18.1 C
Bhubaneswar
Thursday, February 5, 2026
Homeଓଡିଶାଆଦିବାସୀ ଓ ଦଳିତ ବର୍ଗକୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଆଦିବାସୀ ଓ ଦଳିତ ବର୍ଗକୁ ନ୍ୟାୟ ପ୍ରଦାନରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଭୁବନେଶ୍ୱର: ରାଜ୍ୟ ସରକାର ଗରିବ ଖଟିଖିଆଙ୍କ ଠାରୁ ଟିକସ ମାଧ୍ୟମରେ ଆଦାୟ ହୋଇଥିବା ରାଜସ୍ୱକୁ ନିଜ ପ୍ରଚାରରେ ଖର୍ଚ୍ଚ କରୁଛନ୍ତି କିନ୍ତୁ ରାଜ୍ୟର ଛାତ୍ରଛାତ୍ରୀ ବିଶେଷକରି ଆଦିବାସୀ ଓ ଦଳିତ ବର୍ଗର ଵିକାଶ ପାଇଁ ଉଦ୍ଦିଷ୍ଟ ଅର୍ଥ ସେମାନଙ୍କ ପାଖରେ ପହଞ୍ଚି ପାରୁନାହିଁ ବୋଲି ବିଜୁ ଜନତା ଦଳ ଅଭିଯୋଗ କରିଛି। ଶଙ୍ଖ ଭଵନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ, ଦଳର ବରିଷ୍ଠ ସାଧାରଣ ସମ୍ପାଦକ ଶ୍ରୀ ପ୍ରଦୀପ ମାଝୀ ଓ ଦଳର ମିଡ଼ିଆ ସଂଯୋଜକ ଡ. ପ୍ରିୟବ୍ରତ ମାଝୀ ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିଲେ।

ଶ୍ରୀ ପ୍ରଦୀପ ମାଝୀ କହିଥିଲେ, ରାଜ୍ୟରେ ବିଜେଡି ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଅନ୍ଵେଷା ଯୋଜନା ମାଧ୍ୟମରେ, ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀ ଇଂରାଜୀ ମିଡ଼ିଅମ ସ୍କୁଲରେ ପଢିବାକୁ ସୁଯୋଗ ପାଉଥିଲେ। ଅନ୍ଵେଷା ଯୋଜନାକୁ ସରକାର ଆର୍ଥିକ ଅନୁଦାନ ନଦେଉଥିବାରୁ, ଏହା ବନ୍ଦ ହେବାକୁ ବସିଲାଣି। ଏହାଛଡ଼ା, ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀ ମାନଙ୍କ ପାଇଁ ଥିବା ଆଶ୍ରମ ସ୍କୁଲ ଓ ହଷ୍ଟେଲ ସ୍କୁଲ ଗୁଡିକରେ ପିଲାମାନଙ୍କ ଖାଦ୍ୟ ଓ ଅନ୍ୟାନ୍ୟ ଆନୁସଙ୍ଗିକ ଖର୍ଚ୍ଚ ପାଇଁ ପ୍ରଦାନ କରାଯାଉଥିବା ଅର୍ଥ ଗତ ପାଞ୍ଚ ମାସ ହେଲା ପ୍ରଦାନ କରାଯାଇନାହିଁ, ଯାହାଫଳରେ ଏହି ହଷ୍ଟେଲ ଗୁଡିକରେ ଥିବା ଛାତ୍ରଛାତ୍ରୀ ମାନେ ଅପପୃଷ୍ଟିର ଶିକାର ହେବାର ଆଶଙ୍କା ସୃଷ୍ଟି ହେଲାଣି। ରାଜ୍ୟ ସରକାର ରାଜ୍ୟରେ ଗୋଟିଏ ବି ନୂଆ ସ୍କୁଲ ଖୋଲିବାରେ ସକ୍ଷମ ହୋଇନାହାନ୍ତି। ରାଜ୍ୟ ସରକାରଙ୍କ ଡେଲିଭରୀ ମେକାନିଜିମ ସମ୍ପୂର୍ଣ୍ଣ ବିଫଳ ହୋଇଛି। ସେହିପରି, ରାଜ୍ୟରେ ଛାତ୍ରଛାତ୍ରୀ ମାନଙ୍କୁ ପ୍ରି ମ୍ୟାଟ୍ରିକ ଓ ପୋଷ୍ଟ ମ୍ୟାଟ୍ରିକ ଛାତ୍ର ବୃତ୍ତି ଦିଆଯାଇ ନାହିଁ। ରାଜ୍ୟରେ ଜଣେ ଆଦିବାସୀ ମୁଖ୍ୟମନ୍ତ୍ରୀ ଥିବା ସମୟରେ ଓ ମୁଖ୍ୟମନ୍ତ୍ରୀ ମହୋଦୟ ନିଜେ ଶିକ୍ଷା ବିଭାଗର ଅନୁଭୂତି ନେଇ ଆସୁଥିବା ବେଳେ, ରାଜ୍ୟର ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀ ମାନଙ୍କୁ ଏଭଳି ଅଭାବନୀୟ ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି ଅର୍ଥ ଓଡ଼ିଶାର ଭବିଶ୍ବତ ଅନ୍ଧକାରକୁ ଠେଲି ହୋଇ ଯାଉଛି କହିଲେ ଅତ୍ୟୁକ୍ତି ହେବ ନାହିଁ। ତେଣୁ ବିଜୁ ଜନତା ଦଳ ଏହାକୁ ଦୃଢ଼ ନିନ୍ଦା କରୁଛି ଓ ତୁରନ୍ତ ବିହିତ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରୁଛି।

ଡ. ପ୍ରିୟବ୍ରତ ମାଝୀ କହିଥିଲେ, ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମୟରେ, ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ୧୭୬୨ଟି ଆବାସିକ ବିଦ୍ୟାଳୟ ଖୋଲା ଯାଇଥିଲା, ଯାହା ସମଗ୍ର ଦେଶରେ ସର୍ବାଧିକ। ସେହିପରି, ପ୍ରାଇମେରୀରୁ ଉଚ୍ଚ ମାଧ୍ୟମିକ ବର୍ଗରେ ୧୬୧୨ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା କରାଯାଇଥିଲା, ଯେଉଁଥିରେ ପ୍ରାୟ ୫,୪୬,୦୦୦ ଛାତ୍ରଛାତ୍ରୀ ଅଧ୍ୟୟନରତ ଅଛନ୍ତି। ଏହି ସବୁ ଶିକ୍ଷା ଅନୁଷ୍ଠାନ ଗୁଡିକ ଏବେ ସରକାରଙ୍କ ପ୍ରୋତ୍ସାହନ ଅଭାବରୁ ଅଚଳ ହେବାକୁ ବସିଲାଣି। ଡବଲ ଇଞ୍ଜିନ ଡବଲ ଵିକାଶ ନାରା ଦେଇ କ୍ଷମତାକୁ ଆସିଥିବା ବିଜେପି ସରକାରଙ୍କ ଶାସନରେ କେନ୍ଦ୍ରୀୟ ଅନୁଦାନ ବଢିବା ପରିବର୍ତ୍ତେ କମିଛି। କେନ୍ଦ୍ରୀୟ ସେକ୍ଟର ସ୍କିମରେ ୨୦୨୪-୨୫ରେ ୨୦୦ କୋଟି ଟଙ୍କା ଅନୁଦାନ ଆସିଥିଲା ଯାହା ଚଳିତ ବର୍ଷ ୧୫୦ କୋଟିକୁ ଖସି ଆସିଛି। ଆଦିବାସୀ ଓ ଦଳିତ ବର୍ଗର ଛାତ୍ରଛାତ୍ରୀଙ୍କ ପାଇଁ ବଜେଟରେ ବ୍ୟୟ ବରାଦ ହୋଇଥିବା ବେଳେ, ଅର୍ଥ ଠିକ ଜାଗାରେ ଓ ଠିକ ସମୟରେ ପହଞ୍ଚି ପାରୁନାହିଁ, ଯାହା ରାଜ୍ୟ ସରକାରଙ୍କ ଅପାରଗ ପଣିଆକୁ ଦର୍ଶାଉଛି। ରାଜ୍ୟ ସରକାର କହୁଛନ୍ତି, ରାଜ୍ୟରେ ସାର ପର୍ୟ୍ୟାପ୍ତ ପରିମାଣରେ ମହଜୁଦ ରହିଛି, କିନ୍ତୁ ଚାଷୀଙ୍କ ପାଖରେ ଠିକ୍ ସମୟରେ ସାର ପହଁଞ୍ଚୁ ନାହିଁ। ସେହିପରି, ରାଜ୍ୟରେ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ଅର୍ଥ ତାଙ୍କ ପାଖରେ ଠିକ୍ ସମୟରେ ପହଁଞ୍ଚୁ ନାହିଁ। ରାଜ୍ୟ ସରକାର ବିକାଶର ଡିଣ୍ଡିମ ପିଟୁଥିବା ବେଳେ, ଗତ ୧୫ ମାସର ବିଜେପି ଶାସନରେ ଗୋଟିଏ ବି ସ୍କୁଲ କିମ୍ବା ହଷ୍ଟେଲ ଆଦିବାସୀ ଓ ଦଳିତଙ୍କ ପାଇଁ ଖୋଲାଯାଇ ନାହିଁ। ଆଦିବାସୀ ଓ ଦଳିତ ଛାତ୍ରୀମାନେ ରହୁଥିବା ହଷ୍ଟେଲ ଗୁଡିକରେ ଅନେକ ଛାତ୍ରୀ ଗର୍ଭବତୀ ହେଉଥିବା ଖବର ଆସୁଛି, ଯେଉଁଥିରୁ ହଷ୍ଟେଲରେ ସେମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ତେଣୁ, ରାଜ୍ୟର ଆଦିବାସୀବର୍ଗର ଲୋକମାନଙ୍କୁ ସରକାର ନ୍ୟାୟ ପ୍ରଦାନ କରିବାରେ ବିଫଳ ହୋଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking