ଭୁବନେଶ୍ୱର:ସହରରେ ରହୁଥିବା ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନଙ୍କ ପାଖରେ ସରକାରୀ ଯୋଜନାଗୁଡିକର ସୁବିଧା ପହଂଚାଇବା ପାଇଁ ରାଜ୍ୟ ସରକାରଙ୍କର ଏକ ଅନନ୍ୟ ପ୍ରୟାସ ହେଉଛି “ସହଯୋଗ” । ଗୃହ ଓ ନଗର ଉନ୍ନୟନ ବିଭାଗର ମାନ୍ୟବର ମନ୍ତ୍ରୀ ଡ଼କ୍ଟର କୃଷ୍ଣ ଚନ୍ଦ୍ର ମହାପାତ୍ର ଆଜି ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ କରିଛନ୍ତି । ଏହି କାର୍ଯ୍ୟକ୍ରମରେ ପ୍ରମୁଖ ସଚିବ ଶ୍ରୀମତୀ ଉଷାପାଢ଼ୀ ଓ ଅନ୍ୟାନ୍ୟ ପଦସ୍ଥ ଅଧିକାରୀମାନେ ଉପସ୍ଥିତ ଥିଲେ ।
ସହଯୋଗ କାର୍ଯ୍ୟକ୍ରମ ଅଧୀନରେ ଯୋଗ୍ୟ ହିତାଧିକାରୀମାନଙ୍କୁ ଚିହ୍ନଟ କରାଯାଇ ସେମାନଙ୍କୁ ଉପଯୁକ୍ତ ଯୋଜନାଗୁଡିକର ସୁଫଳ ପହଂଚାଇବା ପାଇଁ ଉଦ୍ୟମକରାଯିବ । ପ୍ରାଥମିକ ସ୍ତରରେ ପ୍ରଧାନମନ୍ତ୍ରୀ ଆବାସଯୋଜନା, ରାସନକାର୍ଡ଼, ପିଇପିଦ୍ୱାରା ଜଳ ଯୋଗାଣ, ଆୟୁସ୍ମାନ କାର୍ଡ଼, ଭିନ୍ନକ୍ଷମକାର୍ଡ଼, ସୁଭଦ୍ରା, ଲେବରକାର୍ଡ, ଇ-ଶ୍ରମକାର୍ଡ, ଗରିମା, ବିଶ୍ୱକର୍ମାଯୋଜନା, ମଧୁବାବୁ ପେନସନ, ସୁକନ୍ୟା ସମୃଦ୍ଧି, ଓପିଏମ ସୁରକ୍ଷା ବୀମା ଯୋଜନା ଇତ୍ୟାଦିରେ ସମସ୍ତ ସୁବିଧା ମିଳିବ ପାଇଁ ସହଯୋଗକରାଯିବ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ମାଧ୍ୟମରେ ପକ୍କାଘର ନିର୍ମାଣ ପାଇଁ ଏହି କାର୍ଯ୍ୟକ୍ରମରେ ପ୍ରାଥମିକତା ଦିଆଯିବ ।
ଡ଼ିସେମ୍ବର ଓ ଜାନୁଆରୀ ମାସରେ ୬ଟି ପୌରାଞ୍ଚଳରେ ଏକପାଇଲଟ କରାଯାଇଥିଲା । ଏହା ସଫଳ ହେବାପରେ ବର୍ତ୍ତମାନ ଏହି କାର୍ଯ୍ୟକ୍ରମକୁ ୮ଟି ଜିଲ୍ଲାର ୪୪ଟିପୌରାଞ୍ଚଳରେ କରାଯିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ପର୍ଯ୍ୟାୟକ୍ରମେ ଏହା ସମସ୍ତ ପୌରାଞ୍ଚଳରେ ଆରମ୍ଭ କରାଯିବ । ମଇ ଓ ଜୁନମାସରେ ଏହାକୁ ଜନ ଆନ୍ଦୋଳନର ରୂପ ଦିଆଯାଇ ଲୋକମାନଂକ ମଧ୍ୟରେ ସଚେତନତା ସୃଷ୍ଟିକରାଯିବ । କାର୍ଯ୍ୟକ୍ରମର ସୁଫଳ ଲୋକମାନଙ୍କ ପାଖରେ ପହଂଚାଇବା ପାଇଁ ସ୍ଵଛକର୍ମୀ, ଜଳସାଥି, ବସ୍ତି ବାସିନ୍ଦା ସଂଘର ସଦସ୍ୟ, ସ୍ୱୟଂ ସହାୟକ ଗୋଷ୍ଟୀ, ସ୍ୱେଛାସେଵୀ ସଂଗଠନ ଓ ପୌରାଞ୍ଚଳର କର୍ମୀମାନଙ୍କର ସାହାଯ୍ୟ ନିଆଯିବ ଓ ସଫଳତା ଭିତ୍ତିରେ ସେମାନଙ୍କୁ ପ୍ରୋତ୍ସାହନ ରାଶି ପ୍ରଦାନ କରାଯିବ ।
ସହଯୋଗ କାର୍ଯ୍ୟକ୍ରମକୁ ସଫଳତାର ସହିତ କାର୍ଯ୍ୟକାରୀ କରିବା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ଅନ୍ତ ବିଭାଗୀୟ କମିଟିମାନ ଗଠନ କରାଯାଇଛି । ପୌରାଞ୍ଚଳ ଗୁଡିକରେ ଏହି ସମ୍ବନ୍ଧୀୟ ଅଭିଯୋଗଗୁଡିକୁ ପ୍ରତ୍ୟେକ ସୋମବାର ଦିନ ଶୁଣାଯିବ ଓ ଜିଲ୍ଲାସ୍ତରରେ ପ୍ରତ୍ୟେକମାସରେ ଏହାରସମୀକ୍ଷାକରାଯିବ । “ସହଯୋଗ” ସହରରେ ରହୁଥିବା ଆର୍ଥିକ ଦୁର୍ବଳଶ୍ରେଣୀର ଲୋକମାନଙ୍କୁ ରାହା ଦେଖାଇବ । ‘ବିକଶିତ ଓଡିଶା” କାର୍ଯ୍ୟକ୍ରମର ମୂଳଚିନ୍ତା ଧାରାକୁ ଏହା ପ୍ରୋତ୍ସାହିତ କରିବ ।