30.1 C
Bhubaneswar
Thursday, February 5, 2026
Homeଓଡିଶାସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିଦର୍ଶନରେ କ୍ରୀଡ଼ା ମନ୍ତ୍ରୀ

ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିଦର୍ଶନରେ କ୍ରୀଡ଼ା ମନ୍ତ୍ରୀ

ଭୁବନେଶ୍ୱର: ଆଜି କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ତମାଣ୍ଡୋ ସ୍ଥିତ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ ପରିଦର୍ଶନରେ ଯାଇଥିଲେ। ଏହି ଅବସରରେ ମନ୍ତ୍ରୀ ଶ୍ରୀ ସୂରଜ ମହାବିଦ୍ୟାଳୟର ଏକାଡେମିକ୍ ବିଲଡିଂ, ପାଠାଗାର, ଛାତ୍ରାବାସ, କ୍ରୀଡ଼ା ଭିତ୍ତିଭୂମି ଯଥା ଫୁଟବଲ୍‌ ଗ୍ରାଉଣ୍ଡ, ଆଥଲେଟିକ୍ ଟ୍ରାକ୍, ଇଣ୍ଡୋର ସୁମିଙ୍ଗ ପୁଲ୍‌ ଆଦି ବୁଲି ଦେଖିବା ସହିତ ବିଭିନ୍ନ ନିର୍ମାଣଧୀନ ପ୍ରକଳ୍ପ ଏବଂ ମହାବିଦ୍ୟାଳୟରେ ମଲ୍ଟି ପରପସ୍‌ ହଲ୍‌ ଓ ମର୍ଡନ୍‌ ଆଇସିଟି ଲ୍ୟାବ୍ ନିର୍ମାଣ ପାଇଁ କରାଯାଉଥିବା କାର୍ଯ୍ୟର ସମୀକ୍ଷା କରିଥିଲେ। ଏଥିସହିତ ମହାବିଦ୍ୟାଳୟର ଭିତ୍ତିଭୂମିକୁ ସୁଦୃଢ଼ କରିବା ନିମନ୍ତେ କରାଯାଉଥିବା ସମସ୍ତ ଉନ୍ନୟନମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟକୁ ନିର୍ଦ୍ଧିଷ୍ଟ ସମୟସୀମା ମଧ୍ୟରେ ସମାପ୍ତ କରିବା ନିମନ୍ତେ ମନ୍ତ୍ରୀ ଶ୍ରୀ ସୂରଜ ସମ୍ପୃକ୍ତ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ।

ଏହି ଅବସରରେ କ୍ରୀଡ଼ାମନ୍ତ୍ରୀ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟକ୍ଷ, ଶିକ୍ଷକ ଓ ଶିକ୍ଷୟିତ୍ରୀ ଏବଂ ସମସ୍ତ ଛାତ୍ରଛାତ୍ରୀମାନଙ୍କ ସହ ଓଡ଼ିଶାରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କ ବିକାଶ ନିମନ୍ତେ ସରକାରଙ୍କ ପକ୍ଷରୁ ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଓ କାର୍ଯ୍ୟକ୍ରମ ସମ୍ବନ୍ଧରେ ସବିସ୍ତୃତ ଆଲୋଚନା କରିଥିଲେ। ମନ୍ତ୍ରୀ ଶ୍ରୀ ସୂରଜ କହିଥିଲେ ଯେ, ରାଜ୍ୟରେ କ୍ରୀଡ଼ା ଓ କ୍ରୀଡ଼ାବିତମାନଙ୍କର ବିକାଶ ନିମନ୍ତେ ତୃଣମୂଳ ସ୍ତରରୁ ଆମ ସରକାର କାର୍ଯ୍ୟ କରୁଛନ୍ତି। ତୃଣମୂଳ ସ୍ତରରେ କ୍ରୀଡ଼ା ଭିତ୍ତିଭୂମି ଓ କ୍ରୀଡ଼ା ପ୍ରତିଭାର ବିକାଶ ନିମନ୍ତେ ଲକ୍ଷ୍ୟ ରଖାଯାଇଛି। ମହାବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ଉପଯୁକ୍ତ ଶିକ୍ଷା ପ୍ରଦାନ କରାଯିବା ସହିତ ସେମାନଙ୍କର ଦକ୍ଷତା ବିକାଶ ଉପରେ ମଧ୍ୟ ଗୁରୁତ୍ୱାରୋପ କରାଯିବା ଉଚିତ। ଏଥିସହିତ ପାଠପଢ଼ା ସହିତ କ୍ରୀଡ଼ାକୁ କେବଳ ଏକ ପ୍ରତିଯୋଗିତା ବା ମେଡ଼ାଲ୍ ଜିତିବାର ଲକ୍ଷ୍ୟ ଭାବରେ ନୁହେଁ ବରଂ ନିଜ ଦୈନନ୍ଦିନ ଜୀବନଶୈଳୀରେ ସାମିଲ କରିବା ଉଚିତ୍‌ ବୋଲି ମନ୍ତ୍ରୀ ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ। ଆଗାମୀ ଦିନରେ ସରକାରୀ ଶାରୀରିକ ଶିକ୍ଷା ମହାବିଦ୍ୟାଳୟ, ତମାଣ୍ଡୋର ଭିତ୍ତିଭୂମିକୁ ଯେପରି ଆହୁରି ସୁଦୃଢ଼ କରାଯାଇପାରିବ ଓ ସମସ୍ତ ଛାତ୍ରଛାତ୍ରୀମାନଙ୍କର ଉତ୍ତମ ଭବିଷ୍ୟତ ନିର୍ମାଣ ପାଇଁ ଯେପରି ସମସ୍ତ ପ୍ରକାର ସୁବିଧା ଓ ସୁଯୋଗ ପ୍ରଦାନ କରାଯାଇପାରିବ ସେ ସମ୍ବନ୍ଧରେ ମଧ୍ୟ ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମହାବିଦ୍ୟାଳୟର କର୍ତ୍ତୃପକ୍ଷ ଏବଂ କ୍ରୀଡ଼ା ଓ ଯୁବସେବା ବିଭାଗର ବରିଷ୍ଠ ଅଧିକାରୀମାନଙ୍କ ସହିତ ଆଲୋଚନା କରିଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking