରଂ ଏକ ଉନ୍ନତ ବିଶ୍ୱ ଗଠନ ପାଇଁ ପ୍ରତିବଦ୍ଧ ହେବାକୁ ତଥା ବଡ଼ ସ୍ୱପ୍ନ ଦେଖିବା, କଠିନ ପରିଶ୍ରମ କରିବା, ଦୃଢ଼ ରହିବା ଏବଂ ଉତ୍କର୍ଷତା ହାସଲ କରିବା ନିମନ୍ତେ ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଜଣାଇଥିଲେ।

ଏହି ସମାରୋହରେ ସମ୍ମାନନୀୟ ଅତିଥି ଭାବେ ଯୋଗଦେଇ ରାଜ୍ୟ ମୁଖ୍ୟ ନିର୍ବାଚନ କମିଶନର ମଧୁସୂଦନ ପାଢ଼ୀ ବକ୍ତବ୍ୟ ପ୍ରଦାନ କରିବା ସହିତ ସୈନିକ ସ୍କୁଲ ଭୁବନେଶ୍ୱରର ଗରିମା ତଥା ସଫଳତା ସଂପର୍କରେ ଆଲୋକପାତ କରିଥିଲେ। ଅବସରପ୍ରାପ୍ତ ମେଜର ଜେନେରାଲ ସୁଧାକର ଜୀ ଭିଏସ୍‌ଏସ୍‌, ନିରଞ୍ଜନ ଖୁଂଟିଆ ଏହି ସମାରୋହରେ ବକ୍ତବ୍ୟ ପ୍ରଦାନ କରିଥିବା ବେଳେ ସୈନିକ ସ୍କୁଲର ଅଧ୍ୟକ୍ଷ କର୍ଣ୍ଣେର୍ଲ ବାଲୁ ଭାରଥ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବିତରଣ କରାଯାଇଥିବା ବେଳେ ଏକ ସ୍ମରଣିକା ଉନ୍ମୋଚିତ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking