30.1 C
Bhubaneswar
Sunday, February 8, 2026
Homeଓଡିଶାଗଳ୍ପ ଓଡ଼ିଆ ଜୀବନ ଓ ଚଳଣିକୁ ପ୍ରଭାବିତ କରିବାରେ ବିଶେଷ ସହାୟକ ହୋଇପାରିଛି

ଗଳ୍ପ ଓଡ଼ିଆ ଜୀବନ ଓ ଚଳଣିକୁ ପ୍ରଭାବିତ କରିବାରେ ବିଶେଷ ସହାୟକ ହୋଇପାରିଛି

ଭୁବନେଶ୍ୱର: ଆଧୁନିକ ଓଡ଼ିଆ କ୍ଷୁଦ୍ର ଗଳ୍ପ ବା ଗଳ୍ପର ଇତିହାସ ଆଜିର ନୁହେଁ। ଏହା ପିଢ଼ି ପରେ ପିଢ଼ି ଯାହାକୁ ରଚନା କରିବାରେ ଅନେକ ଯୁବ ଗାଳ୍ପିକ ଓ ଗାଳ୍ପିକା ବହୁ ପରିଶ୍ରମ କରୁଛନ୍ତି। ଇଂରାଜୀ ଶିକ୍ଷା, ସାହିତ୍ୟ ଓ ସଭ୍ୟତାର ପ୍ରଭାବ ଫଳରେ ପୂର୍ବ ପ୍ରଚଳିତ ବହୁ ଲୋକକାହାଣୀକୁ ନିଜର ଲେଖନୀ ମାଧ୍ୟମରେ ଜନମାନସକୁ ଯେଉଁ ଯୁବ ଗାଳ୍ପିକ ତଥା ଗାଳ୍ପିକାମାନେ ନିଜର ଲେଖକୀୟ ପରିଭାଷା ଦେଖାଇପାରିଅଛନ୍ତି ତାହା ଅତ୍ୟନ୍ତ ମର୍ମସ୍ପର୍ଶୀ ବୋଲି ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ୨୪ ମଇ ୨୦୨୫ ଶନିବାର ଭୁବନେଶ୍ୱରସ୍ଥିତ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ପ୍ରେକ୍ଷାଳୟଠାରେ ଆୟୋଜିତ ଯୁବ ଗାଳ୍ପିକ ସମାବେଶରେ ଆମନ୍ତ୍ରିତ ଅତିଥି ଓ ଯୁବ ଗାଳ୍ପିକ/ଗାଳ୍ପିକାମାନଙ୍କ ଦ୍ୱାରା ମତପ୍ରକାଶ ପାଇଥିଲା।

ଗଳ୍ପ ହେଉଛି ଗତାନୁଗତିକ ଋଜୁମାର୍ଗର ପଥିକ। ଅନ୍ତର୍ନିହିତ ବାସ୍ତବତା ଅପେକ୍ଷା ବହିର୍ବାସ୍ତବତା, ନୈତିକତା ଓ ଆଦର୍ଶବାଦ ଇତ୍ୟାଦିରେ ରଚିତ ଗଳ୍ପଗୁଡ଼ିକରେ ବହୁ ପ୍ରାଧାନ୍ୟ ରହିଅଛି। ଅନେକାଂଶରେ ଗଳ୍ପ ବର୍ଣ୍ଣନାତ୍ମକ ଓ କାହାଣୀ ଆଧାରିତ। ବୃହତ୍ତର ଜୀବନର ବିଭିନ୍ନ ଚିତ୍ରକୁ ବିଭିନ୍ନ କଥାକାରମାନେ ଗଳ୍ପ ମାଧ୍ୟମରେ ବହୁ ଦୃଷ୍ଟାନ୍ତମାନ ଦର୍ଶାଇଥାନ୍ତି। ଏହି ଅବସରରେ ବିଶିଷ୍ଟ ସାହିତ୍ୟିକ ଡକ୍ଟର ମିହିର କୁମାର ସାହୁ, ବିଶିଷ୍ଟ ଗାଳ୍ପିକ ତଥା ଓଡ଼ିଶା ସାହିତ୍ୟ ଏକାଡେମୀର ପୂର୍ବତନ ସଦସ୍ୟ ଡକ୍ଟର ଅରବିନ୍ଦ ରାୟ, ସୁସାହିତ୍ୟିକା ଡକ୍ଟର ହିରଣ୍ମୟୀ ମିଶ୍ରଙ୍କ ସହ ନାଟ୍ୟକାର ଶରତ ଆଚାର୍ଯ୍ୟ ଆଦି ଅତିଥି ଭାବେ ଯୋଗଦାନ କରି ଏହାକୁ ଉଦ୍‌ଘାଟନ କରିଥିଲେ। ଯୋଗଦାନ କରିଥିବା ବହୁ ଗାଳ୍ପିକ ଓ ଗାଳ୍ପିକାଙ୍କୁ ନିଜର ଅଭିନନ୍ଦନ ଜ୍ଞାପନ କରିବା ସହ ଗଳ୍ପର ଜୀବନାଦର୍ଶ ଓ ରଚନାଶୈଳୀ ଯାହାକି ଓଡ଼ିଆ ଜୀବନ ଓ ଚଳଣିକୁ କିପରି ପ୍ରଭାବିତ କରିପାରିଅଛି, ଜୀବନର ବିଭିନ୍ନ ଚିତ୍ରକୁ କିପରି କଥାକାରମାନେ ଗଳ୍ପ ମାଧ୍ୟମରେ ବହୁ ଦୃଷ୍ଟାନ୍ତମାନ ଦର୍ଶାଇଥାନ୍ତି, ଜୀବନର ପ୍ରତ୍ୟେକ ସମସ୍ୟା ଏବଂ ଅନେକ ଘଟଣାବଳୀକୁ କିପରି ଗଳ୍ପ ଦ୍ୱାରା ଏହାର ଭାଷା ଓ ଶୈଳୀକୁ ଗାଳ୍ପିକ କିପରି ଲେଖକୀୟ ଆବୃତ୍ତି କରିଅଛନ୍ତି ଏହା ଉପରେ ଆମନ୍ତ୍ରିତ ଗାଳ୍ପିକ ଓ ଗାଳ୍ପିକାଙ୍କ ଦ୍ୱାରା ବିଶଦ ଭାବେ ଆଲୋଚନା କରାଯାଇଥିଲା।

ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡକ୍ଟର ଚନ୍ଦ୍ରଶେଖର ହୋତା ପାରମ୍ପରିକ ଭାବରେ ଏହି ଯୁବ ଗାଳ୍ପିକ ସମାବେଶରେ ଆମନ୍ତ୍ରିତ ଅତିଥି, ଯୁବ ଗାଳ୍ପିକ ଓ ଗାଳ୍ପିକାଙ୍କ ସଦୟ ଯୋଗଦାନକୁ ଭୂୟସୀ ପ୍ରଶଂସା କରିବା ସହ ଗଳ୍ପର ସଂଜ୍ଞାକୁ କିପରି କଥାକାରମାନେ ପ୍ରାଧାନ୍ୟ ଦେଇପାରିଅଛନ୍ତି ଏ ସଂପର୍କରେ ବକ୍ତବ୍ୟ ଉପସ୍ଥାପନ କରିଥିଲେ। ଏହି ସମାବେଶରେ ଶତାଧିକ ଯୁବ ଗାଳ୍ପିକ/ଗାଳ୍ପିକାମାନେ ଆଲୋଚ୍ୟ ବିଷୟବସ୍ତୁ ଯଥା- “ଆମ ଗଳ୍ପର ଅତୀତ, ବର୍ତ୍ତମାନ ଓ ଭବିଷ୍ୟତ’, “ଆଜିର ଗଳ୍ପରେ ଗାଳ୍ପିକର କାନ୍‌ଭାସ୍‌’, “ଓଡ଼ିଆ ଗଳ୍ପରେ ଅସ୍ମିତାର ଚିତ୍ର ଓ ଚରିତ୍ର’, “ସାମ୍ପ୍ରତିକ ଓଡ଼ିଆ ଗଳ୍ପର ଧାରାରେ ମୋ ଗଳ୍ପ’ ଓ “ସମକାଳୀନ ଓଡ଼ିଆ ଗଳ୍ପରେ ଓଡ଼ିଆପଣ’ ଶୀର୍ଷକ ବିଷୟବସ୍ତୁ ଆଧାରରେ ନିଜ ନିଜର ମନ୍ତବ୍ୟ ଉପସ୍ଥାପନ କରିଥିଲେ। ଏକାଡେମୀର ସହ-ସଚିବ ଶ୍ରୀ ସଞ୍ଜୟ କୁମାର ଛୁଆଳସିଂହ ଗଳ୍ପ ସମ୍ବନ୍ଧୀୟ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ। ଏଥିରେ ଜ୍ଞାନୀଗୁଣୀ, ସଜ୍ଜନମଣ୍ଡଳୀ, ଯୁବ ଗାଳ୍ପିକ/ଗାଳ୍ପିକା, ସାମ୍ବାଦିକ ବନ୍ଧୁ ଆଦି ଯୋଗଦାନ କରି ଯୁବ ଗାଳ୍ପିକ ସମାବେଶକୁ ସଫଳତା ପାଇବା ଦିଗରେ ଏହାକୁ ଅତ୍ୟନ୍ତ ପ୍ରଶଂସା କରିବା ସହ ଏଥିରେ ସଂପୂର୍ଣ୍ଣ ଭାବେ ସହଯୋଗ ପ୍ରଦାନ କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking