ଭୁବନେଶ୍ୱର – ଆଜି ୧୭୫ ଓ ୧୭୬ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ବ୍ୟାଙ୍କଗୁଡିକର ଭଲ ପ୍ରଦର୍ଶନ ପାଇଁ ପ୍ରଶଂସା କରିଥିଲେ | ୨୦୨୩-୨୪ ଆର୍ଥିକ ବର୍ଷ ପାଇଁ ବାର୍ଷିକ କ୍ରେଡିଟ୍ ପ୍ଲାନ୍ (ACP) ଟାର୍ଗେଟ୍ ବିପକ୍ଷରେ ୧୬୦୨୮୦ କୋଟି ଥିବା ବେଳେ, ବ୍ୟାଙ୍କଗୁଡିକ ୧୬୫୬୨୧ କୋଟି ହାସଲ କରିଛନ୍ତି ଯାହା ୧୦୩.୩୩ ପ୍ରତିଶତ ଅଟେ। ଏବଂ ଚଳିତ ଆର୍ଥିକ ବର୍ଷ ପାଇଁ ୨୧୦୫୪୬ କୋଟି ଟଙ୍କା ବାର୍ଷିକ କ୍ରେଡିଟ ପ୍ଲାନ ଲକ୍ଷ୍ୟ ହାସଲ କରିବାକୁ ସେ ବ୍ୟାଙ୍କଗୁଡିକୁ ଅନୁରୋଧ କରିଛନ୍ତି। ୨୦୩୬ ମସିହାରେ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନର ୧୦୦ ବର୍ଷ ପୂର୍ତ୍ତି ହେଉଥିବା ପରିପ୍ରେକ୍ଷୀରେ ଏହା ପୂର୍ବରୁ ଓଡ଼ିଶାକୁ ଏକ ଅଗ୍ରଣୀ ଆର୍ଥିକ ଶକ୍ତିରେ ପରିଣତ କରିବା ଲକ୍ଷ୍ୟ ନେଇ ସରକାର ଅନେକ ମହତ୍ତ୍ୱାକାଂକ୍ଷୀ ଯୋଜନା ପ୍ରଣୟନ କରୁଛନ୍ତି । ଏଗୁଡ଼ିକର ସଫଳ ରୂପାୟନ ସହ ରାଜ୍ୟକୁ ସମୃଦ୍ଧ କରିବା ଦିଗରେ ବ୍ୟାଙ୍କମାନେ ଅର୍ଥପୂର୍ଣ୍ଣ ଭୂମିକା ନିର୍ବାହ କରିବେ ବୋଲି ଶ୍ରୀମତୀ ଗର୍ଗ କହିଥିଲେ ।
ପ୍ରମୁଖ୍ୟ ଶାସନ ସଚିବ ଶ୍ରୀ ଶାଶ୍ୱତ ମିଶ୍ର ସମସ୍ତ ବ୍ୟାଙ୍କକୁ ସରକାରୀ ପ୍ରାୟୋଜିତ ଯୋଜନାକୁ ଗୁରୁତ୍ୱ ଦେବା ଏବଂ ଅଧିକରୁ ଅଧିକ ଆବେଦନକୁ ମଞ୍ଜୁର କରିବାକୁ ପରାମର୍ଶ ଦେଇଛନ୍ତି।
ବୈଠକରେ ନାବାର୍ଡ ମୁଖ୍ୟ ମହାପ୍ରବନ୍ଧକ ଡ. ସୁଧାଂଶୁ କେ. କେ. ମିଶ୍ର, ଭାରତୀୟ ରିଜର୍ଭ ବ୍ୟାଙ୍କର କ୍ଷେତ୍ରୀୟ ନିର୍ଦ୍ଦେଶକ ଡ. ସାରଦା ପ୍ରସନ୍ନ ମହାନ୍ତି, ୟୁକୋ ବ୍ୟାଙ୍କର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନିବୃତ୍ତି କାମ୍ବଲେ, ମହାପ୍ରବନ୍ଧକ ଗୌତମ ପାତ୍ରଙ୍କ ସମେତ ବିଭିନ୍ନ ବିଭାଗର ନିର୍ଦ୍ଦେଶକ ଓ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ବ୍ୟାଙ୍କର ପ୍ରତିନିଧି ଯୋଗଦେଇଥିଲେ ।










