ରାୟଗଡା: ଅନଲାଇନ୍ ଗେମ୍ ପାଇଁ ଜୀବନ ହାରିଲେ ଛାତ୍ରୀ । ରାୟଗଡା ରାମନାଗୁଡା ଥାନା ଗଣପତିଗୁଡାରେ ଘଟଣାଟି ଘଟିଛି । ଜଣେ ଦଶମ ଶ୍ରେଣୀ ଛାତ୍ରୀ ଅନଲାଇନ୍ ଗେମରେ ଟଙ୍କା ହାରିବା ପରେ ଜୀବନ ହାରିଥିବା ଅଭିଯୋଗ ହୋଇଛି । ନିଜଘର ଶୌଚାଳୟରେ ବେକରେ ଓଢ଼ଣୀ ଦେଇ ଛାତ୍ରୀ ସାଇନା ସାହୁ ଆତ୍ମହତ୍ୟା କରିଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି । ଚଳିତ ବର୍ଷ ଛାତ୍ରୀ ଜଣକ ଦଶମ ଶ୍ରେଣୀ ପରୀକ୍ଷା ଦେଇଥିଲେ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ସହାୟତାରେ ପୋଲିସ୍ ତଦନ୍ତ କରୁଛି । ମୃତ ଦେହକୁ ଜବତ କରିବା ସହ ପୋଷ୍ଟମଟମ୍ ପାଇଁ ଗୁଣୁପୁର ଉପଖଣ୍ଡସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଇଛି ପୋଲିସ୍ । ଛାତ୍ରୀ ଜଣକ ରାମନାଗୁଡ଼ା ହାଇସ୍କୁଲରେ ପଢୁଥିଲେ । କିଛି ଦିନ ହେବ ଅନଲାଇନ ଗେମ୍ ଖେଳୁଥିଲେ ଛାତ୍ରୀ । ପରିବାରର ତାଗିତ୍ ପରେ ବି ସୁଧୁରିନଥିଲେ । ଖେଳରେ ୪ ଲକ୍ଷ ଟଙ୍କା ଜିତିବା ପରେ ମଧ୍ୟ ତାଙ୍କୁ ଟଙ୍କା ମିଳିନଥିଲା । ଛାତ୍ରୀ ଜଣକ ଅନ୍ ଲାଇନ ଗେମ୍ ଖେଳିବା ସଂସ୍ଥା ସହ ଖେଳୁଥିଲେ । ତାଙ୍କ ଅର୍ଥ ପଇଠ କରିବା ପାଇଁ କହିଥିଲେ ନଚେତ୍ ଆତ୍ମହତ୍ୟା କରିବା ପାଇଁ ଧମକ ଦେଉଥିଲେ ଛାତ୍ରୀ । ଏନେଇ ଛାତ୍ରୀର ଜେଜେମା ଓ ସଂମ୍ପର୍କୀୟ ତାଙ୍କୁ ତାଗିତ୍ କରିଥିଲେ । ତେବେ ଟଙ୍କା ନ ମିଳିବାରୁ ସାଇନା ଆତ୍ମହତ୍ୟା କରିଥିବା ପରିବାର ଲୋକ କହିଛନ୍ତି । ସାଇନାଙ୍କ ବାପାଙ୍କ ମୃତ୍ୟୁ ହୋଇ ସାରିଥିବା ବେଳେ ତାଙ୍କ ମା କୁଆଡେ ଚାଲିଯାଇଛନ୍ତି । ଜେଜେମା ପାଖରେ ରହୁଥିଲେ ଛାତ୍ରୀ । ଘଟଣାରେ ପୋଲିସ୍ ତଦନ୍ତ ଜାରି ରଖିଛି ।