26.1 C
Bhubaneswar
Wednesday, February 4, 2026
Homeଓଡିଶାମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ...

ମହାମହିମ ରାଷ୍ଟ୍ରପତିଙ୍କ ଦ୍ବାରା ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ଅବସରରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଅଭିଭାଷଣ

ରାଇରଙ୍ଗପୁର, ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲାର ପ୍ରାଣକେନ୍ଦ୍ର ରାଇରଙ୍ଗପୁର ତଥା ଭାରତର ମହାମହିମ ରାଷ୍ଟ୍ରପତିଙ୍କ ଜନ୍ମମାଟି ଓ ପ୍ରଥମ କର୍ମଭୂମିରେ, ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବା, ମୋ ପାଇଁ ଏକ ଗର୍ବ ଓ ଗୌରବର ବିଷୟ। ଗତ ନଭେମ୍ବର ୨୭ ତାରିଖରେ ମୋ ସହିତ ଓଡ଼ିଶାର ସମସ୍ତ ମନ୍ତ୍ରୀ ଓ ବିଧାୟକମାନେ ମହାମହିମ ରାଷ୍ଟ୍ରପତିଙ୍କୁ ରାଜ୍ୟ ବିଧାନସଭାରେ ସ୍ବାଗତ କରିଥିଲୁ। ରାଷ୍ଟ୍ରପତି ଆମ ଭଳି ଜନପ୍ରତିନିଧି ମାନଙ୍କୁ ଆମର ଦାୟିତ୍ବ ଓ କର୍ତ୍ତବ୍ୟ ସମ୍ପର୍କରେ ମାର୍ଗଦର୍ଶନ କରିଥିଲେ। ଆଜି ପୁଣି ତାଙ୍କୁ ସ୍ବାଗତ କରିବାର ସୁଯୋଗ ମିଳିଛି । ତାଙ୍କର ଉପସ୍ଥିତି ଏହି ଅବସରକୁ ଐତିହାସିକ କରିଛି ଏବଂ ଏହି ଅଞ୍ଚଳର ଲୋକଙ୍କ ପାଇଁ ପ୍ରେରଣାଦାୟକ ସାଜିଛି । ଓଡ଼ିଶା ସରକାର ଏବଂ ରାଜ୍ୟବାସୀଙ୍କ ପକ୍ଷରୁ, ମୁଁ ତାଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଆନ୍ତରିକ କୃତଜ୍ଞତା ଜଣାଉଛି।

ଆଜି ମୟୂରଭଞ୍ଜ ପାଇଁ ଏକ ଐତିହାସିକ ଦିନ। ଏଠାରେ ବହୁବିଧ ଉନ୍ନୟନ ପ୍ରକଳ୍ପର ଉଦ୍‌ଘାଟନ ଏବଂ ଭିତ୍ତିପ୍ରସ୍ତର ସ୍ଥାପନ ହେଉଛି । ମୟୂରଭଞ୍ଜ ତଥା ସାରା ଓଡ଼ିଶାର ନିରନ୍ତର ବିକାଶ ପ୍ରତି ଏହି ପ୍ରକଳ୍ପ ଗୁଡିକ ହେଉଛି କେନ୍ଦ୍ର ସରକାର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରତିବଦ୍ଧତାର ପ୍ରତିଫଳନ । ଏହି ପ୍ରକଳ୍ପଗୁଡ଼ିକ କେବଳ ସାମାନ୍ୟ କୋଠା କିମ୍ବା ଭିତ୍ତିଭୂମି ନୁହେଁ; ଏହା ହେଉଛି ଉନ୍ନତ ମାନବ ସମ୍ବଳ ସୃଷ୍ଟିରେ ଆମର ନିବେଶ। ବିଶେଷକରି ଆମର ଯୁବପିଢ଼ି, ଚାଷୀ, ଆଦିବାସୀ ସମ୍ପ୍ରଦାୟ ଏବଂ ମହିଳାଙ୍କ ସୁନ୍ଦର ଭବିଷ୍ୟତ ପାଇଁ ଏହା ପଥ ପ୍ରସ୍ତୁତ କରିବ । ମହାମହିମ ରାଷ୍ଟ୍ରପତି, ଯେଉଁ ମାଟିର ଝିଅ, ସେ ମାଟି କେବେହେଲେ ଅବହେଳିତ ରହିପାରିବ ନାହିଁ। ଯେଉଁ ଦିନ ଠାରୁ ଆମ ସମସ୍ତଙ୍କର ସମ୍ମାନନୀୟା ଦ୍ରୌପଦୀ ମୁର୍ମୁଜୀ ଦେଶର ପ୍ରଥମ ନାଗରିକ ହୋଇଛନ୍ତି, ସେହିଦିନ ଠାରୁ ମୟୂରଭଞ୍ଜ ଜିଲ୍ଲା ବାସୀଙ୍କ ପାଇଁ ବିକାଶର ଗ୍ୟାରେଣ୍ଟି ମିଳିଛି।

ଓଡ଼ିଶାର ଇତିହାସ ଏବଂ ସଂସ୍କୃତିରେ ମୟୂରଭଞ୍ଜ ଏକ ସ୍ୱତନ୍ତ୍ର ସ୍ଥାନ ଅଧିକାର କରିଛି । ଏହା ଜଙ୍ଗଲ, ପାହାଡ଼, ନଦୀ, ସମୃଦ୍ଧ ଜୈବ ବିବିଧତା ଏବଂ ସ୍ପନ୍ଦନଶୀଳ ଆଦିବାସୀ ପରମ୍ପରାର ଭୂମି । ଏହା ଦେଶକୁ ମହାନ୍‌ ନେତା, ସ୍ୱାଧୀନତା ସଂଗ୍ରାମୀ, କଳାକାର, କ୍ରୀଡାବିତ୍‌, ପ୍ରଶାସକ ଏବଂ ବିଶେଷକରି ଭାରତକୁ ପ୍ରଥମ ନାଗରିକ ଉପହାର ଦେଇଛି । ଦୀର୍ଘ ଦିନ ଧରି, ଏହି ଅଞ୍ଚଳର ଆକାଂକ୍ଷା ଉଚ୍ଚଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ଆଧୁନିକ ସୁବିଧା ପାଇଁ ପ୍ରବେଶର ଦ୍ୱାର ସୀମିତ ଥିଲା। ଆଜି, ଆମେ ସେହି ସ୍ବପ୍ନକୁ ବାସ୍ତବତାରେ ପରିବର୍ତ୍ତନ କରିବା ପାଇଁ ସାମୂହିକ ଭାବରେ କାର୍ଯ୍ୟ କରୁଛୁ। ଆମର ବିକାଶ ଦୃଷ୍ଟିକୋଣର କେନ୍ଦ୍ରରେ ରହିଛି ଶିକ୍ଷା। ଆୟୁଷ ହସ୍ପିଟାଲ୍ ଓ ଆୟୁର୍ବେଦିକ୍ କଲେଜ୍, ଓଡ଼ିଶା କୃଷି ଏବଂ ପ୍ରଯୁକ୍ତିବିଦ୍ୟା ବିଶ୍ୱବିଦ୍ୟାଳୟର କ୍ୟାମ୍ପସ, MSCB ବିଶ୍ବବିଦ୍ୟାଳୟରେ ସୂଚନା ପ୍ରଯୁକ୍ତିବିଦ୍ୟା କ୍ୟାମ୍ପସ, ଧନୁର୍ବିଦ୍ୟା ଏକାଡେମୀ ଗୁଡ଼ିକର ପ୍ରତିଷ୍ଠା ଉତ୍ତର ଓଡ଼ିଶାର ଦୃଶ୍ୟପଟକୁ ପରିବର୍ତ୍ତନ କରିବ।

ବିଶେଷକରି ଆଜିର ଦିନଟି ବିଜ୍ଞାନ, ପ୍ରଯୁକ୍ତି ଓ କ୍ରୀଡାରେ ଶିକ୍ଷାପାଇଁ ଏକ ଐତିହାସିକ ଦିନ । ମୟୂରଭଞ୍ଜ, ଏବଂ ଏହାର ନିକଟବର୍ତ୍ତୀ ଜିଲ୍ଲାଗୁଡ଼ିକର ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଉଚ୍ଚଶିକ୍ଷା ପାଇଁ ଆଉ ଦୂର ଯାତ୍ରା କରିବାକୁ ପଡ଼ିବ ନାହିଁ। ଏହା ସହିତ ରାଇରଙ୍ଗପୁର ସହରର ବିକାଶ କ୍ଷେତ୍ରରେ ଏକ ନୂଆ ମାଇଲଷ୍ଟୋନ୍ ପଡିଛି। କୃଷି ଆମର ଗ୍ରାମୀଣ ଅର୍ଥନୀତିର ମେରୁଦଣ୍ଡ ହୋଇ ରହିଛି। ନୂତନ OUAT କ୍ୟାମ୍ପସ୍ ସ୍ଥାନୀୟ ପରିସ୍ଥିତି ସହିତ ଉପଯୁକ୍ତ କୃଷି ଶିକ୍ଷା, ଗବେଷଣା ଏବଂ ଗୁଣାତ୍ମକ ସେବାକୁ ପ୍ରୋତ୍ସାହିତ କରିବ। ଏହା ଚାଷୀମାନଙ୍କୁ ଉନ୍ନତ ଚାଷ ପଦ୍ଧତି ଗ୍ରହଣ କରିବାରେ, ଉତ୍ପାଦକତା ବୃଦ୍ଧି କରିବାରେ ଏବଂ ଆୟ ବୃଦ୍ଧି କରିବାରେ ସାହାଯ୍ୟ କରିବ। ଏକ ସମୃଦ୍ଧ ସମାଜ ପାଇଁ ସ୍ୱାସ୍ଥ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ସରକାରୀ ଆୟୁର୍ବେଦିକ କଲେଜର ଭିତ୍ତିପ୍ରସ୍ତର ଏହି ଅଞ୍ଚଳରେ ସ୍ୱାସ୍ଥ୍ୟସେବା ଭିତ୍ତିଭୂମିକୁ ମଜବୁତ କରିବା ଦିଗରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ। ଏହି ଅନୁଷ୍ଠାନ ଛାତ୍ରଛାତ୍ରୀମାନଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି କରିବ ଏବଂ ସ୍ଥାନୀୟ ସମ୍ପ୍ରଦାୟ ପାଇଁ ସ୍ୱାସ୍ଥ୍ୟସେବା ପ୍ରବେଶକୁ ଉନ୍ନତ କରିବ।

ନୂଆ କେନ୍ଦ୍ର ବଜେଟର ପ୍ରାବଧାନ ଅନୁଯାୟୀ କ୍ୟାନସର ଓ ଡାଏବେଟିସ୍ ପରି ଅନେକ ଜଟିଳ ରୋଗର ଔଷଧ ଶସ୍ତା ହେବ। ଯାହା ଆମ ଗରିବ ଏବଂ ମଧ୍ୟମ ବର୍ଗର ଲୋକମାନଙ୍କ ପାଇଁ ଖୁବ୍ ମଙ୍ଗଳକର ହେବ। ଏଥିପାଇଁ ମୁଁ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଏବଂ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କୁ ଧନ୍ୟବାଦ ପ୍ରଦାନ କରୁଛି। କେୟାର ଇକୋନୋମି ଏବଂ ନିଯୁକ୍ତି ମାଧ୍ୟମରେ ଦେଶରେ ୧.୫ ଲକ୍ଷ ମଲ୍‌ଟି ସ୍କିଲ୍‌ଡ କେୟାର୍ ଗିଭର୍ସଙ୍କୁ ତାଲିମ୍ ଦେବାପାଇଁ ଯୋଜନା ହେଉଛି। ଯାହା ଫଳରେ ଏହା ସମଗ୍ର ଓଡ଼ିଶାର ଯୁବକ ଯୁବତୀ ମାନଙ୍କ ପାଇଁ ସେବା କ୍ଷେତ୍ରରେ ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି କରିବ। MSCB ବିଶ୍ବବିଦ୍ୟାଳୟରେ ଆଜି Information Technology Campus ପ୍ରତିଷ୍ଠା ହୋଇଛି। ଏହାଦ୍ବାରା ମୟୂରଭଞ୍ଜର ପିଲାମାନେ ଆଧୁନିକ IT କ୍ଷେତ୍ରରେ ମଧ୍ୟ ଦକ୍ଷତା ହାସଲ କରିପାରିବେ । ଆମର ଲକ୍ଷ୍ୟ ହେଉଛି, ଆମ ଯୁବବର୍ଗଙ୍କୁ ସ୍କିଲ୍ ଟ୍ରେନିଙ୍ଗ ଜରିଆରେ ଦକ୍ଷ କରି ଆଧୁନିକ ଶିଳ୍ପ ପାଇଁ ନିଯୁକ୍ତି ଯୋଗ୍ୟ କରିବା। ଯଦି କଲେଜ୍‌ରୁ ପିଲାମାନେ ଦକ୍ଷ ହୋଇ ବାହାରିବେ, ତେବେ ତାଙ୍କୁ ଆଉ ଅତିରିକ୍ତ ଟ୍ରେନିଙ୍ଗ ଦରକାର ନାହିଁ। କଲେଜରୁ ପାସ୍‌କରି ସେମାନେ ସିଧାସଳଖ ନିଯୁକ୍ତି ପାଇପାରିବେ । ଏହି IT କ୍ୟାମ୍ପସ୍ ଆମର ବିଶ୍ବସ୍ତରୀୟ ଦକ୍ଷତା ସୃଷ୍ଟିର ଲକ୍ଷ୍ୟକୁ ପୂରଣ କରିବ।

କ୍ରୀଡା ସର୍ବଦା ମୟୂରଭଞ୍ଜ ପାଇଁ ଗର୍ବର ଏକ ଉତ୍ସ ହୋଇଆସିଛି। ଫୁଟବଲ୍ ଠାରୁ ଆରମ୍ଭ କରି ତୀରନ୍ଦାଜୀ ଏବଂ କ୍ରୀଡାବିତ୍‌ ପର୍ଯ୍ୟନ୍ତ, ଏହି ଜିଲ୍ଲାର ଯୁବକମାନେ ଓଡ଼ିଶା ଏବଂ ଭାରତ ପାଇଁ ଗୌରବ ଆଣିଛନ୍ତି। ଧନୁର୍ବିଦ୍ୟା ଏକାଡେମୀ ଆଦିବାସୀ ଏବଂ ଗ୍ରାମୀଣ ପୃଷ୍ଠଭୂମିର ଯୁବ ପ୍ରତିଭାକୁ ପ୍ରୋତ୍ସାହିତ କରିବା ପାଇଁ ଆଧୁନିକ ସୁବିଧା ପ୍ରଦାନ କରିବ । ଆମ ସରକାର ବିଶ୍ୱାସ କରନ୍ତି ଯେ କ୍ରୀଡା କେବଳ ଚାମ୍ପିଅନ ସୃଷ୍ଟି କରେ ନାହିଁ ବରଂ ଯୁବପିଢ଼ିଙ୍କ ମଧ୍ୟରେ ଶୃଙ୍ଖଳା, ଆତ୍ମବିଶ୍ୱାସ ଏବଂ ଏକତା ମଧ୍ୟ ସୃଷ୍ଟି କରେ। ବନ୍ଧୁଗଣ, ମୁଁ ଅନେକ ସମୟରେ କହିଛି ଯେ, ଶିଳ୍ପ ଗୁଡିକ ହେଉଛି ଆମ ସମୃଦ୍ଧିର ଗୋଟିଏ ଗୋଟିଏ ସ୍ତମ୍ଭ। The Pillars of Prosperity. ଆଜି ଏହି ପ୍ରକଳ୍ପ ଗୁଡିକ ସହିତ ଚାରୋଟି Corporate Social Responsibility ପ୍ରକଳ୍ପ ମାଧ୍ୟମରେ ପ୍ରାୟ ୪୪ କୋଟି ଟଙ୍କାର ଫାଉଣ୍ଡେସନ୍ ଷ୍ଟୋନ୍ ସ୍ଥାପନ କରାଯାଉଛି। ଯାହା ରାଇରଙ୍ଗପୁର ଅଞ୍ଚଳ ପାଇଁ ଏକ ଆଶୀର୍ବାଦ ଭାବେ କାର୍ଯ୍ୟ କରିବ।

ମହିଳା ସଶକ୍ତିକରଣ ହେଉଛି ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀଙ୍କର ପ୍ରମୁଖ ଆଭିମୁଖ୍ୟ। ବିକଶିତ ଭାରତ ଗଠନ ପାଇଁ ମହିଳା ମାନଙ୍କୁ ସଶକ୍ତ କରିବା ଏକ ଜରୁରୀ ଆବଶ୍ୟକତା। ଚଳିତ କେନ୍ଦ୍ର ବଜେଟ୍‌ରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ପାଇଁ She-Marts ସ୍ଥାପନ କରିବା ପାଇଁ ପ୍ରାବଧାନ ରଖାଯାଇଛି। ଗ୍ରାମାଞ୍ଚଳର ମହିଳା ସ୍ବୟଂ ସହାୟକ ଗୋଷ୍ଠୀମାନେ ସେମାନଙ୍କର ଉତ୍ପାଦ ଏହି ମାର୍ଟ ଜରିଆରେ ସାରା ବିଶ୍ବର ବଜାରରେ ପହଞ୍ଚାଇ ପାରିବେ। ଆମ ଓଡ଼ିଶାର ଏସ୍‌ଏଚଜି ମହିଳା ମାନେ ଏବଂ ଲକ୍ଷପତି ଦିଦି ମାନଙ୍କ ପାଇଁ ଏହା ଖୁବ୍ ସହାୟକ ହେବ। ସେମାନଙ୍କ ରୋଜଗାର ବଢିବ। ସାରା ଭାରତ ବର୍ଷରେ ୧୭ ଲକ୍ଷ ଲକ୍ଷ୍ୟପତି ଦିଦି ସୃଷ୍ଟି କରିବାରେ ଓଡ଼ିଶା ଏକ ପ୍ରମୁଖ ସ୍ଥାନ ହାସଲ କରିଛି। ନିକଟରେ ରାଉରକେଲାରେ ଏଣ୍ଟରପ୍ରାଇଜ୍ ଓଡିଶା କାର୍ଯ୍ୟକ୍ରମରେ ରାଞ୍ଚି-ରାଉରକେଲା-ରାୟପୁର କରିଡର ବିକାଶ ଉପରେ ଗୁରୁତ୍ବାରୋପ କରାଯାଇଛି। ସେଥିରେ ରାଇରଙ୍ଗପୁରକୁ ମଧ୍ୟ ଯୋଡାଯିବ। ମୟୂରଭଞ୍ଜ ଜିଲ୍ଲାରେ ଅନେକ ଶିଳ୍ପାନୁଷ୍ଠାନ କାର୍ଯ୍ୟକାରୀ ହୋଇଛି। ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ସ୍ବତନ୍ତ୍ର ପ୍ରୋତ୍ସାହନ ଦିଆଯିବ ବୋଲି ମୁଁ ଏଠାରେ ଘୋଷଣା କରୁଛି।

ଏଥି ସହିତ ଶିମିଳିପାଳ ଜୈବବିବିଧତାର ଉନ୍ନତି ଓ ସୁରକ୍ଷା ପ୍ରତି ଆମ ସରକାର ଯତ୍ନବାନ ଅଛନ୍ତି, ଏଥିପାଇଁ ବଜେଟ୍‌ରେ ୫୦ କୋଟି ଟଙ୍କା ପ୍ରାବଧାନ କରାଯାଇଛି। ମା କୀଚକେଶ୍ବରୀ ମନ୍ଦିରର ବିକାଶ ଓ ସୌନ୍ଦର୍ଯ୍ୟ କରଣ ପାଇଁ ୧୦୦ କୋଟି ଟଙ୍କାର ଡିପିଆର୍ ପ୍ରସ୍ତୁତ ହୋଇଛି। ମୟୂରଭଞ୍ଜର ସାମଗ୍ରିକ ବିକାଶ ପାଇଁ ଆମ ସରକାର ପ୍ରତିଶ୍ରୁତିବଦ୍ଧ, ଏଥିପାଇଁ ଅର୍ଥର ଅଭାବ ରହିବ ନାହିଁ। ସ୍ବାସ୍ଥ୍ୟସେବା କ୍ଷେତ୍ରରେ ରାଜ୍ୟରେ ଆଉ ୪ଟି ମେଡିକାଲ୍ କଲେଜ୍ ଖୋଲାଯିବ। ଏହାଦ୍ବାରା ରାଜ୍ୟରେ ଡାକ୍ତର ଅଭାବ ସମସ୍ୟା ଦୂର ହେବ। ଆଗାମୀ ଦିନରେ ଏଲୋପାଥି ସହିତ ଆୟୁର୍ବେଦ, ହୋମିଓପାଥି, ଡେଣ୍ଟାଲ୍, ନର୍ସିଙ୍ଗ ଆଦି ସବୁ କ୍ଷେତ୍ରର ବିକାଶ କରାଯିବ। ଆରୋଗ୍ୟ ମନ୍ଦିର ଗୁଡିକ ଆହୁରି ସୁଦୃଢ ହେବ। ଏହା ମାଧ୍ୟମରେ ଗ୍ରାମାଞ୍ଚଳ ବାସୀ ୨୪ ଘଣ୍ଟିଆ ସ୍ବାସ୍ଥ୍ୟସେବା ସୁବିଧା ପାଇବେ। ମୁଁ ଆମର ଅଧିକାରୀ, ଇଞ୍ଜିନିୟର, ଯୋଜନା ପ୍ରସ୍ତୁତକାରୀ ଏବଂ ଶ୍ରମିକମାନଙ୍କ ଉତ୍ସର୍ଗୀକୃତ ପ୍ରୟାସକୁ ସାଧୁବାଦ ଦେବାକୁ ଚାହେଁ, ଯେଉଁମାନେ କୋଟି କୋଟି ଲୋକଙ୍କ ସ୍ବପ୍ନକୁ ସାକାର କରୁଛନ୍ତି। ବିକାଶ ପ୍ରକ୍ରିୟାରେ ସହଯୋଗ, ଧୈର୍ଯ୍ୟ ଏବଂ ବିଶ୍ୱାସ ପାଇଁ ମୁଁ ମୟୂରଭଞ୍ଜର ଜନସାଧାରଣଙ୍କୁ ମଧ୍ୟ ଧନ୍ୟବାଦ ଜଣାଉଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking