20.1 C
Bhubaneswar
Thursday, February 12, 2026
Homeଓଡିଶାରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ: ପାପଡ଼ାହାଣ୍ଡି ଘଟଣା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ରକ୍ତାକ୍ତ ସ୍ୱାକ୍ଷର

ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ପାଳିତ: ପାପଡ଼ାହାଣ୍ଡି ଘଟଣା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ରକ୍ତାକ୍ତ ସ୍ୱାକ୍ଷର

ଭୁବନେଶ୍ୱର: ୧୯୪୨ ମସିହାର ଭାରତ ଛାଡ଼ ଆନ୍ଦୋଳନ ସମୟରେ ସମସ୍ତ ଦେଶରେ ଯେପରି ବିଦ୍ରୋହର ଅଗ୍ନି ପ୍ରଜ୍ୱଳିତ ହୋଇଥିଲା, ସେହିପରି ଭାବେ ଓଡ଼ିଶା ମାଟିରେ ମଧ୍ୟ ପ୍ରଜାମାନଙ୍କର ଦେଶଭକ୍ତିର ସ୍ୱର ଗୁଞ୍ଜରିତ ହୋଇଥିଲା । ଭାରତର ସ୍ୱାଧୀନତା ସଂଗ୍ରାମ ସମୟରେ ବ୍ରିଟିଶ ପୋଲିସଙ୍କ ବର୍ବରୋଚିତ ଗୁଳିକାଣ୍ଡ ଯାହା ୧୯୪୨ ମସିହା ଅଗଷ୍ଟ ୨୪ ତାରିଖ ଦିନ ପାପଡ଼ାହାଣ୍ଡିର ମାଟିରେ ରକ୍ତରଞ୍ଜିତ ଇତିହାସ ଲେଖା ଯାଇଥିଲା । ନବରଙ୍ଗପୁର ଜିଲ୍ଲାର ତୁରୀ ନଦୀ କୂଳରେ ପାପଡାହାଣ୍ଡିରେ ବ୍ରିଟିଶମାନେ ଜାଲିଆନାାଲା ବାଗ ହତ୍ୟାକାଣ୍ଡର ପୁନରାବୃତ୍ତି କରିଥିଲେ, ଯେଉଁଠାରେ ମହାତ୍ମା ଗାନ୍ଧୀଙ୍କ ପ୍ରାୟ ହଜାର ହଜାର ଅନୁଗାମୀ ଅଗଷ୍ଟ ୨୪, ୧୯୪୨ରେ ପୋଲିସ କାର୍ଯ୍ୟାନୁଷ୍ଠାନର ଶିକାର ହୋଇଥିଲେ । ଗୁଳିଚାଳନା ସମୟରେ କେବଳ ୧୯ ଜଣ ସଂଗ୍ରାମୀ ପ୍ରାଣ ହରାଇ ନଥିଲେ ବରଂ ଢେର ଅଧିକ ସଂଗ୍ରାମୀ ଆହତ ହୋଇଥିଲେ ଏବଂ ଅନେକ କାରାଦଣ୍ଡ ଭୋଗୁଥିବା ସମୟରେ ମୃତୁ୍ୟ ବରଣ କରିଥିଲେ । ପାପଡ଼ାହାଣ୍ଡି ଘଟଣା କେବଳ ଏକ ସ୍ଥାନୀୟ ପ୍ରଜାବିଦ୍ରୋହ ନୁହେଁ ଏହା ଓଡ଼ିଶାର ସ୍ୱାଧୀନତା ସଂଗ୍ରାମର ରକ୍ତାକ୍ତ ସ୍ୱାକ୍ଷର ବୋଲି ଅତିଥିମାନେ ଉଲ୍ଲେଖ କରିଛନ୍ତି ।

ସୂଚନା ଓ ଲୋକସଂପର୍କ ବିଭାଗ ଏବଂ ଶବରୀ ସାଂସ୍କୃତିକ ସଂସଦର ମିଳିତ ଆନୁକୂଲ୍ୟରେ ଆଜି ସନ୍ଧ୍ୟାରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ରାଜ୍ୟସ୍ତରୀୟ ଆତ୍ମୋତ୍ସର୍ଗ ଦିବସ ସମାରୋହରେ ଉଦ୍‌ବୋଧନ ଦେଇ ବିଦ୍ୟାଳୟ ଓ ଗଣଶିକ୍ଷା, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆବର୍ଗ କଲ୍ୟାଣ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ କହିଲେ ଯେ ପାପଡ଼ାହାଣ୍ଡି ଘଟଣା ଓଡିଶା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଏକ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର । ଭାରତଛାଡ଼ ଆନ୍ଦୋଳନ କେବଳ ଏକ ସ୍ଲୋଗାନ ନଥିଲା ଏହା ଭାରତ ଆତ୍ମାର ଚିତ୍କାର ଥିଲା । ସ୍ୱାଧୀନତା ଆନ୍ଦୋଳନକୁ ପ୍ରତିହତ କରିବା ଉଦେଶ୍ୟରେ ପାପଡାହାଣ୍ଡିରେ ବ୍ରିଟିଶମାନଙ୍କ ବର୍ବାରୋଚିତ ହତ୍ୟାକାଣ୍ଡ ଜାଲିଆନାୱାଲାବାଗ ହତ୍ୟାକାଣ୍ଡ ଠାରୁ କୌଣସି ଗୁଣରେ କମ ନଥିଲା ।

ମନ୍ତ୍ରୀ ଶ୍ରୀ ଗଣ୍ଡ ପାପଡ଼ାହାଣ୍ଡି ଘଟଣା ସ୍ୱାଧୀନତା ସଂଗ୍ରାମ ଇତିହାସରେ ଓଡ଼ିଶାର ଏକ ବିରଳ ଓ ଗୁରୁତ୍ୱପୂର୍ଣ୍ଣ ସ୍ୱାକ୍ଷର ବୋଲି ଅଭିହିତ କରି ସ୍ୱାଧୀନତାକୁ ଅକ୍ଷୁଣ୍ଣ ରଖିବା ନିମନ୍ତେ ପ୍ରତିଜ୍ଞାବଦ୍ଧ ହେବା ପାଇଁ ଯୁବପିିଢ଼ିଙ୍କୁ ଆହ୍ୱାନ ଦେଇଥିଲେ । ସ୍ୱାଧୀନତା ନିମନ୍ତେ ନବରଙ୍ଗପୁର ପରି ଏକ ଆଦିବାସୀବହୁଳ ଅଞ୍ଚଳର ଜନସାଧାରଣ ଯେପରି ତ୍ୟାଗ ସ୍ୱୀକାର କରିଥିଲେ ତାହା ଉତ୍ତରପିିଢ଼ିଙ୍କୁ ସବୁବେଳେ ଅନୁପ୍ରାଣିତ କରୁଥିବ । ସେ କହିଥିଲେ ଯେ ଆଜିର ଦିବସ କେବଳ ଶ୍ରଦ୍ଧାଞ୍ଜଳିର ଦିବସ ହେବା ଉଚିତ ନୁହେଁ ସେମାନଙ୍କ କଷ୍ଟଲବ୍ଧ ସ୍ୱାଧୀନତାକୁ ଆମେ ଉପଲବ୍ଧି କରିବା ସହିତ ଏକ ସମୃଦ୍ଧ ଭାରତ ଗଠନ ଦିଗରେ ସଂକଳ୍ପ ନେବା ଦରକାର । ବିଶିଷ୍ଟ ଅତିଥି ଭାବେ ନବରଙ୍ଗପୁର ସାଂସଦ ଶ୍ରୀଯୁକ୍ତ ବଳଭଦ୍ର ମାଝୀ କହିଲେ ଯେ ସ୍ୱାଧୀନତା ସଂଗ୍ରାମରେ ଅବିଭକ୍ତ କୋରାପୁଟ ଜନଜାତିର ଅବଦାନକୁ ଭୁଲିବାର ନୁହେଁ । ଏହା ଉପରେ ଅଧିକ ଗବେଷଣା ସହିତ ଅଧିକ ତଥ୍ୟ ଲୋକଲୋଚନକୁ ଆସିବା ଦରକାର ବୋଲି ଉଲ୍ଲେଖ କରି ସେ ପାପଡ଼ାହାଣ୍ଡି ସଂଗ୍ରାମର ବିଭିନ୍ନ ଦିଗ ସଂପର୍କରେ ଆଲୋକପାତ କରିଥିଲେ ।

