15.1 C
Bhubaneswar
Thursday, December 11, 2025
Homeଖେଳଦ୍ୱିତୀୟ ଟି-୨୦: ଭାରତକୁ ୫୧ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ଦ୍ୱିତୀୟ ଟି-୨୦: ଭାରତକୁ ୫୧ ରନରେ ହରାଇଲା ଦକ୍ଷିଣ ଆଫ୍ରିକା

ନ୍ୟୁ ଚଣ୍ଡିଗଡ଼: ମୁଲ୍ଲାନ୍‌ପୁରର ମହାରାଜ ଯାଦବେନ୍ଦ୍ର ସିଂହ ଅନ୍ତର୍ଜାତୀୟ କ୍ରିକେଟ୍ ଷ୍ଟାଡିୟମ୍‌ରେ ଗୁରୁବାର ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ସାଉଥ୍ ଆଫ୍ରିକା ୫୧ ରନ୍‌ରେ ଭାରତକୁୁ ହରାଇ ଦେଇଛି । ଭାରତୀୟ ଟିମ୍‌କୁ ବିଜୟ ୨୧୪ ରନ୍‌ର ଲକ୍ଷ୍ୟ ମିଳିଥିବା ବେଳେ ପୂରା ଟିମ୍ ୧୯.୧ ଓଭର୍‌ରେ ମାତ୍ର ୧୬୨ ରନ୍ କରି ଅଲ୍‌ଆଉଟ୍ ହୋଇଥିଲା । ଏହି ବିଜୟ ସହ ସାଉଥ୍ ଆଫ୍ରିକା ପାଞ୍ଚ ମ୍ୟାଚ୍‌ର ସିରିଜ୍ ୧-୧ରେ ବରାବର କରିଛି । ଦୁଇ ଟିମ୍ ମଧ୍ୟରେ ତୃତୀୟ ମ୍ୟାଚ୍ ରବିବାର ଧର୍ମଶାଳାରେ ଖେଳାଯିବ ।

ଲକ୍ଷ୍ୟର ପିଛା କରୁଥିବା ଟିମ୍ ଇଣ୍ଡିଆ ପ୍ରଥମ ଖରାପ ଥିଲା । ଶୁଭମନ୍ ଗିଲ୍ ଖାତା ଖୋଲିବା ପୂର୍ବର ହିଁ ପ୍ରଥମ ଓଭର୍‌ରେ ଲୁଙ୍ଗି ଏନ୍‌ଗିଡିଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଅନ୍ୟତମ ଓପ୍ନର୍ ଅଭିଷେକ ଶର୍ମା (୧୭ ରନ୍‌)ଙ୍କୁ ମାର୍କୋ ଜାନ୍‌ସେନ୍ ପରବର୍ତ୍ତୀ ଓଭର୍‌ରେ ପ୍ୟାଭିଲିୟନ୍ ଫେରାଇଥିଲେ । ଏହାପରେ ଜାନ୍‌ସେନ୍ ଭାରତୀୟ କ୍ୟାପ୍‌ଟେନ୍ ସୂର୍ଯ୍ୟକୁମାର ଯାଦବ (୫ ରନ୍‌)ଙ୍କ ମଧ୍ୟ ୱିକେଟ୍ ନେଇଥିଲେ । ୩୨ ରନ୍‌ରେ ୩ ୱିକେଟ୍‌ର ପତନ ପରେ ଅକ୍ଷର ପଟେଲ୍ ଓ ତିଳକ ବର୍ମା ଚତୁର୍ଥ ୱିକେଟ୍ ପାଇଁ ୩୫ ରନ୍‌ର ପାର୍ଟନରଶିପ୍ କରିଥିଲେ । ଅକ୍ଷର ୧୦୦ ଷ୍ଟ୍ରାଇକ୍ ରେଟ୍‌ରେ ୨୧ ରନ୍ କରିଥିବା ବେଳେ ଓଟନିଲ୍ ବାର୍ଟମ୍ୟାନ୍ ତାଙ୍କୁ ଆଉଟ୍ କରିଥିଲେ । ତେବେ ତିଳକ ବର୍ମା କ୍ରିଜ୍‌ରେ ତିଷ୍ଠିରହି ୨୭ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । କିନ୍ତୁ ତାଙ୍କୁ ଅନ୍ୟପଟୁ ସାଥ୍ ମିଳିନଥିଲା । ହାର୍ଦ୍ଦିକ ପାଣ୍ଡ୍ୟା ୨୩ ବଲ୍‌ରେ ୨୦ ରନ୍ କରିପାରିଥିଲେ । ଜିତେଶ ଶର୍ମା (୧୭ ରନ୍‌) ଲୁଥୋ ସିପାମ୍‌ଲାଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଶିଭମ୍ ଦୁବେଙ୍କୁ ବାର୍ଟମ୍ୟାନ୍ ମାତ୍ର ୧ ରନ୍‌ର ସ୍କୋର୍‌ରେ ଆଉଟ୍ କରିବା ପରେ ଅର୍ଶଦୀପ୍ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କୁ ମଧ୍ୟ ପ୍ୟାଭିଲିୟନ୍ ଫେରାଇଥିଲେ । ଶେଷ ୱିକେଟ୍ ଭାବେ ତିଳକ ବର୍ମା ଏନ୍‌ଗିଡିଙ୍କ ଶିକାର ହୋଇଥିଲେ । ତିଳକ ୩୪ ବଲ୍‌ରେ ଦୁଇ ଚୌକା ଓ ପାଞ୍ଚ ଛକା ସହାୟତାରେ ୬୨ ରନ୍ କରିଥିଲେ । ସାଉଥ୍ ଆଫ୍ରିକା ପକ୍ଷର ବାର୍ଟମ୍ୟାନ୍ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ଏନ୍‌ଗିଡି, ଜାନ୍‌ସେନ୍ ଓ ସିପମ୍‌ଲାଙ୍କୁ ୨-୨ ସଫଳତା ମିଳିଥିଲା ।

