ନୂଆଦିଲ୍ଲୀ : ପୁଅ ଆଖି ସାମ୍ନାରେ ମା’କୁ ହତ୍ୟା । ରାଜଧାନୀରେ ଚାଞ୍ଚଲ୍ୟକର ମର୍ଡର । ଅନୈତିକ ସଂପର୍କ ସନ୍ଦେହରୁ ଘଟିଛି ଏକ ଭୟଙ୍କର କାଣ୍ଡ । ଦୁଇ ପିଲାଙ୍କ ଆଖି ସାମ୍ନାରେ ମାଆକୁ ହତ୍ୟା କରିଛି ବାପା । ମଦୁଆ ବାପା ମାଆର ତଣ୍ଟି ଚିପି କଲବଲ କରି ମାରୁଥିଲା । ଆଉ ଏସବୁ ଦେଖୁଥିଲେ ଦୁଇ କୁନି ପୁଅ । ଥରେ ଭାବନ୍ତୁ କ’ଣ ହୋଇଥିବା ଦୁଇ ନାବାଳକ ପିଲାଙ୍କର ଅବସ୍ଥା । ରାଜଧାନୀ ଦିଲ୍ଲୀର ସୁଲତାନପୁରୀ ଅଞ୍ଚଳରେ ଘଟିଛି ଏହି ଅମାନୁଷିକ ଘଟଣା । ହତ୍ୟାକାରୀ ବାପାର ନାଁ ଅନୀଲ । ସେ ଡ୍ରାଇଭର ଭାବେ କାମ କରେ । ଅନ୍ୟ ପୁରୁଷ ସହ ସ୍ତ୍ରୀର ଅନୈତିକ ସଂପର୍କ ଥିବା ସନ୍ଦେହ କରୁଥିଲା ଅନୀଲ । ଏହାକୁ ନେଇ ସ୍ୱାମୀ-ସ୍ତ୍ରୀଙ୍କ ଭିତରେ ବିବାଦ ଲାଗି ରହିଥିଲା । ଏହି ସନ୍ଦେହକୁ କେନ୍ଦ୍ରକରି ଶନିବାର ଦିନ ଅନୀଲ ମଦ ପିଇ ଆସି ନିଜ ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କରିଥିଲା । ଏହି ସମୟରେ ଘରେ ତାଙ୍କର ଦୁଇ ନାବାଳକ ପୁଅ ଥିଲେ । ଦୁଇ ପିଲାଙ୍କ ବୟସ ୧୦ ବର୍ଷ ଓ ୧୩ ବର୍ଷ । ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲା ପୋଲିସ । ମୃତ ମହିଳା ଖଟରେ ପଡିଥିବା ବେଳେ ତାଙ୍କ ବେକରେ ଗୋଟିଏ ସ୍କ୍ରାପ ଗୁଡାଇ ହୋଇଥିବା ଦେଖିବାକୁ ମିଳିଥିଲା। ପୋଲିସ ଆଗରେ ପୂରା ଘଟଣା ବଖାଣିଥିଲା ମୃତ ମହିଳାଙ୍କର ଦୁଇ ନାବାଳକ ପୁଅ । ବାପା ମଦ ପିଇ ଆସି ମାଆ ସହ ଝଗଡା କରିଥିଲେ ଓ ତା ପରେ ତଣ୍ଟି ଚିପି ମାରି ଦେଇଥିଲେ ବୋଲି କହିଥିଲେ ଦୁଇ ପୁଅ । ତେବେ ଅନୈତିକ ସଂପର୍କ ସନ୍ଦେହରୁ ହତ୍ୟାକାଣ୍ଡ ଘଟିଥିବା ସନ୍ଦେହ କରାଯାଉଥିବାବେଳେ ପ୍ରକୃତ କାରଣ ଏ ଯାଏଁ ସ୍ପଷ୍ଟ ହୋଇନି । ପୋଲିସ ଅଭିଯୁକ୍ତ ସ୍ୱାମୀକୁ ଗିରଫ କରି ଛାନଭିନ୍ ଜାରି ରଖିଛି ।










