ଚେନ୍ନାଇ: ୨୦୨୬ରେ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ। ତେବେ ଏହାପୂର୍ବରୁ କେନ୍ଦ୍ର ନିର୍ବାଚନ ଆୟୋଗ ତାମିଲନାଡୁରେ ହୁଏତ ଭୋଟର ତାଲିକାର ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) ପ୍ରକ୍ରିୟା ଲାଗୁ କରିବେ। ଏନେଇ ପ୍ରସ୍ତୁତି ମଧ୍ୟ ଆରମ୍ଭ ହୋଇସାରିଥିବା ନିର୍ବାଚନ ଆୟୋଗ ନିଜେ ସ୍ପଷ୍ଟ କରିସାରିଛନ୍ତି। ତେବେ ନିର୍ବାଚନ ଆୟୋଗଙ୍କ ଏପ୍ରକାର ନିଷ୍ପତ୍ତିକୁ ବିରୋଧରେ କରି ତାମିଲନାଡୁ ସରକାର ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ଜଣାପଡିଛି। ରିପୋର୍ଟ ଅନୁସାରେ ତାମିଲନାଡୁରେ ଏବେ କ୍ଷମତାସୀନ ଥିବା ଡିଏମ୍କେ ଦଳର ମୁଖ୍ୟ ତଥା ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ବିଧାନସଭା ନିର୍ବାଚନ ପୂର୍ବରୁ ନିର୍ବାଚନ ଆୟୋଗ ଏଠାରେ ଏସ୍ଆଇଆର୍ ଲାଗୁ କରିବାକୁ ନେଇ ବିରୋଧ କରିଛନ୍ତି। ତାଙ୍କ ନିଜ ଦଳ ଡିଏମ୍କେ ସମେତ ପ୍ରାୟ ୪୮ଟି ରାଜନୈତିକ ଦଳ ଏବେ ଏକଜୁଟ୍ ହୋଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେବେ ଏବଂ ଏସ୍ଆଇଆର୍ ପ୍ରକ୍ରିୟାକୁ ବିଧାନସଭା ନିର୍ବାଚନ ପରେ ଲାଗୁ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିର୍ଦ୍ଦେଶ ଦେବା ଦାବି ଉପସ୍ଥାପନ କରିବେ।
ବିଧାନସଭା ନିର୍ବାଚନ ପରେ ରାଜ୍ୟରେ ଭୋଟର ତାଲିକା ସ୍ୱତନ୍ତ୍ର ସଘନ ସଂଶୋଧନ (ଏସ୍ଆଇଆର୍) କରାଇବା ପାଇଁ ଭାରତର ନିର୍ବାଚନ କମିଶନ (ଇସିଆଇ)ଙ୍କୁ ନିବେଦନ କରି ରବିବାର ମୁଖ୍ୟମନ୍ତ୍ରୀ ଏମ୍କେ. ଷ୍ଟାଲିନ୍ଙ୍କ ନେତୃତ୍ୱରେ ଆହୂତ ଏକ ସର୍ବଦଳୀୟ ବୈଠକରେ ଏକ ସଂକଳ୍ପନାମା ଗୃହୀତ ହୋଇଛି। ଏହି ସଂକଳ୍ପନାମା ନିର୍ବାଚନୀ ଗଣତନ୍ତ୍ରର ସୁରକ୍ଷା ଦୃଷ୍ଟିରୁ ନିଆଯାଇଛି। ତେବେ ଏହି ସଂକଳ୍ପନାମା ଅନୁସାରେ ସର୍ବପ୍ରଥମେ ନିର୍ବାଚନ ଆୟୋଗଙ୍କୁ ବିଧାନସଭା ନିର୍ବାଚନ ପରେ ହିଁ ଏସ୍ଆଇଆରଂ୍ ଲାଗୁ କରିବାକୁ ଅନୁରୋଧ କରାଯିବ। କିନ୍ତୁ ଯଦି ନିର୍ବାଚନ ଆୟୋଗ ବିଧାନସଭା ନିର୍ବାଚନ ପୂର୍ବରୁ ହିଁ ଏସ୍ଆଇଆର୍ ଲାଗୁ କରିବା ନିଷ୍ପତ୍ତିରେ କାଏମ୍ ରୁହନ୍ତି ତେବେ ଡିଏମ୍କେ ବାକି ୪୭ ରାଜନୈତିକ ଦଳଙ୍କ ସହ ମିଶି ସୁପ୍ରିମକୋର୍ଟରେ ଆବେଦନ କରିବାକୁ ବାଧ୍ୟ ହେବ ବୋଲି ବୈଠକରେ ସ୍ଥିର ହୋଇଛି। ସର୍ବଦଳୀୟ ବୈଠକ ପରେ, ଷ୍ଟାଲିନ୍ ନିଜ ଏକ୍ସ ଆକାଉଣ୍ଟରେ ଉଲ୍ଲେଖ କରିଥିଲେ ଯେ, ଏସ୍ଆଇଆର୍ ପଛରେ ପ୍ରକୃତ ଉଦ୍ଦେଶ୍ୟ ହେଉଛି ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡ଼ାଇ ନେବା, ସୁତରାଂ ଏହି ପ୍ରକ୍ରିୟା ବିରୁଦ୍ଧରେ ଠିଆ ହେବା ସମସ୍ତ ରାଜନୈତିକ ଦଳର ଦାୟିତ୍ୱ। ତେବେ ଷ୍ଟାଲିନ୍ ଏହି ଅବସରରେ ଏହା ମଧ୍ୟ ପରାମର୍ଶ ଦେଇଛନ୍ତି ଯେ ଭାରତୀୟ ନିର୍ବାଚନ କମିଶନ ୨୦୨୬ ରାଜ୍ୟ ବିଧାନସଭା ନିର୍ବାଚନ ପରେ ପର୍ଯ୍ୟାପ୍ତ ସମୟ ନେଇ ଭୋଟର ତାଲିକାରେ ଦେଶବ୍ୟାପୀ ସଂଶୋଧନ କରିବା ଉଚିତ୍।
ପ୍ରକାଶ, ପୂର୍ବମାସ ଅର୍ଥାତ୍ ଅକ୍ଟୋବର ୨୭ରେ ତାମିଲନାଡୁ ସମେତ ୧୨ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ (ଯେଉଁଥିରେ ୫ଟି ପ୍ରଦେଶ ମଧ୍ୟ ସାମିଲ ଯେଉଁଠି ୨୦୨୬ରେ ହିଁ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ) କାର୍ଯ୍ୟକାରୀ କରାଯିବ ବୋଲି ନିର୍ବାଚନ ଆୟୋଗ ବିଜ୍ଞପ୍ତି ଜାରି କରିଥିଲେ। ଏଥିରେ ଯେଉଁସବୁ ରାଜ୍ୟରେ ଆସନ୍ତା ବର୍ଷ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବାକୁ ଅଛି ସେଠାରେ ପ୍ରାଥମିକତା ଭିତ୍ତିରେ ଏସ୍ଆଇଆର୍ ଲାଗୁ କରାଯିବ ବୋଲି ଆୟୋଗ ସ୍ପଷ୍ଟ କରିଛନ୍ତି। ନିର୍ବାଚନ ଆୟୋଗ ଏହାକୁ ଏସ୍ଆଇଆର୍ର ୨ୟ ପର୍ଯ୍ୟାୟ ଭାବେ ଅଭହିତ କରିଛନ୍ତି। ତେବେ ତାମିଲନାଡୁ ସରକାର ଏହାକୁ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ ଏବଂ ତାମିଲନାଡୁ ଜନସାଧାରଣଙ୍କ ଭୋଟ୍ ଅଧିକାର ପ୍ରତି ଆକ୍ରମଣ ବୋଲି କୁହାଯିବା ସହ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ୍ କରିବ ବୋଲି କହିଛି। ସୂଚନାଯୋଗ୍ୟ, ବିହାର ଏସ୍ଆଇଆର୍କୁ ନେଇ ଦେଖାଦେଇଥିବା ବିବାଦ ସମ୍ପର୍କୀତ ମାମଲା ଏବେ ସୁପ୍ରିମକୋର୍ଟଙ୍କ ବିଚାରାଧୀନ ରହିଥିବାବେଳେ ତାମିଲନାଡୁ ସମେତ ୧୨ ରାଜ୍ୟରେ ନିର୍ବାଚନ ଆୟୋଗ ଏହି ପ୍ରକ୍ରିୟା ଆରମ୍ଭ କରିବାକୁ ଯାଉଛନ୍ତି। ଏହାକୁ ନେଇ ବିରୋଧୀ ଗୋଷ୍ଠୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ତଥା ବିରୋଧାଭାସ ଦେଖିବାକୁ ମିଳୁଛି।










