14.1 C
Bhubaneswar
Monday, December 8, 2025
Homeଓଡିଶାଓଡ଼ିଶାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ନାହିଁ: ବିଜେଡି

ଓଡ଼ିଶାର ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତା ନାହିଁ: ବିଜେଡି

ଭୁବନେଶ୍ୱର: ପଶ୍ଚିମବଙ୍ଗର ଦୁର୍ଗାପୁର ଠାରେ ଡାକ୍ତରୀ ପାଠ ପଢ଼ୁଥିବା ଜଣେ ଓଡ଼ିଆ ଝିଅ ସହ ହୋଇଥିବା ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ସରକାର ତତ୍ପରତା ଦେଖାଉଥିବା ବେଳେ ଓଡ଼ିଶାରେ ଘଟୁଥିବା ଅନେକ ମହିଳା ନିର୍ଯାତନା ମାମଲାରେ ରାଜ୍ୟ ବିଜେପି ସରକାରଙ୍କ ସେହିଭଳି ତତ୍ପରତା ଦେଖିବାକୁ ମିଳୁ ନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି । ବିଜୁ ଜନତା ଦଳ ତରଫରୁ ଜାରି କରା ଯାଇଥିବା ଏକ ପ୍ରେସ ବିବୃତିରେ ଦଳର ମୁଖପାତ୍ର ତଥା ମିଡ଼ିଆ ସଂଯୋଜକ ଡ. ଲେନିନ୍ ମହାନ୍ତି କହିଛନ୍ତି, ନିକଟରେ ଦୁର୍ଗାପୁର ଠାରେ ଘଟିଥିବା ଓଡ଼ିଆ ଝିଅର ଗଣଦୁଷ୍କର୍ମ ଘଟଣାରେ ରାଜ୍ୟ ବିଜେପି ସରକାର ଖୁବ ତତ୍ପରତା ଦେଖାଉଛନ୍ତି, ଯାହା ସ୍ୱାଗତଯୋଗ୍ୟ ।

କିନ୍ତୁ, ରାଜ୍ୟରେ ଦୁଷ୍କର୍ମ, ଗଣଦୁଷ୍କର୍ମ ଓ ମହିଳା ନିର୍ଯାତନା ଘଟଣାରେ ଅହେତୁକ ବୃଦ୍ଧି ପାଇଥିବା ବେଳେ, ଏହି ସବୁ ଘଟଣାରେ ପୀଡ଼ିତାଙ୍କୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ଉଦାସୀନ ରହୁଥିବା ଦେଖିବାକୁ ମିଳୁଛି । ଅତ୍ୟନ୍ତ ସମ୍ୱେଦନଶୀଳ ଘଟଣା ଗୁଡିକୁ ଚାପି ଦେବାକୁ ଉଦ୍ୟମ କରାଯାଉଛି । ପଶ୍ଚିମବଙ୍ଗ ଘଟଣାରେ ଯେପରି ତତ୍ପରତା ଦେଖିବାକୁ ମିଳିଛି ସେପରି ତତ୍ପରତା ଓଡ଼ିଶାରେ ଘଟୁଥିବା ମହିଳା ନିର୍ଯାତନା ଘଟଣାରେ ସେଭଳି ତତ୍ପରତା ଦେଖିବାକୁ ମିଳୁନାହିଁ । ପଶ୍ଚିମବଙ୍ଗ ଘଟଣାରେ, ଜାତୀୟ ମହିଳା କମିସନ ଆସିଥିବା ବେଳେ ଓଡ଼ିଶାର ମହିଳା କମିସନ ମଧ୍ୟ ପଶ୍ଚିମବଙ୍ଗ ଗସ୍ତ କରୁଛନ୍ତି । ଓଡ଼ିଶାରେ ଘଟିଥିବା ସମ୍ୱେଦନଶୀଳ ମହିଳା ନିର୍ଯାତନା ଘଟଣାରେ ଜାତୀୟ ମହିଳା କମିସନ ଆସିବା ତ ଦୂରେ ଥାଉ, ରାଜ୍ୟ ମହିଳା କମିସନ ମଧ୍ୟ ଗୁରୁତ୍ୱ ଦେଉନାହାନ୍ତି । ରାଜ୍ୟରେ ୧୪ ମାସରେ ୩୭,୬୧୧ ମହିଳା ନିର୍ଯାତନା ଘଟଣା ଘଟିଥିଲା ବେଳେ ସରକାର ନିଦାବିଷ୍ଣୁ ସାଜିଛନ୍ତି ।

ଡ. ମହାନ୍ତି କହିଛନ୍ତି, ରାଜ୍ୟରେ ଗୋପାଳପୁର ଗଣଦୁଷ୍କର୍ମ ଘଟଣା, ସୌମ୍ୟାଶ୍ରୀ ଆତ୍ମାହୁତି ଘଟଣା, ବଳଙ୍ଗା ଛାତ୍ରୀ ପୋଡି ଘଟଣା, ବାଲି ହରଚଣ୍ଡୀ ଗଣଦୁଷ୍କର୍ମ ଘଟଣା ଅତ୍ୟନ୍ତ ସମ୍ୱେଦନଶୀଳ ଓ ଜାତୀୟ ଗଣମାଧ୍ୟମରେ ସ୍ଥାନ ପାଇଥିଲେ ମଧ୍ୟ ଜାତୀୟ ମହିଳା କମିସନଙ୍କ ଦେଖା ମିଳିନଥିଲା । ସେହିପରି, ରାଜ୍ୟ ମହିଳା କମିସନଙ୍କର ମଧ୍ୟ କୌଣସି ଆଖି ଦୃଶିଆ ପଦକ୍ଷେପ ନଜରକୁ ଆସିନଥିଲା । ଏହାଛଡା, ବିଜୁ ଜନତା ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଡ ଲେଖାଶ୍ରୀ ସାମନ୍ତସିଂହାରଙ୍କ ଉପରେ ବିଜେପି ବିଧାୟକ ଶ୍ରୀ ସନ୍ତୋଷ ଖଟୁଆ ଦେଇଥିବା ଅଶାଳୀନ ମନ୍ତବ୍ୟ ଉପରେ, ସେ ଉଭୟ ଜାତୀୟ ଓ ରାଜ୍ୟ ମହିଳା କମିସନଙ୍କ ଦ୍ୱାରସ୍ତ ହୋଇଥିଲେ ମଧ୍ୟ ଉଭୟଙ୍କ ତରଫରୁ କୌଣସି କାର୍ଯାନୁଷ୍ଠାନ ନିଆଯାଇନଥିଲା । ଓଡିଶାରେ ବାସ କରୁଥିବା ମହିଳା ମାନଙ୍କ ସହିତ ପାତରଅନ୍ତର କାହିଁକି କରୁଛନ୍ତି ରାଜ୍ୟ ବିଜେପି ସରକାର ବୋଲି ସେ ପ୍ରଶ୍ନ କରିଛନ୍ତି । ଗୋପାଳପୁର ଗଣଦୁଷ୍କର୍ମ ଘଟଣା ହେଉ କି ସୌମ୍ୟାଶ୍ରୀ ଘଟଣା ହେଉ, ବଳଙ୍ଗା ଛାତ୍ରୀ ପୋଡି ଘଟଣା ହେଉ କି ବାଲି ହରଚଣ୍ଡୀରେ ଗଣଦୁଷ୍କର୍ମ ଘଟଣା ହେଉ ରାଜ୍ୟ ସରକାର ପୀଡିତା ଓ ତାଙ୍କ ପରିବାରକୁ ନ୍ୟାୟ ପ୍ରଦାନରେ ପଛଘୁଞ୍ଚା କାହିଁକି ଦେଉଛନ୍ତି ବୋଲି ଡ. ମହାନ୍ତି ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking