35.1 C
Bhubaneswar
Sunday, March 30, 2025
Homeଓଡିଶାରାଜ୍ୟ ସରକାରଙ୍କ ଶ୍ୱେତପତ୍ର ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି: ବିଜେଡି

ରାଜ୍ୟ ସରକାରଙ୍କ ଶ୍ୱେତପତ୍ର ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାକୁ ଦର୍ଶାଉଛି: ବିଜେଡି

– ସାଧାରଣ ପ୍ରଶାସନ ବିଭାଗ ପାଇଁ ପ୍ରାବଧାନ ଅର୍ଥରୁ ମାତ୍ର ୨୩. ୦୭ ପ୍ରତିଶତ ଖର୍ଚ୍ଚ
– ରାଜ୍ୟରେ ମାତ୍ର ପାଞ୍ଚ ପ୍ରତିଶତ ମହିଳାଙ୍କୁ ନ୍ୟାୟ ମିଳୁଛି
– ପ୍ରଶାସନ ଓ ସରକାରଙ୍କ ଭିତରେ ସାମଞ୍ଜସ୍ୟ ନାହିଁ

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ଦ୍ୱାରା ଆଜି ପ୍ରଦାନ କରା ଯାଇଥିବା ଶ୍ୱେତପତ୍ର ଉପରେ ବିଜୁ ଜନତା ଦଳର ବରିଷ୍ଠ ନେତା ତଥା ଆଠଗଡ଼ ବିଧାୟକ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଆଜି ପ୍ରତିକ୍ରିୟା ଦେଇ ରାଜ୍ୟ ସରକାରଙ୍କ ମୁଖା ଖୋଲିଛନ୍ତି। ଶ୍ୱେତପତ୍ରରେ ପ୍ରଦାନ କରାଯାଇଥିବା ତଥ୍ୟକୁ ଉଦ୍ଧାର କରି କିପରି ରାଜ୍ୟ ସରକାର ବିଭିନ୍ନ ବିଭାଗରେ ପ୍ରାବଧାନ ଅର୍ଥକୁ ଖର୍ଚ୍ଚ କରିବାରେ ବିଫଳ ଓ ରାଜ୍ୟର ଆଇନ ଶୃଙ୍ଖଳା କିପରି ବିପର୍ଯ୍ୟସ୍ତ ହୋଇ ପଡିଛି ବୋଲି ଶ୍ରୀ ସ୍ୱାଇଁ ଉଲ୍ଲେଖ କରିଥିଲେ।

ଶ୍ରୀ ସ୍ୱାଇଁ କହିଥିଲେ, ଗୃହ ବିଭାଗ ପାଇଁ ପ୍ରାବଧାନ କରା ଯାଇଥିବା ଅର୍ଥରୁ ମାତ୍ର ୬୭. ୫୦ ପ୍ରତିଶତ ଅର୍ଥ ଖର୍ଚ୍ଚ ହୋଇଛି ବୋଲି ଶ୍ୱେତପତ୍ରରେ ଉଲ୍ଲେଖ ରହିଛି। ଅର୍ଥାତ ୨, ୧୫୪ କୋଟି ଟଙ୍କା ମଧ୍ୟରୁ ମାତ୍ର ୧,୪୫୩ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିଛି। ତେଣୁ, ରାଜ୍ୟର ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳାରେ ଏହା ପ୍ରତିଫଳିତ ହୋଇଛି। ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି କିପରି ଅଛି ବୋଲି ଜାଣିବା ପାଇଁ ବିଶେଷ ଅନୁସନ୍ଧାନର ଆବଶ୍ୟକତା ନାହିଁ। ଗାଁ ପରିମଳ ଧୋବା ତୁଠରୁ। ବିଧାନସଭା ଓ ଏହାର ପରିସରରେ ଆଇନ ଶୃଙ୍ଖଳା ସ୍ଥିତି କିପରି ରହିଛି, ତାହା ରାଜ୍ୟବାସୀ ଗତ କିଛି ଦିନ ହେଲା ଦେଖି ଆସୁଛନ୍ତି। ଏହି କିଛି ଦିନ ତଳେ ରାଜ୍ୟରେ ହୋଲି ପାଳନ ସମୟରେ କଟକ ଭୁବନେଶ୍ୱର ସହରରେ ପୋଲିସ ପ୍ଲାଗମାର୍ଚ୍ଚର ଆବଶ୍ୟକତା ପଡିଥିଲା। ରାଜ୍ୟରେ ସେହିଦିନ ଡ଼ଜନେ ମୁଣ୍ଡ ଗଡିଥିଲା। ରାଜ୍ୟରେ ବିଜେପି କ୍ଷମତାକୁ ଆସିବା ପରେ ସାମ୍ପ୍ରଦାୟିକ ହିଂସା ଦେଖିବାକୁ ମିଳୁଛି। ଜୁନ ମାସରେ ବାଲେଶ୍ୱରରେ, ଅଗଷ୍ଟ ମାସରେ ଖୋର୍ଦ୍ଧା ଜିଲ୍ଲାର ମୁକୁନ୍ଦପ୍ରସାଦ ଠାରେ ଓ ସେପ୍ଟେମ୍ୱର ମାସରେ ଭଦ୍ରକ ଓ ଧାମନଗରରେ ସାମ୍ପ୍ରଦାୟିକ ହିଂସା ଦୃଶ୍ୟମାନ ହୋଇଥିଲା। ରାଜ୍ୟରେ ଏପରି ଘଟଣା ବିରଳ ଥିଲା। ବିଜେପି କ୍ଷମତାସୀନ ହେବା ପରେ ଏହାର ପ୍ରତିଫଳନ ଦେଖିବାକୁ ମିଳୁଛି।

ଶ୍ରୀ ସ୍ୱାଇଁ କହିଥିଲେ, ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ହିଂସାକୁ ନେଇ ରାଜ୍ୟ ଉଠୁଛି ପଡୁଛି। ରାଜ୍ୟ ସରକାରଙ୍କ ଗୃହ ବିଭାଗର ତଥ୍ୟ ଅନୁଯାୟୀ ୨୦୨୪ ମସିହାରେ ୩୦୫୪ଟି ଦୁଷ୍କର୍ମ ହୋଇଛି ଯାହା ପୂର୍ବ ବର୍ଷ ତୁଳନାରେ ଢେର ଅଧିକ। ୨୦୨୩ ମସିହାରେ ୨୮୨୬ ଗୋଟି ଦୁଷ୍କର୍ମ ହୋଇଥିଲା। ସେହିପରି, ରାଜ୍ୟ ସରକାରଙ୍କ ଶ୍ୱେତପତ୍ରର ତଥ୍ୟ ଅନୁଯାୟୀ ରାଜ୍ୟରେ ମହିଳାଙ୍କ ବିରୁଦ୍ଧରେ ଅପରାଧ ବୃଦ୍ଧି ପାଇ ଚାଲୁଥିବା ବେଳେ ମାତ୍ର ଚାରିରୁ ପାଞ୍ଚ ପ୍ରତିଶତ କେସରେ ସେମାନଙ୍କୁ ନ୍ୟାୟ ପ୍ରଦାନ କରା ଯାଉଛି। ତେଣୁ, ମହିଳାଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ନାହିଁ। ରାଜ୍ୟରେ ପ୍ରଶାସନ ଓ ସରକାରଙ୍କ ଭିତରେ ସାମଞ୍ଜସ୍ୟ ନାହିଁ। ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ପ୍ରଦର୍ଶନ ଅତ୍ୟନ୍ତ ନୈରାଶ୍ୟଜନକ। ଏହି ବିଭାଗରେ ଚଳିତ ବର୍ଷ ପାଇଁ ପ୍ରାବଧାନ କରାଯାଇଥିବା ଅର୍ଥରୁ ମାତ୍ର ୨୩. ୦୭ ପ୍ରତିଶତ ୨୫ ମାର୍ଚ୍ଚ ୨୦୨୫ ସୁଦ୍ଧା ଖର୍ଚ୍ଚ କରା ଯାଇ ପାରିଛି। ଏହି ବିଭାଗ, ଖୋଦ ମୁଖ୍ୟମନ୍ତ୍ରୀଙ୍କ ପାଖରେ ରହିଥିବା ବେଳେ, ପ୍ରାବଧାନ ହୋଇଥିବା ୨୪୬ କୋଟି ଅର୍ଥରୁ ମାତ୍ର ୫୭ କୋଟି ଟଙ୍କା ଖର୍ଚ୍ଚ ହୋଇ ପାରିବା, ନିଶ୍ଚିତ ଭାବେ ମୁଖ୍ୟମନ୍ତ୍ରୀଙ୍କ ପାରିବାପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ତେଣୁ, ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରଦାନ କରାଯାଇଥିବା ହ୍ୱାଇଟ ପେପର ପ୍ରକୃତରେ ରାଜ୍ୟ ପାଇଁ ବ୍ଲାକ ପେପର ହୋଇଛି ବୋଲି ଶ୍ରୀ ସ୍ୱାଇଁ କହିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking