ଭୁବନେଶ୍ୱର: ଜୟ ଜଗନ୍ନାଥ, ଉପସ୍ଥିତ ସମସ୍ତ ସମ୍ମାନିତ ଅତିଥ୍ଙ୍କୁ ମୋର ସାଦର ନମସ୍କାର । ଓଡ଼ିଶା ବିଧାନସଭା, ଗଣତନ୍ତ୍ରର ପୁରାତନ ମନ୍ଦିରର ଆଜି ଏହି ଐତିହାସିକ ଦିବସରେ ଓଡ଼ିଶା ମାଟିର ସୁକନ୍ୟା, ଗଣତନ୍ତ୍ରର ଧ୍ଵଜାଧାରୀ ସମ୍ରାଟ୍ ଐର ଖାରବେଳଙ୍କର ଦାୟଦ୍ର, ଭଞ୍ଜ ମାଟିର ଗର୍ବ ଓ ଗୌରବ, ଓଡ଼ିଶା ଜନଜାତି ସମ୍ପ୍ରଦାୟର ଶ୍ରେଷ୍ଠ ଓ ସୁଯୋଗ୍ୟ ସନ୍ତାନ, ମହିଳା ସଶକ୍ତିକରଣର ଅନନ୍ୟ ଉଦାହରଣ, ଭାରତର ମହାମହିମ ରାଷ୍ଟ୍ରପତି ମାନ୍ୟବର ଦ୍ରୌପଦୀ ମୁର୍ମୁ ମହୋଦୟାଙ୍କୁ ମୁଁ ମୋର ହୃଦୟର ଗଭୀରତମ ପ୍ରଦେଶରୁ ସ୍ୱାଗତ, ଅଭିନନ୍ଦନ ଓ କୃତଜ୍ଞତା ଜଣାଉଛି । ଓଡ଼ିଶା ବିଧାନସଭାର ସମୃଦ୍ଧ ଓ ଗୌରବମୟ ଇତିହାସରେ ଭାରତର ମହାମହିମ ରାଷ୍ଟ୍ରପତିଙ୍କର ଏହି ଐତିହାସିକ ସମ୍ବୋଧନ ଏକ ନୂତନ ସ୍ୱର୍ଣ୍ଣିମ ଅଧ୍ୟାୟ ସଂଯୋଗ କରିବ । ଓଡ଼ିଶା ଗଣତନ୍ତ୍ର ଇତିହାସରେ ଏହା ଏକ ନୂତନ ମାଇଲ୍ ଖୁଣ୍ଟ ସାବ୍ୟସ୍ତ ହେବ । ବାସ୍ତବିକ ରାଇରଙ୍ଗପୁରରୁ ଓଡ଼ିଶା ବିଧାନସଭା ଓ ଝାଡଖଣ୍ଡ ରାଜଭବନ ମଧ୍ୟ ଦେଇ ରାଇସିନା ହିଲ୍ କୁ ଆପଣଙ୍କର ରାଜନୈତିକ ଯାତ୍ରା ଏକ ସାହସ, ସଂଘର୍ଷପୂର୍ଣ୍ଣ, ପ୍ରେରଣାଦାୟୀ ଓ ଦୃଢମନା ବ୍ୟକ୍ତିତ୍ଵର ବାର୍ତ୍ତା ଦେଇ ଭାରତବାସୀଙ୍କ ମଧ୍ୟରେ ଅପାର ଉତ୍ସାହ ଓ ସମ୍ଭାବନା ସୃଷ୍ଟି କରିଛି । ବିଶ୍ୱକବି ରବୀନ୍ଦ୍ରନାଥ ଟାଗୋରଙ୍କର “ଏକଲା ଚଲୋ” ନୀତି ଆପଣେଇ, ଆପଣ ଆପଣଙ୍କ ଯାତ୍ରାକୁ ଅଭୁତପୂର୍ବ ଓ ଗୌରବମୟ କରିପାରିଛନ୍ତି ।
