ଭୁବନେଶ୍ୱର: ଗତ ୧ ବର୍ଷ ମଧ୍ୟରେ ଓଡ଼ିଶାର ଶିଳ୍ପାୟନ ସ୍ଥିତିକୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ପରିସଂଖ୍ୟାନ ବାସ୍ତବତା ଠାରୁ ବହୁ ଦୂରରେ ବୋଲି ବିଜୁଜନତା ଦଳ କହିଛି । ଆଜି ଏକ ପ୍ରେସ୍ ବିବୃତିରେ ଦଳର ଗଣମାଧ୍ୟମ ସଂଯୋଜକତଥା ମୁଖପାତ୍ର ଡ଼.ଲେନିନ ମହାନ୍ତି କହିଛନ୍ତି ଯେ, ଡବଲଇଞ୍ଜିନ ସରକାରରେ ରାଜ୍ୟର ଶିଳ୍ପାୟନ ସ୍ଥିତି ନୈରାଶ୍ୟଜନକ । ଡ଼. ମହାନ୍ତି ଆହୁରି କହିଥିଲେ ଯେ, ଓଡ଼ିଶା ୨୦୨୩-୨୪ ବର୍ଷରେ ଶ୍ରେଷ୍ଠ ନିବେଶଯୋଗ୍ୟ ରାଜ୍ୟ ଭାବେ କେନ୍ଦ୍ରଶିଳ୍ପ ଓ ବାଣିଜ୍ୟମନ୍ତ୍ରାଳୟ ଦ୍ୱାରା ଏବଂ ୨୦୨୨-୨୩ ବର୍ଷରେ ଦ୍ୱିତୀୟ ସର୍ବାଧିକ ନିବେଶ ଆକୃଷ୍ଟକାରୀ ରାଜ୍ୟ ଭାବେ ରିଜର୍ଭବ୍ୟାଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା । ଏମ୍ଏସ୍ଏମ୍ଇ କ୍ଷେତ୍ରରେ ୨୦୨୩-୨୪ ବର୍ଷରେ ଶ୍ରେଷ୍ଠ ରାଜ୍ୟ ଭାବେ ଓଡ଼ିଶା ପୁରସ୍କୃତ ହୋଇଥିଲା ।
ପୂର୍ବତନ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ସମ୍ପନ୍ନ ନେତୃତ୍ୱ ଓ ସ୍ୱଚ୍ଛ ନୀତି ଫଳରେ ଓଡ଼ିଶା ଇସ୍ପାତ ଉତ୍ପାଦନରେ ୧୫ ଗୁଣା, ସିମେଣ୍ଟରେ ୨୨ ଗୁଣା, ଆଲୁମିନିୟମରେ ୭.୫ ଗୁଣା ଓ ଶକ୍ତି ଉତ୍ପାଦନରେ ୩.୫ ଗୁଣା ଅଭିବୃଦ୍ଧି ହାସଲ କରିପାରିଥିଲା । ଅପରପକ୍ଷରେ ଡବଲଇଞ୍ଜିନ ସରକାର ଆସିବା ପରଠାରୁ ଗତ ୧ ବର୍ଷ ମଧ୍ୟରେ ଓଡ଼ିଶା ପ୍ରତି ନିବେଶକଙ୍କ ଆସ୍ଥା ଓ ଭରସା କମି ଯାଉଥିବା ପରିଲକ୍ଷିତ ହେଉଛି । ୪୦ ହଜାର କୋଟି ଟଙ୍କା ବ୍ୟୟ ଅଟକଳରେ କଟକର ନରାଜଠାରେ ପ୍ରତିଷ୍ଠା ହେବାକୁ ଥିବା ଜେଏସ୍ଡବ୍ଲୁର ବୈଦ୍ୟୁତିକ ଯାନ ଓ ବ୍ୟାଟେରୀ ଉତ୍ପାଦନ ପ୍ରକଳ୍ପ ଆଜି ମହାରାଷ୍ଟ୍ର ମୁହାଁ । କେନ୍ଦ୍ରାପଡ଼ା ଜିଲ୍ଲାରେ ହେବାକୁ ଥିବା ଆର୍ସେଲର ମିତ୍ତଲ-ନିପ୍ପନ ଷ୍ଟିଲ ପ୍ଲାଣ୍ଟ ପ୍ରକଳ୍ପ ଆନ୍ଧ୍ରକୁ ଚାଲିଯିବା ଏକ ପ୍ରକାର ନିଶ୍ଚିତ ବୋଲି ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି ।
ଭୁବନେଶ୍ୱରର ଅନ୍ଧାରୁଆ ଠାରେ ଭାରତ ବାୟୋଟେକ୍ରଟୀକା ଉତ୍ପାଦନ କେନ୍ଦ୍ର ପୂର୍ଣ୍ଣ କାର୍ଯ୍ୟକ୍ଷମ ଅବସ୍ଥାକୁ ଆସିଥିଲେ ମଧ୍ୟ, ରାଜ୍ୟ ନେତୃତ୍ୱ ଉପରେ ଭରସା କରିନପାରି ଅନ୍ୟ ରାଜ୍ୟକୁ ଚାଲିଯିବା ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଉଛି । ବିଜେଡି ସରକାର ସମୟରେ ନବୀନ ବାବୁଙ୍କ ନେତୃତ୍ୱ ଉପରେ ଭରସାକରି ଅନେକ ନିବେଶକ ଓଡ଼ିଶାରେ ନିବେଶ କରିବା ସକାଶେ ଆକୃଷ୍ଟ ହେଉଥିଲେ । କିନ୍ତୁ ଆଜି ରାଜ୍ୟର ଆଇନ ଶୃଙ୍ଖଳାସ୍ଥିତି ଓ ଦିଗହରା ଶାସନ ବ୍ୟବସ୍ଥା ଲାଗି ନିବେଶକମାନେ ଓଡ଼ିଶାରୁ ମୁହଁ ଫେରାଇ ନେଉଛନ୍ତି । ଏଭଳି ସ୍ଥିତିରେ ଶିଳ୍ପାୟନ କ୍ଷେତ୍ରରେ ରାଜ୍ୟ ସରକାର ନିଜ ପିଠି ନିଜେ ଥାପୁଡ଼େଇବା ପରିବର୍ତ୍ତେ ନବୀନ ସରକାର ଅମଳରେ ହୋଇଥିବା ଓଡ଼ିଶା ବିକାଶର ଧାରାକୁ ପ୍ରତିବଦ୍ଧତାର ସହ ଆଗକୁ ବଢ଼ାନ୍ତୁ ବୋଲି ଡ଼. ମହାନ୍ତି କହିଥିଲେ ।