ଟସ୍ ହାରି ବ୍ୟାଟିଂ ପାଇଥିବା ସାଉଥ୍ ଆଫ୍ରିକା ପାଇଁ କ୍ୱିଣ୍ଟନ୍ ଡି କକ୍ ଓ ରିଜା ହେଣ୍ଡ୍ରିକ୍ସ ୩୮ ରନ୍‌ର ଓପ୍ନିଂ ପାର୍ଟନରଶିପ୍ କରିଥିଲେ । ତେବେ ହେଣ୍ଡ୍ରିକ୍ସ (୮)ଙ୍କୁ ଆଉଟ୍ କରି ବରୁଣ ଚକ୍ରବର୍ତ୍ତୀ ଏହି ପାର୍ଟନର୍‌ଶିପ୍ ଭାଙ୍ଗିଥିଲେ । ଏହାପରେ ଡିକକ୍ ଓ ଏଡେନ୍ ମାର୍କରନ୍ ଦ୍ୱିତୀୟ ୱିକେଟ୍ ପାଇଁ ୮୩ ରନ୍ ଯୋଡ଼ିଥିଲେ । ଏହି ଅବସରରେ ଡିକକ୍ ମାତ୍ର ୨୬ ବଲ୍‌ରେ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ମାର୍କରମ୍ (୨୯ ରନ୍‌) ଭଲ ଷ୍ଟାର୍ଟକୁ ବଡ଼ ଇନିଂସ୍‌ରେ ପରିବର୍ତ୍ତନ କରିପାରି ନଥିଲେ ଏବଂ ବରୁଣ ଚକ୍ରବର୍ତ୍ତୀଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ଡିକକ୍ ଶତକ ଆଡ଼କୁ ଆଗୋଉଥିବା ବେଳେ ଭାରତୀୟ ୱିକେଟ୍‌କିପର୍ ଜିତେଶ ଶର୍ମାଙ୍କ ଚମତ୍କାର ଫିଲ୍ଡିଂ ବଳରେ ରନ୍‌ଆଉଟ୍ ହୋଇଥିଲେ । ସେ ୭ ଚୌକା ଏବଂ ପାଞ୍ଚ ଛକା ସହାୟତାରେ ୪୬ ବଲ୍‌ରେ ୯୦ ରନ୍ କରି ଫେରିଥିଲେ । ଡିକକ୍‌ଙ୍କ ଆଉଟ୍ ବେଳକୁ ସାଉଥ୍ ଆଫ୍ରିକା ସ୍କୋର୍ ୧୫୬/୩ ଥିଲା । ଏହାପରେ ଡେଭାଲ୍ଡ ବ୍ରେଭିସ୍‌(୧୪ ରନ୍‌)ଙ୍କ ରୂପରେ ଟିମ୍‌ର ଚତୁର୍ଥ ୱିକେଟ୍ ପତନ ଘଟିଥିଲା । ବ୍ରେଭିସ୍‌ଙ୍କ ଅକ୍ଷର ପଟେଲ୍ ଆଉଟ୍ କରିଥିଲେ । ଏହିଠାରୁ ଡେଭିଡ୍ ମିଲର୍ ଓ ଡୋନୋଭନ୍ ଫରେରା ଅବିଭାଜିତ ପଞ୍ଚମ ୱିକେଟ୍ ପାଇଁ ୨୩ ବଲ୍‌ରେ ୫୩ ରନ୍ କରି ଟିମ୍‌କୁ ବଡ଼ ସ୍କୋର୍‌ରେ ପହଞ୍ଚାଇଥିଲେ । ଫରେରା ୩ ଛକା ଓ ଗୋଟିଏ ଚୌକା ସହାୟତାରେ ୧୬ ବଲ୍‌ରେ ଅପରାଜିତ ୩୦ ଏବଂ ମିଲର୍ ୧୨ ବଲ୍‌ରେ ୨ ଚୌକା ବଳରେ ଅପରାଜିତ ୨୦ ରନ୍ କରିଥିଲେ । ଭାରତ ପକ୍ଷରୁ ବରୁଣ ଚକ୍ରବର୍ତ୍ତୀ ୨ଟି ଏବଂ ଅକ୍ଷର ପଟେଲ୍ ଗୋଟିଏ ୱିକେଟ୍ ପାଇଥିଲେ । ଏହି ମ୍ୟାଚ୍ ପାଇଁ ସାଉଥ୍ ଆଫ୍ରିକା ତିନିଟି ପରିବର୍ତ୍ତନ କରିଥିଲା । ଆନ୍‌ରିକ୍ ନୋର୍ଜେ, ଟ୍ରିଷ୍ଟନ୍ ଷ୍ଟବ୍ସ ଏବଂ କେଶବ ମହାରାଜଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ରିଜା ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ ଏବଂ ଓଟନିଲ୍ ବାର୍ଟମ୍ୟାନ୍‌ଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ ହୋଇଥିଲେ । ଅନ୍ୟପକ୍ଷରେ ଟିମ୍ ଇଣ୍ଡିଆର ଚୂଡ଼ାନ୍ତ ଏକାଦଶରେ କୌଣସି ପରିବର୍ତ୍ତନ କରାଯାଇ ନଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking