କେନ୍ଦୁଝର: ଆଦିବାସୀ ଛାତ୍ରୀ ନିବାସ ପାଇଖାନା ଘରେ ପଡି ଜଣେ ଆଦିବାସୀ ଛାତ୍ରୀଙ୍କ ମୃତ୍ୟୁ ଘଟିଛି । ଆଜି ସକାଳୁ ପାଇଖାନାକୁ ଯାଇଥିବା ବେଳେ ଅସାବଧାନତାବଶତଃ ପଡି ଯାଇଥିଲେ ଛାତ୍ରୀ । ତାଙ୍କ ମୁଣ୍ଡରେ ଶକ୍ତ ଆଘାତ ଲାଗିଥିବା ସ୍କୁଲ କର୍ତ୍ତୃପକ୍ଷ କହିଛନ୍ତି । ଏଣେ ତାଙ୍କୁ ଗୁରୁତର ଅବସ୍ଥାରେ ତେଲକୋଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମିଳିଥିବା ସୂଚନା ଅନୁଯାୟୀ, କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଭୀମାକାଣ୍ଡ ସରକାରୀ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଏହି ଘଟଣା ଘଟିଛି । ତେଲକୋଇ ଥାନା କୁଲାଡେରା ଗ୍ରାମର ଗଣେଶ୍ୱର ନାଏକଙ୍କ ଝିଅ ତେଜସ୍ୱିନୀ ନାୟକ ଛାତ୍ରୀ ନିବାସରେ ରହି ତୃତୀୟ ଶ୍ରେଣୀରେ ପାଠ ପଢୁଥିଲେ । ଆଜି ସକାଳେ ପାଇଖାନା ଘରେ ପଡି ମୃତ୍ୟୁ ହୋଇଥିବା ସ୍କୁଲ କର୍ତ୍ତୃପକ୍ଷ ରହିଛନ୍ତି । ତେବେ ପରିବାର ପକ୍ଷରୁ ସ୍କୁଲ କର୍ତ୍ତୃପକ୍ଷଙ୍କ ଦାୟିତ୍ୱହୀନତା ପାଇଁ ତାଙ୍କ ଝିଅର ମୃତ୍ୟୁ ଘଟିଛି ବୋଲି ମୃତା ଛାତ୍ରୀଙ୍କ ବାପା ଅଭିଯୋଗ କରିଛନ୍ତି ।