ମୁଖ୍ୟବକ୍ତା ଭାବେ ଯୋଗଦେଇ ବିଶିଷ୍ଟ ଗାନ୍ଧିବାଦୀ ଚିନ୍ତକ ଏବଂ ସ୍ତମ୍ଭକାର ଶ୍ରୀଯୁକ୍ତ ପ୍ରହଲ୍ଲାଦ ସିଂହ କହିଲେ ଯେ ଭାରତ ଛାଡ଼ ଆନ୍ଦୋଳନର ଆହ୍ୱାନ ପରେ ଅବିଭକ୍ତ କୋରାପୁଟ ଜିଲ୍ଲାର ପ୍ରଜାମାନେ ଇଂରେଜ ଶାସନକୁ ପ୍ରତିବାଦ କରିଥିଲେ । ସମଗ୍ର ଦେଶରେ ଯେପରି ବିଦ୍ରୋହର ଅଗ୍ନି, ସେହିପରି ଓଡ଼ିଶାର ପାପଡ଼ାହାଣ୍ଡିର ପ୍ରଜାମାନଙ୍କ ମନରେ ମଧ୍ୟ ଦେଶଭକ୍ତିର ଜ୍ୱାଳା ପ୍ରଜ୍ୱଳିତ ହୋଇଥିଲା । ସେହି ସମୟରେ ପାପଡ଼ାହାଣ୍ଡି ଅଞ୍ଚଳରେ ସ୍ଥାନୀୟ ଅନୁସୂଚିତ ଜନଜାତିର କୃଷକ, ଶ୍ରମିକ ଓ ଯୁବକମାନେ ସ୍ୱାଧୀନତା ପାଇଁ ଦୃଢ଼ ସଂକଳ୍ପ ନେଇଥିଲେ । ନବରଙ୍ଗପୁର ଜିଲ୍ଲାର ତୁରୀ ନଦୀ କୂଳରେ ପାପଡାହାଣ୍ଡିରେ ବ୍ରିଟିଶମାନେ ଜାଲିଆନାୱାଲାବାଗ ହତ୍ୟାକାଣ୍ଡର ପୁନରାବୃତ୍ତି କରିଥିଲେ । ବ୍ରିଟିଶମାନଙ୍କର ବର୍ବାରୋଚିତ ଆକ୍ରମଣରେ ୧୯ ଜଣ ନୁହେଁ, ବରଂ ୮୩ ଜଣ ଏଠାରେ ଶହୀଦ ହୋଇଥିଲେ । ତେଣୁ ଏହାକୁ ରକ୍ତତୀର୍ଥ ପାପଡ଼ାହାଣ୍ଡି ବୋଲି ଅଭିହିତ କରାଯାଏ, ଯାହା ଓଡିଶା ସ୍ୱାଧୀନତା ସଂଗ୍ରାମ ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ବୋଲି ଉଲ୍ଲେଖ କରିଥିଲେ ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ କୋରାପୁଟ ବିଧାୟକ ଶ୍ରୀଯୁକ୍ତ ରଘୁରାମ ମାଛ ପାପଡ଼ାହାଣ୍ଡି ଘଟଣା ଭାରତର ସ୍ୱାଧୀନତା ସଂଗ୍ରାମ ଇତିହାସରେ ନବରଙ୍ଗପୁର ଜନଜାତିର ଯୋଗଦାନ ଓଡିଶା ସ୍ୱାଧୀନତା ସଂଗ୍ରାମର ଏକ ପାହାଚ । ସେ କହିଥିଲେ ଯେ ଭାରତଛାଡ଼ ଆନ୍ଦୋଳନର ସ୍ୱର ପାପଡ଼ାହାଣ୍ଡିରେ ତୀବ୍ର ଭାବେ ଗୁଞ୍ଜରିତ ହୋଇଥିଲା । ଏହି ସଂଗ୍ରାମୀମାନଙ୍କ ବଳିଦାନର ଭିତ୍ତିଭୂମି ଉପରେ ଆମ ଦେଶ ଭାରତବର୍ଷ ଠିଆ ହୋଇଛି ଏବଂ ଆମେ ସ୍ୱାଧୀନତାର ଆନନ୍ଦ ନେଉଛେ ବୋଲି ସେ ଉଲ୍ଲେଖ କରିଥିଲେ । ସୂଚନା ଓ ଲୋକସଂପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଅନୁଜ କୁମାର ଦାସ ପଟ୍ଟନାୟକ ସ୍ୱାଗତ ଭାଷଣ ଅବସରରେ ଭାରତ ସ୍ୱାଧୀନତା ସଂଗ୍ରାମର ଅଂଶ ବିଶେଷ ରକ୍ତତୀର୍ଥ ପାପଡାହାଣ୍ଡିର ତୁରୀ ନଦୀ ତଟରେ ସଂଘଟିତ ଏହି ବର୍ବରୋଚିତ ଗୁଳିକାଣ୍ଡ ଅନେକ ଦୃଷ୍ଟିରୁ ଗୁରୁତ୍ୱପୂର୍ଣ୍ଣ ବୋଲି ପ୍ରକାଶ କରିଥିଲେ । ସେ ରକ୍ତତୀର୍ଥ ପାପଡାହାଣ୍ଡି ସଂଗ୍ରାମର ଇତିହାସର ବ୍ୟାଖାନ ସହ ସ୍ୱାଧୀନତା ସଂଗ୍ରାମୀମାନଙ୍କର ଆତ୍ମୋତ୍ସର୍ଗ ବଳରେ ଆମେ କଷ୍ଟଲବ୍ଧ ସ୍ୱାଧୀନତା ପାଇଛେ ବୋଲି ପ୍ରକାଶ କରିଥିଲେ ।

ଶବରୀ ସାଂସ୍କୃତିକ ସଂସଦର ପ୍ରତିଷ୍ଠାତା ସଦସ୍ୟ ଡଃ ଗୋଦାବରୀଶ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । କାର୍ଯ୍ୟକ୍ରମ ଆରମ୍ଭରେ ଆଶା ମୁକୁଳ ବାରିକ ଏବଂ ସାଥୀଙ୍କ ଦ୍ୱାରା ପ୍ରାରମ୍ଭିକ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା । ଦିପ୍ତୀରଂଜନ ସାହୁ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଶବରୀ ସାଂସ୍କୃତିକ ସଂସଦର ବରିଷ୍ଠ ସଦସ୍ୟ ପ୍ରଫେସର ହୃଦୟ ରଞ୍ଜନ ଶତପଥୀ, ସମ୍ପାଦକ ନୀଳମାଧବ ଦାଶ ଏବଂ କୋଷାଧ୍ୟକ୍ଷ ଯଶୋବନ୍ତ ଜୈନ ପ୍ରମୁଖ ସମାରୋହରେ ଯୋଗଦେଇଥିଲେ । କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଉପ ନିର୍ଦ୍ଦେଶକ ଶ୍ରୀମତୀ ଦିପ୍ତିମୟୀ ମହାପାତ୍ର, ଶ୍ରୀମତୀ ସୁଚେତା ପ୍ରିୟଦର୍ଶିନୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀ, ବହୁ ବୁଦ୍ଧିଜୀବୀ, ମାନ୍ୟଗଣ୍ୟ ବ୍ୟକ୍ତି ଓ ଗଣମାଧ୍ୟମ ପ୍ରତିନିଧି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking