27.1 C
Bhubaneswar
Friday, December 5, 2025
Homeଓଡିଶାସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ମାନ୍ୟବର...

ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ଉପରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ଭୁବନେଶ୍ୱର:  ରାଜ୍ୟ ପୁଲିସକୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା। ସଠିକ୍ ଭାବେ ଦାୟିତ୍ବ ନିର୍ବାହ, ପ୍ରତିକୂଳ ପରିସ୍ଥିତିରେ କାମ କରିଥିବାରୁ ପୁଲିସକୁ ଧନ୍ୟବାଦ୍ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ସରକାର କୌଣସି ରାଜନୀତିକ ଚାପର ବଶବର୍ତ୍ତୀ ନହୋଇ କିମ୍ବା ରାଜନୈତିକ ସଂରକ୍ଷଣ ନନେଇ ଆଇନ ଅନୁଯାୟୀ ପଦକ୍ଷେପ ନେଇଛନ୍ତି। ଆଇନଶୃଙ୍ଖଳା ପରିସ୍ଥିତି ସଠିକ୍ ଥିବାରୁ ଏହା ସମ୍ଭବ ହୋଇଛି ।  ମୁଖ୍ୟମନ୍ତ୍ରୀ ନିଜର ଅଭିଭାଷଣ ରଖି କହିଛନ୍ତି, ରାଜ୍ୟର ଶାସନ-ମୁଖ୍ୟ ତଥା ବିଭାଗୀୟ ମନ୍ତ୍ରୀ ଭାବେ ମୁଁ ସର୍ବପ୍ରଥମେ ଓଡିଶା ପୋଲିସ ସୂଚାରୁ ରୂପେ ନିଜର ଦାୟିତ୍ଵ ନିର୍ବାହ କରିଥିବାରୁ ଧନ୍ୟବାଦ ଜଣାଉଛି।  ସମସ୍ତ ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ, ସବୁ ପ୍ରକାର ରାଜନୈତିକ ଆଲୋଚନା ସମାଲୋଚନା ଭିତରେ ପୋଲିସର ପ୍ରତ୍ଯେକ ବିଭାଗ ନିଜ ନିଜ କର୍ତ୍ତବ୍ୟ ସଠିକ ରୂପେ ସମ୍ପାଦନ କରି ଆସୁଛନ୍ତି । ଗତ ପ୍ରାୟ ଅଠର ମାସ ଭିତରେ ରାଜ୍ୟ ପୋଲିସର ଯଦି କେବଳ ଗୋଟିଏ ସଫଳତା ମୋତେ ପଚାରିବେ, ତେବେ ମୁଁ କହିବି, “କୌଣସି ରାଜନୈତିକ ଚାପର ବଶବର୍ତ୍ତୀ ନ ହୋଇ ଅପରାଧୀଙ୍କ ବିରୋଧରେ ଆଇନ ଅନୁଯାୟୀ ଦୃଢ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଏବଂ କୌଣସି ଅପରାଧୀଙ୍କୁ ରାଜନୈତିକ ସଂରକ୍ଷଣ ଦେଇନାହାନ୍ତି।“

ଯେ କୌଣସି ରାଜ୍ୟ ପାଇଁ ଗୃହ ବିଭାଗ ହେଉଛି ସବୁଠାରୁ ଗୁରୁତ୍ତ୍ୱପୂର୍ଣ୍ଣ ବିଭାଗ । କାରଣ ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିର ରହିଲେ, ରାଜ୍ୟ ଶାନ୍ତିପ୍ରିୟ ହେଲେ, ତେବେ ରାଜ୍ୟବାସୀ ସୁଖରେ ଜୀବନ ଯାପନ କରିବେ ଏବଂ ନିବେଶ ପାଇଁ ଉଦ୍ୟୋଗପତି ମାନେ ଆସିବେ।

ଗୃହରେ ସେପଟେ ବସିଥିବା ବିରୋଧୀ ଦଳର ଅନେକ ସଦସ୍ୟ ଓ ସଦସ୍ୟା ଆମ ସରକାର ଅମଳରେ ଆଇନ ଶୃଙ୍ଖଳା ଉପରେ ପ୍ରଶ୍ନବାଚୀ ଉଠାଇଛନ୍ତି। ସରକାରଙ୍କୁ ପ୍ରଶ୍ନ ପଚାରିବା ଓ ସରକାରଙ୍କୁ ସମାଲୋଚନା କରିବା ତାଙ୍କର ସାମ୍ବିଧାନିକ ଅଧିକାର। ସେଥିରେ କିଛି ଅସୁବିଧା ନାହିଁ। କିନ୍ତୁ, ଆମ ଓଡିଶାର ଗାଁ ଗହଳିରେ ଲୋକପ୍ରିୟ ଢଗ ଅଛି, ‘କହି ଦେଉଥାଏ ପରକୁ, ବୁଦ୍ଧି ନ ଦିଶଇ ନିଜକୁ’। ବୋଧହୁଏ, ସେପଟେ ବସିଥିବା ବନ୍ଧୁମାନେ NCRB (National Crime Records Bureau) ଦ୍ଵାରା ପ୍ରକାଶିତ ସଦ୍ୟତମ ରିପୋର୍ଟ ପଢି ଆସି ନାହାନ୍ତି। ରିପୋର୍ଟକୁ ଟିକେ ଭଲ ଭାବେ ଅନୁଧ୍ୟାନ କରିଥିଲେ, ବୋଧହୁଏ, ଆମ ସରକାରଙ୍କୁ ଅଙ୍ଗୁଳି ଉଠାଇବା ପୂର୍ବରୁ ନିଶ୍ଚିତ ଭାବେ ଲଜ୍ଜିତ ହୋଇ ଥାଆନ୍ତେ। କିନ୍ତୁ, ମୁଁ ଆପଣମାନଙ୍କ ମାଧ୍ୟମରେ ବିରୋଧୀ ଦଳର ମାନ୍ୟବର ସଦସ୍ୟ ଓ ସଦସ୍ୟା ମାନଙ୍କୁ ତାଙ୍କ ସରକାର ଅମଳରେ ଆଇନ ଶୃଙ୍ଖଳା ପରିସ୍ଥିତିର ଚିତ୍ର ଟିକେ ଦେଖାଇବାକୁ ଚାହିଁବି। NCRB ର ୨୦୨୩ ମସିହା ପାଇଁ ପ୍ରକାଶିତ ତଥ୍ୟ ଅନୁସାରେ –

• ୨୦୨୩ ମସିହାରେ ଦଣ୍ଡନୀୟ ଅପରାଧର ସଂଖ୍ୟା ଥିଲା ୧ ଲକ୍ଷ ୯୯ ହଜାର ୯୫୪ ଯାହା ପୂର୍ବବର୍ଷ ତୁଳନାରେ ୧୨.୨ ପ୍ରତିଶତ ଅଧିକ।
• ୨୦୨୩ ମସିହାର ନାରୀ ନିର୍ଯ୍ୟାତନା ରିପୋର୍ଟ ଦେଖିଲେ ଏ ଗୃହରେ ଉପସ୍ଥିତ ସମସ୍ତଙ୍କ ମୁଣ୍ଡ ଲଜ୍ୟାରେ ତଳକୁ ହୋଇଯିବ।
• ଏହା ଅତ୍ୟନ୍ତ ଦୁଃଖ ଓ କ୍ଷୋଭର ବିଷୟ, ସାରା ଦେଶରେ ଜନସଂଖ୍ୟାର ଅନୁପାତ ହିସାବରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା କ୍ଷେତ୍ରରେ ଓଡିଶାର ସ୍ଥାନ ପ୍ରଥମ। ୨୦୨୩ ମସିହାରେ ମହିଳାମାନଙ୍କ ବିରୁଦ୍ଧରେ ହିଂସା ଥିଲା ୨୫ ହଜାର ୯୧୪, ଅର୍ଥାତ ପୂର୍ବବର୍ଷ ତୁଳନାରେ ୯.୬ ପ୍ରତିଶତ ବୃଦ୍ଧି ।

• ଏହାଠାରୁ ଆହୁରି ଚିନ୍ତାଜନକ ବିଷୟ ହେଉଛି, ମହିଳାଙ୍କ ସମ୍ମାନ ହାନି ପାଇଁ ଆକ୍ରମଣ (Outraging Modesty of Women) କେସ୍ ହେଉଛି ୫ ହଜାର ୯୩୭, ଯାହା ସାରା ଦେଶରେ ଦ୍ଵିତୀୟ ସର୍ବାଧିକ କିନ୍ତୁ ଜନସଂଖ୍ୟା ଅନୁପାତରେ ସବୁଠାରୁ ଅଧିକ।
• ସେହିପରି ମହିଳାଙ୍କୁ ସର୍ବସାଧାରଣରେ ନିର୍ବସ୍ତ୍ର କରିବାର ଘଟଣା ହୋଇଥିଲା ୧ ହଜାର ୯୭୮, ଯାହାର  ହାର ହେଉଛି ଏକ ଲକ୍ଷରେ ୨୫.୮, ଅର୍ଥାତ୍ ସାରା ଦେଶରେ ସର୍ବାଧିକ।

• ସେହିପରି ମାନବ ଚାଲାଣ କ୍ଷେତ୍ରରେ ଓଡିଶା ସାରା ଦେଶରେ ପ୍ରଥମ ।
• ୨୦୧୦ ରୁ ୨୦୨୩ ମଧ୍ୟରେ ସାଇବର ଅପରାଧରେ ୩୫ ଗୁଣ ବୃଦ୍ଧି ପାଇଛି ।
• IPC କେସ୍ ରେ ଦଣ୍ଡବିଧାନ ହାର ହେଉଛି ମାତ୍ର ୨୯.୩ ପ୍ରତିଶତ, ଯେତେବେଳେ ଜାତୀୟ ହାର ଥିଲା ୫୪ ପ୍ରତିଶତ।
• କିନ୍ତୁ, ସବୁଠାରୁ ଉଦବେଗଜନକ ଏବଂ ଲଜ୍ଜା ଜନକ ପରିସ୍ଥିତି ହେଉଛି, ମହିଳା ହିଂସା ଓ ଅତ୍ୟାଚାର ବିରୁଦ୍ଧର ଦଣ୍ଡ ବିଧାନ ହାର ହେଉଛି ମାତ୍ର ନୈରାଶ୍ୟ ଜନକ ୬.୯ ପ୍ରତିଶତ। ପୂର୍ବବର୍ଷ ଠାରୁ ବି ଏହା କମ୍, ଯାହା ୨୦୨୨ ମସିହାରେ ଥିଲା ୯.୬ ପ୍ରତିଶତ।
ଯଦି ଏପରି ନୈରାଶ୍ୟଜନକ ଆଇନ ଶୃଙ୍ଖଳା ଏବଂ ଅପରାଧ ନିୟନ୍ତ୍ରଣ ରେକର୍ଡ ଆପଣଙ୍କ ସୁଶାସନର ସଂଜ୍ଞା ହୁଏ, ତେବେ ତାହା ଆପଣଙ୍କୁ ମୁବାରକ୍, ଆମକୁ ଏମିତି ସୁଶାସନର ଆବଶ୍ୟକ ନାହିଁ।

ସାମଗ୍ରିକ ଭାବରେ ରାଜ୍ୟରେ ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣାଧୀନ ଅଛି, ଶାନ୍ତିପୂର୍ଣ୍ଣ ଅଛି। ଏହାର ପ୍ରମାଣ ହେଉଛି, ଗତ ଦେଢ ବର୍ଷ ମଧ୍ୟରେ ଓଡିଶାରେ ଅନେକ ଜାତୀୟ ଓ ଅନ୍ତର୍ଜାତୀୟ କାର୍ଯ୍ୟକ୍ରମ ଓ ସମ୍ମିଳନୀ ଅନୁଷ୍ଠିତ ହୋଇଆସୁଛି, ଯେପରିକି ମାନନୀୟ ପ୍ରଧାନମନ୍ତ୍ରୀଙ୍କ ସାତ ସାତ ଥର ଓଡ଼ିଶା ଆଗମନ, ଓଡିଶାରେ ଜାତୀୟ ପୋଲିସ ଡିଜି ସମ୍ମିଳନୀ, ପ୍ରବାସୀ ଭାରତୀୟ ଦିବସ, ଉତ୍କର୍ଷ ଓଡିଶା-ମେକ୍ ଇନ୍ ଓଡିଶା ସମ୍ମିଳନୀ, ଭାରତୀୟ ରୋଡ କଂଗ୍ରେସ ସମ୍ମିଳନୀ, ନୌସେନା ଦିବସ, ଅନ୍ତର୍ଜାତୀୟ ଲାଇଟ୍ ହାଉସ ଫେଷ୍ଟିଭାଲ, ମାନ୍ୟବର ରାଷ୍ଟ୍ରପତିଙ୍କ ବିଭିନ୍ନ ଅବସରରେ ଓଡିଶା ଆଗମନ ବି ହୋଇଛି।
ପୋଲିସ ପ୍ରଶାସନର ସୁ-ବନ୍ଦୋବସ୍ତ ଯୋଗୁଁ ସମସ୍ତ କାର୍ଯ୍ୟକ୍ରମ ଶାନ୍ତି ଶୃଙ୍ଖଳାର ସହ ସମାହିତ ହୋଇଥିଲା I
ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ସାମ୍ପ୍ରଦାୟିକ ସଦଭାବ ବଜାୟ ରହିଛି । ସମୟୋପଯୋଗୀ ଗୁଇନ୍ଦା ତଥ୍ୟ ଏବଂ ପୋଲିସର ଆଗୁଆ ପଦକ୍ଷେପ ଓ ଦୃଢ କାର୍ଯ୍ୟାନୁଷ୍ଠାନ ଫଳରେ କୌଣସି ବଡ ଧରଣର ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜି ନାହିଁ। କିଛି ଅଞ୍ଚଳରେ ଷଡଯନ୍ତ୍ର କରି ଆମ ସରକାରଙ୍କୁ ବଦନାମ କରିବା ପାଇଁ ଯେଉଁ ପ୍ରୟାସ କରାଯାଇଥିଲା, ଆମ ସରକାର ତାକୁ ଦୃଢ ହସ୍ତରେ ଦମନ କରିଛନ୍ତି।
ଓଡିଶା ପୋଲିସକୁ ଅଧିକ ସୁଦୃଢ, ସମୃଦ୍ଧ, କ୍ରିୟାଶୀଳ, ଆଧୁନିକୀକରଣ  ଏବଂ ସଶକ୍ତ କରିବା ପାଇଁ ରାଜ୍ୟ ସରକାର ବହୁ ବଳିଷ୍ଠ ପଦକ୍ଷେପମାନ ଗ୍ରହଣ କରୁଛନ୍ତି ।
ନିଯୁକ୍ତି ପ୍ରକ୍ରିୟା ଠାରୁ ଆରମ୍ଭ କରି ସାଇବର ଅପରାଧ ଦମନ ନିମନ୍ତେ ସ୍ୱତନ୍ତ୍ର ପଦକ୍ଷେପ,  ଥାନା ଏବଂ ଥାନାର ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟଶୈଳୀରେ ଆଧୁନିକୀକରଣ, ସାମୁଦ୍ରିକ ତଟ ସୁରକ୍ଷାର ସୁଦୃଢୀକରଣ, ମହିଳା ଓ ଶିଶୁ ସୁରକ୍ଷା ନିମନ୍ତେ ସ୍ଵତନ୍ତ୍ର ପଦକ୍ଷେପ, ପୋଲିସ କର୍ମଚାରୀଙ୍କ କଲ୍ୟାଣ ନିମନ୍ତେ ବିହିତ ପଦକ୍ଷେପ ଗୁଡିକ ଗ୍ରହଣ କରି ଗୃହ ବିଭାଗକୁ ଆହୁରି ଋଦ୍ଧିମନ୍ତ ତଥା କ୍ରିୟାଶୀଳ କରାଯିବା ପାଇଁ ପ୍ରୟାସ ଜାରି ରହିଛି ।
କିଛିଦିନ ତଳେ ନୂଆପଡ଼ା ଉପ-ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ସାଧାରଣ ପ୍ରଶାସନ ସହ ପୋଲିସ ପ୍ରଶାସନର ପ୍ରଭାବଶାଳୀ ଓ ସକ୍ରିୟ ଭୂମିକା ଯୋଗୁଁ ଏହି ଉପ-ନିର୍ବାଚନ ଶାନ୍ତିଶୃଙ୍ଖଳାର ସହିତ ସମାପ୍ତ ହୋଇଥିଲା।
ନକ୍ସଲ ପ୍ରଭାବିତ ଅଞ୍ଚଳରେ ମତଦାତା ମାନେ ବିନା ଭୟ ଓ ଅନୁକମ୍ପାରେ ଗଣତାନ୍ତ୍ରିକ ପଦ୍ଧତିରେ ସେମାନଙ୍କ ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।
ଭାରତର ଯଶସ୍ଵୀ ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦୀଜୀ ମହିଳା ମାନଙ୍କ ସୁରକ୍ଷାକୁ ସର୍ବଦା ପ୍ରାଥମିକତା ଦେଇଆସିଛନ୍ତି । ତାଙ୍କର ଦୃଢ ନେତୃତ୍ଵ ଓ ମାର୍ଗଦର୍ଶନରେ ମହିଳା, ଶିଶୁ ଓ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ବିରୋଧରେ ଘଟୁଥିବା ଅପରାଧର ତୁରନ୍ତ କାର୍ଯାନୁଷ୍ଠାନ ଏବଂ ତ୍ଵରିତ ବିଚାର ପ୍ରକ୍ରିୟା ମାଧ୍ୟମରେ ଦୋଷୀକୁ କଠୋର ଦଣ୍ଡବିଧାନ କରିବାକୁ ଆମ ସରକାର ସର୍ବୋଚ୍ଚ ପ୍ରାଧାନ୍ୟ ଦେଉଛନ୍ତି ।

