21.1 C
Bhubaneswar
Saturday, December 6, 2025
Homeଓଡିଶାପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ: ବିଧାନସଭା ପକ୍ଷରୁ ଗାର୍ଡ ଅଫ୍‌ ଅନର

ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ବାଚସ୍ପତିଙ୍କ ଶୋକ: ବିଧାନସଭା ପକ୍ଷରୁ ଗାର୍ଡ ଅଫ୍‌ ଅନର

ଭୁବନେଶ୍ୱର: ପୂର୍ବତନ ବିଧାୟକ ଜର୍ଜ ତିର୍କିଙ୍କ ବିୟୋଗରେ ଓଡ଼ିଶା ବିଧାନସଭାର ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଗଭୀର ଶୋକପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ବାଚସ୍ପତି ଶ୍ରୀମତୀ ପାଢ଼ୀ କହିଛନ୍ତି ଯେ ବିଶିଷ୍ଟ ଶ୍ରମିକ ଓ ଆଦିବାସୀ ନେତା ଜର୍ଜ ତିର୍କି ଛାତ୍ରଜୀବନରୁ ନିଜର ସାଂଗଠନିକ ଦକ୍ଷତାର ପରିଚୟ ଦେଇଥିଲେ । ଅବିଭକ୍ତ ସୁନ୍ଦରଗଡ଼ ଜିଲ୍ଲା ସମେତ ଝାଡ଼ଖଣ୍ଡରେ ମଧ୍ୟ ତାଙ୍କର ବିଶେଷ ଲୋକପି୍ରୟତା ଥିଲା । ବୀରମିତ୍ରପୁର ବିଧାନସଭାରୁ ୪ ଥର ନିର୍ବାଚିତ ହେବା ତାଙ୍କ ଲୋକପି୍ରୟତାର ପରିଚୟ ଦିଏ । ଜନଜାତିଙ୍କ କଲ୍ୟାଣ ନିମନ୍ତେ ତାଙ୍କର ପ୍ରୟାସ ଓ ଅବଦାନ ପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ । ବାଚସ୍ପତି ଶ୍ରୀମତୀ ପାଢ଼ୀ ଦିବଂଗତ ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜ୍ଞାପନ କରିଛନ୍ତି ।

ଆଜି ପୂର୍ବାହ୍ନ ୧୧ଟା ସମୟରେ ସ୍ୱର୍ଗତ ଜର୍ଜ ତିର୍କିଙ୍କ ମରଶରୀର ବିଧାନସଭା ପରିସରରେ ପହଞ୍ଚିବା ପରେ ବିଧାନସଭା ପକ୍ଷରୁ ଗାର୍ଡ ଅଫ୍‌ ଅନର ପ୍ରଦାନ କରାଯାଇଥିଲା । ବିଧାନସଭା ପରିସରରେ ବାଚସ୍ପତି ଶ୍ରୀମତୀ ପାଢ଼ୀ, ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ, ଉପମୁଖ୍ୟମନ୍ତ୍ରୀ ଶ୍ରୀ କନକ ବର୍ଦ୍ଧନ ସିଂହଦେଓ ଓ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଉପବାଚସ୍ପତି ଶ୍ରୀ ଭବାନୀଶଙ୍କର ଭୋଇ, ସରକାରୀ ଦଳ ମୁଖ୍ୟ ସଚେତକ ଶ୍ରୀ ସରୋଜ ପ୍ରଧାନ, ବିଜେଡ଼ି ବିଧାୟକ ଦଳ ଉପନେତା ଶ୍ରୀ ପ୍ରସନ୍ନ ଆଚାର୍ଯ୍ୟ, କଂଗ୍ରେସ ବିଧାୟକ ଦଳ ନେତା ଶ୍ରୀ ରାମଚନ୍ଦ୍ର କାଡାମ, ମନ୍ତ୍ରୀମଣ୍ଡଳର ସଦସ୍ୟବୃନ୍ଦ, ବିଧାୟକବୃନ୍ଦ, ପୂର୍ବତନ ମନ୍ତ୍ରୀ ଓ ବିଧାୟକଗଣ, ବିଧନାସଭାର ସଚିବ ଶ୍ରୀ ସତ୍ୟବ୍ରତ ରାଉତଙ୍କ ସମେତ ବିଧାନସଭାର ବହୁ ବରିଷ୍ଠ ଅଧିକାରୀ ଏବଂ କର୍ମଚାରୀମାନେ ସ୍ୱର୍ଗତ ତିର୍କିଙ୍କ ଶେଷଦର୍ଶନ କରିବା ସହିତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking