18.1 C
Bhubaneswar
Wednesday, February 4, 2026
Homeଓଡିଶାକସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନମାନଙ୍କୁ ସଶକ୍ତ କରିବା ନିମନ୍ତେ ରାଜ୍ୟସ୍ତରୀୟ ପାଞ୍ଚ ଦିନିଆ ପ୍ରଶିକ୍ଷଣ...

କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ୱାର୍ଡେନମାନଙ୍କୁ ସଶକ୍ତ କରିବା ନିମନ୍ତେ ରାଜ୍ୟସ୍ତରୀୟ ପାଞ୍ଚ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ

ଭୁବନେଶ୍ବର:  ଓଡିଶା ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଅଧିନରେ ଥିବା କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟର ୱାର୍ଡେନମାନଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ମାଷ୍ଟର ଟ୍ରେନର ମାନଙ୍କର ୫ ଦିନିଆ ଆବାସିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦଘାଟିତ ହୋଇଯାଇଛି । ଭାରତ ସରକାରଙ୍କ ନ୍ୟାସନାଲ ଇନଷ୍ଟିଚ୍ୟୁଟ ଅଫ୍ ଏଜୁକେଶନାଲ ପ୍ଲାନିଂ ଆଣ୍ଡ ଆଡମିନିଷ୍ଟ୍ରେସନ (ନିପା) ଏବଂ ଭୁବନେଶ୍ବରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ମିଳିତ ପ୍ରୟାସରେ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । କାର୍ଯ୍ୟକ୍ରମରେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ, ଅତିରିକ୍ତ ନିର୍ଦ୍ଦେଶକ ଶ୍ରୀମତୀ ସଂଗୀତା ବେହେରା, ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ, ନିପା, ନୂଆଦିଲ୍ଲୀର ପ୍ରକଳ୍ପ ନିର୍ଦ୍ଦେଶକ ଡ଼. ସାନ୍ତ୍ୱନା ମିଶ୍ର, ଓସେପାର ଯୁଗ୍ମ ନିର୍ଦେଶକ ଡକ୍ଟର ସନ୍ତୋଷ କୁମାର ରାଉତ, ଆଞ୍ଚଳିକ ପ୍ରତିଷ୍ଠାନର କୋର୍ଡିନେଟର ଡ଼. ସରିତା ଏମ୍, ଜେଣ୍ଡର କୋର୍ଡିନେଟର ଲହରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ ।

ଉଦଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓସେପାର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀମତୀ ଅନନ୍ୟା ଦାସ ଯୋଗ ଦେଇ ପ୍ରଶିକ୍ଷଣର ଆବଶ୍ୟକତା ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଛନ୍ତି, ବାଳିକାମାନଙ୍କର ଶିକ୍ଷାକୁ ସମର୍ଥନ କରିବା, ସେମାନଙ୍କ ସମସ୍ୟା ସମ୍ପର୍କରେ ସମ୍ବେଦନଶୀଳ ହେବା ୱାର୍ଡେନମାନଙ୍କ ଦାୟିତ୍ବ । ଏଥିସହ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ସ୍କୁଲ ଛାଡୁଥିବା ଛାତ୍ରୀମାନଙ୍କର ସଂଖ୍ୟା ବଢ଼ାଇବା ପାଇଁ ଚାଲିଥିବା ପ୍ରୟାସ ଉପରେ ଗୁରୁତ୍ବାରୋପ କରିବା ସହ ଶିଶୁ କୈନ୍ଦ୍ରିକ ଶିକ୍ଷାଦାନ ଉପରେ ଆଲୋଚନା କରିଥିଲେ । ସେହିପରି ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ମାନସୀ ଗୋସ୍ୱାମୀ ଉପସ୍ଥିତ ରହି ହଷ୍ଟେଲରେ ରହୁଥିବା ବାଳିକାମାନଙ୍କ ମାନସିକ ଓ ଶାରୀରିକ ସୁସ୍ଥତା ସୁନିଶ୍ଚିତ କରିବା, ଆତ୍ମରକ୍ଷା, ସ୍ୱାସ୍ଥ୍ୟ ସଚେତନତା ଏବଂ ଉନ୍ନତ ସୁରକ୍ଷା ପ୍ରୋଟୋକଲ ଉପରେ ୱାର୍ଡେନମାନଙ୍କୁ ତାଲିମ୍ ଦେବା ନେଇ ଗୁରୁତ୍ୱାରୋପ କରିଥିଲେ । ଅନ୍ୟତମ ଅତିଥି ଭାବେ ନିପାର ପ୍ରକଳ୍ପ ନିର୍ଦ୍ଦେଶକ ଡ଼. ସାନ୍ତ୍ୱନା ମିଶ୍ର ପୃଷ୍ଟିସାର, ଆତ୍ମରକ୍ଷା, ଗୋଷ୍ଠୀ କାର୍ଯ୍ୟକଳାପକୁ ପ୍ରୋତ୍ସାହିତ କରିବା ଉପରେ ଆଲୋକପାତ କରିଥିଲେ ଏବଂ ଓସେପାର ଅତିରିକ୍ତ ନିର୍ଦେଶିକ ଶ୍ରୀମତୀ ସଂଗୀତା ବେହେରା ସ୍ଵାଗତ ଅଭିଭାଷଣ ପ୍ରଦାନ କରିଥିଲେ । ସୂଚନାଯୋଗ୍ୟ, ଏହି ୫ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ରାଜ୍ୟରୁ ୩୦ରୁ ଉର୍ଦ୍ଧ୍ୱ ବରିଷ୍ଠ ଶିକ୍ଷକ ପ୍ରଶିକ୍ଷକ ଓ ଜେଣ୍ଡର କୋର୍ଡିନେଟର ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୨ ତାରିଖ ଯାଏଁ ଚାଲିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking