27.1 C
Bhubaneswar
Monday, March 30, 2026
Homeଓଡିଶାରାଜ୍ୟ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇ ବସିଛନ୍ତି : ସି.ପି.ଆଇ.(ଏମ୍‌)

ରାଜ୍ୟ ସରକାର କ୍ଷମତାରେ ରହିବାର ନୈତିକ ଅଧିକାର ହରାଇ ବସିଛନ୍ତି : ସି.ପି.ଆଇ.(ଏମ୍‌)

ଭୁବନେଶ୍ୱର: ଫକୀରମୋହନ କଲେଜ ଛାତ୍ରୀଙ୍କୁ ବ୍ୟବସ୍ଥାକୃତ ହତ୍ୟାକାଣ୍ଡର ପ୍ରତିବାଦ କରି ଓଡ଼ିଶା ବନ୍ଦ ଡ଼ାକରାର ୪୮ଘଣ୍ଟା ନପୁରୁଣୁ ପୁରୀ ଜିଲ୍ଲା ନିମାପଡ଼ା ନିର୍ବାଚନ ମଣ୍ଡଳୀ ବଳଙ୍ଗା ଥାନା ଅଞ୍ଚଳରେ ଆଉ ଜଣେ ଛାତ୍ରୀଙ୍କୁ ଗୁଣ୍ଡାମାନେ ଅତ୍ୟନ୍ତ ବିଭତ୍ସ ଭାବେ ତାଙ୍କୁ ନିଆଁରେ ପୋଡ଼ି ମାରି ଦେବାକୁ ହୀନ ଚକ୍ରାନ୍ତ କରିଛନ୍ତି । ଖୋଦ୍ ଉପମୁଖ୍ୟମନ୍ତ୍ରୀ ଓ ମହିଳା ବିକାଶ ମନ୍ତ୍ରୀଙ୍କ ଏହା ନିର୍ବାଚନ ମଣ୍ଡଳୀ । ଏଭଳି ଜଘନ୍ୟ କାଣ୍ଡ ସେଠାରେ ଘଟିବା ପରେ ଓଡ଼ିଶାରେ ଆଇନର ଶାସନ ପରିବର୍ତ୍ତେ ଜଙ୍ଗଲରାଜ ଏବଂ ଏଥିରେ ଗୁଣ୍ଡା ଓ ଅସାମାଜିକ ଲୋକଙ୍କ ଶାସନ ଚାଲିବା ଭଳି ପ୍ରତୀୟମାନ ହେଉଛି । ବିଜେପିର ଡ଼ବଲ ଇଞ୍ଜିନ୍ ସରକାର ଏଥିପାଇଁ ଶାସନ କ୍ଷମତାରେ ରହିବାର ନିଜର ନୈତିକ ଅଧିକାର ହରାଇ ବସିଛନ୍ତି ବୋଲି ସି.ପି.ଆଇ.(ଏମ୍‌) ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ପ୍ରକାଶିତ ବିବୃତିରେ କୁହାଯାଇଛି ।

ବିଜେପି ସରକାରର ଅପାରଗ ପଣିଆ ଯୋଗୁଁ ରାଜ୍ୟରେ ପୋଲିସ୍ ବ୍ୟବସ୍ଥା ସ୍ଥାଣୁ, ଅଥର୍ବ ଏବଂ ପଙ୍ଗୁ ହୋଇପଡ଼ିଛି । ଗ୍‌ୁଣ୍ଡା ଏବଂ ମାଫିଆମାନଙ୍କର ରାଜ୍ ଚାଲିଛି । ଓଡ଼ିଶାରେ ମହିଳା ଏବଂ ଛାତ୍ରୀ ସୁରକ୍ଷିତ ନୁହଁନ୍ତି ବୋଲି ବଳଙ୍ଗା ଘଟଣା ପୁଣି ଥରେ ପ୍ରମାଣିତ କରିଛି । ଛାତ୍ରୀ ଜଣକ ତାଙ୍କର ଜୀବନ ପାଇଁ ବର୍ତ୍ତମାନ ଭୁବନେଶ୍ୱରସ୍ଥ ଏମ୍ସ ଡ଼ାକ୍ତରଖାନାରେ ସଂଗ୍ରାମ କରୁଛନ୍ତି । ମହିଳାମାନଙ୍କ ଉପରେ ବଢ଼ି ଚାଲିଥିବା ନିର୍ଯ୍ୟାତନା, ଆକ୍ରମଣ ଓ ଶୋଷଣ ଆଦିର ବିଚାର ପାଇଁ ଏବଂ ପୀଡ଼ିତାଙ୍କୁ ତୁରନ୍ତ ନ୍ୟାୟ ପ୍ରଦାନ ପାଇଁ ଜଣେ “ମହିଳା ବିଚାରପତିଙ୍କ ତତ୍ତ୍ୱାବଧାନରେ ନ୍ୟାୟିକ କମିଶନ” ଗଠନ କରିବାକୁ ସି.ପି.ଆଇ.(ଏମ୍‌) ସରକାରଙ୍କ ନିକଟରେ ଦାବି କରିଛି ।

ଏଭଳି ପରିସ୍ଥିତିରେ ସରକାରଙ୍କର ସାମାନ୍ୟ ଦାୟିତ୍ୱବୋଧ ଥିଲେ ଏଭଳି ବର୍ବର କାର୍ଯ୍ୟ କରିଥିବା ଦୁର୍ବୁତ୍ତ ତଥା ସେମାନଙ୍କର ପୃଷ୍ଠପୋଷକ ମାନଙ୍କୁ ତୁରନ୍ତ ଗିରଫ କରି ସେମାନଙ୍କ ପ୍ରତି ଦୃଷ୍ଟାନ୍ତମୂଳକ ଶାସ୍ତି ବିଧାନ କରିବା ସହ ମହିଳା ତଥା ରାଜ୍ୟର ଜନଗଣଙ୍କୁ ଦୃଢ଼ ନିରାପତ୍ତା ଯୋଗାଇ ଦେବା ଆବଶ୍ୟକ । ଏଥିସହ ପୀଡ଼ିତା ଛାତ୍ରୀଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ସରକାର ବହନ କରିବା ସହିତ ପର୍ଯ୍ୟାପ୍ତ ଆର୍ଥୀକ କ୍ଷତିପୂରଣ ପ୍ରଦାନ କରିବାକୁ ସି.ପି.ଆଇ.(ଏମ୍‌) ଦାବି କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking