– ଏଡେନ୍ ମାର୍କରମ୍ଙ୍କ ସ୍ମରଣୀୟ ଶତକ
– ଫାଇନାଲ୍ରେ ଅଷ୍ଟ୍ରେଲିଆ ୫ ୱିକେଟ୍ରେ ପରାଜିତ
ଲଣ୍ଡନ: ସାଉଥ୍ ଆଫ୍ରିକା ଆଇସିସି ବିଶ୍ୱ ଟେଷ୍ଟ୍ ଚାମ୍ପିଅନ୍ଶିପ୍ (ଡବ୍ଲ୍ୟୁଟିସି)ର ତୃତୀୟ ସାଇକ୍ଲ (୨୦୨୩-୨୫) ଟାଇଟଲ୍ ବିଜେତା ହୋଇଛି। ଲଣ୍ଡନର ଐତିହାସିକ ଲର୍ଡ୍ସ କ୍ରିକେଟ୍ ଗ୍ରାଉଣ୍ଡ୍ରେ ଆୟୋଜିତ ଫାଇନାଲ୍ ମ୍ୟାଚ୍ରେ ସାଉଥ୍ ଆଫ୍ରିକା ୫ ୱିକେଟ୍ରେ ଅଷ୍ଟ୍ରେଲିଆକୁ ହରାଇଛି। ମ୍ୟାଚ୍ରେ ବିଜୟ ପାଇଁ ସାଉଥ୍ ଆଫ୍ରିକାକୁ ୨୮୨ ରନ୍ର ଲକ୍ଷ୍ୟ ମିଳିଥିବା ବେଳେ ଟିମ୍ ଚତୁର୍ଥ ଦିନ (ଜୁନ୍ ୧୪) ଲଞ୍ଚ୍ ପୂର୍ବରୁ ଏହାକୁ ହାସଲ କରିନେଇଥିଲା। ଏହା ସହିତ ସାଉଥ୍ ଆଫ୍ରିକା ୨୭ ବର୍ଷର ଆଇସିସି ଟ୍ରଫି ମରୁଡ଼ିରେ ଅନ୍ତ ଘଟାଇଛି। ଏହା ପୂର୍ବରୁ ସାଉଥ୍ ଆଫ୍ରିକା ପ୍ରଥମ ଆଇସିସି ଟ୍ରଫି ୧୯୯୮ରେ ୱିଲ୍ସ ଇଣ୍ଟରନାସ୍ନାଲ୍ କପ୍ (ଚାମ୍ପିଅନ୍ସ ଟ୍ରଫି) ଜିତିଥିଲା। ସୂଚନାଯୋଗ୍ୟ ଡବ୍ଲ୍ୟୁଟିସି ଫାଇନାଲ୍ ମ୍ୟାଚ୍ରେ ଅଷ୍ଟ୍ରେଲିଆ ପ୍ରଥମ ଇନିଂସ୍ରେ ୨୧୨ ଏବଂ ଦ୍ୱିତୀୟ ଇନିଂସ୍ରେ ୨୦୭ ରନ୍ କରିଥିଲା। ଅନ୍ୟପକ୍ଷରେ ସାଉଥ୍ ଆଫ୍ରିକାର ପ୍ରଥମ ଇନିଂସ୍ ୧୩୮ ରନ୍ରେ ସୀମିତ ହୋଇଯାଇଥିଲା। ପ୍ରଥମ ଇନିଂସ୍ ଆଧାରରେ ଅଷ୍ଟ୍ରେଲିଆକୁ ୭୪ ରନ୍ର ଅଗ୍ରଣୀ ମିଳିଥିଲା। ଫଳରେ ଟିମ୍ ସାଉଥ୍ ଆଫ୍ରିକା ଆଗରେ ୨୮୨ ରନ୍ର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା।
ଲକ୍ଷ୍ୟର ପିଛା କରୁଥିବା ସାଉଥ୍ ଆଫ୍ରିକା ନିଜ ଦ୍ୱିତୀୟ ଇନିଂସ୍ରେ ୭୦ ରନ୍ର ସ୍କୋର୍ ଦ୍ୱିତୀୟ ୱିକେଟ୍ ହରାଇଥିଲା। ଏହିଠାରୁ ଏଡେନ୍ ମାର୍କରମ୍ ଓ କ୍ୟାପ୍ଟେନ୍ ଟେମ୍ବା ବାଭୁମା କ୍ରିଜ୍ ଉପରେ ଖୁଣ୍ଟ ପରି ତିଷ୍ଠି ରହିଥିଲେ। ଉଭୟଙ୍କ ମଧ୍ୟରେ ତୃତୀୟ ୱିକେଟ୍ ପାଇଁ ୧୪୭ ରନ୍ର ପାର୍ଟନର୍ଶିପ୍ ହୋଇଥିଲା, ଯାହା ସାଉଥ୍ ଆଫ୍ରିକାର ବିଜୟକୁ ସହଜ କରିଦେଇଥିଲା। ଏହି ପାର୍ଟନରଶିପ୍ ମଧ୍ୟରେ ମାର୍କରମ୍ ୧୧ ଚୌକା ସହାୟତାରେ ୧୦୧ ବଲ୍ରେ ଶତକ ପୂରା କରିଥିଲେ। ଏହା ତାଙ୍କ ଟେଷ୍ଟ୍ କ୍ୟାରିୟର୍ର ଅଷ୍ଟମ ଶତକ। ଏହା ସହିତ ଆଇସିସି ଇଭେଣ୍ଟ୍ର ଫାଇନାଲ୍ରେ ଶତକ ହାସଲ କରିବାରେ ମାର୍କରମ୍ ସାଉଥ୍ ଆଫ୍ରିକାର ପ୍ରଥମ ବ୍ୟାଟର୍ ହୋଇଛନ୍ତି। ଅନ୍ୟପକ୍ଷରେ ହାମ୍ଷ୍ଟ୍ରିଙ୍ଗ୍ ଇନ୍ଜୁରୀ ସତ୍ତ୍ୱେ ଟେମ୍ବା ବାଭୁମା ଏକ ଉନ୍ନତ ଇନିଂସ୍ ଖେଳିବାରେ ସଫଳ ହୋଇଛନ୍ତି। ବାଭୁମା ୧୩୪ ବଲ୍ରେ ପାଞ୍ଚ ଚୌକା ସହାୟତାରେ ୬୬ ରନ୍ କରିଛନ୍ତି। ବାଭୁମାଙ୍କୁ ବିପକ୍ଷ ଟିମ୍ର କ୍ୟାପ୍ଟେନ୍ ପ୍ୟାଟ୍ କମିନ୍ସ ଆଉଟ୍ କରିଥିଲେ। ଏହାପରେ ଟ୍ରିଷ୍ଟନ୍ ଷ୍ଟବ୍ସ କିଛି ଖାସ୍ କରିପାରି ନଥିଲେ ଏବଂ ୮ ରନ୍ରେ ମିଚେଲ୍ ଷ୍ଟାର୍କଙ୍କ ଶିକାର ହୋଇଥିଲେ। ଏହିଠାରୁ ମାର୍କରମ୍ ଏବଂ ଡେଭିଡ୍ ବେଡିଙ୍ଗ୍ହାମ୍ ପଞ୍ଚମ ୱିକେଟ୍ ପାଇଁ ୩୫ ରନ୍ର ପାର୍ଟନର୍ଶିପ୍ କରି ସାଉଥ୍ ଆଫ୍ରିକାକୁ ବିଜୟ ନିକଟକର କରିଥିଲେ। ତେବେ ଟିମ୍କୁ ବିଜୟ ପାଇଁ ୬ ରନ୍ର ଆବଶ୍ୟକତା ଥିବାବେଳେ ମାର୍କରମ୍ ଆଉଟ୍ ହୋଇଥିଲେ। ଟ୍ରାଭିସ୍ ହେଡ୍ଙ୍କ ଦ୍ୱାରା ଆଉଟ୍ କରାଇ ଜୋଶ୍ ହେଜଲ୍ଉଡ୍ ତାଙ୍କୁ ପ୍ୟାଭିଲିୟନ୍ ଫେରାଇଥିଲେ। ମାର୍କରମ୍ ୨୦୭ ବଲ୍ର ସମ୍ମୁଖୀନ ହୋଇ ୧୪ ଚୌକା ବଳରେ ୧୩୬ ରନ୍ କରିଥିଲେ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଦ୍ୱିତୀୟ ଇନିଂସ୍ରେ ଏକଦା ୭ ୱିକେଟ୍ରେ ୭୩ ରନ୍ କରିଥିଲା। ଏହାପରେ ୱିକେଟ୍କିପର୍ ଆଲେକ୍ସ କେରୀ ଓ ମିଚେଲ୍ ଷ୍ଟାର୍କଙ୍କ ଚମତ୍କାର ବ୍ୟାଟିଂ ବଳରେ ଅଷ୍ଟ୍ରେଲିଆ ୨୦୭ ରନ୍ରେ ପହଞ୍ଚିଥିଲା। ଷ୍ଟାର୍କ ୧୩୬ ବଲ୍ରେ ପାଞ୍ଚ ଚୌକା ସହାୟତାରେ ୫୮ ରନ୍ କରି ଅପରାଜିତ ରହିଥିଲେ। ଅନ୍ୟପକ୍ଷରେ ଆଲେକ୍ସ କେରୀ ୫ ଚୌକା ସହାୟତାରେ ୫୦ ବଲ୍ରେ ୪୩ ରନ୍ କରିଥିଲେ। ସାଉଥ୍ ଆଫ୍ରିକା ପକ୍ଷରୁ କାଗିସୋ ରବାଡା ଦ୍ୱିତୀୟ ଓଭର୍ରେ ମଧ୍ୟ ଚମତ୍କାର ବୋଲିଂ କରି ୪ ୱିକେଟ୍ ଅକ୍ତିଆର କରିଥିଲେ। ଲୁଙ୍ଗି ଏନ୍ଗିଡିଙ୍କୁ ତିନିଟି ସଫଳତା ମିଳିଥିଲା।