ଆପଣ କେବଳ ଭାରତର ପ୍ରଥମ ମହିଳା, ରାଷ୍ଟ୍ରର ପ୍ରଥମ ନାଗରିକ, ଜଳ, ସ୍ଥଳ ଓ ଆକାଶବାହିନୀର ମୁଖ୍ୟ ନୁହଁନ୍ତି, ବରଂ ଆପଣ ଓଡ଼ିଶାର ପ୍ରଥମ ମହିଳା ଶ୍ରେଷ୍ଠ ବିଧାୟିକା ଭାବେ 2007 ମସିହାରେ ପଣ୍ଡିତ ନୀଳକଣ୍ଠ ଦାସ ସମ୍ମାନରେ ସମ୍ମାନିତ, ଝାଡ଼ଖଣ୍ଡ ରାଜ୍ୟର ପ୍ରଥମ ମହିଳା ରାଜ୍ୟପାଳ,ଭାରତବର୍ଷର ପ୍ରଥମ ଆଦିବାସୀ ମହିଳା ରାଷ୍ଟ୍ରପତି , ସ୍ୱାଧୀନ ଭାରତରେ ଜନ୍ମ ଗ୍ରହଣ କରି ରାଷ୍ଟ୍ରପତି ପଦ ଅଳଙ୍କୃତ କରିଥିବା ପ୍ରଥମ ମହିଳା , ଭାରତର ସର୍ବକନିଷ୍ଠ ରାଷ୍ଟ୍ରପତି ଏବଂ ଦେଶର 10 ଟି ବିଧାନସଭାକୁ ସମ୍ବୋଧୃତ କରିବାରେ ପ୍ରଥମ ରାଷ୍ଟ୍ରପତି ହୋଇ ପାରିଛନ୍ତି । ଆପଣ ଓଡ଼ିଶା ତଥା ଭାରତୀୟ ମହିଳା ମାନଙ୍କ ମଧ୍ୟରେ ଅଦ୍ଭୁତପୂର୍ବ ଆଶା ଓ ଉଦ୍ଦୀପନା ସୃଷ୍ଟି କରିଛନ୍ତି । ବିଧାୟକ ମାନଙ୍କୁ ଅପାର ପ୍ରେରଣା ପ୍ରଦାନ କରିଛନ୍ତି ।
2000 ରୁ 2009 ମଧ୍ୟରେ ଦୁଇ ଥର ଓଡ଼ିଶା ବିଧାନସଭାର ସଦସ୍ୟା ଥିଲା ବେଳେ, ରାଜ୍ୟର ବିକାଶ ତଥା ଜନଜାତିଙ୍କର ଆର୍ଥିକ, ଶିକ୍ଷାଗତ ଓ ସାଂସ୍କୃତିକ ଉନ୍ନତି ପାଇଁ ଆପଣଙ୍କ ଉଦ୍ୟମ ଅତ୍ୟନ୍ତ ପ୍ରଶଂସନୀୟ । ଜଣେ ମନ୍ତ୍ରୀ ଭାବରେ ଆପଣଙ୍କର ଦୂରଦୃଷ୍ଟି ଏବଂ ପ୍ରଶାସନିକ ମାର୍ଗଦର୍ଶନ ଆଜି ମଧ୍ୟ ଅନନ୍ୟ । ମହିଳା ଓ ଶିଶୁ ବିକାଶ କମିଟୀ ର ସଦସ୍ୟା ଏବଂ ଗୃହ ବିଭାଗରେ ସ୍ଥାୟୀ କମିଟୀର ଅଧକ୍ଷ୍ୟା ଭାବରେ ମହିଳା ଓ ଶିଶୁଙ୍କ କଲ୍ୟାଣ ସମ୍ପର୍କିତ ଆପଣଙ୍କ ବିଚାର ଓ ପରାମର୍ଶ କମିଟି ବ୍ୟବସ୍ଥା (System) କୁ ପରିପୃଷ୍ଟ କରି ପାରିଛି ।
ମହୋଦୟା, ଭାରତବର୍ଷର “ମହାମହିମ ରାଷ୍ଟ୍ରପତି” ହିସାବରେ ଆପଣଙ୍କର କାର୍ଯ୍ୟକଳାପ ସର୍ବଜନାଦୃତ । ଗଣତନ୍ତ୍ରର ରକ୍ଷକ ତଥା ସମ୍ବିଧାନର ପରିଚାଳକ ଭାବରେ ଆପଣ ଏକ ସମୃଦ୍ଧମୟ ପରମ୍ପରା ସୃଷ୍ଟି କରି ପାରିଛନ୍ତି । ଜଳ, ସ୍ଥଳ, ଆକାଶ ବାହିନୀର ମୁଖ୍ୟ ହିସାବରେ ରାଫେଲ୍ ଓ ସୁଖୋଇ ଯୁଦ୍ଧ ବିମାନରେ ବରଫାବୃତ ସିଆଚୀନକୁ ଆପଣଙ୍କର ଗୌରବମୟ ଯାତ୍ରା କେବଳ ତିନି ବାହିନୀର ଅଧିକାରୀ ଓ କର୍ମଚାରୀମାନଙ୍କର ମନୋବଳକୁ ଦୃଢ କରିଥିଲା ତା ନୁହେଁ ବରଂ ଆପଣ ଯେ ମହିଳା ସଶକ୍ତିକରଣର ସର୍ବୋତ୍ତମ ଉଦାହରଣ ତାହା ସଗର୍ବେ ପ୍ରମାଣିତ ହୋଇଛି ।
ରାଷ୍ଟ୍ରର ମୁଖ୍ୟ ହିସାବରେ ଭାରତର ସଂସ୍କୃତି, ପରମ୍ପରା, ଐତିହ୍ୟକୁ ବିଦେଶରେ ପ୍ରଚାର ଓ ପ୍ରସାର ଦିଗରେ ଆପଣଙ୍କର ବୈଦେଶିକ ଓ ଆନ୍ତର୍ଜାତୀୟ ଯାତ୍ରା ଅନନ୍ୟ । ଆପଣଙ୍କର ସାମ୍ବିଧାନିକ କର୍ଭବ୍ୟ-ନିଷ୍ଠା ବିରଳ । ସମ୍ବିଧାନର ୧୪୩ ଅନୁଚ୍ଛେଦ ଅନୁସାରେ ମଇ, ୨୦୨୫ରେ ସୁପ୍ରିମକୋର୍ଟଙ୍କୁ ଆପଣଙ୍କର ରାଷ୍ଟ୍ରପତିୟ ମତାମତ ଆବେଦନ (Presidential Reference) ଓ ମାନ୍ୟବର ସୁପ୍ରିମକୋର୍ଟଙ୍କର ତଦଜନିତ ଉତ୍ତର ଭାରତର ସାମ୍ବିଧାନିକ ଇତିହାସ ପାଇଁ ଗୁରୁତ୍ଵପୂର୍ଣ୍ଣ । ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ମଧ୍ୟରେ ଉତ୍ତମ ସମନ୍ଵୟ ରକ୍ଷା କରି ସୌହାର୍ଘ୍ୟପୂର୍ଣ୍ଣ ଭାବାବେଗ ସୃଷ୍ଟି କରିବାରେ ଏହା ସହାୟକ ହୋଇଅଛି ।
ମହାମହିମ ମହୋଦୟା, ବିଶ୍ୱ ଦରବାରରେ ଆମ ଓଡିଶାର ଗୌରବଶାଳୀ ଇତିହାସ, ବିଜ୍ଞାନ, କଳା ସଂସ୍କୃତି ଓ ସାହିତ୍ୟକୁ ଉପସ୍ଥାପନା କରି ଆପଣ ଓଡିଆ ଜାତିକୁ ନୂଆ ପରିଚୟ ଦେଇଛନ୍ତି । ସନ୍ଥକବି ଭୀମ ଭୋଇଙ୍କର ସେହି କାଳଜୟୀ ଉକ୍ତି-
“ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ, ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡ଼ିଥାଉ ଜଗତ ଉଦ୍ଧାର ହେଉ”
ଏହାକୁ ସଂସଦରେ ମିଳିତ ଅଧୀବେଶନରେ ଉପସ୍ଥାପନା କରି ଆପଣ ସ୍ଵକୀୟ ଜୀବନାଦର୍ଶ ପ୍ରତିପାଦିତ କରିଛନ୍ତି ।
ଆପଣଙ୍କ ଅବଗତି ନିମନ୍ତେ ଜଣାଇବାକୁ ଚାହେଁ ଯେ, ଇତି ମଧ୍ୟରେ ଆପଣଙ୍କର ଏହି ପୁରାତନ କାର୍ଯ୍ୟକ୍ଷେତ୍ର ଓଡ଼ିଶା ବିଧାନସଭା,
ଏହାର ଗୌରବମୟ ଇତିହାସରେ ନୂତନ ପୃଷ୍ଠା ଯୋଡିଛି ଯେପରିକି :-
1. ସର୍ବପ୍ରଥମ paperless (କାଗଜ ବିହୀନ) ଗୃହ ହୋଇ ସର୍ବଭାରତୀୟ ସ୍ତରରେ ପୁରସ୍କୃତ ହେବା ସହ e-Vidhan, OSWAS ଓ Digital House ର ମାନ୍ୟତା ପାଇଛି ।
2. ସର୍ବାଧିକ ଦିନ ବିଧାନସଭା ଅବେଶନ ବସିବାରେ ସର୍ବଭାରତୀୟ ସ୍ତରରେ ରେକର୍ଡ଼ ସୃଷ୍ଟି କରିଛି।
3. ଗୃହ ମଧ୍ୟରେ ବିଧାୟକ ମାନଙ୍କର ଉନ୍ନତ debate, deliberation and discussion ସହ discipline, decency and decorum ସର୍ବଭାରତୀୟ ସ୍ତରରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ପାରିଛି ।
4. ନୂତନ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତା (Artificial intelligence) ର ପ୍ରୟୋଗ ମଧ୍ୟ ଓଡ଼ିଶା ବିଧାନସଭାକୁ ଅତ୍ୟାଧୁନିକ କରିଛି।
ଆଜି ଆପଣଙ୍କର ଓଡ଼ିଶା ବିଧାନସଭାରେ ଏହି “ଐତିହାସିକ ଉଦବୋଧନ” ମନ୍ତ୍ରୀ, ବିଧାୟକ ଓ ଅନ୍ୟ ସମସ୍ତ ସମ୍ମାନନୀୟ ଅତିଥ୍ ମାନଙ୍କ ମଧ୍ୟରେ ନିଶ୍ଚିତ ଭାବରେ ଉତ୍ସାହ ସୃଷ୍ଟି କରିବ । ମୁଁ ବିଧାନସଭାର ସମସ୍ତ ସଦସ୍ୟ ସଦସ୍ୟା ମାନଙ୍କ ତରଫରୁ ଏହି ଅବସରରେ ହାର୍ଦ୍ଦିକ ସ୍ବାଗତ ଜଣାଉଛି
ପରିଶେଷରେ ପବିତ୍ର ଗୃହ ତରଫରୁ ବିଶ୍ବନିୟନ୍ତା ପ୍ରଭୁ ଜଗନ୍ନାଥ ଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଆପଣଙ୍କର ରାଷ୍ଟ୍ର ଓ ସମାଜ ପ୍ରତି ଏହି ସମର୍ପଣ ଭାବ ବଜାୟ ରହୁ ଏବଂ ରାଷ୍ଟ୍ରପତି ଭାବେ ଅବଶିଷ୍ଠ ସମୟ ସମୁଜ୍ବଳ ହେଉ । ସମସ୍ତଙ୍କୁ ଧନ୍ୟବାଦ ।