ମୁଁ ଏଠାରେ ଉଲ୍ଲେଖ କରିବାକୁ ଚାହେଁ, ନାବାଳିକାଙ୍କ ବିରୋଧରେ ଘଟୁଥିବା ଅପରାଧକୁ ଦୃଢ଼ ହସ୍ତରେ ଦମନ କରିବାକୁ ଆମ ସରକାର ବଦ୍ଧପରିକର।  ବିଗତ କିଛି ଦିନ ଧରି ଓଡିଶା ପୋଲିସ ତଦନ୍ତକାରୀ ଅଧିକାରୀଙ୍କ ଉଚ୍ଚକୋଟିର ତଦନ୍ତ ଏବଂ ବୃତ୍ତିଗତ ଦକ୍ଷତା ଯୋଗୁଁ ଖୁବ କମ ଦିନରେ ପୋଲିସ୍ ଦୋଷୀଙ୍କୁ ଦଣ୍ଡ ବିଧାନ କରିବାରେ ଅଗ୍ରଣୀ ଭୂମିକା ଗ୍ରହଣ କରିଛି। ଉଦାହରଣ ସୂରୁପ, ସହରାଞ୍ଚଳ ପୋଲିସ ଜିଲ୍ଲା, ଭୁବନେଶ୍ୱରର  ଚନ୍ଦକା ଥାନାରେ POCSO    ଆଇନରେ  ରୁଜୁ ହୋଇଥିବା ଏକ ମାମଲା କୁ ୩୭ ଦିନ ମଧ୍ୟରେ ଏହାର ତଦନ୍ତ ଓ ବିଚାର ପ୍ରକ୍ରିୟା ସମାପ୍ତ କରି ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ ସହ ଜୋରିମାନା ଦଣ୍ଡରେ ଦଣ୍ଡିତ କରାଯାଇଛି।
ସେହିପରି, ମୁଁ ଏଠାରେ କହି ରଖିବାକୁ ଚାହେଁ, ମାଲକାନଗିରି, ଦେବଗଡ଼ ଏବଂ ସୋନପୁର ଜିଲ୍ଲାରେ Special Fast Track POCSO  Courts ପ୍ରତିଷ୍ଠା ପାଇଁ ମାନ୍ୟବର ଉଚ୍ଚ ନ୍ୟାୟାଳୟ, ଓଡ଼ିଶାଙ୍କୁ ରାଜ୍ୟ ସରକାର ପ୍ରସ୍ତାବ ଦେଇଛନ୍ତି । ଖୁବ ଶୀଘ୍ର ଏହା ଅନୁମୋଦନ ପ୍ରାପ୍ତ ହେବ ବୋଲି ମୁଁ ଦୃଢ ଆଶାବାଦୀ।
ନିକଟରେ ପୋଲିସ ଗବେଷଣା ଓ ବିକାଶ ବ୍ୟୁରୋ, ନୂଆ ଦିଲ୍ଲୀ ପକ୍ଷରୁ ଅକ୍ଟୋବର ମାସ ସଂସ୍କରଣରେ ଏକ ରିପୋର୍ଟ ପ୍ରକାଶ ପାଇଥିଲା । ଯେଉଁଥିରେ ନୂଆ ଅପରାଧିକ  ଆଇନ ଅନୁଯାୟୀ ଓଡ଼ିଶା ପୋଲିସ ଦ୍ଵାରା ୫ଟି ମାମଲାକୁ ସ୍ଵଳ୍ପ ସମୟ ମଧ୍ୟରେ ତଦନ୍ତ କରାଯାଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିବା ସଂକ୍ରାନ୍ତରେ ଉଲ୍ଲେଖ କରାଯାଇଛି । ଯାହାକି ନୂତନ ଅପରାଧିକ ଆଇନ ଲାଗୁ ହେବା ପରେ ଓଡ଼ିଶା ପୋଲିସର ତଦନ୍ତ  ଦକ୍ଷତାକୁ ପ୍ରମାଣିତ କରୁଛି।

ସେହିଭଳି, ନୂତନ ଫୌଜଦାରୀ ଆଇନ କାର୍ଯ୍ୟକାରୀ ହେବା ପରେ ତା ୦୧.୦୭.୨୦୨୪ ରିଖରୁ ତା ୩୦.୦୯.୨୦୨୫ ରିଖ ମଧ୍ୟରେ ଭାରତୀୟ ନ୍ୟାୟ ସଂହିତା ଅଧୀନରେ ୩୯ ଟି ମାମଲାରେ ଅଭିଯୁକ୍ତ ମାନଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇ ୭ ବର୍ଷରୁ ଅଧିକ ଦଣ୍ଡ ବିଧାନ କରାଯାଇଛି ।

ଆମ ସରକାର ଶାସନକୁ ଆସିବାର ୧୫ ମାସ ଅର୍ଥାତ ତା ୦୧.୦୭.୨୦୨୪ ରିଖରୁ ତା ୩୦.୦୯.୨୦୨୫ ରିଖ ମଧ୍ୟରେ ମହିଳା ଓ ଶିଶୁମାନଙ୍କ ପ୍ରତି ହେଉଥିବା ଅପରାଧିକ ମାମଲାକୁ ଯଦି ତାର ପୂର୍ବବର୍ତ୍ତୀ ୧୫ ମାସ ଅର୍ଥାତ ତା ୦୧.୦୪.୨୦୨୩ ରୁ ତା ୩୦.୦୬.୨୦୨୪ ମଧ୍ୟରେ ହୋଇଥିବା ଉକ୍ତ ଅପରାଧକୁ ତୁଳନା କରାଯାଏ, ତେବେ ଅପରାଧ ସଂଖ୍ୟା ଅପେକ୍ଷାକୃତ ଭାବେ  ସ୍ଥିର ରହିଛି ।
⮚ ଦୁଷ୍କର୍ମ ମାମଲା ୩.୩ % ହ୍ରାସ ପାଇଛି ।
⮚ ଅସଦାଚରଣ ମାମଲା ୧.୯ % ହ୍ରାସ ପାଇଛି ।
⮚ ଯୌନ ନିର୍ଯାତନା ମାମଲାରେ ୦.୭ % ସାମାନ୍ୟ ବୃଦ୍ଧି ପାଇଛି ।
⮚ ସର୍ବସାଧାରଣରେ ନିର୍ବସ୍ତ୍ର ମାମଲାରେ ୨୨.୨ % ହ୍ରାସ ପାଇଛି।
⮚ ମହିଳାମାନଙ୍କ ଉପରେ ଏସିଡ୍ ଆକ୍ରମଣ ମାମଲାରେ  ୬୬.୭ % ହ୍ରାସ ପାଇଛି ।
⮚ ମହିଳା ଚାଲାଣ ମାମଲାରେ  ୨୪.୧ % ହ୍ରାସ ପାଇଛି ।
⮚ ଯୌତୁକ ହତ୍ୟା ମାମଲାରେ  ୨୦.୬ % ହ୍ରାସ ପାଇଛି ।
⮚ ଯୌତୁକ ନିର୍ଯାତନା ମାମଲାରେ ୭.୨ % ହ୍ରାସ ପାଇଛି ।
ସେହିଭଳି, ଉକ୍ତ ସମୟସୀମା ମଧ୍ୟରେ କେତେକ ପ୍ରମୁଖ ଅପରାଧ ଶୀର୍ଷକରେ ମାମଲା ସଂଖ୍ୟା ହ୍ରାସ ପାଇଛି ।
⮚ ହତ୍ୟା ୬.୧ % ହ୍ରାସ ପାଇଛି।
⮚ ଡକାୟତି ୫.୫ % ହ୍ରାସ ପାଇଛି।
⮚ ଲୁଟ୍  ୩୩.୮ % ହ୍ରାସ ପାଇଛି।
⮚ ଦଙ୍ଗା ୨୨.୨ % ହ୍ରାସ ପାଇଛି।
ମାନବ ଚାଲାଣ ଓ ଶିଶୁ ନିଖୋଜ ସମସ୍ୟାର ମୁକାବିଲା କରିବା ପାଇଁ ଆମ ଓଡ଼ିଶାର ୩୬ ଟି ପୋଲିସ ଜିଲ୍ଲାରେ ୩୬ ଟି ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖା ଏବଂ ମହିଳା ଓ ଶିଶୁ ଅପରାଧ ନିରାକରଣ ଶାଖାରେ ଗୋଟିଏ ସମନ୍ଵିତ ମାନବ ଚାଲାଣ ପ୍ରତିରୋଧ ଶାଖା କାର୍ଯ୍ୟ କରୁଛି ।

ନିଖୋଜ ମହିଳା ଓ ଶିଶୁ ମାନଙ୍କର ଉଦ୍ଧାର ପାଇଁ ପୋଲିସ ତରଫରୁ ନିୟମିତ ବ୍ୟବଧାନରେ ସ୍ବତନ୍ତ୍ର ଅଭିଯାନ ଚାଲିଛି।
ଜିଲ୍ଲା ଗୁଡ଼ିକରେ ଜଣେ ଅତିରିକ୍ତ ଏସପିଙ୍କ ନେତୃତ୍ୱରେ ମହିଳା ସମ୍ପର୍କିତ ସମ୍ବେଦନଶୀଳ ମାମଲାଗୁଡ଼ିକର ତଦନ୍ତ ପାଇଁ ଜିଲ୍ଲାସ୍ତରରେ ୨୯ଟି IUCAW (Investigating Units for Crime Against Women) କାର୍ଯ୍ୟକରୁଛି। ନିକଟରେ ରାଜ୍ୟ ସରକାର ଏକ ନୂତନ IUCAW  ୟୁନିଟ ମଞ୍ଜୁର କରିଥିବାବେଳେ, ଆଉ ୫ଟି IUCAW ୟୁନିଟ ସୃଷ୍ଟି ପାଇଁ ପ୍ରସ୍ତାବ ବିଚାରାଧୀନ ଅଛି ।  ସେହିପରି, ରାଜ୍ୟର ୬୪୯ଟି ଥାନାରେ ମହିଳା ଏବଂ ଶିଶୁ ଡେସ୍କ କାର୍ଯ୍ୟ କରୁଅଛି । ମହିଳା ଓ ଶିଶୁଙ୍କ ସୁରକ୍ଷା ଆମ ସରକାରର ସର୍ବୋଚ୍ଚ ପ୍ରାଥମିକତାI ଏହି ପରିପ୍ରେକ୍ଷୀରେ, ମହିଳା Help-line ସ୍ଥାପନ ଓ ଦୃଢୀକରଣ, ସଂବେଦନଶୀଳ ଅଞ୍ଚଳରେ ସିସିଟିଭି ସ୍ଥାପନା, ଶିଶୁ ଅନୂକୁଳ ଥାନା ସ୍ଥାପନ ଆଦି ବିଭିନ୍ନ କାର୍ଯ୍ୟକୁ ସମନ୍ଵିତ କରି ସୁଭଦ୍ରା ସୁରକ୍ଷା ଯୋଜନାରେ ୨୦୨୫-୨୬ ଆର୍ଥିକ ବର୍ଷ ନିମନ୍ତେ ୧୫୨ କୋଟି ୬୬ ଲକ୍ଷ  ଟଙ୍କା ବ୍ୟୟ ବରାଦ କରିଛନ୍ତି, ଯାହା ମହିଳା ସୁରକ୍ଷା କ୍ଷେତ୍ରରେ ଏକ ଯୁଗାନ୍ତକାରୀ ପଦକ୍ଷେପ।

ମାଓବାଦୀ ଦମନ କ୍ଷେତ୍ରରେ ଓଡ଼ିଶା ପୋଲିସ ଉଲ୍ଲେଖନୀୟ ସଫଳତା ହାସଲ କରିଛି । ମାର୍ଚ୍ଚ ୨୦୨୬ ସୁଦ୍ଧା ଦେଶରେ ନକ୍ସଲ ଉଗ୍ରବାଦ ମୂଳୋତ୍ପାଟନ ଲକ୍ଷ୍ୟ ନେଇ ଓଡିଶା ପୋଲିସ ସଫଳତାର ସହ ମାଓ ମୁକାବିଲା କରିଅଛି। ମାଓପ୍ରବଣ ଜିଲ୍ଲା ଗୁଡିକରେ ସୁରକ୍ଷା ବାହିନୀ ମୁତୟନ କରାଯାଇ ଅପରେସନକୁ ଜୋରଦାର କରାଯାଉଛି।

ଚଳିତବର୍ଷ ଅଦ୍ୟାବଧି (୩୧.୧୦.୨୦୨୫ ତାରିଖ ସୁଦ୍ଧା) ଓଡ଼ିଶା ପୋଲିସ ଓ ଛତିଶଗଡ ପୋଲିସ ସୁରକ୍ଷା ବାହିନୀଙ୍କ ମିଳିତ ଅଭିଯାନରେ ୧୭ ଜଣ ମାଓବାଦୀଙ୍କର ମୃତ୍ୟୁ ଘଟିଛି । ସେହିପରି ଓଡ଼ିଶା ପୋଲିସର ସୁରକ୍ଷା ବାହିନୀଙ୍କ ଅଭିଯାନରେ ୨ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ତନ୍ମଧ୍ୟରେ, କେନ୍ଦ୍ରୀୟ କମିଟି ସଦସ୍ୟ ଚଳପତିଙ୍କ ସମେତ ଦୁଇ ଜଣ ରାଜ୍ୟ କମିଟି ସଦସ୍ୟ ଏବଂ ଜଣେ ଡିଭିଜିନାଲ କମିଟି ସଦସ୍ୟ ଅନ୍ତର୍ଭୁକ୍ତ । ସେହିପରି ୭  ଜଣ ମାଓବାଦୀଙ୍କୁ ଗିରଫ କରାଯାଇଥିବା ବେଳେ ୪ ଜଣ ଆତ୍ମସମର୍ପଣ କରିଛନ୍ତି।ବିଭିନ୍ନ ସମୟରେ ସୁରକ୍ଷା ବାହିନୀଙ୍କ କାର୍ଯ୍ୟାନୁଷ୍ଠାନରେ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର, ଗୋଳାବାରୁଦ ଏବଂ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଅଛି ।

ଏହା ସହ ଗୃହ ବିଭାଗରେ ମାନବ ସମ୍ବଳ ବିକାଶ ଦିଗରେ ଆମ ସରକାର ଯଥେଷ୍ଟ ପଦକ୍ଷେପ ଗ୍ରହଣ କରୁଛନ୍ତି I ଗୃହ ବିଭାଗରେ ସର୍ବମୋଟ ୧୫ ହଜାର ୩୨୬  ଟି ନୂତନ ପଦବୀ ସୃଷ୍ଟି କରାଯାଇଛି । ୩ ହଜାର ୫୫୭ ଗୋଟି ବିଭିନ୍ନ ବର୍ଗର ପଦବୀର ନିଯୁକ୍ତି ପ୍ରକ୍ରିୟା ଜାରି ରହିଛି । ନିକଟ ଅତୀତରେ ସିଧାସଳଖ ନିଯୁକ୍ତି ପ୍ରକ୍ରିୟାରେ ୧ହଜାର ୮୫୮ ଜଣ କନେଷ୍ଟବଳ/ ସିପାହୀ, ୧୩୫ ଜଣ ଗୁର୍ଖା ସିପାହୀ ଏବଂ ୪୦୪ ଜଣ ଡ୍ରାଇଭର, ୧୭୭ ଜଣ କନିଷ୍ଠ କିରାଣୀଙ୍କୁ ନିଯୁକ୍ତି ଦିଆଯାଇଥିବା ବେଳେ ୧୯୧  ଜଣଙ୍କୁ ପୁନଃ ଥଇଥାନ ଯୋଜନାରେ ଗୃପ–ସି ଓ ଗୃପ-ଡି ପଦବୀରେ ନିଯୁକ୍ତି ଦିଆଯାଇ  ପୋଲିସ ବିଭାଗକୁ ସଶକ୍ତ ଓ ସମୃଦ୍ଧ କରାଯାଇଛି।   ଜରୁରୀକାଳିନ ସମୟରେ ତୁରନ୍ତ ସେବା ଯୋଗାଇ ଦେବାପାଇଁ ୨୦୨୧ ମସିହାରୁ କେନ୍ଦ୍ର ସରକାରଙ୍କ ସହାୟତାରେ Emergency Response Support System (ERSS) କାର୍ଯ୍ୟକାରୀ ହୋଇଆସୁଅଛି ।  ଏହି ବ୍ୟବସ୍ଥାରେ “ଡାଏଲ୍ ୧୧୨” ହେଲ୍ପଲାଇନ୍ ଓଡିଶାର ସମସ୍ତ ଜିଲ୍ଲାରେ କାର୍ଯ୍ୟ କରିବା ସହିତ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଯେପରିକି ପୋଲିସ (୧୦୦), ଅଗ୍ନିଶମ (୧୦୧), ରେଳ ମଦଦ (୧୩୯), ବିପର୍ଯ୍ୟୟ ପରିଚାଳନା (୧୦୭୦), ଆମ୍ବୁଲାନ୍ସ ସେବା (୧୦୮) ଏବଂ ଶିଶୁ ହେଲ୍ପଲାଇନ ସେବା (୧୦୯୮) ସହିତ ସମନ୍ଵିତ ହୋଇଛି ।

