19.1 C
Bhubaneswar
Saturday, February 7, 2026
Homeଓଡିଶା"ସଂଗ୍ରହାଳୟ ହେଉଛି ଆମ ଗୌରବମୟ ଇତିହାସ ସହିତ ସମ୍ପୃକ୍ତ ହେବାର ଏକ ବଳିଷ୍ଠ ମାଧ୍ୟମ"

“ସଂଗ୍ରହାଳୟ ହେଉଛି ଆମ ଗୌରବମୟ ଇତିହାସ ସହିତ ସମ୍ପୃକ୍ତ ହେବାର ଏକ ବଳିଷ୍ଠ ମାଧ୍ୟମ”

ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ

ଭୁବନେଶ୍ୱର : ଆଜି ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ପାଳିତ ହୋଇଯାଇଛି। ଅନ୍ତର୍ଜାତୀୟ ସଂଗ୍ରହାଳୟ ଦିବସ ଅବସରରେ ରାଜ୍ୟ ସଂଗ୍ରହାଳୟରେ “ସମାଜର ଦୃତ ପରିବର୍ତ୍ତନରେ ସଂଗ୍ରହାଳୟର ଭବିଷ୍ୟତ” ଶୀର୍ଷକ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା।

ଆଲୋଚନା ଚକ୍ରରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ସ୍ୱତନ୍ତ୍ର ଶାସନ ସଚିବ ତଥା ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀ ଦେବ ପ୍ରସାଦ ଦାଶ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ନିଜର ଅଭିଭାଷଣରେ ସେ କହିଥିଲେ ଯେ, ସଂଗ୍ରହାଳୟ ହେଉଛି ଆମ ଗୌରବମୟ ଇତିହାସ ସହିତ ସମ୍ପୃକ୍ତ ହେବାର ଏକ ବଳିଷ୍ଠ ମାଧ୍ୟମ। ଆମ ସଭ୍ୟତା, ସାହିତ୍ୟ ଓ ସଂସ୍କୃତି ସହ ସଂଗ୍ରହାଳୟ ଆମକୁ ପରିଚିତ କରାଇଥାଏ। କୌଣସି ସ୍ଥାନ ଏବଂ ସମ୍ପ୍ରଦାୟର ଇତିହାସ ସମ୍ବନ୍ଧରେ ଜାଣିବାକୁ ହେଲେ ଆମକୁ ସେହି ସ୍ଥାନରେ ରହିଥିବା ସଂଗ୍ରହାଳୟ ବୁଲି ଦେଖିବା ଉଚିତ କାରଣ ସଂଗ୍ରହାଳୟ ହିଁ ଏକମାତ୍ର ସ୍ଥାନ ଯେଉଁଠି ସମସ୍ତ ବିଷୟବସ୍ତୁର ସବିସ୍ତୃତ ବିବରଣୀ ମିଳିପାରିଥାଏ। ସାମ୍ପ୍ରତିକ ସମୟରେ ସଂଗ୍ରହାଳୟର ଭୂମିକା ବେଶ୍ ଗୁରତ୍ବପୂର୍ଣ୍ଣ। ଏହା ଆମକୁ ଆମ ଇତିହାସ ସହିତ ପରିଚିତ କରାଇବା ସହ ଆମକୁ ଆଗାମୀ ଭବିଷ୍ୟତରେ ଆମ ରାଜ୍ୟ ଓ ଆମ ଦେଶ ପାଇଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିବା ନିମନ୍ତେ ପ୍ରେରିତ କରିଥାଏ ବୋଲି ଶ୍ରୀ ଦାଶ ମତପ୍ରକାଶ କରିଥିଲେ। ଏଥିସହିତ ଆମ ରାଜ୍ୟ ଓ ଦେଶରେ ରହିଥିବା ବିଭିନ୍ନ ସଂଗ୍ରହାଳୟ ଏବଂ ତାହାର ବିଶେଷ୍ଵତ ସମ୍ପର୍କରେ ମଧ୍ୟ ଶ୍ରୀ ଦାଶ ଆଲୋକପାତ କରିଥିଲେ।

ସମ୍ମାନିତ ଅତିଥି ଭାବରେ ଏ. ଏସ. ଆଇର ଅବସରପ୍ରାପ୍ତ ଅଧିକ୍ଷଣ ପ୍ରତ୍ନତତ୍ତ୍ୱବିତ୍ ଡ଼. ଜୀବନ କୁମାର ପଟ୍ଟନାୟକ ଏବଂ ଆଞ୍ଚଳିକ ପ୍ରାକୃତିକ ବିଜ୍ଞାନ ସଂଗ୍ରହାଳୟର ପ୍ରଭାରି ବୈଜ୍ଞାନିକ ଶ୍ରୀ ଗୌରବ ଯୋଗଦେଇଥିଲେ। ଆଜିର ଡିଜିଟାଲ୍‌ ଯୁଗରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଏବଂ ବିଭିନ୍ନ ଡିଜିଟାଲ୍ ଟେକନୋଲୋଜିର ପ୍ରୟୋଗ ମାଧ୍ୟମରେ ସଂଗ୍ରହାଳୟରେ ରହିଥିବା ତଥ୍ୟ, ବିବରଣୀକୁ କିପରି ରୋଚକ ଭାବରେ ଦର୍ଶକମାନଙ୍କ ଆଗରେ ପ୍ରସ୍ତୁତ କରିପାରିବା, ଯୁବପିଢ଼ି ଯେପରି ଆମ ଗୌରବମୟ ଇତିହାସ ଓ ସଭ୍ୟତା ସହ ପରିଚିତ ହୋଇପାରିବେ ଏବଂ ସଂଗ୍ରହାଳୟ ମାଧ୍ୟମରେ ଆମ ଭାଷା, ସାହିତ୍ୟ, ସଂସ୍କୃତିର ଯେପରି ବହୁଳ ପ୍ରଚାର ଓ ପ୍ରସାର ହୋଇପାରିବ ସେ ସମ୍ବନ୍ଧରେ ସମ୍ମାନିତ ଅତିଥି ଡ଼. ଜୀବନ କୁମାର ପଟ୍ଟନାୟକ ଏବଂ ଶ୍ରୀ ଗୌରବ ଆଲୋଚନା କରିଥିଲେ।

ଆଜିର ଆଲୋଚନା ଚକ୍ରରେ ଓଡ଼ିଶା ସାହିତ୍ୟ ଏକାଡେମୀର ସଚିବ ଡ଼. ଚନ୍ଦ୍ର ଶେଖର ହୋତା ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ସୁଶ୍ରୀ ଦେବଯାନୀ ଭୂୟାଁ ଉପସ୍ଥିତ ଥିଲେ। ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧିକ୍ଷକ ଶ୍ରୀ ହଳଧର ନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ପ୍ରକାଶଯୋଗ୍ୟ ଯେ, ନିକଟ ଅତୀତରେ ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ପ୍ରାଗ-ଐତିହାସିକ ଗ୍ୟାଲେରୀ, ରାଜକୀୟ ଓ ହାତୀଦାନ୍ତ ଗ୍ୟାଲେରୀ, ପ୍ରାଣୀ ବିଜ୍ଞାନ ଗ୍ୟାଲେରୀ, ଖଣି ଓ ଭୂ-ତତ୍ତ୍ୱ ଗ୍ୟାଲେରୀ , କଣ୍ଢେଇ ଗ୍ୟାଲେରୀ, ମୁଖା ଗ୍ୟାଲେରୀ, ଜନଜାତି ଗ୍ୟାଲେରୀ , ହସ୍ତତନ୍ତ ଗ୍ୟାଲେରୀ ଏବଂ ପରିଚୟ କକ୍ଷ ଆଦି ନଅ ଗୋଟି ନୂଆ ଗ୍ୟାଲେରୀ ଉଦ୍‌ଘାଟିତ ହୋଇଛି। ଏହି ସବୁ ଗ୍ୟାଲେରୀ ଓଡ଼ିଶାର ଇତିହାସ, ଭୂଗୋଳ, କଳା, ସାହିତ୍ୟ ଓ ସଂସ୍କୃତି ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ପ୍ରଦାନ କରିବା ସହିତ ସଂଗ୍ରହାଳୟକୁ ବୁଲି ଦେଖିବା ପାଇଁ ରାଜ୍ୟ ବାହାରୁ ଆସୁଥିବା ଦର୍ଶକମାନଙ୍କ ମଧ୍ୟରେ ବେଶ୍ ଆଦୃତି ଲାଭ କରିପାରିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking