ଭୁବନେଶ୍ୱର: ନିକଟରେ ସରକାରୀ ଚାକିରୀର ବିଭିନ୍ନ ପଦବୀ ପାଇଁ ଓପିଏସସି ତରଫରୁ ବିଜ୍ଞାପନ ପ୍ରକାଶ ପାଇଥିବା ବେଳେ ଏଥିରେ ଓଏଏସ, ଓଏଫଏସ ଏବଂ ଓଆରଏସ ପଦବୀ ନଥିବାକୁ ନେଇ ଆଜି ବିଜୁ ଯୁବ ଓ ଛାତ୍ର ଜନତା ଦଳ ରାଜ୍ୟ ବିଜେପି ସରକାରଙ୍କ ଉପରେ ବର୍ଷିଛି । ରାଜ୍ୟ ସରକାରଙ୍କର ଅପାରଗପଣିଆ ପାଇଁ ଏପରି ହୋଇଛି ବୋଲି ଅଭିଯୋଗ କରିବା ସହିତ ତୁରନ୍ତ ସଂଶୋଧନ କରି ଏଥିରେ ଏହି ପଦବୀ ଗୁଡିକୁ ସାମିଲ କରିବା ପାଇଁ ବିଜେଡି ଦାବି କରିଛି ।ଶଙ୍ଖ ଭବନରେ ଶନିବାର ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ବିଜୁ ଯୁବ ଜନତା ଦଳର ସଭାପତି ଶ୍ରୀ ଚିନ୍ମୟ ସାହୁ ଓ ବିଜୁ ଛାତ୍ର ଜନତା ଦଳର ସଭାନେତ୍ରୀ ଇପ୍ସିତା ସାହୁ ରାଜ୍ୟରେ ଏକ ଅପାରଗ ସରକାର ଚାଲିଛି ଯାହା ଫଳରେ ଏହିଭଳି ତ୍ରୁଟି ବିଚ୍ୟୁତି ନିୟମିତ ଭାବେ ଦେଖିବାକୁ ମିଳୁଛି ବୋଲି କହିଛନ୍ତି ।ଶ୍ରୀ ଚିନ୍ମୟ ସାହୁ କହିଥିଲେ, ନବୀନ ସରକାରଙ୍କର ୨୪ ବର୍ଷର ଶାସନ ସମୟରେ ପ୍ରତିବର୍ଷ ଓଏଏସ, ଓଏଫଏସ ଏବଂ ଓଆରଏସ ପଦବୀରେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ ପାଉଥିଲା ।
ପ୍ରଥମ ଥର ପାଇଁ ଏହି ପଦବୀ ଗୁଡିକ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ । ରାଜ୍ୟ ସରକାରଙ୍କ ଅପାରଗପଣିଆ ଶିଖର ଛୁଇଁଲାଣି । ଗତ ୧୮ ମାସର ବିଜେପି ଶାସନରେ ୨୦ଟି ପରୀକ୍ଷାରେ ବିଭ୍ରାଟ ଦେଖିବାକୁ ମିଳିଲାଣି । ପୋଲିସ ଏସଆଇ ନିଯୁକ୍ତି ପରୀକ୍ଷା କେଳେଙ୍କାରୀ ଜାତୀୟ ସ୍ତରରେ ଚର୍ଚ୍ଚାର ପ୍ରସଙ୍ଗ ହୋଇଛି । ଚାକିରୀ ଆଶାୟୀମାନେ ହତାଶ ହୋଇ ପଡିଛନ୍ତି । ରାଜ୍ୟ ସରକାର ପରିସ୍ଥିତିରେ ସୁଧାର ଆଣିବା ପରିବର୍ତ୍ତେ ନିଜ ପିଠି ନିଜେ ଥାପୁଡେଉଛନ୍ତି । ରାଜ୍ୟ ସରକାରଙ୍କୁ ଚେତାବନୀ ଦେଇ ଶ୍ରୀ ସାହୁ କହିଛନ୍ତି, ସରକାର ରାଜ୍ୟର ମେଧାବୀ ଯୁବକମାନଙ୍କ ଭବିଷ୍ୟତ ସହ ନଖେଳନ୍ତୁ । ଯେଉଁ ଦିନ ଯୁବକମାନେ ଜାଗିବେ, ସେ ଦିନ ଏ ସରକାରକୁ ଉଚିତ ଜବାବ ଦେବେ । ବିଜ୍ଞାପନରେ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ରାଜ୍ୟର ଋଣଭାରରେ ଏହି ସମୟରେ ଅହେତୁକ ବୃଦ୍ଧି ପାଇଛି । ରାଜ୍ୟର ଆର୍ଥିକ ସ୍ଥିତିକୁ ଦେବାଳିଆ ଆଡ଼କୁ ନେଉଛନ୍ତି ରାଜ୍ୟ ସରକାର । ଓଏଏସ, ଓଏଫଏସ ଏବଂ ଓଆରଏସ ପଦବୀ ବାହାର ନକରିବା ରାଜ୍ୟ ସରକାରଙ୍କ ବିଫଳତାକୁ ପଦାରେ ପକାଉଛି । ଏହି ପଦବୀ ଗୁଡିକ ସାଧାରଣ ପ୍ରଶାସନ ବିଭାଗର ଅନ୍ତର୍ଗତ ହୋଇଥିବାରୁ ମୁଖ୍ୟମନ୍ତ୍ରୀ ଏହି ବିଭାଗର ଦାୟିିତ୍ୱରେ ଥିବାରୁ ସେ ଏଥିପାଇଁ ନିଜେ ଦାୟୀ ।
ନୈତିକ ଦାୟିତ୍ୱ ନେଇ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି ଶ୍ରୀ ସାହୁ କହିଥିଲେ ।ଇପ୍ସିତା ସାହୁ କହିଥିଲେ, ଏଥିନେଇ ଚାକିରୀ ଆଶାୟୀ ମାନଙ୍କ ଭିତରେ ତୀବ୍ର ପ୍ରତିକ୍ରିୟା ଦେଖିବାକୁ ମିଳିଛି । ଆଜି ମୁଖ୍ୟମନ୍ତ୍ରୀଙ୍କ ଦପ୍ତରରୁ ଅତ୍ୟନ୍ତ ତରବରିଆ ଭାବେ ଏକ ପ୍ରେସ ବିବୃତ୍ତି ଜାରି କରାଯାଇ ନିଯୁକ୍ତି ପ୍ରକ୍ରିୟାରେ ଏହି ପଦବୀ ଗୁଡିକୁ ସାମିଲ କରିବା ପାଇଁ ଅନୁରୋଧ କରାଯାଇଛି ବୋଲି କୁହାଯାଇଛି । ମୁଖ୍ୟମନ୍ତ୍ରୀ କଣ ଏତେ ଅସହାୟ, ତାଙ୍କୁ ଏହି ପଦବୀ ଗୁଡିକ ସାମିଲ କରିବା ଲାଗି ଅନୁରୋଧ କରିବାକୁ ପଡୁଛି । ଏହାଛଡା, ଏହି ପ୍ରେସ ବିବୃତିରେ, ବିଜେପି ସରକାର ଇତି ମଧ୍ୟରେ ୪୦ ହଜାର ନିଯୁକ୍ତି ଦେଲେଣି ବୋଲି କୁହାଯାଇଛି । କିନ୍ତୁ, ୨୦ଟି ନିଯୁକ୍ତି ପରୀକ୍ଷା ବିଭ୍ରାଟ ହୋଇଛି । ନବୀନ ସରକାରଙ୍କ ସମୟରେ ୧୭,୦୦୦ ନିଯୁକ୍ତି ପ୍ରକ୍ରିୟା ଶେଷ ହୋଇଥିଲା ବେଳେ ବିଜେପି ସରକାର କେବଳ ନିଯୁକ୍ତି ପତ୍ର ବାଣ୍ଟିଛନ୍ତି । ତେଣୁ, ରାଜ୍ୟ ସରକାର ବାହାସ୍ପଟ ମାରିବା ଛାଡି ତୁରନ୍ତ ଏହି ପଦବୀ ଗୁଡିକୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରନ୍ତୁ । ବିଜୁ ଜନତା ଦଳ ସବୁ ସମୟରେ ଛାତ୍ର ଯୁବ ବର୍ଗର ସ୍ୱର ହୋଇଛି । ଏହି ପଦବୀ ଗୁଡିକୁ ନିଯୁକ୍ତି ପ୍ରକ୍ରିୟାରେ ସାମିଲ କରାନଗଲେ, ବିଜେଡି ରାଜରାସ୍ତାକୁ ଓହ୍ଲାଇବ ବୋଲି ଇପ୍ସିତା ସାହୁ କହିଥିଲେ ।