ଉକ୍ତ ସେବାଗୁଡ଼ିକର ସଠିକ କାର୍ଯ୍ୟକାରିତା ପାଇଁ ପ୍ରଥମ ପର୍ଯ୍ୟାୟରେ ୧ ହଜାର ୯୯ଟି ପଦବୀ , ଦ୍ଵିତୀୟ ପର୍ଯ୍ୟାୟରେ ୯୩୫ ଟି ପଦବୀ ଏବଂ ତୃତୀୟ ପର୍ଯ୍ୟାୟରେ ୪ ହଜାର ୧୯୫ ଟି ପଦବୀ ରାଜ୍ୟ ସରକାରଙ୍କ ଦ୍ଵାରା  ସୃଷ୍ଟି କରାଯାଇଛି । ସେହିପରି ସାଇବର ଅପରାଧ ଦମନ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ସ୍ଵତନ୍ତ୍ର ପଦକ୍ଷେପ ଗ୍ରହଣ କରାଯାଉଛି। ସାଇବର ଅପରାଧ ତଦନ୍ତର ଦୃଢୀକରଣ ନିମନ୍ତେ ବିଭିନ୍ନ ବର୍ଗର ୯୯୯ ଗୋଟି ପଦବୀ ନେଇ ୨୧  ଟି ନୂତନ ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ସୃଷ୍ଟି କରାଯାଇଛି । ଏହାଛଡା, ସାଇବର ଅପରାଧ ଓ ଅର୍ଥନୈତିକ ଅପରାଧ ଥାନା ପାଇଁ  ୧୭୦ ଗୋଟି ସାଇବର ଏକ୍ସପର୍ଟ ପଦବୀ ସୃଷ୍ଟି କରାଯାଇଛି ।  ମହିଳା ଏବଂ ଶିଶୁଙ୍କ ବିରୁଦ୍ଧରେ ସାଇବର ଅପରାଧର ତଦନ୍ତ ପାଇଁ CID-CB ଅଧୀନରେ ଏକ “ଶିଶୁ ଓ ମହିଳା ଅନଲାଇନ୍ ଅପବ୍ୟବହାର ମନିଟରିଂ ୟୁନିଟ୍” କାର୍ଯ୍ୟ କରୁଛି।

ରାଜ୍ୟର ନାଗରିକମାନଙ୍କ ମଧ୍ୟରେ ସାଇବର ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ୧୮ ଅକ୍ଟୋବର ୨୦୨୫ ରେ ୧୬ଟି ସାଇବର ରଥକୁ ପତାକା ଦେଖାଇ “Stop, Verify, Be Secure”  ନାମକ ଏକ ଶକ୍ତିଶାଳୀ ଟ୍ୟାଗ୍-ଲାଇନ୍ ସହିତ ସାଇବର ସୁରକ୍ଷା ଅଭିଯାନ-୨୦୨୫ ଶୁଭାରମ୍ଭ କରାଯାଇଥିଲା ।

ଥାନା ଏବଂ ଥାନାର ତଦନ୍ତକାରୀ ଅଧିକାରୀଙ୍କ କାର୍ଯ୍ୟରେ ଆଧୁନିକୀକରଣ ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇଛି। ଥାନାର ପ୍ରତ୍ୟେକ ତଦନ୍ତକାରୀ ଅଧିକାରୀଙ୍କ ନିମନ୍ତେ ଲାପଟପ୍, ସ୍ମାର୍ଟଫୋନ୍, ହାର୍ଡଡିସ୍କ, ପେନଡ୍ରାଇଭ, Investigation kit ପ୍ରଦାନ କରାଯିବାକୁ ପଦକ୍ଷେପ ନିଆଯାଇଛି।

ଫରେନସିକ ସାଇନ୍ସ ଲାବୋରେଟୋରୀ ବିଭାଗରେ ୨୪୭ ନୂତନ ପଦବୀ ସୃଷ୍ଟି କରାଯିବା ସହ ତଦନ୍ତ ପ୍ରକ୍ରିୟାକୁ ଅଧିକ କ୍ରିୟାଶୀଳ ଏବଂ ବୈଜ୍ଞାନିକ ସମ୍ମତ କରିବାପାଇଁ ୩୬ ଟି Mobile Forensic Van ଆଣିବାକୁ ବ୍ୟବସ୍ଥା କରାଯାଇଛି।
ଓଡିଶା ଉପକୂଳ ସୁରକ୍ଷାକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାର ଆର୍ଥିକ ବର୍ଷ ୨୦୨୫-୨୬ ର ସାଧାରଣ ବଜେଟରୁ ₹149.96 କୋଟି ଟଙ୍କାର ଅଭୂତପୂର୍ବ ପାଣ୍ଠି ଅନୁମୋଦନ କରିଛନ୍ତି। ସମୁଦ୍ର ଉପକୂଳ ସର୍ଭେଲାନ୍ସ ପାଇଁ ୧୦ ଗୋଟି ଉନ୍ନତମାନର ଡ୍ରୋନ କ୍ରୟ କରାଯାଇ ନିଯୋଜିତ କରାଯାଇଛି ।

ସେହିପରି ପୋଲିସ ଅଧିକାରୀ ଓ କର୍ମଚାରୀଙ୍କ କଲ୍ୟାଣକୁ ଦୃଷ୍ଟିରେ ରଖି ଆମ ସରକାର କନେଷ୍ଟବଳ ଠାରୁ ଇନ୍ସପେକ୍ଟର ପର୍ଯ୍ୟନ୍ତ ପୋଷାକ ଭତ୍ତା ବୃଦ୍ଧି କରିଛନ୍ତି ଓ କନେଷ୍ଟବଳ, ହାବିଲଦାରଙ୍କୁ ବର୍ଦ୍ଧିତ ହାରରେ ଏକମାସର ଅତିରିକ୍ତ ଦରମା ପ୍ରଦାନ କରାଯାଇଛି ।
ନିୟମିତ ବ୍ୟବଧାନରେ ସ୍ୱତନ୍ତ୍ର ଅଭିଯାନ ଚଳାଇ ନିଶା କାରବାର ଜନିତ ସଂଗଠିତ ଅପରାଧ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ ଓଡ଼ିଶା ପୋଲିସର ଭୂମିକା ପ୍ରଶଂସନୀୟ । ବିଗତ କିଛିଦିନ ଧରି ପୋଲିସ ପକ୍ଷରୁ “ଅପରେସନ ପ୍ରହାର”, “ଅପରେସନ ଗଜ”, “ଅପରେସନ ଚକ୍ର”, “ଅପରେସନ ଅଗ୍ନି”, “ଅପରେସନ ଗରୁଡ” ଭଳି ଅଭିଯାନ ଆରମ୍ଭ କରାଯାଇ ଅପରାଧୀଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବାରୁ ମୁଁ ସନ୍ତୋଷ ବ୍ୟକ୍ତ କରୁଛି।

ଗୃହ ବିଭାଗର ଆଉ ଗୋଟିଏ ମୁଖ୍ୟ ଅଙ୍ଗ ହେଉଛି ଅଗ୍ନିଶମ ବିଭାଗ। ଓଡିଶାର ଅଗ୍ନିଶମ ବିଭାଗ ବିଗତ ବର୍ଷମାନଙ୍କରେ ଉଲ୍ଲେଖନୀୟ କାର୍ଯ୍ୟ କରି ସାରା ଦେଶରେ ପ୍ରଶଂସା ଭାଜନ ହୋଇ ପାରିଛି। ବିଶେଷ ଭାବେ, ପ୍ରାକୃତିକ ବିପର୍ଯ୍ୟୟ ଓ ଦୁର୍ଘଟଣା ସମୟରେ ଅନେକ ଧନ ଜୀବନ ରକ୍ଷା କରୁଛନ୍ତି। କିଛି ସଦସ୍ୟ ଅଗ୍ନିଶମ ବିଭାଗର ଆଧୁନିକିକରଣ ପାଇଁ ମତାମତ ଦେଇଛନ୍ତି। ଆମ ସରକାର ତାକୁ ଗୁରୁତର ସହିତ ବିଚାର କରିବେ ଏବଂ ଆଧୁନିକତମ ଉପକରଣ ପ୍ରଦାନ ପାଇଁ ନିଶ୍ଚିତ ଭାବେ ଆମ ସରକାର ବିଚାର କରିବେ।
ମୁଁ ଆପଣମାନଙ୍କ ମାଧ୍ୟମରେ ରାଜ୍ୟବାସୀଙ୍କୁ ନିର୍ଭର ପ୍ରତିଶୃତି ଦେବାକୁ ଚାହେଁ, ଓଡିଶାରେ ଅପରାଧୀଙ୍କ ପାଇଁ କୌଣସି କୋହଳ ମହୋଭାବ ପୋଷଣ କରାଯିବ ନାହିଁ। ବିଗତ ସରକାରରେ ତାଙ୍କ ପାଖରେ ଥିବା ‘Political Protection License’ ର ଅବଧି Expire ହୋଇ ସାରିଛି, ଏହା ଆଉ renewal ହେବାର କୌଣସି chance ନାହିଁ। ତେଣୁ, ସବୁ ଅପରାଧୀ ସୁଧୁରି ଯାଆନ୍ତୁ, ଅନ୍ଯଥା ମୁଁ ସେମାନଙ୍କୁ ସୁଧାରିବା ପାଇଁ ଆବଶ୍ୟକ ନିର୍ଦ୍ଦେଶାବଳୀ ପୋଲିସ ପ୍ରଶାସନକୁ ପ୍ରଦାନ କରିସାରିଛି। ଆଇନ ଶୃଙ୍ଖଳା ସହ ରିସ୍କ ନେବାକୁ ଯଦି ଚାହୁଁଛନ୍ତି, ସରକାର ଓ ପୋଲିସ ପ୍ରଶାସନ ସଂପୂର୍ଣ୍ଣ ଭାବେ ପ୍ରସ୍ତୁତ ଅଛି । ଏହା ମୁଁ ମୋ ପ୍ରିୟ ରାଜ୍ୟବାସୀଙ୍କୁ କଥା ଦେଉଛି  । ସମୃଦ୍ଧ ଓଡିଶା ଓ ବିକଶିତ ଭାରତର ସଂକଳ୍ପକୁ ସିଦ୍ଧିରେ ପରିଣତ କରିବା ପାଇଁ ଗୃହ ବିଭାଗର ଭୂମିକା ବେଶ୍ ଗୁରୁତ୍ଵପୂର୍ଣ୍ଣ। ଏକ ସୁଦୃଢ ଆଇନ ଶୃଙ୍ଖଳା ବ୍ୟବସ୍ଥା ରାଜ୍ୟର ଦ୍ରୁତ ଶିଳ୍ପାୟନ ଓ ସର୍ବବିଧ ବିକାଶ ପାଇଁ ନିତାନ୍ତ ଆବଶ୍ୟକ।ମହିଳା, ଶିଶୁ, ଦୁର୍ବଳ ଓ ଅନ୍ୟାନ୍ୟ ପଛୁଆ ବର୍ଗଙ୍କ ସୁରକ୍ଷା ଆମ ସରକାରଙ୍କ ପ୍ରାଥମିକତା। ଚଳିତ ଆର୍ଥିକ ବର୍ଷ ପାଇଁ ଆମ ସରକାରଙ୍କ ବିଭିନ୍ନ ଯୁଗୋପୋଯୋଗୀ କାର୍ଯ୍ୟକ୍ରମ ବାବଦକୁ ପ୍ରସ୍ତାବିତ ୨୬୧ କୋଟି ୭୯ ଲକ୍ଷ ଟଙ୍କାର ଅତିରିକ୍ତ ବ୍ୟୟ ବରାଦ ପ୍ରସ୍ତାବଟିକୁ ସ୍ଵୀକୃତି ପ୍ରଦାନ କରିବା ନିମନ୍ତେ ମୁଁ ଏ ପବିତ୍ର ଗୃହରେ ଉପସ୍ଥିତ ସମସ୍ତ ମାନ୍ୟବର ସଦସ୍ୟ ସଦସ୍ୟାମାନଙ୍କୁ ଅନୁରୋଧ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking